ସବୁଠାରୁ ଛୋଟ-ସବୁଠାରୁ ବଡ଼

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ବାଲ୍ୟସଖା ତଥା ଅନ୍ୟତମ ପ୍ରଧାନଶିଷ୍ୟ ଅନନ୍ତନାଥ ରାୟ ଥିଲେ ଅପୂର୍ବ ସାଧନ-ଶକ୍ତିର ଅଧିକାରୀ। ଯୌବନରେ ସ୍ତ୍ରୀ, ପୁତ୍ରଙ୍କୁ ହରାଇ ସେ ସଂସାର ବିରାଗୀ ହୋଇଉଠିଲେ ଏବଂ ବୈଷ୍ଣବ ମନ୍ତ୍ରରେ ଦୀକ୍ଷା ଗ୍ରହଣ କରି ନିଜ ଗ୍ରାମ କାଶୀପୁରରେ ଗୋଟିଏ ସାଧନଗୃହ ନିର୍ମାଣକରି ଈଶ୍ୱରପ୍ରାପ୍ତି ଆଶାରେ କଠୋର ସାଧନା ଆରମ୍ଭ କଲେ। ଆହାର, ନିଦ୍ରା ସମ୍ପୂର୍ଣ୍ଣ ତ୍ୟାଗକରି କେତେବେଳେ ୧୦ ଦିନ, କେତେବେଳେ ୧୫-୧୮ ଦିନ ପର୍ଯ୍ୟନ୍ତ ଧ୍ୟାନମଗ୍ନ ରହୁଥିଲେ। ତଥାପି ଈଶ୍ୱର ଦର୍ଶନ ନ ମିଳିବାରୁ ହତାଶାରେ ଭାଙ୍ଗିପଡ଼ି ଜୀବନ ହାରିବାକୁ ମନସ୍ଥ କଲେ। ଗୋଟିଏ ବର୍ଷଣମୁଖର ରାତ୍ରିରେ ସାଧନଗୃହର କବାଟ କିଳି ନିଜର ପିନ୍ଧା ଧୋତିକୁ ଦଉଡି ଭଳି ବଳି ଘରର ରୁଅରେ ବାନ୍ଧି ଗଳାରେ ଫାଶ ଲଗାଇ ଆତ୍ମହତ୍ୟା କରିବାର ଉପକ୍ରମ କଲେ। ସେହି ସମୟରେ ଅନୁକୂଳଚନ୍ଦ୍ର ନିଜ ଗ୍ରାମ ହିମାଇତପୁରରେ ଭକ୍ତପ୍ରବର କିଶୋରୀମୋହନଙ୍କ ଘରେ ଭାବାବେଗରେ କୀର୍ତ୍ତନରତ। ହିମାଇତପୁରରୁ କାଶୀପୁରର ଦୂରତା ପ୍ରାୟ ତିନି ମାଇଲ। ହଠାତ୍‌ ଅନୁକୂଳଚନ୍ଦ୍ର କିଶୋରୀମୋହନଙ୍କୁ କହିଲେ, ”ତୁମେ କୀର୍ତ୍ତନ ଚାଲୁ ରଖ, ମୁଁ ସଙ୍ଗେ ସଙ୍ଗେ ଆସୁଛି।“ ଏହା କହି ସେହି ଝଡ଼ବର୍ଷାର ତାଣ୍ଡବ ମଧ୍ୟରେ ଦୌଡ଼ି ଅଦୃଶ୍ୟ ହୋଇଗଲେ। ଏଣେ ଅନନ୍ତନାଥ ନିଜ ବେକରେ ଫାଶ ଲଗାଇବାର ଉଦ୍ୟମ କଲାବେଳକୁ ବାହାରେ ଶୁଣାଗଲା ପରିଚିତ କଣ୍ଠସ୍ବର- ”ଅନ୍ତା, କବାଟ ଖୋଲ। ପୂରା ତିନ୍ତିଗଲି।“
ଅନନ୍ତନାଥ ଭାବିଲେ, ଏ ବେଳରେ ଅନୁକୂଳ ଏଠାକୁ କିପରି ଆସିଲା। ସବୁ ପଣ୍ଡ କରିଦେବ। ଏହା ଭାବି ତରବରରେ ଗଳାରେ ଫାଶ ଲଗାଇଲା ବେଳକୁ ଅନୁକୂଳଚନ୍ଦ୍ରଙ୍କର ପ୍ରଚଣ୍ଡ ଧମକ- ”କବାଟ ଖୋଲ୍‌ ଶଳା।“ ତାଙ୍କର ପ୍ରଚଣ୍ଡ ପଦାଘାତରେ କବାଟର ଅର୍ଗଳ ଭାଙ୍ଗିଗଲା। ଘର ଭିତରକୁ ପଶିଆସି ପ୍ରିୟ ସଖାକୁ କୋଳାଗ୍ରତ କରି ଟେକି ଧରିଲେ, ଗଳାରୁ ଫାଶ ବାହାର କରି ଫିଙ୍ଗିଦେଲେ। କହିଲେ ଦୂର୍‌ ଶଳା! ତୁ ଭଗବାନ ଭଗବାନ କହି କାନ୍ଦୁଛୁ- ଆଉ ଭଗବାନ ଯେ ତୋର ପଛେ ପଛେ ଘୂରି ବୁଲୁଛନ୍ତି ତାହା କ’ଣ ଆଖି ଖୋଲି ଦେଖିପାରୁନୁ। ହଠାତ୍‌ ଅନନ୍ତନାଥ ଅନୁଭବ କଲେ ଝଲକ ଝଲକ ଜ୍ୟୋତିଃ ତରଙ୍ଗ ତାଙ୍କ ସତ୍ତାକୁ ଆଚ୍ଛନ୍ନ କରିପକାଇଛି- ଶାନ୍ତ, ସମାହିତ ହୋଇ ଆସୁଛି ମନ- ଅଗଣିତ ନାଦ ଗୋଟିଏ ପରେ ଗୋଟିଏ ଧ୍ୱନିତ ହୋଇଚାଲିଛି ତାଙ୍କ କର୍ଣ୍ଣପଟରେ। ଗୋଟିଏ କେନ୍ଦ୍ରରୁ ସେହି ଦ୍ରୁତ କମ୍ପମାନ ଆଲୋକର ସ୍ରୋତ ଦୂରଦୂରାନ୍ତକୁ ବିଚ୍ଛୁରିତ ହୋଇ ପୁଣି କେଉଁ ଏକ ମହାକର୍ଷଣରେ କେନ୍ଦ୍ରାୟିତ ହେବାକୁ ଯାଇ ପୁନରାୟ ବହିର୍ମୁଖ ହୋଇ ଧାଇଁଚାଲିଛି। ସେଥି ସହିତ ଧ୍ୱନିତ ହେଉଛି ଏକ ଦ୍ରୁତ ତାଳରେ କମ୍ପିତ ନାଦ- ଯାହାର ପ୍ରଥମାର୍ଦ୍ଧରେ ଆଲୋକର ତରଙ୍ଗ ବିଚ୍ଛୁରିତ ହେଉଛି ଏବଂ ଦ୍ୱିତୀୟାର୍ଦ୍ଧରେ ପୁଣି କେନ୍ଦ୍ର ଆଡ଼କୁ ଫେରିଆସୁଛି। ସେ ବିସ୍ମିତ ହୋଇ ଦେଖିଲେ, ସେହି ଜ୍ୟୋତିଃ ତରଙ୍ଗର କେନ୍ଦ୍ରରେ ସମାସୀନ ଯେଉଁ ପୁରୁଷ, ଯାହାଙ୍କ ଦେହକୁ କେନ୍ଦ୍ରକରି ସେହି ଅପୂର୍ବ ଜ୍ୟୋତିଃ ଆଉ ନାଦର ଖେଳ ଚାଲିଛି, ସେ ଆଉ କେହି ନୁହନ୍ତି- ତାଙ୍କରି ବାଲ୍ୟବନ୍ଧୁ ଅନୁକୂଳଚନ୍ଦ୍ର। ତାଙ୍କୁ ଅଧିକ କିଛି ଭାବିବାର ସୁଯୋଗ ନ ଦେଇ ଅନୁକୂଳଚନ୍ଦ୍ର ଧମକ ଦେଇ କହିଲେ, ଚାଲ୍‌ ଶଳା, ମା’ଙ୍କ (ଅନୁକୂଳଚନ୍ଦ୍ରଙ୍କ ଜନନୀ ମନୋମୋହିନୀ ଦେବୀ) ପାଖରୁ ଏହି ମନ୍ତ୍ରରେ (ସତ୍‌ମନ୍ତ୍ରରେ) ଦୀକ୍ଷା ନେବୁ। ବନ୍ଧୁଙ୍କୁ ଟାଣି ଟାଣି ଆଣି ନିଜ ଘରେ ମା’ଙ୍କ ମାଧ୍ୟମରେ ଦୀକ୍ଷା ଦିଆଇଲେ।
ଏହା ପରେ ଅନନ୍ତନାଥ ଆଉ ପଛକୁ ଫେରିନାହାନ୍ତି। ସତ୍‌ମନ୍ତ୍ରରେ କଠୋର ସାଧନା କରି ଉପଲବ୍ଧିର ଚରମରେ ଉପନୀତ ହୋଇ ପ୍ରତ୍ୟକ୍ଷ କଲେ- ସେହି ସତ୍ୟଲୋକର ଅନାମୀ ପୁରୁଷ ହିଁ ଅନୁକୂଳଚନ୍ଦ୍ର ରୂପରେ ଧରାବତରଣ କରିଛନ୍ତି। ନିଜ ସାଧନାରେ ନିଶ୍ଚିତ ହୋଇ ସେ ଅନୁକୂଳଚନ୍ଦ୍ରଙ୍କୁ ‘ଠାକୁର, ଭଗବାନ’ ବୋଲି ପ୍ରଚାର କରିବାକୁ ଲାଗିଲେ। ଏଭଳି ପ୍ରଚାରରୁ ନିବୃତ୍ତ କରିବା ପାଇଁ ଅନୁକୂଳଚନ୍ଦ୍ର ତାଙ୍କୁ ବାରମ୍ବାର ତିରସ୍କାର କଲେ ଏବଂ ବେଳେ ବେଳେ ପ୍ରହାର ମଧ୍ୟ କରିଛନ୍ତି। କିନ୍ତୁ ଅନନ୍ତନାଥ ଆଦୌ ନିରସ୍ତ ହେଲେ ନାହିଁ। କହିଲେ ମୁଁ ଯାହା ସତ୍ୟ ବୋଲି ଜାଣିଛି ତାହା ସମସ୍ତ ଜଗତବାସୀଙ୍କୁ କହିବି, ଏଥିରେ ମୋର ଯାହା ବି ପରିଣତି ହେଉନା କାହିଁକି। ଏକରୁ ଅନେକ- କ୍ରମେ କ୍ରମେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଖ୍ୟାତି ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହେବାକୁ ଲାଗିଲା। ଆସିଲେ ଦୁଃଖଦୈନ୍ୟ ପୀଡ଼ିତ, ସମସ୍ୟାଜର୍ଜରିତ ମଣିଷ ଜୀବନପଥର ନୂତନ ସନ୍ଧାନ ପାଇବା ଆଶାରେ। ଆସିଲେ ଜ୍ଞାନୀ, ଗୁଣୀ, ବିଜ୍ଞାନୀ, ଜିଜ୍ଞାସୁ, ଶାସ୍ତ୍ରଜ୍ଞ ପଣ୍ଡିତ, ଶିକ୍ଷାବିଦ୍‌, ଦାର୍ଶନିକ। ଆସିଲେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ। ଆସିଲେ କେତେ ନେତା, ଜନତା, ନାନାବିଧ ସମସ୍ୟାର ସମାଧାନ ଆଶାରେ। ସେମାନେ ତାଙ୍କୁ ଦେଖିଲେ, ବୁଝିଲେ, ପରଖିଲେ, ଜାଣିଲେ- ତାଙ୍କର ଅନନ୍ତ ଜ୍ଞାନ-କର୍ମ-ପ୍ରେମର ସ୍ପର୍ଶରେ ମୁଗ୍ଧ ହେଲେ, ତୃପ୍ତ ହେଲେ ଏବଂ ତାଙ୍କର ଆଗମନ ବାର୍ତ୍ତା ବହନ କରି ଚାଲିଲେ ଗ୍ରାମରୁ ନଗରକୁ, ଦେଶରୁ ଦେଶାନ୍ତରକୁ। ଆସିଥିଲେ କୃତବିଦ୍ୟ ବୈଜ୍ଞାନିକ ପ୍ରଫେସର କୃଷ୍ଣପ୍ରସନ୍ନ, ବୈଷ୍ଣବଗୁରୁ ସତୀଶଚନ୍ଦ୍ର, ସ୍ବଭାବକବି ହେମଚନ୍ଦ୍ର, ଆମେରିକାନ ନାଭାଲ ଅଫିସର ସ୍ପେନସର ସାହେବ, ହାଉଜରମ୍ୟାନ ସାହେବ, ଆସିଥିଲେ ଦେଶବନ୍ଧୁ ଚିତ୍ତରଞ୍ଜନ, ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷଚନ୍ଦ୍ର- ଏମିତି ଅନେକେ। ପଦ୍ମାନଦୀ ତୀରର ସେହି କ୍ଷୁଦ୍ର ହିମାଇତପୁର ଗ୍ରାମରେ ଗଢ଼ିଉଠିଲା ବିରାଟ ସତ୍‌ସଙ୍ଗ ଆଶ୍ରମ- ମଣିଷର ପ୍ରୟୋଜନରେ, ମଣିଷକୁ ନେଇ, ମଣିଷର ମଙ୍ଗଳ ପାଇଁ ମହାମିଳନର ତୀର୍ଥଭୂମିରୂପେ। ଧର୍ମ ସମ୍ବନ୍ଧରେ ସମସ୍ତ ଜଟିଳତା, ଆନୁଷ୍ଠାନିକତା ଏବଂ ସଂକୀର୍ଣ୍ଣତାର ଅନ୍ତ ଘଟାଇ ଶ୍ରୀଶ୍ରୀଠାକୁର ଘୋଷଣା କଲେ- ପରିବେଶର ସମସ୍ତଙ୍କୁ ନେଇ ସୁନ୍ଦର ସଫଳ ଭାବରେ ବଞ୍ଚିବା ଏବଂ ଜୀବନର ସର୍ବାଙ୍ଗୀଣ ଉନ୍ନତି ପଥରେ ଆଗେଇ ଯିବାର ନୀତିନିୟମକୁ ହିଁ ଧର୍ମ କହନ୍ତି ଏବଂ ଏହା ହିଁ ଜାତି-ବର୍ଣ୍ଣ-ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କର ଅନୁସରଣୀୟ ମାନବ ଧର୍ମ- ତାଙ୍କ ପ୍ରବର୍ତ୍ତିତ ସତ୍‌ସଙ୍ଗ ଆନ୍ଦୋଳନ ଏହି ଉଦାର ମାନବଧର୍ମର ଆଦର୍ଶ ବହନ କରିଚାଲିଛି।
ହେଲେ ସେହି ମହାନ୍‌ ପୁରୁଷ ମଣିଷର ମଙ୍ଗଳ ପାଇଁ କିପରି କୃଚ୍ଛ୍ର ସାଧନା କରିଥିଲେ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ପଦ୍ମାନଈ କୂଳର ଗ୍ରାମ ହିମାଇତପୁର ଗୋଟିଏ ବନ୍ୟାପ୍ଳାବିତ ଅଞ୍ଚଳ। ବର୍ଷାଦିନେ ରାସ୍ତାଘାଟ ସବୁ ପାଣିରେ ବୁଡ଼ିଯାଏ। ଆଶ୍ରମରେ ଥିଲା କେତେକ ହାତସଫା ପାଇଖାନା। ବର୍ଷାଦିନେ ସୁଇପର ଆସି ନ ପାରିବାରୁ ଦିନ ଦିନ ଧରି ମଇଳା ଜମିରହେ। ଫଳରେ ଆଶ୍ରମର ପରିବେଶ ଦୂଷିତ, ପୂତିଗନ୍ଧମୟ ହୋଇଉଠେ। କେହି କିଛି କରିପାରନ୍ତି ନାହିଁ। ଏହାର ପ୍ରତିକାର ପାଇଁ ଶ୍ରୀଶ୍ରୀଠାକୁର ଏକାକୀ ସମସ୍ତଙ୍କ ଅଲକ୍ଷ୍ୟରେ ଗଭୀର, ନିସ୍ତବ୍ଧ ରାତ୍ରିରେ ଗୋଟିଏ ଟିଣରେ ପାଇଖାନାଗୁଡ଼ିକରୁ ପଚା, ଦୁର୍ଗନ୍ଧ ମଳ ବାହାରକରି ମୁଣ୍ଡରେ ବୋହିନେଇ ଦୂରରେ ନିକ୍ଷେପ କରନ୍ତି ଏବଂ ଭଲଭାବରେ ପଦ୍ମାନଦୀରେ ସ୍ନାନକରି ବିଛଣାରେ ଆସି ଶୁଅନ୍ତି। ପରିବେଶର ଶୁଦ୍ଧତା ପାଇଁ ରାତି ପରେ ରାତି ଚାଲେ ତାଙ୍କର ଏହି କୃଚ୍ଛ୍ର ଲୋକସେବା ସମସ୍ତଙ୍କ ଅଲକ୍ଷ୍ୟରେ। କେହି ଜାଣି ପାରନ୍ତି ନାହିଁ ଯେ ତାଙ୍କର ଏକାନ୍ତ ଆରାଧ୍ୟ ଦେବତା ଏପରି କାର୍ଯ୍ୟ କରିଚାଲିଛନ୍ତି ନିଭୃତରେ ସମସ୍ତଙ୍କ ମଙ୍ଗଳ ପାଇଁ। ଦିନେ ଅବଶ୍ୟ ତାଙ୍କର ପୁତ୍ର ଅମରେନ୍ଦ୍ରନାଥ (ଶ୍ରୀଶ୍ରୀବଡ଼ଦା), ଯିଏ ସେତେବେଳେ ତପୋବନ ହାଇସ୍କୁଲର ଛାତ୍ର, ଏ କଥା ଜାଣି ପକାଇଲେ। ତାହା ପରଠାରୁ ବାଳକ ଅମରେନ୍ଦ୍ରନାଥ ନିଜ ସାଙ୍ଗ ପିଲାମାନଙ୍କ ସହିତ ମିଶି ଏହି କାର୍ଯ୍ୟ କରିବାକୁ ବ୍ରତୀ ହେଲେ, ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ଆଶ୍ରମ କର୍ତ୍ତୃପକ୍ଷ ତାଙ୍କୁ ଗୋଟିଏ ରୌପ୍ୟପଦକରେ ପୁରସ୍କୃତ କରିଥିଲେ। ଏଭଳି ଜଣେ ଠାକୁରଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିପାରିବା? ବୋଧହୁଏ ସେଥିପାଇଁ ଶାସ୍ତ୍ର ତାଙ୍କୁ କହିଛି-‘ଅଣୋରଣୀୟାନ୍‌ ମହତୋ ମହୀୟାନ୍‌’- ଅର୍ଥାତ୍‌ ସେ ଅଣୁଠାରୁ କ୍ଷୁଦ୍ର ଓ ମହତ୍‌ଠାରୁ ଆହୁରି ମହାନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri