ଆନୁଗତ୍ୟ ବୋହୁଛି

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମ୍ବିଧାନିକ ସମ୍ପର୍କ ସ୍ଥାପନ ପାଇଁ ଭାରତରେ ରାଜ୍ୟପାଳମାନଙ୍କୁ ନିଯୁକ୍ତ କରାଯାଇଥାଏ। ହେଲେ ଦେଖାଯାଉଛି କେତେକ ରାଜ୍ୟପାଳ ସାମ୍ବିଧାନିକ ସୀମା ଅତିକ୍ରମ କରି ନିର୍ବାଚିତ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ସେଥିଲାଗି ସେମାନଙ୍କ ଭୂମିକା ନେଇ ଅନେକ ସମୟରେ ତର୍କ ହୋଇଥାଏ। ଏଥିସହିତ ଉକ୍ତ ପଦବୀର ଆବଶ୍ୟକତା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୭-୧୮ ଆର୍ଥିକ ବର୍ଷରେ ତତ୍‌କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପରାଜ୍ୟପାଳ ଓ ରାଜ୍ୟପାଳଙ୍କ ଦରମା ବୃଦ୍ଧି ସଂକ୍ରାନ୍ତ ବିଲ୍‌ ଆଗତ କରିଥିଲେ। ଉପରାଜ୍ୟପାଳ ୨.୨୫ ଲକ୍ଷ ଟଙ୍କା ଓ ରାଜ୍ୟପାଳ ୩.୫ ଲକ୍ଷ ଟଙ୍କା ଦରମା ପାଇବାର ବ୍ୟବସ୍ଥା କରାଯାଇଥିଲା। ସେହି ସମୟରେ ଲୋକ ସଭାରେ ଏହି ପଦବୀକୁ ନେଇ ଅନେକ ମତ ପ୍ରକାଶ ପାଇଥିଲା। ଭାଜପାର କେତେକ ସଦସ୍ୟ ନିଜ ଭାଷଣରେ କଂଗ୍ରେସ କେଉଁଭଳି ଭାବେ ଏହି ପଦବୀର ଦୁରୁପଯୋଗ କରୁଥିଲା ତାହାର ଅନେକ ଉଦାହରଣ ଦେଇଥିଲେ। କିନ୍ତୁ ପରିସ୍ଥିତିର ପରିବର୍ତ୍ତନ କରିବା ପରିବର୍ତ୍ତେ ଆଜିର ସରକାର ଅଧିକ ଜଟିଳତା ସୃଷ୍ଟି କରିଛନ୍ତି। ୨୩ ନଭେମ୍ବର ୨୦୧୯ରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀ ଯେଭଳି ଭାବେ ଦେବେନ୍ଦ୍ର ଫଡ୍‌ନବିସ ଓ ଅଜିତ୍‌ ପାଓ୍ବରଙ୍କୁ ବଡ଼ିଭୋରୁ ଶପଥ ଗ୍ରହଣ କରାଇଦେଇଥିଲେ, ସେଥିରୁ ତାଙ୍କର ରବର ଷ୍ଟାମ୍ପ୍‌ ପରିସ୍ଥିତି ସମ୍ପର୍କରେ ସମଗ୍ର ଦେଶ ଅବଗତ ହୋଇଥିଲା। ପଣ୍ଡିଚେରୀ ଉପରାଜ୍ୟପାଳ ଥିବା କିରଣ ବେଦୀ ଅତୀତରେ ଦେଇଥିବା ଏକ ମନ୍ତବ୍ୟ ଏଠାରେ ମନେପଡ଼େ। ତାଙ୍କର ‘ଛୋଟ ବଳାତ୍କାର’ ମନ୍ତବ୍ୟକୁ ନେଇ ଗଣମାଧ୍ୟମ ଯେଉଁଭଳି ଛବି ଆଙ୍କିଥିଲା, ସେଥିପାଇଁ ସେ ଗଣମାଧ୍ୟମକୁ ସେତେବେଳେ ସମାଲୋଚନା କରିଥିଲେ। ଜଣେ ମହିଳା ଉପରାଜ୍ୟପାଳ ଛୋଟ ବଳାତ୍କାରର ଅର୍ଥ ଦେଶବାସୀଙ୍କୁ ବୁଝାଇବା ଦରକାର। ଏହା ବିଶେଷ ଭାବେ ଗୁରୁତ୍ୱ ଧାରଣ କରୁଛି ଯେ, କିରଣ ବେଦୀ ଜଣେ ପୂର୍ବତନ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ। ନାରୀଙ୍କ ପ୍ରତି ଜଘନ୍ୟ ଅପରାଧକୁ ଲୋକଲୋଚନକୁ ଆଣି କେଉଁଭଳି ତ୍ରୁଟି ଗଣମାଧ୍ୟମ କରିଛି ସେ ସମ୍ପର୍କରେ କିରଣ ବେଦୀ ଅଧିକ ବ୍ୟସ୍ତତା ପ୍ରକାଶ କରୁଥିବା ଅତ୍ୟନ୍ତ ଅଶୋଭନୀୟ ମନେହେଉଛି। କିରଣଙ୍କ ପରେ ଏବେ କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କ ମତ ପ୍ରକାଶ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଭାଜପାର ଦୁଇ ଚାରୋଟି କୁକୁଡ଼ାର ମୁକୁଟ ଭଳି ଥିବା ଅରିଫ୍‌ ମହମ୍ମଦ ଖାନ୍‌ ଏବେ ପରିଚିତ ହୋଇଛନ୍ତି। ପୂର୍ବରୁ କଂଗ୍ରେସ, ଜନତା ଦଳ, ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଆଦି ତୁଠକୁ ଅଇଁଠା କରିସାରିବା ପରେ ଭାଜପା ତୁଠରେ ଅରିଫ୍‌ ଗାଧୋଉଛନ୍ତି। ଏଠାରେ ଏକ ଇଂଲିଶ ଢଗ ମନେପଡ଼େ-‘ମୋର୍‌ ଲୟାଲ ଦାନ୍‌ ଦି କିଙ୍ଗ’। ଅର୍ଥାତ୍‌ ରାଜାଙ୍କ ତୁଳନାରେ ଅଧିକ ଆନୁଗତ୍ୟ ଦେଖାଇବା। ସେଥିପାଇଁ ହୁଏତ କେନ୍ଦ୍ର କିଛି କହିବା ପୂର୍ବରୁ ଅରିଫ୍‌ ନିଜର ଆନୁଗତ୍ୟ ପ୍ରଦର୍ଶନ କରିଦେଉଛନ୍ତି।
ସଦ୍ୟ ଘଟଣା ଦେଖିଲେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ କେରଳର ବାମସାମ୍ମୁଖ୍ୟ ସରକାର ଓ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କ ମଧ୍ୟରେ ବିବାଦ ଘନୀଭୂତ ହୋଇଛି। କେରଳ ସରକାର ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିବାରୁ ରାଜ୍ୟପାଳ ଏ ନେଇ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ସେ ନୀରବ ଦର୍ଶକ ନ ରହି ରାଜ୍ୟରେ ଉକ୍ତ ଆଇନକୁ କାର୍ଯ୍ୟକାରୀ କରିବେ ବୋଲି ଖାନ୍‌ କହିଛନ୍ତି। ରାଜ୍ୟ ସରକାର ତାଙ୍କ ସହ ପରାମର୍ଶ ନ କରି ସର୍ବୋଚ୍ଚ ଅଦାଲତକୁ ଯାଇଥିବାରୁ ସେ ନିଜର ଅସନ୍ତୋଷ ସାଧାରଣରେ ବ୍ୟକ୍ତ କରିଛନ୍ତି।
ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚିତ ସରକାର ସବୁ କିଛି। ରାଜ୍ୟପାଳ କେବଳ ସମ୍ବିଧାନର ରକ୍ଷକ। ସିଏଏ କଥା ଦେଖିଲେ ତାହା ପାର୍ଲାମେଣ୍ଟର ସ୍ବୀକୃତି ପାଇଥିଲେ ମଧ୍ୟ ଏହାର କେତେକ ଦିଗ ନାଗରିକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରି କେରଳ ଓ ପଞ୍ଜାବ ସରକାର ଏହାର କାର୍ଯ୍ୟକାରିତା ବିରୋଧରେ ସେମାନଙ୍କ ବିଧାନସଭାରେ ପ୍ରସ୍ତାବ ଗୃହୀତ କରିଛନ୍ତି। ଏହି ଦୁଇ ରାଜ୍ୟ ପରେ ରାଜସ୍ଥାନ ସରକାର ସେମାନଙ୍କ ପଦାଙ୍କ ଅନୁସରଣ କରିବ ବୋଲି କହିଛି। ଅବଶ୍ୟ ଏହା ଏକ ତର୍କର ବିଷୟ ଯେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଦ୍ୱାରା ଅଣାଯାଇଥିବା ଆଇନକୁ ରାଜ୍ୟଗୁଡ଼ିକ କିଭଳି ବିରୋଧ କରିପାରିବେ। ଯେତେବେଳେ କେନ୍ଦ୍ରର କୌଣସି ନିଷ୍ପତ୍ତି ରାଜ୍ୟର ଅଧିକାରକୁ କ୍ଷୁଣ୍ଣ କରୁଥିବ, ସେତେବେଳେ ତାହାର ପ୍ରତିବାଦ କରାଯାଇପାରିବ। ଆଜିର ପରିସ୍ଥିତିରେ ସିଏଏକୁ ନେଇ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ପଡ଼ିରହିଛି। ଏହାର ବୈଧତା ଉପରେ ସର୍ବୋଚ୍ଚ ଅଦାଲତ ରାୟ ଶୁଣାଇ ନ ଥିବାରୁ ଯେଉଁ ରାଜ୍ୟଗୁଡ଼ିକ ସିଏଏକୁ ବିରୋଧ କରୁଛନ୍ତି ସେମାନେ କୋର୍ଟଙ୍କ ଆଶ୍ରୟ ନେବାରେ ଅସୁବିଧା ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଭଳି ସ୍ଥଳେ କେରଳ ରାଜ୍ୟପାଳ ସେଠାକାର ସରକାରଙ୍କଠାରୁ ରିପୋର୍ଟ ମାଗିବା ହେଉଛି ତାଙ୍କ କାର୍ଯ୍ୟ ପରିସର ବାହାର ବୋଲି ମନେହେଉଛି। ଅବଶ୍ୟ ପୂର୍ବରୁ କେନ୍ଦ୍ରରେ ଶାସନ କରୁଥିବା ଦଳ ତା’ର ନେତାମାନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ କରି ରାଜନୈତିକ ଫାଇଦା ଉଠାଇଥିବାର ନଜିର ରହିଛି। ହେଲେ ଆଜିର କେନ୍ଦ୍ର ସରକାର ଦ୍ୱାରା ନିଯୁକ୍ତ ରାଜ୍ୟପାଳମାନେ ଯେଭଳି ଭାବେ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ଦ୍ୱାରା ସଂଘୀୟ ବ୍ୟବସ୍ଥା ବିପଦରେ ପଡ଼ିଲାଣି। କାରଣ ଏହି ରାଜ୍ୟପାଳମାନେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କର ସେତୁ ନ ପାଲଟି ରାଜନୈତିକ ପ୍ରତିନିଧି ଭଳି କାର୍ଯ୍ୟ କରୁଥିବା ପ୍ରତୀୟମାନ ହେଉଛି। ନିକଟ ଅତୀତକୁ ଦେଖିଲେ କର୍ନାଟକ ରାଜ୍ୟପାଳ ବାଜୁଭାଇ ଭାଲା ଓ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଯେଉଁଭଳି ଭାବେ ସମ୍ପୃକ୍ତ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ ପରେ ନିଜର ଭୂମିକା ପ୍ରଦର୍ଶନ କରିଥିଲେ, ତାହା ସେହି ପଦବୀକୁ ଅସମ୍ମାନିତ କରିଥିଲା। ଯେତେବେଳେ ରାଜ୍ୟପାଳମାନେ ସାମ୍ବିଧାନିକ ମର୍ଯ୍ୟାଦା ଅତିକ୍ରମ କରିବା ସହିତ ଦେଶର ମୌଳିକ ଚରିତ୍ର ଅର୍ଥାତ୍‌ ସଂଘୀୟ ଢାଞ୍ଚାକୁ ଆଘାତ ଦେଇଥାଆନ୍ତି, ସେତେବେଳେ ଉକ୍ତ ପଦବୀର ଗରିମା ହ୍ରାସ ପାଇଥାଏ। ଏଭଳି ରାଜ୍ୟପାଳମାନଙ୍କ କାର୍ଯ୍ୟକୁ ଦେଖିଲେ ମନେହେଉଛି ସତେଯେପରି ସେମାନେ କେନ୍ଦ୍ର ସରକାରଙ୍କ ସ୍ବାର୍ଥକୁ ଜଗିବା ପରିବର୍ତ୍ତେ ଭାଜପାର ଦଳୀୟ ସ୍ବାର୍ଥକୁ ଗୁରୁତ୍ୱ ଦେଉଛନ୍ତି। ଏହା ଦେଶ ପାଇଁ କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri