ସମର୍ପିତ ଶିକ୍ଷାସେବୀ

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ଇଂରେଜ ଶାସନ ସମୟରେ ଭାରତରେ ଆଧୁନିକ ଶିକ୍ଷାର ପ୍ରସାର ଘଟିଲା। ପ୍ରଚଳିତ କୁସଂସ୍କାରଗୁଡିକୁ ଦୂର କରିବା ପାଇଁ ଅନେକ ଉତ୍ସାହୀ ଯୁବକ ଆଗେଇ ଆସିଲେ। ମାତ୍ର ସ୍ବାମୀ ବିବେକାନନ୍ଦଙ୍କ ଦୃଷ୍ଟିଭଙ୍ଗୀ ଥିଲା ଭିନ୍ନ। ସେ କହୁଥିଲେ ଗୋଟିଏ ଦୁଇଟା ପରିବର୍ତ୍ତନ ହୋଇଗଲେ ସମାଜ ବଦଳିଯିବ ନାହିଁ। ଏଥିପାଇଁ ଆବଶ୍ୟକ ମୌଳିକ ପରିବର୍ତ୍ତନ। ବିଧବା ବିବାହ ପ୍ରଚଳନ ପାଇଁ ଯେଉଁ ସଂସ୍କାରକମାନେ ଆଗେଇ ଆସୁଥିଲେ ସେମାନଙ୍କୁ ଲକ୍ଷ୍ୟ କରି ସେ କହୁଥିଲେ ଯେଉଁ ବିଧବା ବିବାହ କରିବାକୁ ଯାଉଛି ସେ ନିଜେ ସିଦ୍ଧାନ୍ତ ନେଇଛି ତ? ସବୁ କଥା ବିଚାର କରି ସିଦ୍ଧାନ୍ତ ନେବା ପରି ଶିକ୍ଷା ତା’ର ଅଛି ତ? ଆଧୁନିକପନ୍ଥୀଙ୍କ କଥା ମୋହରେ ଭାସିଯାଇ ସେ ବିବାହ କରିବାକୁ ରାଜି ହୋଇ ନାହିଁ ତ? କେତେଜଣ ବିଧବାଙ୍କୁ ବିବାହ କରାଇଦେଇ ସମାଜ ସଂସ୍କାରକମାନେ ଉଲ୍ଲସିତ ହୋଇପାରନ୍ତି। ମାତ୍ର ତଦ୍ଦ୍ବାରା ସେମାନଙ୍କ ଦୁଃଖ ଦୂର ହେବ ବୋଲି କହିହେବନାହିଁ। ସେଥିପାଇଁ ଆବଶ୍ୟକ ନାରୀଶିକ୍ଷା। ନାରୀ ଶିକ୍ଷିତ ହେଲେ ତା’ର ବିଚାର କରିବାର ଶକ୍ତି ଆସିବ। ସେ ନିଜେ ସିଦ୍ଧାନ୍ତ ନେଇପାରିବ ଓ ତା’ର ଜୀବନକୁ ଠିକ୍‌ ମାର୍ଗରେ ଗଢିପାରିବ। ବିବେକାନନ୍ଦଙ୍କ ସମୟରେ ଶିକ୍ଷାର ପ୍ରସାର ହୋଇପାରି ନ ଥିଲା। ବିଦ୍ୟାଳୟ ଥିଲେ ମଧ୍ୟ ଅନେକ ପିଲା ପଞ୍ଚମ ଶ୍ରେଣୀରେ ପହଞ୍ଚିବା ପୂର୍ବରୁ ପାଠପଢା ଛାଡି ଦେଉଥିଲେ। ଭାରତରେ ଦାରିଦ୍ର୍ୟ ଏତେ ଉତ୍କଟ ଥିଲା ଯେ ଦରିଦ୍ର ପିଲାମାନେ ବିଦ୍ୟାଳୟକୁ ନ ଯାଇ ମା’ବାପାଙ୍କୁ କୃଷି ବା ଅନ୍ୟ କର୍ମରେ ସାହାଯ୍ୟ କରୁଥିଲେ। ଏଣୁ ସ୍ବାମିଜୀ ଗୁରୁଭାଇମାନଙ୍କୁ କହୁଥିଲେ ଯେପରି ପର୍ବତ ମହମ୍ମଦଙ୍କ ନିକଟକୁ ନ ଯିବାରୁ ମହମ୍ମଦ ନିଜେ ପର୍ବତ ନିକଟକୁ ଯାଇଥିଲେ, ସେହିପରି ଗରିବ ପିଲାମାନେ ଆସି ନ ପାରିଲେ ସେମାନଙ୍କ ପାଖକୁ ଯାଇ ଶିକ୍ଷା ଦେବାକୁ ହେବ। ଗୁରୁଭାଇମାନଙ୍କୁ ସେହି ମର୍ମରେ ଆହ୍ବାନ ଦେଇ ସେ ସୁଦୂର ଆମେରିକାରୁ ଲେଖିଥିଲେ, ତୁମକୁ ଗୋଟିଏ ନୂତନ ବୁଦ୍ଧି ଦେଉଛି, ଯଦି କାର୍ଯ୍ୟରେ ପରିଣତ କରିପାର, ତେବେ ଜାଣିବି ତୁମେ ପୁରୁଷ ଓ କିଛି କାର୍ଯ୍ୟ କରିପାରିବ। କେତୋଟି ମ୍ୟାପ୍‌, ଗ୍ଲୋବ୍‌, କିଛି ରାସାୟନିକ ଦ୍ରବ୍ୟ ଦରକାର। ଗୋଟିଏ ବଡ ଘର ମଧ୍ୟ। କେତେଜଣ ଗରିବ ଲୋକଙ୍କୁ ଡାକିଆଣ। ସେମାନଙ୍କୁ ଏକାଠି ବସାଇ ଖଗୋଳ, ଭୂଗୋଳ ସମ୍ପର୍କୀୟ ଛବି ଦେଖାଅ ଓ ରାମକୃଷ୍ଣ ପରମହଂସଙ୍କ ଉପଦେଶ ଦିଅ। କେଉଁ ଦେଶରେ କ’ଣ ହୁଏ, ଏ ଦୁନିଆଟା କ’ଣ, ଏସବୁ ବୁଝାଇ ସେମାନଙ୍କ ଆଖି ଖୋଲିବାକୁ ଚେଷ୍ଟା କର। ବାରାନଗରରେ ଅନେକ ଗରିବ ମୂର୍ଖ ଅଛନ୍ତି। ଘର ଘର ବୁଲି ସେମାନଙ୍କ ପାଖକୁ ଯାଅ ଓ ସେମାନଙ୍କ ଆଖି ଖୋଲିଦିଅ।
ବିବେକାନନ୍ଦଙ୍କ ଏହି ଆହ୍ବାନକୁ ଆଜି ସାକାର କରିଛନ୍ତି ଦିଲ୍ଲୀବାସିନ୍ଦା ରାଜେଶ କୁମାର ଶର୍ମା। ଲକ୍ଷ୍ମୀନଗରରେ ଗୋଟିଏ ତେଜରାତି ଦୋକାନ କରି ସେ ତାଙ୍କର ପରିବାର ଚଳାନ୍ତି। ପାଞ୍ଚଜଣଙ୍କୁ ନେଇ ତାଙ୍କ ପରିବାର। ଧନୀ ହୋଇ ବିଳାସବ୍ୟସନରେ ରହିବା ପାଇଁ ସେ କେବେ ଇଚ୍ଛା ପୋଷଣ କରିନାହାନ୍ତି। ତେଜରାତି ଦୋକାନରୁ ଅର୍ଜିତ ସ୍ବଳ୍ପ ଆୟରେ ସେ ସନ୍ତୋଷ ଅନୁଭବ କରନ୍ତି। ଅର୍ଥାଭାବ ଯୋଗୁ ସେ ବିଜ୍ଞାନରେ ସ୍ନାତକ ସମ୍ପୂର୍ଣ୍ଣ କରିପାରି ନ ଥିଲେ। ଜଣେ ସ୍ନାତକ ହେବାର ସ୍ବପ୍ନ ଅପୂର୍ଣ୍ଣ ରହିଲା। ଏଣୁ ଦାରିଦ୍ର୍ୟ ଯୋଗୁ କେହି ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଏ ସେଥିପାଇଁ ସେ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ଆରମ୍ଭ କଲେ। ସେହି ଅଞ୍ଚଳରେ ରହନ୍ତି ଅନେକ ଦରିଦ୍ର ରିକ୍ସାଚାଳକ, ବସ୍ତିବାସିନ୍ଦା ଓ ଭିକାରୀ। ଦାରିଦ୍ର୍ୟ ଯୋଗୁ ସେମାନଙ୍କ ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇଥିଲେ। ସେମାନଙ୍କ ପାଖରେ କିଭଳି ଶିକ୍ଷା ପହଞ୍ଚାଇହେବ ସେଥିପାଇଁ ଚିନ୍ତା କଲେ ରାଜେଶ ଶର୍ମା। ମାତ୍ର ଦୁଇଜଣ ଗରିବ ପିଲାଙ୍କୁ ନେଇ ସେ ଆରମ୍ଭ କଲେ ଗୋଟିଏ ମୁକ୍ତ ବିଦ୍ୟାଳୟ। ତାହା ଥିଲା ୨୦୦୬ ମସିହା । ଯମୁନା ବ୍ୟାଙ୍କ ଅଞ୍ଚଳରେ ମେଟ୍ରୋ ପୋଲ ତଳେ ଆଜି ସେହି ମୁକ୍ତ ବିଦ୍ୟାଳୟରେ ପଢୁଛନ୍ତି ପ୍ରାୟ ତିନିଶହ ପିଲା। ଚାରି ବର୍ଷରୁ ଆରମ୍ଭ କରି ଚଉଦବର୍ଷ ବୟସର ପିଲା ଏଠାରେ ବିନା ଫି’ରେ ପାଠ ପଢୁଛନ୍ତି। ମେଟ୍ରୋ କମ୍ପ୍ଲେକ୍ସର କାନ୍ଥରେ ଅଛି ପାଞ୍ଚଗୋଟି କଳାପଟା ଓ ସେଠି ବ୍ୟବହୃତ ହେଉଛି ଡଷ୍ଟର ଓ ଚକ୍‌। କାର୍ପେଟ ଉପରେ ବସି ଅତି ଆନନ୍ଦରେ ସେଠି ପିଲାମାନେ ପାଠ ପଢୁଛନ୍ତି। ଏଠାରେ ପିଲାମାନଙ୍କ ସଂଖ୍ୟା ବଢିବାରୁ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ୧୨୦ ଜଣ ବାଳକଙ୍କୁ ଓ ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ୧୮୦ ବାଳିକାଙ୍କୁ ଶିକ୍ଷା ଦିଆଯାଉଛି। ନିକଟସ୍ଥ ସାତଜଣ ଶିକ୍ଷକ ସେହି ପିଲାମାନଙ୍କୁ ଅବୈତନିକ ଭାବରେ ଶିକ୍ଷା ଦେଉଛନ୍ତି। ରାଜେଶ ଶର୍ମାଙ୍କ ନିଃସ୍ବାର୍ଥ ସେବାକର୍ମରେ ସେମାନେ ମଧ୍ୟ ଉଦ୍‌ବୁଦ୍ଧ। ସେମାନେ ହେଲେ ଲକ୍ଷ୍ମୀ ଚନ୍ଦ୍ରା, ଶ୍ୟାମ ମେହେତୋ, ରେଖା, ସୁନୀତା, ମନୀଷା, ଚେତନ ଶର୍ମା ଓ ସର୍ବେଶ। ସତାବନବର୍ଷୀୟା ଟିଉଶନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦ୍ରା କହନ୍ତି, ମୁଁ ଏକ ଗରିବ ପରିବାରରୁ ଆସିଛି। ତେଣୁ ଗରିବ ପିଲାମାନଙ୍କ ଦୁଃଖ ଓ ଯନ୍ତ୍ରଣାକୁ ଠିକ୍‌ ଅନୁଭବ କରିପାରୁଛି। ବିହାରରୁ ବିଜ୍ଞାନରେ ସ୍ନାତକ ପାସ୍‌ କରିସାରିବା ପରେ ମୁଁ ଶିକ୍ଷା ଦେବା ଆରମ୍ଭ କରିଛି। ଏହି ପିଲାମାନେ ହେଉଛନ୍ତି ମୋର ପରିବାର। ଦାରିଦ୍ର୍ୟ ଏମାନଙ୍କ ପାଠପଢାରେ ବାଧା ସୃଷ୍ଟି କରିପାରିନାହିଁ। ଏହିପରି ସମର୍ପିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଆଜି ରାଜେଶ ଶର୍ମାଙ୍କ ପ୍ରଚେଷ୍ଟାରେ ଚାଲିଛି ଶୁଳ୍କରହିତ, ଗୃହରହିତ ରେଳପୋଲ ତଳେ ମୁକ୍ତ ବିଦ୍ୟାଳୟ। ଇଚ୍ଛା ଥିଲେ ଉପାୟ ସ୍ବତଃ ବାହାରେ। ରାଜେଶ ଏହି ପ୍ରବାଦକୁ କାର୍ଯ୍ୟକ୍ଷେତ୍ରରେ ସତ୍ୟ ପ୍ରମାଣିତ କରିଛନ୍ତି।
ସମଗ୍ର ଭାରତରେ ଆଜି ସର୍ବଶିକ୍ଷା ଅଭିଯାନ ଚାଲିଛି। ସମସ୍ତଙ୍କୁ ଶିକ୍ଷିତ କରିବାକୁ ଚାହୁଁଛନ୍ତି ଭାରତ ସରକାର। ମାତ୍ର ରାଜେଶ କୁମାର ଶର୍ମାଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟ ପ୍ରତି ସରକାରୀ ଦୃଷ୍ଟି ପଡିନାହିଁ। ନିଜେ ରାଜେଶ ମଧ୍ୟ କୌଣସି ସରକାରୀ ସାହାଯ୍ୟ ଚାହିଁ ନାହାନ୍ତି । ସେ କହନ୍ତି, ସରକାରୀ ସାହାଯ୍ୟ ପାଉନାହିଁ ବୋଲି ମୋର କୌଣସି ଅଭିଯୋଗ ନାହିଁ। ଗରିବ ଓ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ମୋର ଲକ୍ଷ୍ୟ। ସେମାନଙ୍କ ହସ ମୋ ପାଇଁ ଯଥେଷ୍ଟ। ଅବଶ୍ୟ ଅନେକ ବେସରକାରୀ ସ୍ବେଚ୍ଛାସେବୀ ସଂଗଠନ ବିଦ୍ୟାଳୟକୁ ସହାୟତାର ହାତ ବଢାଇଛନ୍ତି। ମାତ୍ର ସେମାନଙ୍କ ଦୃଷ୍ଟିଭଙ୍ଗୀରେ ସେ ସନ୍ତୁଷ୍ଟ ନ ହୋଇ ନିଜସ୍ବ ଚେଷ୍ଟାରେ ବିଦ୍ୟାଳୟକୁ ଆଜି ପର୍ଯ୍ୟନ୍ତ ଚଳାଇ ରଖିଛନ୍ତି। ଅବଶ୍ୟ ସେ ବ୍ୟକ୍ତିବିଶେଷଙ୍କ ଦାନ ଗ୍ରହଣ କରନ୍ତି, ମାତ୍ର ଅର୍ଥରାଶି ଆକାରରେ ନୁହେଁ। ଅନେକ ବଦାନ୍ୟ ବ୍ୟକ୍ତି ବିସ୍କୁଟ, ପାଣି, ଫଳ, ଖାଦ୍ୟ ଆଦି ଯୋଗାଇ ଦିଅନ୍ତି। କେହି କେହି ପିଲାମାନଙ୍କ ଜନ୍ମଦିନଗୁଡିକରେ ଯୋଗଦେଇ କେକ୍‌ ବାଣ୍ଟନ୍ତି। ଫଳରେ ସେଠି ପାଠ ପଢୁଥିବା ପିଲାମାନେ ନିଜକୁ କେବେ ସମାଜରୁ ବିଚ୍ୟୁତ ବୋଲି ଅନୁଭବ କରିନାହାନ୍ତି। ରାଜେଶ ଶର୍ମା ପିଲାମାନଙ୍କର ଉପସ୍ଥାନ ଯାଞ୍ଚ କରନ୍ତି ଓ କୌଣସି ପିଲା ଦୀର୍ଘଦିନ ଅନୁପସ୍ଥିତ ରହିଲେ କାରଣ ଜାଣିବା ପାଇଁ ମାତାପିତାଙ୍କ ସହ ଯୋଗାଯୋଗ କରନ୍ତି। ଶେଷରେ ସେହି ପୋଲ ତଳେ ପଢୁଥିବା ପିଲାମାନେ କିପରି ପରବର୍ତ୍ତୀ ସମୟରେ ସରକାରୀ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢିପାରିବେ ତା’ର ବ୍ୟବସ୍ଥା ମଧ୍ୟ କରନ୍ତି। ୪୯ ବର୍ଷୀୟ ରାଜେଶ ଶର୍ମା ଆଜି ଜଣେ ନିଃସ୍ବାର୍ଥ ସମର୍ପିତ ସମାଜସେବୀ।
ଆଜି ବହୁସଂଖ୍ୟାରେ ବିଦ୍ୟାଳୟ ଖୋଲିଲାଣି। ଘରୋଇ ବିଦ୍ୟାଳୟଗୁଡିକ ଉନ୍ନତ ଶିକ୍ଷା ଦେବାର ପ୍ରତିଶ୍ରୁତି ଦେଇ ଅଜସ୍ର ଶୁଳ୍କ ଦାବି କରୁଛନ୍ତି। ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ପିଲାମାନେ ତଥାକଥିତ ଉନ୍ନତ ଶିକ୍ଷାର ସୁଯୋଗ ପାଉଛନ୍ତି। ସରକାରୀ ବିଦ୍ୟାଳୟରେ ଶିକ୍ଷକମାନେ ପାଠ ପଢାଇବା ଅପେକ୍ଷା ସରକାରୀ ଅଣଶୈକ୍ଷିକ କର୍ମ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାରେ ନିୟୋଜିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ କ୍ଷେତ୍ରରେ ଶିକ୍ଷକତା ଏକ ପ୍ରବୃତ୍ତି ନୁହେଁ ବୃତ୍ତି, ଜୀବନ ନୁହେଁ ଜୀବିକା। ଏଣୁ ଶିକ୍ଷକତା ପ୍ରତି ତାଙ୍କର ଆନ୍ତରିକତା ନାହିଁ। ଏହିଭଳି ପରିବେଶରେ ଏକ ସମର୍ପିତ ମନ ନେଇ କୌଣସି ସରକାରୀ ସହାୟତା ଗ୍ରହଣ ନ କରି ଗରିବ ପିଲାମାନଙ୍କ ପାଖରେ ନିଃଶୁଳ୍କ ଶିକ୍ଷା ପହଞ୍ଚାଇ ଦେଇ ରାଜେଶ କୁମାର ଶର୍ମା ରଖିଛନ୍ତି ଏକ ଅନନ୍ୟ ଉଦାହରଣ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ, ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri