ଦିଅଁ ଗଢୁ ଗୁଢୁ ମାଙ୍କଡ଼

ବୈକୁଣ୍ଠନାଥ ମିଶ୍ର
ଲିଓ ଟଲଷ୍ଟୟଙ୍କର କ୍ଷୁଦ୍ରଗଳ୍ପ ‘ହାଓ ମଚ୍‌ ଲ୍ୟାଣ୍ଡ ଡଜ୍‌ ଏ ମ୍ୟାନ୍‌ ନିଡ୍‌’ର ମୁଖ୍ୟ ନାୟକ ପାହୋମ୍‌କୁ କୁହାଯାଇଥିଲା, ସୂର୍ଯ୍ୟାସ୍ତ ପୂର୍ବରୁ ସେ ଯେତେ ଜମି ଭ୍ରମଣ କରି ମୂଳ ସ୍ଥାନରେ ଆସି ପହଞ୍ଚିବ, ସେସବୁ ତା’ର ହୋଇଯିବ। ସୂର୍ଯ୍ୟ ପଶ୍ଚିମ ଦିଗ୍‌ବଳୟ ସ୍ପର୍ଶ କରିବାକୁ କ୍ରମଶଃ ଢଳି ଚାଲିଥିଲେ ମଧ୍ୟ ଲୋଭବଶତଃ ଅଧିକରୁ ଅଧିକ ଜମି ପାଇବା ଆଶାରେ କ୍ଷିପ୍ର ବେଗରେ ଦୌଡିବାକୁ ଲାଗିଲା। ସେ ତା’ର ଆରମ୍ଭ ସ୍ଥାନରୁ ଏତେ ଦୂରକୁ ଚାଲିଯାଇଥିଲା ଯେ ସୂର୍ଯ୍ୟାସ୍ତ ପୂର୍ବରୁ ସେ ତା’ର ମୂଳ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରି ନ ପାରି ଶେଷରେ ପ୍ରାଣତ୍ୟାଗ କଲା। ମନୁଷ୍ୟର ନୀଚ ପ୍ରବୃତ୍ତି ତାକୁ ପାହୋମ୍‌ ପରି ଦଶା ଭୋଗ କରିବାକୁ ସଦା ଅନୁପ୍ରେରିତ କରୁଥାଏ। ଏହା ଏକ ସର୍ବକାଳୀନ ଗଳ୍ପ। ଆଜି ଆମେ ଶତ ଶତ ପାହୋମ୍‌ମାନଙ୍କୁ ନିତି ପ୍ରତ୍ୟକ୍ଷ କରୁଛୁ। ଯେଉଁମାନେ ନିଜର ମୋଟା ଅଙ୍କର ସ୍ଥାୟୀ ଆୟ ସତ୍ତ୍ୱେ ଲୋଭ ସମ୍ବରଣ କରି ନ ପାରି ଅନ୍ୟାୟ ଉପାର୍ଜନର ଅନୁଧାବନ କରି ଶେଷରେ କାରାଗାରର ଅନ୍ଧକାର କୋଠରିରେ ବାସ କରୁଛନ୍ତି।
ଅଭିରାମବାବୁ ସେଦିନ ସାରେ ଟିଭିରେ ଖବର ଦେଖୁଥିବା ବେଳେ ପତ୍ନୀ ଅଞ୍ଜନା ଦେବୀ ଚା କପ୍‌ ଟି-ପଏ ଉପରେ ରଖି ସ୍ବାମୀଙ୍କୁ ତାଗିଦ କରି କହିଲେ- ଚା ରହିଲା, ମନେକରି ପିଇନେବ। ଆଉଥରେ ମାଗିଲେ ମୁଁ ଦେଇପାରିବି ନାହିଁ। ବୁଢୀ ବୟସରେ ମୋର କ’ଣ ବଳ ମାଡିଆସୁଛି ଯେ ତୁମକୁ ଏତେଥର ଚା ଦେଉଥିବି। ଟିକିଏ ରହି ଅଞ୍ଜନା ଦେବୀ ପୁଣି କହିଲେ, ମୋ କଥା ଶୁଣୁଛ ନା ନାହିଁ। ଅଭିରାମବାବୁଙ୍କର ମନ ଆଜି ସତରେ ଚା ପିଇବାରେ ନାହିଁ। ଏକ ଲୟରେ ସେ ଟିଭିକୁ ଚାହିଁଛନ୍ତି ଯେ ଆଖିରେ ପଲକ ପଡୁନାହିଁ। ପତ୍ନୀଙ୍କୁ ଡାକି କହିଲେ, ଦେଖିଲ ଏ ଯେଉଁ ଲୋକକୁ ପୋଲିସ ଆରେଷ୍ଟ କରି ନେଉଛି, ସେ ଆମ କୁନା ନୁହେଁ ତ? ଅଞ୍ଜନା ଦେବୀ ଫେଁ କିନା ହସିଦେଇ ଲଘୁ ପରିହାସରେ କହିଲେ, ହଇଓ ତୁମ ମୁଣ୍ଡ ଠିକ୍‌ ଅଛି ତ! ତୁମେ କ’ଣ କହୁଛ ବୁଝି ପାରୁଛ ତ। ଆମ କୁନାକୁ ପୁଣି ପୋଲିସ ଆରେଷ୍ଟ କରିବ। ଏ କଥା କହିବାକୁ ତୁମ ତୁଣ୍ଡ ଲେଉଟିଲା କିପରି? ଆମ କୁନା ଚୋର ନା ଡକାୟତ ହୋଇଛି ଯେ ପୋଲିସ ତାକୁ ବାନ୍ଧିନେବ। ସେ ପରା ଏତେ ବଡ ହାକିମ। ପୋଲିସବାଲା ତାକୁ ଦିନକୁ ଶହେ ସଲାମ ମାରନ୍ତି। ତୁମେ ପରା କହୁଥିଲ ତା’ ପାଖରେ ପିଅନ, ଚପରାସୀ ହୋଇ କାହିଁ କେତେ ଅଛନ୍ତି। ପୁଣି ଅଧସ୍ତନ କର୍ମଚାରୀଙ୍କର ଅଭାବ ନାହିଁ। ଏତେ ଲୋକ ଥାଉଁ ଥାଉଁ ପୋଲିସ ତାକୁ ବାନ୍ଧିନେଲା, ଅଥଚ କେହି କିଛି କରିପାରିଲେ ନାହିଁ। ତୁମର ବୟସାଧିକ୍ୟ ଯୋଗୁ ମତିଭ୍ରମ ହେଲାଣି। ତେଣୁ ଯେତେକ ଅବାଞ୍ଛିତ କଥା ମୁଣ୍ଡରେ ପୂରାଉଛ।
ଅଭିରାମବାବୁଙ୍କର ବୟସ ଅଧିକ ହୋଇଥିଲେ ମଧ୍ୟ ନିଜ ପୁଅକୁ ଯେ ଚିହ୍ନିପାରିବେ ନାହିଁ, ଏକଥା ହୋଇପାରେନା। ସେ ଠିକ୍‌ ଦେଖିଛନ୍ତି। ଅନ୍ୟମାନଙ୍କର ନଜର ଏଡାଇବା ପାଇଁ ମୁହଁ ଲୁଚାଉଥିବା ବ୍ୟକ୍ତିଟି ଯେ ତାଙ୍କ ପୁଅ ଶ୍ରୀମାନ୍‌ ଅଭିଷେକ ଦାସ (କୁନା) ଏଥିରେ ତିଳେହେଲେ ସନ୍ଦେହ ନାହିଁ। ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ତତ୍କାଳ ଜେଲ ଯାଉଥିବାର ଦୃଶ୍ୟ ଟିଭି ପରଦାରେ ଦେଖିବା ସହ ପୁତ୍ରର ନାମ ବାରମ୍ବାର କର୍ଣ୍ଣଗୋଚର ହୋଇ ତାଙ୍କ ବିଶ୍ୱାସକୁ ଅଧିକ ଦୃଢୀଭୂତ କରିଛି। ସେ ଆଉ ଟିଭି ପରଦାକୁ ଚାହିଁପାରୁ ନାହାନ୍ତି। ଅଗତ୍ୟା ଟିଭି ବନ୍ଦ କରି ଚିନ୍ତା କରିବାକୁ ଲାଗିଲେ। କୁନା ତାଙ୍କର ଏକମାତ୍ର ପୁଅ। ତୁଳସୀ ଦୁଇପତ୍ରରୁ ବାସିଲା ପରି କୁନା ଯେ ଜଣେ ବଡ଼ମଣିଷ ହେବ- ଏକଥା ପିଲାବେଳୁ ଜଣାପଡୁଥିଲା। ସମସ୍ତଙ୍କ ତୁଣ୍ଡରେ ତା’ର ଭୂରି ଭୂରି ପ୍ରଶଂସା। ପାଠପଢାରେ ଯେମିତି, ଆଚାର ବ୍ୟବହାର ମଧ୍ୟ ଅନୁରୂପ। ଶ୍ରେଣୀରେ ପ୍ରଥମ ହୋଇ କୁନା ବରାବର ତା’ ମେଧାଶକ୍ତିର ପରିଚୟ ଦେଇ ଆସୁଥିଲା। ଚାଣକ୍ୟଙ୍କ ନୀତିବାଣୀ କହେ-
ବରମେକୋ ଗୁଣୀପୁତ୍ରୋ ନ ଚ ମୂର୍ଖ ଶତାନ୍ୟପି
ଏକଶ୍ଚନ୍ଦ୍ରଃ ତମୋ ହନ୍ତି ନ ଚ ତାରାଗଣୋଽପି ଚ।
ଅର୍ଥାତ୍‌- ଆକାଶରେ ଅନେକ ତାରା ଥାଇ ଅନ୍ଧକାର ଦୂରେଇ ପାରୁ ନ ଥିବାବେଳେ ଏକମାତ୍ର ଚନ୍ଦ୍ର ରାତ୍ରିର ଅନ୍ଧକାର ଦୂର କରିପାରେ। ଠିକ୍‌ ସେହିପରି ଅନେକ ମୂର୍ଖ ପୁତ୍ର ଜନ୍ମହୋଇ ମାତାପିତା ଓ ସମାଜକୁ ଦୁଃଖଦେବା ଅପେକ୍ଷା ଏକମାତ୍ର ଗୁଣୀପୁତ୍ର ପରିବାର ଓ ସମାଜର ଉନ୍ନତି କରେ। କୁନା ତାଙ୍କର ଯେମିତି ବିଦ୍ୱାନ ସେମିତି ବିନୟୀ। ବହୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ଅର୍ଜନ କରି ନିଜ ପସନ୍ଦରେ ଓଡିଶା ପ୍ରଶାସନିକ ସେବାରେ ଯୋଗଦେଲା। ଓଡ଼ିଶାର ବିଭିନ୍ନ ସ୍ଥାନରେ କାମ କରି ଏଇ କେତେ ବର୍ଷ ହେଲା ରାଜଧାନୀରେ ଅବସ୍ଥାପିତ।
ଚାକିରିରେ ଯୋଗଦେବା ପାଇଁ ମା’ ବାପାଙ୍କଠାରୁ ବିଦାୟ ନେଇ ଆସିଲା ଦିନ ବାପା ଅଭିରାମବାବୁ ଉପଦେଶ ଛଳରେ କହିଥିଲେ, କୁନାରେ ସରକାରୀ ଚାକିରିକୁ ହେୟଜ୍ଞାନ କରିବୁ ନାହିଁ। ସାବଧାନତା ଅବଲମ୍ବନ ନ କଲେ ପ୍ରତିକ୍ଷଣରେ ବିପଦର ସମ୍ଭାବନା ଅଛି। ଅନୁଚିତ ଫାଇଦା ହାସଲ କରିବା ବ୍ୟକ୍ତିଙ୍କର ସମାଜରେ ଅଭାବ ନାହିଁ। ଯେଉଁମାନେ ଫାଇଦା ହାସଲ କରୁଥିବେ, ସେହିମାନେ ହିଁ ତୁମ ଦୁର୍ବଳତାର ସୁଯୋଗ ନେବେ। ଥରେ ତୁମ ଚରିତ୍ରରେ ଦୁର୍ବଳତା ଆସିଗଲେ, ଆଉ ତୁମର ନିସ୍ତାର ନାହିଁ। ବିପଦବେଳେ ତୁମ ଉଚ୍ଚାଧିକାରୀ, ସହକର୍ମୀ କିମ୍ବା ଅଧସ୍ତନ, କେହି ବି ତୁମ ସାଥିରେ ନ ଥିବେ। ବିପଦ ସୃଷ୍ଟି କରିଥିବା ବ୍ୟକ୍ତି ଅଜ୍ଞାତ ଭଳି ସୁନ୍ଦର ଅଭିନୟ କରିବେ। ମୋ କଥା ତ ତୁ ଜାଣୁ। ଚାକିରି ଜୀବନରେ ନାନା ଝଡଝଞ୍ଜାର ସମ୍ମୁଖୀନ ହୋଇ ମଧ୍ୟ ନୀତି ନୈତିକତାରୁ କେବେ ବିଚ୍ୟୁତ ହୋଇନାହିଁ। ତୁ ପ୍ରଶାସନିକ ଅଧିକାରୀ ଭାବେ ଚାକିରିରେ ଯୋଗଦେବା ଦିନ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ପ୍ରାର୍ଥନା କରିଥିଲି, ତୁ ଖୁବ୍‌ ବଡ଼ମଣିଷ ହେବୁ ଓ ମୋର ସମ୍ମାନ ବୃଦ୍ଧି ହେବ। ମୋର ଗର୍ବିତ ଆସ୍ପର୍ଦ୍ଧା ସେଦିନ ମୋର ମନପ୍ରାଣକୁ ଉଲ୍ଲସିତ କରିଥିଲା।
କିନ୍ତୁ ହାୟ! ଆଜି ମୋର ସମସ୍ତ ଗର୍ବ ଜଳସ୍ଫୋଟକ ପରି ଉଭେଇ ଯାଇଛି। କ୍ଷମତା ଓ ଅର୍ଥ ଲାଳସା ମୋ ପୁଅକୁ ଅନ୍ଧ କରିଦେଇଛି। ଧନର ମୋହଜାଲରେ ଛନ୍ଦି ହୋଇ ସେ ବିବେକକୁ ବଳି ପକାଇଛି। ଶ୍ରୀମଦ୍ଭଗବଦ୍‌ଗୀତା କହେ-
ଅନେକ ଚିତ୍ତବିଭ୍ରାନ୍ତାଃ ମୋହଜାଲସମାବୃତାଃ,
ପ୍ରସକ୍ତାଃ କାମ ଭୋଗେଷୁ ପତନ୍ତି ନରକେ ଶୁଚୌ।
ଅର୍ଥାତ୍‌- ଚିତ୍ତବିଭ୍ରାନ୍ତି ଓ ମୋହଜାଲ ଦ୍ୱାରା ଆବଦ୍ଧ ମନୁଷ୍ୟ, ବିଷୟଭୋଗରେ ଲିପ୍ତ ହୋଇ ଶେଷରେ ନର୍କଗତି ପ୍ରାପ୍ତ ହୁଏ।
ମୋର ଆଜି ଚୋର ମା’ ପରି ଅବସ୍ଥା। ନା ପ୍ରକାଶ୍ୟରେ ଦୁଃଖ ବଖାଣି ପାରୁଛି, ନା ଚକ୍ଷୁରୁ ଲୋତକ ନିଗାଡି ପାରୁଛି। କେବଳ ଅନ୍ତର୍ଦାହ ଓ ମାନସିକ ଯନ୍ତ୍ରଣାକୁ ପୁଞ୍ଜିକରି ଅବଶିଷ୍ଟ ଜୀବନ ଜିଇବାକୁ ହେବ। ମୋ ପରି ସ୍ବାର୍ଥାନ୍ଧ ବାପମାନେ, ଯେଉଁମାନେ ପୁଅକୁ ଭଲ ମଣିଷ ହେବା ପରିବର୍ତ୍ତେ ବଡ଼ମଣିଷ ହେବାର ପରିକଳ୍ପନା କରି ପୁଅକୁ ସମାଜଠାରୁ ଦୂରେଇ ଦିଅନ୍ତି, ତାଙ୍କୁ ତ ଏପରି ଦଣ୍ଡ ଭୋଗିବାକୁ ହେବ। ପୁଅର କୃତକର୍ମ ପାଇଁ ସେ ଆଜି ନିଜର ଅନୁଶାସନକୁ ହିଁ ଦାୟୀ କରୁଛନ୍ତି। ପୁଅର ଭଲ କରିବାକୁ ଯାଇ ଏବଂ ତାକୁ ବଡ ମଣିଷ କରି ଗଢିତୋଳିବାକୁ ସେ ଯେଉଁସବୁ ପଦକ୍ଷେପ ନେଇଥିଲେ, ତାହା ଆଜି ଭୁଲ୍‌ ପ୍ରମାଣିତ ହୋଇଛି। ତାଙ୍କ ପୁଅ ସାଧାରଣ ପିଲାଙ୍କ ସହ ମିଶିଲେ କାଳେ ସେମାନଙ୍କଠାରୁ କିଛି ମନ୍ଦଗୁଣ ଆହରଣ କରିବ, ମନ୍ଦ ଅଭ୍ୟାସର ବଶବର୍ତ୍ତୀ ହୋଇ ବିଦ୍ୟାଧ୍ୟୟନରେ ଅବହେଳା କରିବ କିମ୍ବା ତା’ର ମେଧାଶକ୍ତିର ହ୍ରାସ ଘଟିବ, ସେହି ଆଶଙ୍କାରେ ସଦା ଜର୍ଜରିତ ଅଭିରାମବାବୁ ପୁଅକୁ ବାଲ୍ୟକାଳରୁ ସମ୍ପୂର୍ଣ୍ଣ ନିଃସଙ୍ଗତା ଓ ଉଗ୍ର କଟକଣା ମଧ୍ୟରେ କାଳାତିପାତ କରାଇବାର ଏ ହେଉଛି ବିଷମୟ ପରିଣତି। ପୁଅର ସାମାଜିକ ଜୀବନ ଓ ବ୍ୟକ୍ତିଗତ ଆବଶ୍ୟକତା ପ୍ରତି ଆଖି ବୁଜି ଦେଇଥିଲେ, ଯାହାର ଫଳ ସ୍ବରୂପ ପୁଅ ଅଭିଷେକ ମଧ୍ୟରେ ଏକ ସଂକୀର୍ଣ୍ଣ ସ୍ବାର୍ଥପରତାର ବୀଜ ଅଙ୍କୁରିତ ହୋଇ ଆଜି ଏକ ବିଶାଳ ବୃକ୍ଷର ରୂପ ନେଇଛି। ପୁତ୍ରବଧୂ ଅର୍ଚ୍ଚନାର ମଧ୍ୟ କୋଟିପତି ହେବାର ଲାଳସା କୁନାର ଏ ଅଧୋଗତି ପାଇଁ ଅନେକାଂଶରେ ଦାୟୀ। ଅଭିରାମବାବୁ ପୁଣି ଭାବୁଛନ୍ତି ପୁଅକୁ ଭଲ ମଣିଷଟିଏ କରି ଗଢିବା ପରିବର୍ତ୍ତେ ସେ କିପରି ଅଜସ୍ର ଧନସମ୍ପତ୍ତି ଅର୍ଜନ କରି ସମାଜରେ ତାଙ୍କ ନାଁ ରଖିବ- ଏପରି ପରିକଳ୍ପନା ହିଁ ଆଜି ତାଙ୍କ ପାଇଁ ଢେର ମହଙ୍ଗା ହୋଇଛି। ପୁଅ ବଡ଼ମଣିଷ ହୋଇଛି ସତ, କିନ୍ତୁ ଭଲ ମଣିଷଟିଏ ହୋଇପାରି ନାହିଁ। ତାଙ୍କର ସମସ୍ତ ଅନୁଶାସନ ଭୁଲ୍‌ ପ୍ରମାଣିତ ହୋଇଛି। ଏହି ଅବସୋସର ଜ୍ୱାଳାରେ ସେ ଆଜି ସଂତପ୍ତ। ପୁଅର ପଶ୍ଚିମ ସଭ୍ୟତାରେ ପ୍ରଭାବିତ ଆଚରଣ ତାଙ୍କୁ ପଶ୍ଚିମ ଜୀବନରେ ପୀଡା ଦେଉଛି। ପୁଅକୁ ବଡ଼ଲୋକ କରିବାର ସ୍ବାର୍ଥପର ଭାବନା ତାଙ୍କୁ ଉପଯୁକ୍ତ ଶାସ୍ତି ଦେଇଛି। ଯେଉଁ ପୁଅ ଦିନେ ତାଙ୍କ ପାଇଁ ଅଶ୍ରୁତର୍ପଣ କରିଥାନ୍ତା ତା’ ପାଇଁ ଆଜି ତାଙ୍କୁ ଅଶ୍ରୁନିଗାଡିବାକୁ ପଡୁଛି। ଶେଷ ଜୀବନର ଏକମାତ୍ର ଅବଲମ୍ବନ ଆଜି ତାଙ୍କଠାରୁ ହଜିଯିବାକୁ ବସିଛି। ହୁଏତ ଦଶରଥଙ୍କ ପରି ପୁତ୍ର ଅବର୍ତ୍ତମାନରେ ତାଙ୍କୁ ଶେଷ ନିଃଶ୍ୱାସ ତ୍ୟାଗ କରିବାକୁ ହେବ। ଏସବୁ କେବଳ ତାଙ୍କ କୃତକର୍ମର ଫଳ। ସେ ଦିଅଁ ଗଢିବାକୁ ଯାଇ ମାଙ୍କଡ଼ଟିଏ ଗଢ଼ି ଦେଇଛନ୍ତି।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?