ନୂଆ ଭାରତ ଓ ନୂଆ ଓଡ଼ିଶା କେତେ ବାସ୍ତବ

ଡ. ସନ୍ତୋଷ କୁମାର ମହାପାତ୍ର
ଯିଏ ସରକାର ଗଢୁ ବା ଶାସନ କରୁ ବିଭିନ୍ନ ପ୍ରକାର ଆର୍ଥିକ, ରାଜନୈତିକ ତଥା ସାମାଜିକ ସମସ୍ୟା ସମାଧାନ କରିବା ସହଜ ନୁହେଁ। ଅବଶ୍ୟ ସରକାର ଏଥିପାଇଁ ପ୍ରଚେଷ୍ଟା କରିବା ଉଚିତ। କିନ୍ତୁ ସମ୍ପ୍ରତି ଭାରତ ସମେତ ବିଭିନ୍ନ ଦେଶରେ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ କର୍ପୋରେଟ ତଥା ପୁଞ୍ଜିପତିଙ୍କ ନିୟନ୍ତ୍ରଣରେ ରହିଛି। ଯେଉଁମାନେ ଶାସନ ଗାଦିରେ ଥାନ୍ତି ସେମାନଙ୍କୁ ପଛପଟୁ ବଡ଼ ବଡ଼ କମ୍ପାନୀ ଏବଂ ପୁଞ୍ଜିପତି ନିୟନ୍ତ୍ରଣ କରିଥାନ୍ତି ଏବଂ ତାଙ୍କୁ ସୁହାଇଲା ପରି ନୀତି ପ୍ରଣୟନ କରିବାକୁ ବାଧ୍ୟ କରିଥାନ୍ତି ଏବଂ ସଫଳ ହୋଇଥାନ୍ତି। ଫଳରେ ବେକାରି, ବୈଷମ୍ୟ, କ୍ଷୁଧା ଆଜି ବି ପ୍ରମୁଖ ସମସ୍ୟା ହୋଇ ରହିଛି। ଏପରି ସମସ୍ୟାର ସମାଧାନ କରିବାରେ ବିଫଳ ହେବା ଯୋଗୁ ଜନପ୍ରିୟତା ହରାଇବାକୁ ପଡ଼ିଥାଏ। ଏଣୁ ଚତୁର ରାଜନେତାମାନେ ବିଭିନ୍ନ ପ୍ରକାର ମନଭୁଲା ସ୍ଲୋଗାନ ଦେବା ସହିତ ଜନତାଙ୍କ ଭାବାବେଗକୁ ଛୁଇଁଲା ଭଳି କଥା କହିଥାନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି। ଏପରି ମନଭୁଲାଣିଆ ସ୍ଲୋଗାନ ଦେବାରେ ଯଦି କିଏ ସର୍ବାଗ୍ରେ ରହିବେ ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ପ୍ରଥମ ଶାସନ ଅମଳରେ ସେ ନୂଆ ଭାରତର ଏକ ସ୍ବପ୍ନ ଦେଖାଇଥିଲେ ଏବଂ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବା ପରେ ତାହାକୁ ଦୋହରାଇଛନ୍ତି। ତାଙ୍କ ନୂଆ ଭାରତର ସଂକଳ୍ପ ଅନୁଯାୟୀ ଭାରତରେ ଦାରିଦ୍ର୍ୟ, ଦୁର୍ନୀତି, ଆତଙ୍କବାଦ, ସାମ୍ପ୍ରଦାୟିକତାବାଦ, ଜାତିପ୍ରଥା ଆଦି ରହିବ ନାହିଁ ଏବଂ ଭାରତ ଏକ ଶକ୍ତିଶାଳୀ, ଉନ୍ନତ ରାଷ୍ଟ୍ରରେ ପରିଣତ ହେବ। ସେହିପରି ନବୀନ ପଟ୍ଟନାୟକ ତାଙ୍କର ଜନପ୍ରିୟତା ଯୋଗୁ ୫ ଥର ମୁଖ୍ୟମନ୍ତ୍ରୀ ହେଲା ପରେ ନୂଆ ଓଡ଼ିଶା କଥା ମଧ୍ୟ କହିଛନ୍ତି। କିନ୍ତୁ ଏଠାରେ ସ୍ବତଃ ପ୍ରଶ୍ନ ଉଠେ ଯଦି ଅଧିକରୁ ଅଧିକ ଅପରାଧରେ ସମ୍ପୃକ୍ତ ବା ଧନିକ ଶ୍ରେଣୀର ବ୍ୟକ୍ତି ବିଧାନସଭା ବା ସଂସଦକୁ ନିର୍ବାଚିତ ହୋଇ ଯାଆନ୍ତି, ତେବେ କିପରି ନୂଆ ଭାରତ ବା ନୂଆ ଓଡ଼ିଶା ସମ୍ଭବ ହେବ। ସେମାନେ ଗରିବ, ସାଧାରଣ ଜନତାଙ୍କ ପାଇଁ କାର୍ଯ୍ୟ କରିବେ ନା ପୁନର୍ବାର କିପରି କ୍ଷମତାକୁ ଆସିବେ ଏବଂ ସାତପିଢି ପାଇଁ ସମ୍ପଦ ରଖିବେ ତାହା ପାଇଁ ଚେଷ୍ଟା କରିବେ? ସେମାନେ ପୁଞ୍ଜିପତି, ଶିଳ୍ପପତି ଓ ଧନିକ ଶ୍ରେଣୀଙ୍କ ସ୍ବାର୍ଥ ସାଧନ ପାଇଁ କାର୍ଯ୍ୟ କରିବେ।
ଉଲ୍ଲେଖଯୋଗ୍ୟ ଯେ ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ (ଏନ୍‌ଇଡବ୍ଲ୍ୟୁ)(ଓଡ଼ିଶାରେ ଓଡ଼ିଶା ଇଲେକ୍ସନ ଓ୍ବାଚ୍‌) ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଅପରାଧର କାହାଣୀ ଓ ସମ୍ପଦର ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିଥାନ୍ତି। ପ୍ରାର୍ଥୀମାନେ ଯାହା ସତ୍ୟପାଠରେ ଘୋଷଣା କରିଥାନ୍ତି ସେହି ତଥ୍ୟ ଦେଇଥାନ୍ତି। ଏହି ତଥ୍ୟ ଅନୁସାରେ ୨୦୦୯ରେ ୩୩% ବିଧାୟକଙ୍କ ନାମରେ ଅପରାଧର ଅଭିଯୋଗ ଥିଲାବେଳେ ଏହା ୨୦୧୪ରେ ୩୫% ଏବଂ ୨୦୧୯ରେ ୪୬%କୁ ବୃଦ୍ଧି ପାଇଛି। ଯଦି ନରହତ୍ୟା ବା ନରହତ୍ୟା ପାଇଁ ଉଦ୍ୟମ, ଅପହରଣ, ମହିଳାଙ୍କ ବିରୋଧରେ ଅପରାଧ ଆଦି ସାଂଘାତିକ ଅପରାଧ କଥା ବିଚାର କରାଯାଏ ତେବେ ୨୦୧୪ରେ ଏହା ୨୮% ଥିଲାବେଳେ ୨୦୧୯ରେ ୩୪%କୁ ବୃଦ୍ଧି ପାଇଛି। ସେହିପରି ଯଦି ଲୋକ ସଭା କଥା ବିଚାର କରାଯାଏ ୨୦୦୯ରେ ୨୪% ସାଂସଦଙ୍କ ନାମରେ ଅପରାଧର ଅଭିଯୋଗ ଥିଲାବେଳେ ୨୦୦୯ରେ ୩୦%, ୨୦୧୪ରେ ୩୪% ଏବଂ ୨୦୧୯ରେ ୪୩%କୁ ବୃଦ୍ଧିପାଇଛି। ସାଂଘାତିକ ଅପରାଧ ଦୃଷ୍ଟିରୁ ୨୦୦୯ରେ ୧୪% ସାଂସଦଙ୍କ ନାମରେ ଅଭିଯୋଗ ଥିଲାବେଳେ ଏହା ୨୦୧୪ରେ ୨୧% ଏବଂ ୨୦୧୯ରେ ୨୯%କୁ ବୃଦ୍ଧି ପାଇଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ନରେନ୍ଦ୍ର ମୋଦିଙ୍କ ପ୍ରଥମ ଶାସନ ଅମଳରେ ୩୧% ମନ୍ତ୍ରୀଙ୍କ ନାମରେ ଅପରାଧର ଅଭିଯୋଗ ଥିଲାବେଳେ ବର୍ତ୍ତମାନର ମନ୍ତ୍ରିମଣ୍ଡଳରେ ତାହା ୩୯%କୁ ବୃଦ୍ଧି ପାଇଛି। ଯଦି ସମ୍ପଦ କଥା ବିଚାର କରାଯାଏ ୨୦୦୯ରେ ଓଡ଼ିଶାରେ ମାତ୍ର ୧୫% ବିଧାୟକ କୋଟିପତି ଥିଲାବେଳେ ୨୦୧୪ରେ ଏମାନଙ୍କ ସଂଖ୍ୟା ୫୨% ଓ ୨୦୧୯ରେ ୬୫%କୁ ବୃଦ୍ଧିପାଇଛି। ୨୦୧୯ରେ ପୁନଃନିର୍ବାଚିତ ହୋଇଥିବା ୬୦ ଜଣ ବିଧାୟକଙ୍କ ସମ୍ପଦ ୨୦୧୪ ତୁଳନାରେ ୧୨୨% ବା ହାରାହାରି ମୁଣ୍ଡପିଛା ୨.୬୯ କୋଟି ଟଙ୍କା ବୃଦ୍ଧି ପାଇଛି। ସେହିପରି ଲୋକ ସଭା କ୍ଷେତ୍ରରେ କୋଟିପତି ସାଂସଦଙ୍କ ସଂଖ୍ୟା, ଯାହା ୨୦୦୯ରେ ୫୮% ଥିଲା ତାହା ୨୦୧୪ରେ ୮୩% ଏବଂ ୨୦୧୯ରେ ୮୮%କୁ ବୃଦ୍ଧି ପାଇଛି। ଜଣେ ଯୁକ୍ତିଛଳରେ ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ଏହି ବୃଦ୍ଧି କମ୍‌ ହେବ। କିନ୍ତୁ ସାଧାରଣ ଟିକସଦାତାଙ୍କ ସମ୍ପଦ ବୃଦ୍ଧି ତୁଳନାରେ ବିଧାୟକ ବା ସାଂସଦଙ୍କ ସମ୍ପଦ ଅଧିକ ହାରରେ ବୃଦ୍ଧି ପାଉଛି। ୨୦୧୪ରେ ଲୋକ ସଭା ସଦସ୍ୟଙ୍କ ହାରାହାରି ସମ୍ପତ୍ତି ୧୪.୭ କୋଟି ହୋଇଥିଲା ବେଳେ ୨୦୧୯ରେ ଏହା ୨୦.୯ କୋଟି। ୨୦୧୪ରେ ଜଣେ ଟିକସଦାତାଙ୍କ ସମ୍ପତ୍ତି ତୁଳନାରେ ଲୋକ ସଭା ସଦସ୍ୟଙ୍କ ସମ୍ପତ୍ତି ୨୯୯.୮ ଗୁଣ ଥିଲାବେଳେ ୨୦୧୯ରେ ଏହା ୩୪୫.୮ ଗୁଣରେ ପହଞ୍ଚିଛି। ରାଜ୍ୟ ସଭାକୁ ଗୁଣୀ, ଜ୍ଞାନୀ, ବୁଦ୍ଧିଜୀବୀ ତଥା ସୃଜନାତ୍ମକ ବ୍ୟକ୍ତିଙ୍କୁ ବିଭିନ୍ନ ଦଳ ତରଫରୁ ନିର୍ବାଚିତ କରି ପଠାଇବା କଥା କିନ୍ତୁ ତାହା ଧନିକ ଶ୍ରେଣୀଙ୍କ ପେଣ୍ଠସ୍ଥଳୀ ହୋଇଛି। ରାଜ୍ୟ ସଭାର ସଦସ୍ୟଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୨୦୧୮ ସୁଦ୍ଧା ୫୫ କୋଟିରେ ପହଞ୍ଚିଛି।
ପୁନଶ୍ଚ ଯଦି ନରେନ୍ଦ୍ର ମୋଦିଙ୍କ ଗତ ୫ ବର୍ଷର ଶାସନ ଏବଂ ନବୀନଙ୍କ ବିଗତ ୫ ବର୍ଷର ଶାସନକୁ ସମୀକ୍ଷା କରାଯାଏ ତେବେ ନୂଆ ଭାରତ ଦୁଃସ୍ବପ୍ନ ପରି ମନେ ହେଲାବେଳେ ନୂଆ ଓଡ଼ିଶା ଅବାସ୍ତବ ମନେ ହେଉଛି। ୨୦୧୧ରେ ଭାରତ ମହିଳାମାନଙ୍କ ପାଇଁ ୪ର୍ଥ ବିପଦପୂର୍ଣ୍ଣ ରାଷ୍ଟ୍ର ଥିବାବେଳେ ୨୦୧୮ସବୁଠାରୁ ପ୍ରଥମ ବିପଦପୂଣ୍ଣର୍ର୍ ରାଷ୍ଟ୍ର। ଓଡ଼ିଶାରେ ମଧ୍ୟ ଆଜି ମହିଳାଙ୍କ ଉପରେ ନିର୍ଯାତନା ବୃଦ୍ଧିପାଇଛି ଓ ମୋଦିଙ୍କ ଗତ ୫ ବର୍ଷରେ ଅର୍ଥନୀତି ସମ୍ପୂର୍ଣ୍ଣ ବିଗିଡିଯିବା ସହିତ ବିଭିନ୍ନ ସୂଚକାଙ୍କରେ ଅବନତି ଘଟିଛି। କିନ୍ତୁ ନବୀନଙ୍କ ଶାସନ ଅବଧିରେ ଅର୍ଥନୀତି ବା କୌଣସି ପରିସ୍ଥିତି ନିମ୍ନମୁଖୀ ନ ହୋଇଥିଲା ବେଳେ ଆଶାନୁରୂପ ଉନ୍ନତି ଘଟିନାହିଁ। ଅବଶ୍ୟ ଦାରିଦ୍ର୍ୟ ହ୍ରାସ ପାଇବା ସହିତ ଅଭିବୃଦ୍ଧି ଅଧିକ ହୋଇଛି। ଆଗରୁ ସରକାର ଦରମା ଦେବାକୁ ଅକ୍ଷମ ହେଲାବେଳେ ବର୍ତ୍ତମାନ ସ୍ଥିତିରେ ଉନ୍ନତି ଘଟିଛି। ରାଜ୍ୟ ସରକାର ଗୁଡ଼ାଏ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବାରୁ ମାନବ ଉନ୍ନୟନ କ୍ଷେତ୍ରରେ ଉନ୍ନତି ଘଟିଛି। ଭାରତ ୨୦୧୭ରେ ମାନବ ଉନ୍ନୟନ ସୂଚକାଙ୍କରେ ୧୮୯ ଦେଶ ମଧ୍ୟରୁ ୧୩୦ ସ୍ଥାନରେ ରହିଛି। ଅର୍ଥାତ୍‌ ୧୨୯ଟି ଦେଶ ତଳେ। ଗତ କିଛିବର୍ଷ ସେହି ଅଙ୍କ ପାଖାପାଖି ରହୁଛି। କିନ୍ତୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅନୁସାରେ ଓଡ଼ିଶା ଏକଦା ମାନବ ଉନ୍ନୟନ ଦୃଷ୍ଟିରୁ ବହୁତ ପଛରେ ଥିଲାବେଳେ ୧୯୯୦ରୁ ୨୦୧୭ ମଧ୍ୟରେ ସାମାଜିକ ବ୍ୟୟ ପୌନଃପୌନିକ ବାର୍ଷିକ ଅଭିବୃଦ୍ଧି ୧୫.୧% ହେବା ଯୋଗୁ (ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ୩ୟ ସ୍ଥାନ) ୨୦୧୪ଠାରୁ ଅଦ୍ଭୁତପୂର୍ବ ଉନ୍ନତି ଘଟି ପ୍ରମୁଖ ରାଜ୍ୟ ମଧ୍ୟରେ ରହିଛି। କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି। ଅବଶ୍ୟ ସବୁ ରାଜ୍ୟର ଅବସ୍ଥା ଏକପ୍ରକାର। ଏଣୁ ଦେଶରେ ବେକାରି ହାର ୨୦୧୮ରେ ୬.୧%ରେ ପହଞ୍ଚିଛି, ଯାହା ଗତ ୪୫ ବର୍ଷରେ ସର୍ବାଧିକ।
ଗତ ୫ ବର୍ଷରେ ଭାରତ ବେଶି ଅଶାନ୍ତ, ଅସୁଖୀ ହେବା ସହିତ କ୍ଷୁଧା ଦୂର କରିବାରେ ବହୁତ ପଛେଇ ଯାଇଛି। ଏଣୁ ନୂଆ ଭାରତ କିପରି ଆଶା କରିବା? ଉଦାହରଣ ସ୍ବରୂପ ୨୦୧୫ରେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୪ଟି ଦେଶ ମଧ୍ୟରେ ୮୦ତମ ସ୍ଥାନରେ ଥିଲାବେଳେ ୨୦୧୮ରେ ୧୧୯ଟି ଦେଶ ମଧ୍ୟରେ ୧୦୩ତମ ସ୍ଥାନରେ। ସେହିପରି ସଦ୍ୟ ପ୍ରକାଶିତ ବିଶ୍ୱ ଶାନ୍ତି ସୂଚକାଙ୍କ ୨୦୧୯ ଅନୁସାରେ ଭାରତ ୧୬୩ଟି ଦେଶ ମଧ୍ୟରେ ୧୪୧ ସ୍ଥାନରେ ରହିଛି। ଗତବର୍ଷ ତୁଳନାରେ ଆହୁରି ୪ ସ୍ଥାନ ନିମ୍ନଗାମୀ ହୋଇଛି। ବିଭିନ୍ନ ପ୍ରକାର ହିଂସା ଯୋଗୁ ଆର୍ଥିକ କ୍ଷତି, ଯାହା କ୍ରୟ ଶକ୍ତି ସମତା (ପିପିପି) ଦୃଷ୍ଟିରୁ ୨୦୧୪ରେ ୩୪୧.୭ ବିଲିୟନ ଡଲାର ଥିଲା ତାହା ୨୦୧୭ରେ ୫୦୬.୨ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ସେହିିପରି ବିଶ୍ୱ ଖୁସି ସୂଚକାଙ୍କ ୨୦୧୯ ଅନୁସାରେ ଭାରତ ୧୫୬ଟି ଦେଶ ମଧ୍ୟରୁ ୧୪୦ ସ୍ଥାନରେ ରହିଛି। ଗତ ୪ ବର୍ଷରେ ଭାରତ ୨୩ ଅଙ୍କ ତଳକୁ ଖସି ଆସିଛି। ଦେଶରେ ୪ କୋଟି ଲୋକ ଏବେ ବି ଆଧୁନିକ କ୍ରୀତଦାସ ଭାବେ ଜୀବନ ବିତାଉଛନ୍ତି। ସବୁଠାରୁ ଚିନ୍ତାଜନକ ଘଟଣା ହେଉଛ,ି କିଛି ପରିବର୍ତ୍ତନ ଆଣିବାକୁ ହେଲେ ଅଭିବୃଦ୍ଧିର ସୁଫଳ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବା ଉଚିତ। ଦେଶ ସମ୍ପଦର ସୁଷମ ବଣ୍ଟନ ସାଙ୍ଗକୁ ବୈଷମ୍ୟ ହ୍ରାସ ଘଟିବା ଉଚିତ। ସେଥିପାଇଁ ଧନିକ ଶ୍ରେଣୀଠାରୁ ଅଧିତ୍କ ହାରରେ ଟିକସ ଆଦାୟ ହେବା ଉଚିତ ଯାହା ଆମ ଦେଶରେ ହେଉନାହିଁ। ଗତ ୫ ବର୍ଷରେ ଆହୁରି ସ୍ଥିତି ଖରାପ ଆଡକୁ ଗତି କରିଛି। ୨୦୧୩ରେ ୧% ଜନତା ଦେଶର ମୋଟ ସମ୍ପଦର ୪୮.୭%ର ଅଧିକାରୀ ହୋଇଥିଲା ବେଳେ ୨୦୧୮ରେ ୫୧.୫୩% ସମ୍ପଦର ଅଧିକାରୀ। କେବଳ ୯ ଜଣ ଦେଶର ୫୦% ସମ୍ପଦର ଅଧିକାରୀ। ଏପରି ବୈଷମ୍ୟ ହ୍ରାସ କରିବାରେ ମୋଦି ସରକାର ମଧ୍ୟ ଅନ୍ୟ ଦେଶ ତୁଳନାରେ ପଛରେ, ୧୫୭ଟି ଦେଶ ମଧ୍ୟରୁ ୧୪୭ ତମ ସ୍ଥାନରେ। ପୁନଶ୍ଚ ସାମାଜିକ କ୍ଷେତ୍ର ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟୟ ଦୃଷ୍ଟିରୁ ଭାରତ ପଛୁଆ। ଏଥିପାଇଁ ଅମର୍ତ୍ତ୍ୟ ସେନ ଭାରତ ପଛୁଆ ବୋଲି କହିଛନ୍ତି।
ଯେତେବେଳେ ଅଗ୍ରଗତି ଘଟୁନି, ସରକାର ତଥ୍ୟ ବିକୃତୀକରଣ କରୁଛନ୍ତି। ଗଣମାଧ୍ୟମର ସ୍ବାଧୀନତା ଉପରେ ଅଙ୍କୁଶ ଲଗାଉଛନ୍ତି। ଏଣୁ ଏପରି ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଯୁକ୍ତି ବୃଦ୍ଧି ସାଙ୍ଗକୁ ଜନତାଙ୍କ ଜୀବନ ଧାରଣର ମାନରେ ଉନ୍ନତି ପାଇଁ ଚେଷ୍ଟା କରିବା ଉଚିତ। କିଛି ସ୍ଲୋଗାନର ଆବଶ୍ୟକ ନାହିଁ।
ମୋ-୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?