ଶାସନ ଯଦି ସହୃଦୟୀ ହୁଏ

ରଞ୍ଜନ କୁମାର ଦାସ

କୁହାଯାଏ ସ୍ବର୍ଗରେ ଇନ୍ଦ୍ର ବଦଳନ୍ତି ସିନା, ଶଚୀ ସେମିତି ଥାଆନ୍ତି। ମର୍ତ୍ତ୍ୟରେ ସେମିତି ସରକାର ବଦଳନ୍ତି ସିନା, ପ୍ରଶାସକମାନେ ଥାଆନ୍ତି। ଶାସନ ବ୍ୟବସ୍ଥାରେ ସ୍ଥିରତା, ନିରନ୍ତରତା ଓ ଗତିଶୀଳତା ଆଣିବା ପାଇଁ ଏହା ଉଦ୍ଦିଷ୍ଟ। ତେଣୁ ଦେଶ ବା ରାଜ୍ୟରେ ସରକାର ଥାଆନ୍ତୁ ବା ନ ଥାଆନ୍ତୁ, ଶାସନ ଚାଲିବାରେ କିଛି ଅସୁବିଧା ନ ଥାଏ। ଲୋକମାନଙ୍କ ମନ ଭିତରେ ପ୍ରଶାସକମାନେ ଏକ ସ୍ଥାନ ଅଧିକାର କରିଥାନ୍ତି। ପୁଣି ଆମ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାରରେ କୌଣସି ନା କୌଣସି ଦଳର ଲୋକମାନେ ସ୍ଥାନିତ ହୁଅନ୍ତି। ସେମାନେ ତାଙ୍କ ଦଳର ସମର୍ଥକମାନଙ୍କୁ ପ୍ରାଧାନ୍ୟ ଦେବା ଆଶ୍ଚର୍ଯ୍ୟଜନକ ନୁହେଁ। ତେଣୁ ଅନ୍ୟମାନେ କେମିତି ତାଙ୍କ ନାଗରିକ ଅଧିକାର ପାଇବେ? ସେମାନେ ପ୍ରଶାସକମାନଙ୍କ ଉପରେ ଭରସା କରନ୍ତି, ଯେଉଁମାନେ କୌଣସି ଦଳର ନୁହନ୍ତି।
ନିଜର ସର୍ବନିମ୍ନ ଦାବି ଓ ଆବଶ୍ୟକତା ପୂରଣ ପାଇଁ ଲୋକେ ନିତି ବ୍ଲକ୍‌, ତହସିଲ, ଥାନା ଆସନ୍ତି। ଏଠି ତାଙ୍କର ଆବଶ୍ୟକତା ପୂରଣ ନ ହେଲେ ସେମାନେ ଜିଲାପାଳ ବା ଏସ୍‌.ପି.ଙ୍କ କବାଟ ଠକ୍‌ଠକ୍‌ କରନ୍ତି। ବ୍ରିଟିଶ ଅମଳରୁ ଏ ଦୁଇଟି ପଦବୀର ଗୁରୁତ୍ୱ ରହିଆସିଛି। ଲୋକେ ଭାବନ୍ତି ଜଣେ ଜିଲାପାଳ ଚାହିଁଲେ ଯାହା ଇଚ୍ଛା ତା’ କରିପାରିବେ। ଭଗବାନ ଭକ୍ତର ପ୍ରାର୍ଥନା ଶୁଣି ବରଦେଲା ଭଳି, ଜିଲାପାଳ ଚାହିଁଲେ ଗୃହହୀନକୁ ଘର ଦେଇପାରିବେ, ଭୂମିହୀନକୁ ଜମି ଦେଇପାରିବେ, ବାପାମା’ ନ ଥିବା ପିଲାଙ୍କୁ ଆଶ୍ରା ଦେଇପାରିବେ, ଚିକିତ୍ସା ଅଭାବରୁ ମରଣ ସହ ଲଢ଼ୁଥିବା ଲୋକକୁ ଚିକିତ୍ସା ସହାୟତା ଦେଇପାରିବେ। ଅବଶ୍ୟ ଏବେ ପରିସ୍ଥିତି ବଦଳିଥିବା ସତ୍ତ୍ୱେ ଲୋକଙ୍କର ଏ ଧାରଣା ବଦଳିନାହିଁ। ଅନିଲ କପୁରଙ୍କ ହିନ୍ଦୀ ଚଳଚ୍ଚିତ୍ର ନାୟକ ଦେଖିଥିବା ଲୋକେ ଏକଥା ନିଶ୍ଚୟ କହିବେ ଯେ ଗୋଟିଏ ଦିନର ଜିଲାପାଳ ଯଦି ଏତେ କଥା କରିପାରେ, ସ୍ଥାୟୀ ଜିଲାପାଳ ଜଣେ କ’ଣ ନ କରିପାରିବ। ସାଧାରଣ ଲୋକେ ଭାବନ୍ତି ଜିଲାପାଳମାନେ ଆଲ୍ଲାଦିନର କୁହୁକ ଦୀପ ଭଳି କିଛି ଅଲୌକିକ ଶକ୍ତିର ଅଧିକାରୀ। ଯାହା ଜଣେ କଲେକ୍ଟର ହାତରେ ହୋଇପାରିବନି ବୋଧହୁଏ ଆଉ କୋଉଠି ହୋଇପାରିବନି।
ନିକଟରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ଆବଶ୍ୟକ ପ୍ରଶିକ୍ଷଣ ନେବାପାଇଁ ଚଣ୍ଡୀଗଡ଼ ଆସିଥିବା ଅବସରରେ ଟ୍ରେନିଂ ଦେବାପାଇଁ ଆସୁଥିବା ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପ୍ରାକ୍ତନ ଆଇଏଏସ୍‌ ଅଧିକାରୀମାନଙ୍କ ମୁହଁରେ ଏଇ କଥା ହିଁ ଶୁଣିବାକୁ ମିଳିଥିଲା। ଏବେ ମଧ୍ୟ ମୁଁ ଅନୁଭବ କରିଚି ଲୋକେ ତାଙ୍କ ଘରେ ବାପପୁଅ ଭିତରେ ଥିବା କଳି, ସ୍ବାମୀ-ସ୍ତ୍ରୀ ଭିତରେ ଥିବା ମନୋମାଳିନ୍ୟ ତୁଟେଇବାକୁ ମଧ୍ୟ ଜିଲାପାଳଙ୍କ ପାଖକୁ ଆସନ୍ତି। ପାଠ ପଢ଼ିବାକୁ ପାଖରେ ପଇସା ନ ଥିବା ପିଲା ମଧ୍ୟ କାନ୍ଦ କାନ୍ଦ ମୁହଁରେ ସାହାଯ୍ୟ ପାଇଁ ଆସନ୍ତି। ଦାୟିତ୍ୱହୀନ ମଦୁଆ ସ୍ବାମୀଙ୍କ ଅବହେଳା ବାବଦରେ ଗୁହାରି କରିବାକୁ ସ୍ତ୍ରୀମାନେ ଆସନ୍ତି। ବାପଛେଉଣ୍ଡ ଛୁଆଏ ସାହାରା ପାଇଁ ଆସନ୍ତି। ଡାକ୍ତରଖାନାରେ ମରଣ ସହ ଯୁଝୁଥିବା ସ୍ବାମୀର ଜୀବନ ମାଗିବାକୁ ଅସହାୟ ସ୍ତ୍ରୀମାନେ ଆସନ୍ତି। ବେଳ ହେଇଗଲେ ପହଡ଼ ପାଇଁ ମନ୍ଦିର ଦୁଆର ବନ୍ଦ ହେଇଯାଇପାରେ। ମାତ୍ର ଏଭଳି ଲୋକମାନଙ୍କ ଅଶ୍ରୁଳ ନିବେଦନକୁ ଏଡେଇ ଚଉକିରୁ ଉଠିଯିବା କୋଉ ଜିଲାପାଳ ପକ୍ଷରେ ସମ୍ଭବ ନୁହେଁ। ଗୋଟିଏ ଛୋଟ ଘଟଣା ମୋର ଏବେ ବି ମନେଅଛି। ମୁଁ ଯାଜପୁରରେ ନୂଆକରି ଯୋଗଦେଇଥାଏ। ଜଣେ ବୃଦ୍ଧା ଥରେ ଅଫିସ୍‌ରେ ବିକଳ ହେଇ ମତେ ଖୋଜୁଥାନ୍ତି। କିନ୍ତୁ ପ୍ରଶାସନିକ ବଳୟ ଡେଇଁ ମୋ ପାଖକୁ ଆସିପାରୁ ନ ଥାନ୍ତି। ମୁଁ ଖାଇବାକୁ ଉଠିଲା ବେଳକୁ ତାଙ୍କ ଉପରେ ଦୃଷ୍ଟି ପଡ଼ିଲା। ମୁଁ ତାଙ୍କୁ ଡାକି କଥା କ’ଣ ବୋଲି ପଚାରିଲି। ତାଙ୍କ ପୁଅ କର୍କଟପୀଡ଼ିତ ହେଇ କଟକରେ ଚିକିତ୍ସିତ ହେଉଥାନ୍ତି। ବୃଦ୍ଧା ଜଣକ କହୁ କହୁ କାନ୍ଦି ପକେଇଲେ। ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ କୋଡ଼ିଏ ହଜାର ଟଙ୍କା ଅନୁଦାନ ଦେବା ସହ କର୍କଟ କେନ୍ଦ୍ରର ନିର୍ଦ୍ଦେଶକଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଚିଠି ଲେଖିଲି। ପ୍ରାୟ ତିନି ଚାରିମାସ ପରେ ସେ ବୃ୍‌ଦ୍ଧା ଥରେ ମୋ ଅଭିଯୋଗ ପ୍ରକୋଷ୍ଠରେ ଆସି ମତେ ଖୋଜୁଥାନ୍ତି। ମୋ ଦୃଷ୍ଟି ପଡିବାରୁ ତାଙ୍କୁ ପାଖକୁ ଡାକିଲି। ସେ ମତେ ଧରିପକେଇ ଆଉଁଶି ପକେଇଲେ ଓ କହିଲେ ପୁଅ ତୁ ମୋ ପୁଅକୁ ବଞ୍ଚେଇଦେଲୁ। ଆଜିଠୁ ତୁ ମୋ ପୁଅ ଭଳି। ତତେ ମା’ ବିରଜା, ଜଗନ୍ନାଥ ମହାପ୍ରଭୁ କୋଟି ପରମାୟୁ ଦିଅନ୍ତୁ। ଶଙ୍ଖରେ ପୂରେଇ ଚକ୍ରରେ ଘୋଡ଼େଇ ରଖିଥାନ୍ତୁ। ଅବଶ୍ୟ ରିଲିଫ ପାଣ୍ଠିର କୋଡ଼ିଏ ହଜାର ଟଙ୍କା ଯେ ତାଙ୍କ ପୁଅର ଜୀବନ ବଞ୍ଚେଇଦେଲା ଏକଥା କହିବା ବାହୁଲ୍ୟ ହେବ। ତାଙ୍କର ଆୟୂଷ ଥିଲା, ତେଣୁ ଭଗବାନ ବଞ୍ଚେଇଦେଲେ। ମାତ୍ର ସେ ଭାବିଲେ ଯେ ଏଇ ସମୟୋଚିତ ସାହାଯ୍ୟ ହିଁ ତାଙ୍କୁ ବଞ୍ଚେଇଦେଲା।
ଜଣେ ପ୍ରଶାସକ ଯେଉଁଦିନ ଲୋକଙ୍କ ହସକାନ୍ଦରେ ସାମିଲ ହେଇଯିବ ସେଦିନ ସେ ତାଙ୍କରି ଭିତରେ ଜଣେ ହେଇ ରହିଯିବ। ଭାରତୀୟ ପ୍ରଶାସନିକ ସେବାର ପ୍ରଶିକ୍ଷଣ ବେଳେ ଏଇ ଛୋଟ କଥାଟିକୁ ବାରମ୍ବାର ଆମକୁ କୁହାଯାଇଥାଏ ଯେ ଲୋକଙ୍କ ନିକଟତର ହୁଅ। ଯୋଉଦିନ ସେମାନେ ଅନୁଭବ କରିବେ ଯେ, ଆମର ଦାୟିତ୍ୱ ନେଇଥିବା ଲୋକଟି ଆମକଥା ଠିକ୍‌ଭାବରେ ବୁଝୁଚି ସେଦିନ ସେମାନେ ତାଙ୍କ ଛୋଟ ମୋଟ ଦୁଃଖ, ଛୋଟମୋଟ ଦାବି ଆପତ୍ତି ମଧ୍ୟ ଭୁଲିଯିବେ। ସେମାନେ ଅଡି ବସିବେ ନାହିଁ ଯେ ମୋ କଥା କେହି ବୁଝିଲେ ନାହିଁ। ସେମାନେ କହିବୁଲିବେ ନାହିଁ ଯେ ପ୍ରଶାସନରେ ଥିବା ଲୋକଗୁଡ଼ା ହୃଦୟହୀନ। ସେମାନେ ନିଜକଥା ଛଡ଼ା ଆଉ କାହାକଥା ବୁଝନ୍ତି ନାହିଁ! ଲୋକ ମନରେ ଖୁସି ଥିବାର ବା ସନ୍ତୁଷ୍ଟ ହେଇପାରିଥିବାର ଏଇ କ୍ଷୁଦ୍ରତର ଅଥଚ ଆଭାସୀ ଅନୁଭବ ଟିକକ ହିଁ ଆମ ଶାସନ ବ୍ୟବସ୍ଥାକୁ ଆହୁରି ମହତ୍ତର କରିବ। ଅବଶ୍ୟ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଚିରକାଳ ଦ୍ୱେଷଦର୍ଶୀ, କୋଉଥିରେ ସନ୍ତୁଷ୍ଟ ହେବାକୁ ଚାହାନ୍ତି ନାହିଁ। ଅଭିଯୋଗ କରିବା ତାଙ୍କର ଧର୍ମ ଓ କର୍ମ। ସେମିତି କତିପୟ ଲୋକଙ୍କୁ ଛାଡ଼ିଦେଲେ ବାକିତକ ଲୋକ, ଯେଉଁମାନେ ନିରୀହ, ନିପୀଡ଼ିତ, ସେଇମାନଙ୍କ କଥା ଟିକେ ହୃଦୟ ଦେଇ ବୁଝିଲେ ଲୋକଙ୍କ ଭାବନାରେ କେତେ ନା କେତେ ପରିବର୍ତ୍ତନ ଆସିଯିବ! ଶାସକ ଓ ଜନତାଙ୍କ ଭିତରେ ଦୂରତ୍ୱ କମିଯିବ!
ମୋ- ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri