ନିଷିଦ୍ଧ ଜୀବିକା

ସତ୍ୟବ୍ରତ ପାଣିଗ୍ରାହୀ

ଗୋଟିଏ ଜାତିର ଜୀବନ ଜୀବିକା ସହ ଯୋଡ଼ି ହୋଇଥାଏ ଅନେକ କଥା ଓ ପ୍ରଥା, ଆଉ ତା’ସହ ସମ୍ମାନର ପ୍ରଶ୍ନ ଓ ସାମାଜିକ ଦର୍ଶନ। କର୍ମଭିତ୍ତିକ ଜାତିରୁ ଜାତିଭିତ୍ତିକ କର୍ମରେ ପରିଣତ ହେବା ଯାଏ ଭାରତୀୟ ସମାଜ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିଛି। ଯୁଗଧର୍ମ ସହ ତାଳ ଦେଇ କିଛି ଜୀବିକା ଆଗକୁ ବଢ଼ିଛି, କିଛି କାଳଗର୍ଭରେ ହଜିଯାଇଛି। ଆଉ କିଛି ଜୀବିକା ନିଷିଦ୍ଧ ହୋଇଛି। ସେହିଭଳି ଗୋଟିଏ ନିଷିଦ୍ଧ ଜୀବିକାରେ ଗୁଜୁରାଣ ମେଣ୍ଟାଏ ମେହେନ୍ତର। ଭାରତର କିଛି ରାଜ୍ୟରେ ବାଲ୍ମୀକି, ଭାଙ୍ଗି ସମ୍ପ୍ରଦାୟର ଲୋକେ ପେଟପାଟଣା ପାଇଁ ଏହି ବୃତ୍ତି କରନ୍ତି। କିନ୍ତୁ ନିଜ ଶ୍ରମର ସମ୍ମାନ ସେମାନେ ପାଆନ୍ତି ନାହିଁ। ବରଂ ସମାଜରେ ତଥାକଥିତ ଉଚ୍ଚ ବର୍ଗଙ୍କ ସାମ୍ନାରେ ଘୃଣାର ପାତ୍ର ହୁଅନ୍ତି ଏବଂ ଅସ୍ପୃଶ୍ୟତା, ଛୁଆଁ-ଅଛୁଆଁ ଭେଦଭାବର ଶିକାର ହୁଅନ୍ତି। ଆବର୍ଜନା ସଫା କରୁଥିବାରୁ ଅନେକ ସମୟରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ସେମାନେ ପୀଡ଼ିତ ହୁଅନ୍ତି। ତେଣୁ ୧୯୯୩ରେ ସଂସଦରେ ପାରିତ ଆଇନ ଅନୁଯାୟୀ ମାନବ ସଫେଇ ବା ‘ମାନୁଆଲ ସ୍କାଭେଞ୍ଜିଙ୍ଗ’ କାମକୁ ନିଷିଦ୍ଧ କରାଯାଇଛି। ତଥାପି ଏବେବି କିଛି ରାଜ୍ୟରେ ଏହି ବୃତ୍ତି ବନ୍ଦ ହୋଇନାହିଁ। ଚଳିତବର୍ଷର ସରକାରୀ ତଥ୍ୟ ମୁତାବକ ଦେଶର ୨୪୬ଟି ଜିଲାରେ ମାନବ ଦ୍ୱାରା ମଳ ସଫେଇ କାମ ପ୍ରଚଳିତ ଅଛି। ୨୦୧୩ ଓ ୨୦୧୮ର ସରକାରୀ ସର୍ଭେରୁ ପାଖାପାଖି ୫୮ ହଜାର ମେହେନ୍ତର ଚିହ୍ନଟ ହୋଇଛନ୍ତି। ସେହି ନିଷିଦ୍ଧ ଜୀବିକାକୁ ନେଇ ଓଡ଼ିଶାରେ ଏକ ସାମାଜିକ ସଂସ୍କାରଧର୍ମୀ କାହାଣୀ ରହିଛି; ଯାହା ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ପ୍ରଚଳିତ ଏକ ପରମ୍ପରାର ମାନ୍ୟତା ପାଇଛି। ସଫେଇ କର୍ମଚାରୀ ଆନ୍ଦୋଳନର ଆବାହକ ବେଜୱାଡ଼ା ୱିଲସନଙ୍କ କହିବା ଅନୁସାରେ ଜାତିପ୍ରଥା, ଅଛୁଆଁ ମନୋଭାବ ଓ ଅସମାନତା ଭଳି ଦିଗଗୁଡ଼ିକୁ ବିଚାର ନ କରି ମାନବ ସଫେଇ ବୃତ୍ତିରେ ଥିବା ସମସ୍ୟାର ସମାଧାନ କରାଯାଇପାରିବ ନାହିଁ।
ତେଣୁ ସାଧୀନତା ପରବର୍ତ୍ତୀ ଭାରତରେ ସାମ୍ବିଧାନିକ ସ୍ତରରେ ମଧ୍ୟ ଅସ୍ପୃଶ୍ୟତା ନିବାରଣ ଓ ଅସମାନତା ଦୂରୀକରଣ ପାଇଁ ପ୍ରୟାସ କରାଯାଇଛି। ଭାରତୀୟ ଗଣତନ୍ତ୍ରର ତିନୋଟି ଆଧାର ସ୍ତମ୍ଭ ସ୍ବତନ୍ତ୍ରତା, ସମାନତା ଓ ଭ୍ରାତୃତ୍ୱଭାବ। ଅଷ୍ଟାଦଶ ଶତାବ୍ଦୀରେ ଯେଉଁ ଫରାସୀ ବିପ୍ଳବର ସୂତ୍ରପାତ ହୋଇଥିଲା, ସେଥିରେ ଏହି ଗଣତାନ୍ତ୍ରିକ ମୂଲ୍ୟବୋଧର ବୀଜ ଅଙ୍କୁରୋଦଗମ ହୋଇଥିଲା। ଏହା ଥିଲା ୟୁରୋପୀୟ ଜ୍ଞାନୋଦୟ ଯୁଗର କଥା। ତେବେ ଜ୍ଞାନୋଦୟ ପରେ ଏହାକୁ କାର୍ଯ୍ୟକାରୀ କରି ନ ଥିଲା ମାନବଜାତି। ବରଂ ପୃଥିବୀର ସର୍ବତ୍ର ଖେଳିଯାଇଥିଲା ଉପନିବେଶବାଦ ଓ ସାମ୍ରାଜ୍ୟବାଦ। ପୂର୍ବପଶ୍ଚିମ ଦିଗନ୍ତବିସ୍ତାରି ବିଶାଳ ଭୂଖଣ୍ଡକୁ କରାଭୂତ କରିଥିଲେ ୟୁରୋପୀୟ ରାଷ୍ଟ୍ରସମୂହ। ଏସିଆ ଓ ଆଫ୍ରିକା ମହାଦେଶରେ ସବୁଠାରୁ ଘୃଣ୍ୟ କ୍ରୀତଦାସ ପ୍ରଥାର ମଧ୍ୟ ଆରମ୍ଭ ହୋଇସାରିଥିଲା। ତେବେ ଅନେକ ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଦାର୍ଶନିକଙ୍କ ତ୍ୟାଗପୂତ ସାଧନା ବଳରେ ବିଂଶଶତାବ୍ଦୀର ମଧ୍ୟଭାଗରେ ଅନେକାଂଶରେ ଉପନିବେଶବାଦର ବିଲୋପ ଘଟିଥିଲା। ଫରାସୀ ବିପ୍ଳବ ଏବଂ ଭାରତୀୟ ସ୍ବାଧୀନତା ସଂଗ୍ରାମର ଆଦର୍ଶସମୂହକୁ ଆଧାର କରି ଅନେକ ରାଷ୍ଟ୍ରରେ ଆରମ୍ଭ ହୋଇଥିଲା ଗଣତନ୍ତ୍ରର ମହାନ୍‌ ପର୍ବ ଏବଂ ରାଷ୍ଟ୍ରଗ୍ରନ୍ଥ ସମ୍ବିଧାନର ରଚନା ପ୍ରକ୍ରିୟା। ଭାରତରେ ଏହି ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ୧୯୫୦ ଜାନୁୟାରୀ ୨୬ ରେ। ସମତା ଓ ସାଧୀନତା ମଧ୍ୟରେ ସନ୍ତୁଳନ ରକ୍ଷାକାରୀ ଯୋଗସୂତ୍ରରୂପେ ସମ୍ବିଧାନ ଭାରତୀୟ ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷା ପ୍ରଦାନ କରେ ଏବଂ ସେମାନଙ୍କ ମୌଳିକ କର୍ତ୍ତବ୍ୟ ବିଷୟରେ ସଚେତନ କରାଏ। ଏହି ମୌଳିକ ଅଧିକାର ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧିକାର ଧାରା ୧୪ ରୁ ୧୮; ଅର୍ଥାତ୍‌ ସମାନତାର ଅଧିକାର ଯାହାର ଅଭାବରେ ରାଷ୍ଟ୍ରନିର୍ମାଣ ସମ୍ଭବପର ନୁହେଁ। ବିବିଧତାପୂର୍ଣ୍ଣ ଦେଶରେ ଜାତି, ଧର୍ମ, ବର୍ଣ୍ଣ ମଧ୍ୟରେ ଏକତାର ଅଭାବ ଯୋଗୁ ବ୍ରିଟିଶ ସରକାରଙ୍କ ‘ବିଭାଜନ ଓ ଶାସନ’ ନୀତିର ଶିକାର ହୋଇଥିଲା ଭାରତ। ଜାତିଗତ ଧର୍ମଗତ ବିଦ୍ୱେଷ ଓ ଅସହିଷ୍ଣୁତାକୁ ନିବାରଣ କରିବା ହେଉଛି ସମାନତା ଅଧିକାର ଆଇନର ପ୍ରୟୋଜନ। ସମାଜରେ ରହିଥିବା କିଛି କୁପ୍ରଥା ମଧ୍ୟରେ ଜାତିପ୍ରଥା ଏକ କଳଙ୍କିତ ପ୍ରଥା, ଯାହା ସମଭାବର ବିପରୀତ। ସ୍ବାମୀ ଦୟାନନ୍ଦ ସରସ୍ବତୀ, ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ ପ୍ରମୁଖ ବ୍ୟକ୍ତିତ୍ୱ ଅସ୍ପୃଶ୍ୟତା ନିବାରଣ ପାଇଁ ଅନେକ ପ୍ରଚେଷ୍ଟା କରିଛନ୍ତି। ଭାରତୀୟ ସମ୍ବିଧାନରେ ଏହି ଧାରା ୧୭ ରୂପରେ ସ୍ଥାନିତ ହୋଇଛି।
ଏହା ଥିଲା ସ୍ବାଧୀନତା ପରବର୍ତ୍ତୀ ଭାରତର ପଦକ୍ଷେପ। ତେବେ ଏହାର ବହୁକାଳ ପୂର୍ବରୁ ପଞ୍ଚଦଶ ଶତାବ୍ଦୀରେ ୟୁରୋପୀୟ ନବଜାଗରଣର ସମକାଳୀନ ଭାରତବର୍ଷର ଉତ୍କଳ ପ୍ରାନ୍ତରେ ଏହି ସାମ୍ୟ ଭାବନାକୁ ଉଦ୍ରେକ କରିବା ସହ ଅସ୍ପୃଶ୍ୟତା ନିବାରଣ ନିମନ୍ତେ ଏକ ଅଭିନବ ପ୍ରଚେଷ୍ଟାର ଆରମ୍ଭ ହୋଇଥିଲା। ତାହା ଥିଲା ପଞ୍ଚସଖା ଯୁଗର ଦାର୍ଶନିକ କବି ବଳରାମ ଦାସଙ୍କ ରଚିତ ‘ଲକ୍ଷ୍ମୀ ପୁରାଣ’। ଭାବରୁ ଶବ୍ଦ, ଶବ୍ଦରୁ ଗ୍ରନ୍ଥ, ଗ୍ରନ୍ଥରୁ ଗଣପର୍ବ, ଗଣପର୍ବରୁ ସାମାଜିକ ଆଚାର ବ୍ୟବହାରରେ ପରିବର୍ତ୍ତନ। ଏହି ସୋପାନରେ ଜାତିପ୍ରଥାକୁ ଦୂର କରିବା ବଳରାମ ଦାସଙ୍କ ଉଦ୍ଦେଶ୍ୟ ଥିଲା। ସେଥିପାଇଁ ସେ ରଚନା କଲେ ‘ଲକ୍ଷ୍ମୀ ପୁରାଣ’, ସାହିତ୍ୟ ଜଗତର ଏକ ଗ୍ରନ୍ଥକୋଣାର୍କ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀୟା ଚଣ୍ଡାଳୁଣୀଙ୍କୁ ନେଇ ଲକ୍ଷ୍ମୀ ପୁରାଣର ବିଷୟବସ୍ତୁ ରଚିତ। ଦିନେ ଲକ୍ଷ୍ମୀ ଠାକୁରାଣୀ ନିଜ ଭକ୍ତଙ୍କ ମଧ୍ୟରେ ପାତରଅନ୍ତର ନ କରି ଶ୍ରୀୟା ଚଣ୍ଡାଳୁଣୀ ଘରେ ପ୍ରବେଶ କଲେ। ମା’ଲକ୍ଷ୍ମୀଙ୍କ ନିକଟରେ ନ ଥିଲା ଉଚ୍ଚନୀଚର ଭେଦଭାବ। ଶ୍ରୀୟା ତତ୍କାଳୀନ ସମାଜର ଚଣ୍ଡାଳ ଜାତିରେ ଜନ୍ମଗ୍ରହଣ କରିଥିଲେ। ଚଣ୍ଡାଳ ଜାତିର ଜୀବିକା ଥିଲା ଅଳିଆ ସଫା କରିବା, ଗାଁ ଦାଣ୍ଡ ଝାଡୁ କରିବା ଇତ୍ୟାଦି। ସେଇଥିରେ ସେମାନେ ଯାହା ଦି’ ପଇସା ପାଇ ଗୁଜୁରାଣ ମେଣ୍ଟାଉଥିଲେ ସତ, କିନ୍ତୁ ସମାଜରେ ସମ୍ମାନର ସହ ଜୀବନ ଜିଇବାର ଅଧିକାର ପାଇ ନ ଥିଲେ। ବରଂ ପାଇଥିଲେ ଘୃଣା ଆଉ ଟାହି ଟାପରା।
ତେଣୁ ମଣିଷ ମନରେ ରହିଥିବା ଏହି ଜାତିଗତ ପାର୍ଥକ୍ୟର ପରଦାକୁ ହଟାଇ ଶ୍ରେଷ୍ଠ ମାନବ ଧର୍ମର ପ୍ରତିଷ୍ଠା କରିବାରେ ମାଧ୍ୟମ ସାଜିଥିଲା ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’। ବର୍ତ୍ତମାନ ସମାଜରେ ଅସ୍ପୃଶ୍ୟତା, କ୍ରୀତଦାସ ପ୍ରଥା ଆଦି ବହୁ ପରିମାଣରେ ହ୍ରାସ ପାଇଛି। ତଥାପି ଏବେ ମଧ୍ୟ କିଛି କ୍ଷେତ୍ରରେ ଏସବୁ ଦୃଷ୍ଟାନ୍ତ ପରିଲକ୍ଷିତ ହେଉଛି। ଏହାକୁ ଦୂର କରିବା ପାଇଁ ଆମ ଦୃଷ୍ଟିକୋଣରେ ସଂଶୋଧନ ଜରୁରୀ। ଯଦି ଶ୍ରୀଜଗନ୍ନାଥଙ୍କ ଦରବାରରେ ଧାରା ୧୭ ପ୍ରଚଳିତ ହେବା ସହ ବାଛବିଚାର ନାହିଁ, ଭେଦଭାବ ନାହିଁ, ତେବେ ଏହି ମାନବ ସମାଜରେ ଜାତିପ୍ରଥା ତିଷ୍ଠି ରହିବା ଯଥାର୍ଥ ମନେହେଉନାହିଁ।
ମୋ: ୬୩୭୧୬୮୪୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri