ସମର୍ପିତ ଶିକ୍ଷାସେବୀ

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ଇଂରେଜ ଶାସନ ସମୟରେ ଭାରତରେ ଆଧୁନିକ ଶିକ୍ଷାର ପ୍ରସାର ଘଟିଲା। ପ୍ରଚଳିତ କୁସଂସ୍କାରଗୁଡିକୁ ଦୂର କରିବା ପାଇଁ ଅନେକ ଉତ୍ସାହୀ ଯୁବକ ଆଗେଇ ଆସିଲେ। ମାତ୍ର ସ୍ବାମୀ ବିବେକାନନ୍ଦଙ୍କ ଦୃଷ୍ଟିଭଙ୍ଗୀ ଥିଲା ଭିନ୍ନ। ସେ କହୁଥିଲେ ଗୋଟିଏ ଦୁଇଟା ପରିବର୍ତ୍ତନ ହୋଇଗଲେ ସମାଜ ବଦଳିଯିବ ନାହିଁ। ଏଥିପାଇଁ ଆବଶ୍ୟକ ମୌଳିକ ପରିବର୍ତ୍ତନ। ବିଧବା ବିବାହ ପ୍ରଚଳନ ପାଇଁ ଯେଉଁ ସଂସ୍କାରକମାନେ ଆଗେଇ ଆସୁଥିଲେ ସେମାନଙ୍କୁ ଲକ୍ଷ୍ୟ କରି ସେ କହୁଥିଲେ ଯେଉଁ ବିଧବା ବିବାହ କରିବାକୁ ଯାଉଛି ସେ ନିଜେ ସିଦ୍ଧାନ୍ତ ନେଇଛି ତ? ସବୁ କଥା ବିଚାର କରି ସିଦ୍ଧାନ୍ତ ନେବା ପରି ଶିକ୍ଷା ତା’ର ଅଛି ତ? ଆଧୁନିକପନ୍ଥୀଙ୍କ କଥା ମୋହରେ ଭାସିଯାଇ ସେ ବିବାହ କରିବାକୁ ରାଜି ହୋଇ ନାହିଁ ତ? କେତେଜଣ ବିଧବାଙ୍କୁ ବିବାହ କରାଇଦେଇ ସମାଜ ସଂସ୍କାରକମାନେ ଉଲ୍ଲସିତ ହୋଇପାରନ୍ତି। ମାତ୍ର ତଦ୍ଦ୍ବାରା ସେମାନଙ୍କ ଦୁଃଖ ଦୂର ହେବ ବୋଲି କହିହେବନାହିଁ। ସେଥିପାଇଁ ଆବଶ୍ୟକ ନାରୀଶିକ୍ଷା। ନାରୀ ଶିକ୍ଷିତ ହେଲେ ତା’ର ବିଚାର କରିବାର ଶକ୍ତି ଆସିବ। ସେ ନିଜେ ସିଦ୍ଧାନ୍ତ ନେଇପାରିବ ଓ ତା’ର ଜୀବନକୁ ଠିକ୍‌ ମାର୍ଗରେ ଗଢିପାରିବ। ବିବେକାନନ୍ଦଙ୍କ ସମୟରେ ଶିକ୍ଷାର ପ୍ରସାର ହୋଇପାରି ନ ଥିଲା। ବିଦ୍ୟାଳୟ ଥିଲେ ମଧ୍ୟ ଅନେକ ପିଲା ପଞ୍ଚମ ଶ୍ରେଣୀରେ ପହଞ୍ଚିବା ପୂର୍ବରୁ ପାଠପଢା ଛାଡି ଦେଉଥିଲେ। ଭାରତରେ ଦାରିଦ୍ର୍ୟ ଏତେ ଉତ୍କଟ ଥିଲା ଯେ ଦରିଦ୍ର ପିଲାମାନେ ବିଦ୍ୟାଳୟକୁ ନ ଯାଇ ମା’ବାପାଙ୍କୁ କୃଷି ବା ଅନ୍ୟ କର୍ମରେ ସାହାଯ୍ୟ କରୁଥିଲେ। ଏଣୁ ସ୍ବାମିଜୀ ଗୁରୁଭାଇମାନଙ୍କୁ କହୁଥିଲେ ଯେପରି ପର୍ବତ ମହମ୍ମଦଙ୍କ ନିକଟକୁ ନ ଯିବାରୁ ମହମ୍ମଦ ନିଜେ ପର୍ବତ ନିକଟକୁ ଯାଇଥିଲେ, ସେହିପରି ଗରିବ ପିଲାମାନେ ଆସି ନ ପାରିଲେ ସେମାନଙ୍କ ପାଖକୁ ଯାଇ ଶିକ୍ଷା ଦେବାକୁ ହେବ। ଗୁରୁଭାଇମାନଙ୍କୁ ସେହି ମର୍ମରେ ଆହ୍ବାନ ଦେଇ ସେ ସୁଦୂର ଆମେରିକାରୁ ଲେଖିଥିଲେ, ତୁମକୁ ଗୋଟିଏ ନୂତନ ବୁଦ୍ଧି ଦେଉଛି, ଯଦି କାର୍ଯ୍ୟରେ ପରିଣତ କରିପାର, ତେବେ ଜାଣିବି ତୁମେ ପୁରୁଷ ଓ କିଛି କାର୍ଯ୍ୟ କରିପାରିବ। କେତୋଟି ମ୍ୟାପ୍‌, ଗ୍ଲୋବ୍‌, କିଛି ରାସାୟନିକ ଦ୍ରବ୍ୟ ଦରକାର। ଗୋଟିଏ ବଡ ଘର ମଧ୍ୟ। କେତେଜଣ ଗରିବ ଲୋକଙ୍କୁ ଡାକିଆଣ। ସେମାନଙ୍କୁ ଏକାଠି ବସାଇ ଖଗୋଳ, ଭୂଗୋଳ ସମ୍ପର୍କୀୟ ଛବି ଦେଖାଅ ଓ ରାମକୃଷ୍ଣ ପରମହଂସଙ୍କ ଉପଦେଶ ଦିଅ। କେଉଁ ଦେଶରେ କ’ଣ ହୁଏ, ଏ ଦୁନିଆଟା କ’ଣ, ଏସବୁ ବୁଝାଇ ସେମାନଙ୍କ ଆଖି ଖୋଲିବାକୁ ଚେଷ୍ଟା କର। ବାରାନଗରରେ ଅନେକ ଗରିବ ମୂର୍ଖ ଅଛନ୍ତି। ଘର ଘର ବୁଲି ସେମାନଙ୍କ ପାଖକୁ ଯାଅ ଓ ସେମାନଙ୍କ ଆଖି ଖୋଲିଦିଅ।
ବିବେକାନନ୍ଦଙ୍କ ଏହି ଆହ୍ବାନକୁ ଆଜି ସାକାର କରିଛନ୍ତି ଦିଲ୍ଲୀବାସିନ୍ଦା ରାଜେଶ କୁମାର ଶର୍ମା। ଲକ୍ଷ୍ମୀନଗରରେ ଗୋଟିଏ ତେଜରାତି ଦୋକାନ କରି ସେ ତାଙ୍କର ପରିବାର ଚଳାନ୍ତି। ପାଞ୍ଚଜଣଙ୍କୁ ନେଇ ତାଙ୍କ ପରିବାର। ଧନୀ ହୋଇ ବିଳାସବ୍ୟସନରେ ରହିବା ପାଇଁ ସେ କେବେ ଇଚ୍ଛା ପୋଷଣ କରିନାହାନ୍ତି। ତେଜରାତି ଦୋକାନରୁ ଅର୍ଜିତ ସ୍ବଳ୍ପ ଆୟରେ ସେ ସନ୍ତୋଷ ଅନୁଭବ କରନ୍ତି। ଅର୍ଥାଭାବ ଯୋଗୁ ସେ ବିଜ୍ଞାନରେ ସ୍ନାତକ ସମ୍ପୂର୍ଣ୍ଣ କରିପାରି ନ ଥିଲେ। ଜଣେ ସ୍ନାତକ ହେବାର ସ୍ବପ୍ନ ଅପୂର୍ଣ୍ଣ ରହିଲା। ଏଣୁ ଦାରିଦ୍ର୍ୟ ଯୋଗୁ କେହି ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଏ ସେଥିପାଇଁ ସେ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ଆରମ୍ଭ କଲେ। ସେହି ଅଞ୍ଚଳରେ ରହନ୍ତି ଅନେକ ଦରିଦ୍ର ରିକ୍ସାଚାଳକ, ବସ୍ତିବାସିନ୍ଦା ଓ ଭିକାରୀ। ଦାରିଦ୍ର୍ୟ ଯୋଗୁ ସେମାନଙ୍କ ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇଥିଲେ। ସେମାନଙ୍କ ପାଖରେ କିଭଳି ଶିକ୍ଷା ପହଞ୍ଚାଇହେବ ସେଥିପାଇଁ ଚିନ୍ତା କଲେ ରାଜେଶ ଶର୍ମା। ମାତ୍ର ଦୁଇଜଣ ଗରିବ ପିଲାଙ୍କୁ ନେଇ ସେ ଆରମ୍ଭ କଲେ ଗୋଟିଏ ମୁକ୍ତ ବିଦ୍ୟାଳୟ। ତାହା ଥିଲା ୨୦୦୬ ମସିହା । ଯମୁନା ବ୍ୟାଙ୍କ ଅଞ୍ଚଳରେ ମେଟ୍ରୋ ପୋଲ ତଳେ ଆଜି ସେହି ମୁକ୍ତ ବିଦ୍ୟାଳୟରେ ପଢୁଛନ୍ତି ପ୍ରାୟ ତିନିଶହ ପିଲା। ଚାରି ବର୍ଷରୁ ଆରମ୍ଭ କରି ଚଉଦବର୍ଷ ବୟସର ପିଲା ଏଠାରେ ବିନା ଫି’ରେ ପାଠ ପଢୁଛନ୍ତି। ମେଟ୍ରୋ କମ୍ପ୍ଲେକ୍ସର କାନ୍ଥରେ ଅଛି ପାଞ୍ଚଗୋଟି କଳାପଟା ଓ ସେଠି ବ୍ୟବହୃତ ହେଉଛି ଡଷ୍ଟର ଓ ଚକ୍‌। କାର୍ପେଟ ଉପରେ ବସି ଅତି ଆନନ୍ଦରେ ସେଠି ପିଲାମାନେ ପାଠ ପଢୁଛନ୍ତି। ଏଠାରେ ପିଲାମାନଙ୍କ ସଂଖ୍ୟା ବଢିବାରୁ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ୧୨୦ ଜଣ ବାଳକଙ୍କୁ ଓ ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ୧୮୦ ବାଳିକାଙ୍କୁ ଶିକ୍ଷା ଦିଆଯାଉଛି। ନିକଟସ୍ଥ ସାତଜଣ ଶିକ୍ଷକ ସେହି ପିଲାମାନଙ୍କୁ ଅବୈତନିକ ଭାବରେ ଶିକ୍ଷା ଦେଉଛନ୍ତି। ରାଜେଶ ଶର୍ମାଙ୍କ ନିଃସ୍ବାର୍ଥ ସେବାକର୍ମରେ ସେମାନେ ମଧ୍ୟ ଉଦ୍‌ବୁଦ୍ଧ। ସେମାନେ ହେଲେ ଲକ୍ଷ୍ମୀ ଚନ୍ଦ୍ରା, ଶ୍ୟାମ ମେହେତୋ, ରେଖା, ସୁନୀତା, ମନୀଷା, ଚେତନ ଶର୍ମା ଓ ସର୍ବେଶ। ସତାବନବର୍ଷୀୟା ଟିଉଶନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦ୍ରା କହନ୍ତି, ମୁଁ ଏକ ଗରିବ ପରିବାରରୁ ଆସିଛି। ତେଣୁ ଗରିବ ପିଲାମାନଙ୍କ ଦୁଃଖ ଓ ଯନ୍ତ୍ରଣାକୁ ଠିକ୍‌ ଅନୁଭବ କରିପାରୁଛି। ବିହାରରୁ ବିଜ୍ଞାନରେ ସ୍ନାତକ ପାସ୍‌ କରିସାରିବା ପରେ ମୁଁ ଶିକ୍ଷା ଦେବା ଆରମ୍ଭ କରିଛି। ଏହି ପିଲାମାନେ ହେଉଛନ୍ତି ମୋର ପରିବାର। ଦାରିଦ୍ର୍ୟ ଏମାନଙ୍କ ପାଠପଢାରେ ବାଧା ସୃଷ୍ଟି କରିପାରିନାହିଁ। ଏହିପରି ସମର୍ପିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଆଜି ରାଜେଶ ଶର୍ମାଙ୍କ ପ୍ରଚେଷ୍ଟାରେ ଚାଲିଛି ଶୁଳ୍କରହିତ, ଗୃହରହିତ ରେଳପୋଲ ତଳେ ମୁକ୍ତ ବିଦ୍ୟାଳୟ। ଇଚ୍ଛା ଥିଲେ ଉପାୟ ସ୍ବତଃ ବାହାରେ। ରାଜେଶ ଏହି ପ୍ରବାଦକୁ କାର୍ଯ୍ୟକ୍ଷେତ୍ରରେ ସତ୍ୟ ପ୍ରମାଣିତ କରିଛନ୍ତି।
ସମଗ୍ର ଭାରତରେ ଆଜି ସର୍ବଶିକ୍ଷା ଅଭିଯାନ ଚାଲିଛି। ସମସ୍ତଙ୍କୁ ଶିକ୍ଷିତ କରିବାକୁ ଚାହୁଁଛନ୍ତି ଭାରତ ସରକାର। ମାତ୍ର ରାଜେଶ କୁମାର ଶର୍ମାଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟ ପ୍ରତି ସରକାରୀ ଦୃଷ୍ଟି ପଡିନାହିଁ। ନିଜେ ରାଜେଶ ମଧ୍ୟ କୌଣସି ସରକାରୀ ସାହାଯ୍ୟ ଚାହିଁ ନାହାନ୍ତି । ସେ କହନ୍ତି, ସରକାରୀ ସାହାଯ୍ୟ ପାଉନାହିଁ ବୋଲି ମୋର କୌଣସି ଅଭିଯୋଗ ନାହିଁ। ଗରିବ ଓ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ମୋର ଲକ୍ଷ୍ୟ। ସେମାନଙ୍କ ହସ ମୋ ପାଇଁ ଯଥେଷ୍ଟ। ଅବଶ୍ୟ ଅନେକ ବେସରକାରୀ ସ୍ବେଚ୍ଛାସେବୀ ସଂଗଠନ ବିଦ୍ୟାଳୟକୁ ସହାୟତାର ହାତ ବଢାଇଛନ୍ତି। ମାତ୍ର ସେମାନଙ୍କ ଦୃଷ୍ଟିଭଙ୍ଗୀରେ ସେ ସନ୍ତୁଷ୍ଟ ନ ହୋଇ ନିଜସ୍ବ ଚେଷ୍ଟାରେ ବିଦ୍ୟାଳୟକୁ ଆଜି ପର୍ଯ୍ୟନ୍ତ ଚଳାଇ ରଖିଛନ୍ତି। ଅବଶ୍ୟ ସେ ବ୍ୟକ୍ତିବିଶେଷଙ୍କ ଦାନ ଗ୍ରହଣ କରନ୍ତି, ମାତ୍ର ଅର୍ଥରାଶି ଆକାରରେ ନୁହେଁ। ଅନେକ ବଦାନ୍ୟ ବ୍ୟକ୍ତି ବିସ୍କୁଟ, ପାଣି, ଫଳ, ଖାଦ୍ୟ ଆଦି ଯୋଗାଇ ଦିଅନ୍ତି। କେହି କେହି ପିଲାମାନଙ୍କ ଜନ୍ମଦିନଗୁଡିକରେ ଯୋଗଦେଇ କେକ୍‌ ବାଣ୍ଟନ୍ତି। ଫଳରେ ସେଠି ପାଠ ପଢୁଥିବା ପିଲାମାନେ ନିଜକୁ କେବେ ସମାଜରୁ ବିଚ୍ୟୁତ ବୋଲି ଅନୁଭବ କରିନାହାନ୍ତି। ରାଜେଶ ଶର୍ମା ପିଲାମାନଙ୍କର ଉପସ୍ଥାନ ଯାଞ୍ଚ କରନ୍ତି ଓ କୌଣସି ପିଲା ଦୀର୍ଘଦିନ ଅନୁପସ୍ଥିତ ରହିଲେ କାରଣ ଜାଣିବା ପାଇଁ ମାତାପିତାଙ୍କ ସହ ଯୋଗାଯୋଗ କରନ୍ତି। ଶେଷରେ ସେହି ପୋଲ ତଳେ ପଢୁଥିବା ପିଲାମାନେ କିପରି ପରବର୍ତ୍ତୀ ସମୟରେ ସରକାରୀ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢିପାରିବେ ତା’ର ବ୍ୟବସ୍ଥା ମଧ୍ୟ କରନ୍ତି। ୪୯ ବର୍ଷୀୟ ରାଜେଶ ଶର୍ମା ଆଜି ଜଣେ ନିଃସ୍ବାର୍ଥ ସମର୍ପିତ ସମାଜସେବୀ।
ଆଜି ବହୁସଂଖ୍ୟାରେ ବିଦ୍ୟାଳୟ ଖୋଲିଲାଣି। ଘରୋଇ ବିଦ୍ୟାଳୟଗୁଡିକ ଉନ୍ନତ ଶିକ୍ଷା ଦେବାର ପ୍ରତିଶ୍ରୁତି ଦେଇ ଅଜସ୍ର ଶୁଳ୍କ ଦାବି କରୁଛନ୍ତି। ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ପିଲାମାନେ ତଥାକଥିତ ଉନ୍ନତ ଶିକ୍ଷାର ସୁଯୋଗ ପାଉଛନ୍ତି। ସରକାରୀ ବିଦ୍ୟାଳୟରେ ଶିକ୍ଷକମାନେ ପାଠ ପଢାଇବା ଅପେକ୍ଷା ସରକାରୀ ଅଣଶୈକ୍ଷିକ କର୍ମ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାରେ ନିୟୋଜିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ କ୍ଷେତ୍ରରେ ଶିକ୍ଷକତା ଏକ ପ୍ରବୃତ୍ତି ନୁହେଁ ବୃତ୍ତି, ଜୀବନ ନୁହେଁ ଜୀବିକା। ଏଣୁ ଶିକ୍ଷକତା ପ୍ରତି ତାଙ୍କର ଆନ୍ତରିକତା ନାହିଁ। ଏହିଭଳି ପରିବେଶରେ ଏକ ସମର୍ପିତ ମନ ନେଇ କୌଣସି ସରକାରୀ ସହାୟତା ଗ୍ରହଣ ନ କରି ଗରିବ ପିଲାମାନଙ୍କ ପାଖରେ ନିଃଶୁଳ୍କ ଶିକ୍ଷା ପହଞ୍ଚାଇ ଦେଇ ରାଜେଶ କୁମାର ଶର୍ମା ରଖିଛନ୍ତି ଏକ ଅନନ୍ୟ ଉଦାହରଣ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ, ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?