![](https://www.dharitri.com/wp-content/uploads/2020/03/Untitled-1-236.jpg)
ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଲକ୍ଡାଉନ୍ ଫଳରେ ଓଡ଼ିଶାରେ ରାଜ୍ୟ ବାହାରର ୧୫ହଜାର ୬ଶହରୁ ଊର୍ଦ୍ଧ୍ୱ ଶ୍ରମିକ ଫସି ରହିଛନ୍ତି। ଏମାନେ ପଶ୍ଚିମବଙ୍ଗ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଆଦି ରାଜ୍ୟର ବୋଲି ଜଣାପଡିଛି। ଏମାନଙ୍କୁ ୧୦୪ଟି କ୍ୟାମ୍ପରେ ରଖାଯାଇ ଖାଦ୍ୟ ଦିଆଯାଉଛି। ସହାୟତା ପାଇଁ ଶ୍ରମିକ ସହାୟତା କଣ୍ଟ୍ରୋଲ ରୁମ୍କୁ ୧୩୦ଟି କଲ୍ ଆସିଥିବା ଶ୍ରମ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଅନ୍ୟପଟେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନେ ଏହି ଲକ୍ଡାଉନ୍ ସମୟରେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସହାୟତା ପାଇଁ ଗୃହ ବିଭା ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ସେଗୁଡିକ ହେଲା ଲ୍ୟାଣ୍ଡ୍ ଲାଇନ୍ ଫୋନ୍ ନଂ.୦୬୭୪-୨୩୯୨୧୧୫ ଏବଂ ହ୍ବାଟସ୍ଆପ୍ ନମ୍ବର-୯୪୩୮୯୧୫୯୮୬। ସେହିପରି ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ ମଧ୍ୟ ହେଲ୍ପଲାଇନ ନଂ.୧୮୦୦-୩୪୫-୬୭୦୩ ଜାରି ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଦେଶର ବିଭିନ୍ନ ରାଜ୍ୟରେ ଓଡ଼ିଆ ଲୋକ ଫସି ରହିଛନ୍ତି। କାମ ଓ ପେଟପାଟଣା ସନ୍ଧାନରେ ଯାଇ ଏବେ କରୋନା କଟକଣାରେ ନାନା ହଇରାଣ ହେଉଛନ୍ତି। ସେମାନେ ଏବେ ଘରକୁ ଫେରିବାକୁ ନିବେଦନ କରୁଛନ୍ତି। କନ୍ଧମାଳ ଜିଲାର ବହୁ ଲୋକ ଏବେ କେରଳରେ ଭୋକ ଉପାସରେ ପଡି ରହିଛନ୍ତି। ସେହିପରି ଭଦ୍ରକ ଜିଲା ତିହିଡି, ଚାନ୍ଦବାଲି, ଧାମରା ଅଞ୍ଚଳର ବହୁ ଲୋକ ତାମିଲନାଡୁ, ଗୋଆ, କର୍ନାଟକ ଏବଂ ମହାରାଷ୍ଟ୍ରରେ ଫସି ରହିଛନ୍ତି। ଏହାଛଡ଼ା କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ବହୁ ଲୋକ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୁଜରାଟରେ କାମ କରୁଥିବାବେଳେ ଲକ୍ଡାଉନ୍ ଯୋଗୁ କାମ ହରାଇଥିବା ଜଣାଇଛନ୍ତି। ଭିଡିଓ ମେସେଜ୍ ଜରିଆରେ ଏମାନେ ନିଜ ଘରକୁ ଫେରିବାକୁ ନିବେଦନ କରିଛନ୍ତି।