
ଜୟପୁର,୯।୧(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ପୋଲିସ ସୁର୍ଲି ଗ୍ରାମ ନିକଟରେ ଏକ କାର୍ରୁ ୧ କୁଇଣ୍ଟାଲ ୬୯ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ।
ପୋଲିସ ସୂଚନାନୁଯାୟୀ, ବୁଧବାର ରାତିରେ କୋଟପାଡ଼ ପୋଲିସ ପାଟ୍ରୋଲିଂ କରିବା ସମୟରେ ସୁର୍ଲି ଗ୍ରାମ ନିକଟରେ ଏକ କାର୍ ( ଜେଏଚ୍ ୦୩ ଇ ୭୦୦୭)କୁ ସନ୍ଦେହରେ ଅଟକାଇବା ସମୟରେ ଏଥିରେ ବସିଥିବା ଦୁଇ ଗଞ୍ଜେଇ ମାଫିଆ ଦୌଡ଼ି ପଳାଇଥିଲେ। କୁହୁଡ଼ି ହୋଇଥିବାରୁ ଅଭିଯୁକ୍ତଙ୍କୁ ଧରି ପାରି ନ ଥିଲା ପୋଲିସ। ଯାଞ୍ଚ ପରେ କାର ଭିତରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଅଭିଯୁକ୍ତମାନେ ଏହି ଗଞ୍ଜେଇ କେଉଁଠୁ ଆଣି କେଉଁଠିକୁ ଚାଲାଣ କରୁଥିଲେ ଏହି ବିଷୟରେ ତଦନ୍ତ କରାଯିବ ବୋଲି ପୋଲିସ କହିଛି। ଏନେଇ କୋଟପାଡ଼ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରହିଛି।