ଦୟାର ପାତ୍ର ନୁହେଁ

ଭାରତୀୟ ସେନାରେ ଏ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ପର୍ମାନେଣ୍ଟ କମିଶନ (୬୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ) ପଦବୀ ସୃଷ୍ଟିର ସୁଯୋଗ ଦିଆଯାଇ ନ ଥିଲା। ୧୭ ଫେବୃୟାରୀ ୨୦୨୦ ସୋମବାର ସୁପ୍ରିମକୋର୍ଟ ଏକ ରାୟ ଦେଇ କେନ୍ଦ୍ର ସରକାରଙ୍କୁ ୩ ମାସ ମଧ୍ୟରେ ସେନାରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ପର୍ମାନେଣ୍ଟ କମିଶନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ଆଧୁନିକ ସମାଜ ନିଶ୍ଚିତ ସ୍ବାଗତ କରିବ। ମାନବ ଇତିହାସକୁ ଦେଖିଲେ ଯେଉଁ ସମାଜରେ ମହିଳାମାନଙ୍କୁ ପୁରୁଷଙ୍କ ସମାସ୍କନ୍ଧ ହେବାର ସୁଯୋଗ ଦିଆଯାଇଛି, ସେଠାରେ ଅର୍ଥନୈତିକ ଓ ସାମାଜିକ ଅଗ୍ରଗତି ଘଟିଛି। ସାଧାରଣରେ ତାହା କରାଯାଏ ନାହିଁ ବୋଲି ଅନେକ ସମସ୍ୟା ସବୁବେଳେ ଉପୁଜିବାରେ ଲାଗିଛି। ବିଶେଷକରି ପୁରୁଷମାନେ ନିଜର ଦକ୍ଷତା ପ୍ରମାଣ କରିବାକୁ ଯାଇ ମହିଳାଙ୍କୁ ଦମନ କରିବା ଏକ ଦାୟିତ୍ୱ ବୋଲି ଭାବିନିଅନ୍ତି। ଏଭଳି ନକାରାତ୍ମକ ଚିନ୍ତାଧାରା ଯୋଗୁ ସମାଜର ୫୦ ପ୍ରତିଶତ ଶକ୍ତି ଦୁର୍ବଳ ହୋଇ ରହିଛି। ଭାରତରେ ଏଭଳି ମନୋଭାବ କାହିଁକି ଓ କେବେ ସୃଷ୍ଟି ହେଲା ବୁଝିବା କଷ୍ଟକର। ଏହି ମାଟିରେ ପୁରୁଷ ସହିତ ପ୍ରକୃତି ଏବଂ ଶିବ ସହିତ ଶକ୍ତି ଚିନ୍ତାଧାରା ଜନ୍ମିଥିଲା। ଅର୍ଥାତ୍‌ ମାତୃଶକ୍ତିକୁ କେବେହେଲେ ଭାରତୀୟ ଗୌଣ କରି ଦେଖି ନ ଥିଲେ, ଯେଉଁଥିପାଇଁ ଯେତିକି ଠାକୁର ଗଣିହେବେ ସେତିକି ଠାକୁରାଣୀ ମଧ୍ୟ ସଂସ୍କୃତିରେ ଦେଖାଯାଉଥିଲେ। କିନ୍ତୁ ଦୁଃଖର ବିଷୟ ଯେ, ଆଜି ସେହି ପରିସ୍ଥିତିର ବିରାଟବଡ଼ ପରିବର୍ତ୍ତନ ଘଟିଛି। ଆଧୁନିକ ସମାଜରେ ଯେତେବେଳେ ଅନ୍ୟ ଦେଶଗୁଡ଼ିକ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରୁଥିବାର ଦେଖୁଛନ୍ତି, ସେତେବେଳେ ଭାରତରେ ମହିଳାଙ୍କ ପ୍ରତି ହେଉଥିବା ଘୋର ଅନ୍ୟାୟ ଓ ଅବିଚାରର ଛବି ସମସ୍ତଙ୍କୁ ବିଚଳିତ କରୁଛି। ଆଜିର ପରିସ୍ଥିତିରେ ମହିଳାଙ୍କ ପ୍ରତି ଦୟା କରିବାର ପ୍ରୟୋଜନ ନାହିଁ। ଅର୍ଥାତ୍‌ ସେମାନେ ପୁରୁଷଙ୍କ ଦୟାର ପାତ୍ର ହୋଇ ରହିବା କଥା ନୁହେଁ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଦେଇଥିବା ରାୟର ଗୁରୁତ୍ୱ ଯଥେଷ୍ଟ ରହିଛି।
ଭାରତୀୟ ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ମିଳିନାହିଁ । ସର୍ବୋଚ୍ଚ ଅଦାଲତଙ୍କ କହିବା ଅନୁଯାୟୀ ଦୀର୍ଘଦିନ ଧରି ଚାଲିଆସିଥିବା ମାମଲାରେ ସେନା କର୍ତ୍ତୃପକ୍ଷ ଦେଇ ଆସୁଥିବା ତଥ୍ୟ ବିଭ୍ରାନ୍ତିକର ପ୍ରମାଣିତ ହୋଇ ଆସୁଛି। (ପୁରୁଷ) ମାନସିକତାରେ ପରିବର୍ତ୍ତନ ଆସିବା ଦରକାର ବୋଲି କୋର୍ଟ ଜୋର୍‌ ଦେଇ କହିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ସରକାର ଏହି ମାମଲାରେ କହିଛନ୍ତି ଯେ, ମହିଳାଙ୍କ ଶାରୀରିକ ଗଠନ ଓ ସାମାଜିକ ଚାହିଦା ଯୋଗୁ ସେମାନଙ୍କୁ ସେନାରେ ନେତୃତ୍ୱ ଦେବା ସ୍ଥାନରେ ବସାଯାଇପାରିବ ନାହିଁ। ଅର୍ଥାତ୍‌ ସେଥିପାଇଁ ସେମାନଙ୍କୁ ପର୍ମାନେଣ୍ଟ କମିଶନ ଦିଆଯିବା ଉଚିତ ନୁହେଁ। କାରଣ ସ୍ଥାୟୀ ନିଯୁକ୍ତି ପାଇଲେ ମହିଳା ଅଫିସରଙ୍କ ବୟସ ଏବଂ ଅଭିଜ୍ଞତା ବୃଦ୍ଧି ସହିତ ପଦୋନ୍ନତି ଘଟିବା ନିଶ୍ଚିତ ହୋଇଯିବ। ତାହାହେଲେ ସେମାନେ ପୁରୁଷ ସେନା ଅଧିକାରୀଙ୍କ ସହିତ ନିର୍ଦ୍ଦେଶ ଦେବା ପଦବୀରେ ପହଞ୍ଚିପାରିବେ। ଏହାକୁ ରୋକିବା ହୋଇଛି ଉଭୟ ସେନା ଓ କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଚକ୍ରାନ୍ତ। ଉଲ୍ଲେଖ କରାଯାଇପାରେ କୋର୍ଟ ଦେଇଥିବା ରାୟରେ ସ୍ପଷ୍ଟ କୁହାଯାଇଛି ଯେ, ଯେଉଁ ମହିଳା ଅଫିସରଙ୍କ ଦକ୍ଷତା ଥିବ ସେହି ମହିଳା ପଦୋନ୍ନତିର ଲାଭ ପାଇପାରିବେ। ଅନ୍ୟଭାବେ କହିବାକୁ ଗଲେ ସୁପ୍ରିମକୋର୍ଟ ଏହି ରାୟ ଦ୍ୱାରା ଆଉ ଏକ ନୂତନ ସଂରକ୍ଷଣ ଆଇନ ସୃଷ୍ଟି କରିନାହାନ୍ତି। ଦକ୍ଷତା ହିଁ ମାପକାଠି ବୋଲି ଯେହେତୁ ରାୟରେ ସ୍ପଷ୍ଟ କରାଯାଇଛି, ସେହେତୁ ଏହାକୁ କଦର୍ଥ କରାଯାଇପାରିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଏହା ଦ୍ୱାରା କେବଳ ସେନା ନୁହେଁ, ମହିଳାମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ନୂଆ ପ୍ରେରଣା ଯୋଗାଇବ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ କରିବା ଲାଗି ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ। ଇତିମଧ୍ୟରେ ୧୦ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଥିରୁ କେନ୍ଦ୍ର ସରକାର ଓ ସେନା କର୍ତ୍ତୃପକ୍ଷଙ୍କ ମହିଳା ବିରୋଧୀ ମନୋଭାବ ସ୍ପଷ୍ଟ ଜଣାପଡୁଛି। ଏହି ସପ୍ତାହ ଆରମ୍ଭରେ ସୁପ୍ରିମକୋର୍ଟ ପୁନର୍ବାର ସେହି ରାୟକୁ ଦୋହରାଇବା ସହିତ ଏକ ୯୦ ଦିନିଆ ସମୟସୀମା ସ୍ଥିର କରିଛନ୍ତି। ଏହି ସମୟ ମଧ୍ୟରେ ସେନାର ଯେଉଁ ମହିଳା ଅଫିସର ପର୍ମାନେଣ୍ଟ କମିଶନ ପାଇଁ ଆବେଦନ କରିବେ, ତାଙ୍କୁ ସେହି ସୁବିଧା ଯୋଗାଇ ଦିଆଯିବା ଉଚିତ। ଏବେ ନିର୍ଭର କରୁଛି ଉଭୟ କେନ୍ଦ୍ର ଓ ସେନାର ଆନ୍ତରିକତା ଏହିଭଳି ସାମାଜିକ ପରିବର୍ତ୍ତନର ସପକ୍ଷବାଦୀ ହେବ ନା ବିପକ୍ଷବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri