ବନଜୀବନ ଓ ଜନଜୀବନ

ରାଧାମୋହନ ମହାପାତ୍ର
ବନ ସହିତ ଜନର ସମ୍ପର୍କ ଓତପ୍ରୋତ ଭାବେ ଜଡିତ। ବନ ହେଉଛି ବିଶ୍ୱର ସର୍ବବୃହତ୍‌ ଓ ସର୍ବଶ୍ରେଷ୍ଠ ଗନ୍ତାଘର। ବନ ମଣିଷର ଆଦିଭୂମି। ପୃଥିବୀ ସୃଷ୍ଟିର ନିୟୁତ ନିୟୁତ ବର୍ଷ ପରେ ଏନ୍‌ଜିଓସ୍ପାର୍ମ ବା ଉଦ୍ଭିଦ ଗୋଷ୍ଠୀର ଜନ୍ମ। ପ୍ରାୟ ଦଶକୋଟି ବର୍ଷ ପୂର୍ବେ ପ୍ରାକୃତିକ କ୍ରମବିକାଶ ଓ ବିବର୍ତ୍ତନ ପ୍ରକ୍ରିୟାରେ ଜଳକଲ୍ଲୋଳିତ ପୃଥିବୀ ତରୁଲତାରେ ପଲ୍ଲବିତ ହୋଇ ଅରଣ୍ୟରେ ପରିଶୋଭିତ ହେଲା। ଏ ପୃଥିବୀ କେବଳ ମଣିଷମାନଙ୍କ ଯୋଗୁ ଏତେ ସୁନ୍ଦର, ଏତେ ରହସ୍ୟମୟ ନୁହେଁ। ଏ ବିଶାଳ ଭୂମଣ୍ଡଳରେ ତିନିଭାଗ ଜଳ ଓ ଏକ ଭାଗ ମାତ୍ର ସ୍ଥଳ। ଏଇ ସ୍ଥଳଭାଗରେ ପରିପୂର୍ଣ୍ଣ ହୋଇରହିଛି ଶ୍ୟାମଳ ବନଭୂମି, ଉଚ୍ଚ ପାହାଡ଼ପର୍ବତ, ଧନଧାନ୍ୟଭରା ଶସ୍ୟକ୍ଷେତ, ଧୂସର ମରୁଭୂମି ଆଉ ଦିଗହୀନ ସବୁଜ ପ୍ରାନ୍ତର।
ମଣିଷ ସଭ୍ୟତାର ପ୍ରାକ୍‌ କାଳରୁ ବନ୍ୟଜୀବମାନେ ବହୁଭାବେ ମନୁଷ୍ୟର ଉପକାର କରି ଆସିଛନ୍ତି। ସେଥିପାଇଁ ସର୍ପ ପୂଜାର ବିଧି ଆମ ସଂସ୍କୃତିର ରୂପ ନେଇଛି। ଯୁଦ୍ଧ ସମୟରେ ଗଜ, ଅଶ୍ୱମାନଙ୍କ ଆବଶ୍ୟକତା ଓ କ୍ରୀଡାକୌଶଳ ସମୟରେ ସେମାନଙ୍କ ସାହଚର୍ଯ୍ୟ ପ୍ରାଣକୁ ପୁଲକିତ କରିଛି। ବିବାହାଦି ଶୁଭ କାର୍ଯ୍ୟରେ ସେମାନଙ୍କର ଉପସ୍ଥିତି ପ୍ରାଣକୁ ମଧ୍ୟ ମୂର୍ଚ୍ଛନାରେ ଭରିଦେଇଛି। ଆମର ଆରାଧ୍ୟ ଦେବଦେବୀଙ୍କ ବାହନ ରୂପେ ସ୍ବୀକୃତ ହୋଇ ଆମର ପରମ୍ପରା ଓ ଜୀବନଧାରାକୁ ବିଶ୍ୱସଂସ୍କୃତିର ପୃଷ୍ଠପଟ୍ଟରେ ମାର୍ମିକ ତଥା ଆତ୍ମୀୟତାର ନବଦିଗନ୍ତ ସୃଷ୍ଟି କରିଛି। ବୃଷ୍ଟିଦେବତା ଇନ୍ଦ୍ରଙ୍କ ବାହନ ହାତୀ, ଅଗ୍ନିଙ୍କର ମେଣ୍ଢା, ଯମଙ୍କର ମଇଁଷି, ବରୁଣଙ୍କର କୁମ୍ଭୀର, ବାୟୁଦେବତାଙ୍କର ମୃଗ, ଧନର ଦେବତା କୁବେରଙ୍କର ଘୋଡ଼ା ଓ ବ୍ରହ୍ମାଙ୍କର ବାହନ ରୂପେ ହଂସକୁ ସ୍ବୀକୃତି ଦିଆଯାଇଛି। ଏପରି କି ନିଶାଚର ପକ୍ଷୀ ପେଚା ନିଜର ଅସୁନ୍ଦର ଚେହେରା ପାଇଁ ଆମ ସମାଜରେ ଘୃଣିତ ହେଲେ ମଧ୍ୟ ମା’ ଲକ୍ଷ୍ମୀଙ୍କର ସେ ବାହନ ଭାବେ ପରିଚିତ। ସାରା ବିଶ୍ୱରେ ମୂଷା ମଣିଷର ବଡ଼ ଶତ୍ରୁ ହେଲେ ମଧ୍ୟ ଗଣଦେବତା ବିଘ୍ନନାଶକ ଗଣେଶଙ୍କର ବାହନ ହୋଇଥିବାରୁ ସେ ଆମ ସଂସ୍କୃତିରେ ପୂଜିତ। ବର୍ଷାଋତୁର ଆଗମନର ସମ୍ଭାଷଣ ପାଇଁ ସୁନ୍ଦର ପକ୍ଷୀ ମୟୂରକୁ ସ୍ଥାନିତ କରାଯାଇଛି। କାଳର ସଙ୍କେତ ରୂପେ ଶାଗୁଣାକୁ ଗ୍ରହରାଜ ଶନିଙ୍କର ବାହନ ରୂପେ କଳ୍ପନା କରାଯାଇଛି। ଶାଗୁଣା ଭଳି ଏକ ଅମେଧ୍ୟ ଭକ୍ଷଣକାରୀ ପକ୍ଷୀର ମାନବ ସମାଜ ପ୍ରତି ଯେଉଁ ପରୋକ୍ଷ ଅବଦାନ ଅଛି ତାହା ସ୍ବୀକାର କରି ଭାରତୀୟ ସଂସ୍କୃତି ଏହି ପକ୍ଷୀକୁ ମହାଗ୍ରହଙ୍କର ବାହନ ରୂପେ ସମ୍ମାନିତ କରିଛି। ସୌରଜଗତରେ ଅନ୍ୟତମ ମହାଗ୍ରହ ଶୁକ୍ର ମଣ୍ଡୁକ (ବେଙ୍ଗ) ଯାନରେ ଆରୋହଣ କରି ବିଶ୍ୱ ପରିକ୍ରମା କରିବାର ଦୃଷ୍ଟାନ୍ତ ଜ୍ୟୋତିଷଶାସ୍ତ୍ରରୁ ଉପଲବ୍ଧ ହୁଏ। ଭାରତୀୟ ସଂସ୍କୃତିରେ ବେଙ୍ଗ ଭଳି ସାଧାରଣ ପ୍ରାଣୀକୁ ଏହିପରି ଉଚ୍ଚ ସ୍ଥାନ ଦିଆଯାଇଛି। ଲୋକକଥାର ବେଙ୍ଗ ପୂଜାର୍ଚ୍ଚନାର ବିଧିରେ ଇନ୍ଦ୍ରଦେବ ସନ୍ତୁଷ୍ଟ ହେଲେ ବର୍ଷା ହେବା କଥା ଏହି ମାଟି, ପାଣି, ପବନରେ ସଂଜୀବିତ ହୋଇଛି।
ସମଗ୍ର ମାନବଜାତି ତଥା ସୌରଜଗତକୁ ନିୟନ୍ତ୍ରଣ କରିବାରେ ପଶୁ, ପକ୍ଷୀ ଓ ସରୀସୃପମାନଙ୍କୁ ଜଡିତ କରାଯାଇଛି। ଧରାଧାମକୁ ନାନା ବିପଦ, ଆପଦରୁ ରକ୍ଷା କରିବାକୁ ମାଛ, କଇଁଛ, ବରାହ ଓ ସିଂହ ରୂପେ ଭଗବାନ ଆବିର୍ଭୂତ ହେବାର ଉପାଖ୍ୟାନ ଭକ୍ତକବି ଜୟଦେବଙ୍କ ଦଶାବତାର ରଚନାରୁ ଉପଲବ୍ଧ ହୁଏ। ଅନେକ ପଶୁପକ୍ଷୀଙ୍କୁ ମଙ୍ଗଳସୂଚକ ଭାବେ ପରିକଳ୍ପନା କରାଯାଇ ଆମ ଲୋକଗୀତ ଓ ଢଗଢ଼ମାଳିରେ ସେମାନଙ୍କୁ ସ୍ଥାନିତ କରାଯାଇଛି- ବାଆଁରେ ଦେଖିବ ବାଆଁ ଶିଆଳ, ଡାହାଣେ ଦେଖିବ ଶଙ୍କା, ଆଗରେ ଦେଖିବ ଭଦଭଦଳିଆ, ପାରି ହୋଇଯିବ ଲଙ୍କା। ଡାକ ବଚନରେ ନେଉଳକୁ ଯାତ୍ରାପଥରେ ଦେଖିଲେ ସର୍ବଶୁଭ ବୋଲି କୁହାଯାଇଛି- ”ବାଟରେ ଦେଖିଲେ ନେଉଳ, ଶୁଭ ହୋଇବ ଅନୁକୂଳ।“ ଯୁଗ ଯୁଗ ଧରି ଆମର ସାଂସ୍କୃତିକ ଚେତନାରେ ବନ୍ୟଜୀବ ଓ ବନ୍ୟ ବାସିନ୍ଦାମାନେ ଯେପରି ଆଦୃତ, ପୃଥିବୀର ଅନ୍ୟ କୌଣସି ଦେଶରେ ଏହା ବିରଳ।
ବନ୍ୟଜୀବ ନ ଥିଲେ ଜନଜୀବନ ଏତେ ପ୍ରଭାବନ୍ତ ହୋଇପାରନ୍ତା ନାହିଁ। ଜୀବମାନଙ୍କ ଯୋଗୁ ମଣିଷର ଅନେକ ପରିକଳ୍ପନା ବାସ୍ତବ ରୂପ ନେଇଛି। ସବୁ ଉଦ୍ଭାବନର ଭିତ୍ତି ସଦୃଶ ସେ ପ୍ରଥମେ ହିଁ ମୌଳିକ ଉପାଦାନ ରୂପେ ମଣିଷର ଚେତନାରେ ସୂତ୍ରଧର ସାଜିଛି। ଜୈବ ବୈଷୟିକ ବିଜ୍ଞାନର ତ୍ୱରାନ୍ବିତ ପ୍ରଭାବ ବାୟୋଟେକ୍ନୋଲୋଜି ସାହାଯ୍ୟରେ ମଣିଷ ତା’ର ବୁଦ୍ଧିର ପରାକ୍ରମ ଦେଖାଇ ପାରୁଛି। ଜୀବଜନ୍ତୁମାନଙ୍କ ସ୍ବଭାବ, ଆଚରଣ, ବିଚରଣ, ପ୍ରଜନନ ପ୍ରକ୍ରିୟା ଓ ତା’ର ବୈଶିଷ୍ଟ୍ୟ ଅଧ୍ୟୟନ କରି ମଣିଷ ତାହାର ଜ୍ଞାନମାର୍ଗକୁ ସଂପ୍ରସାରିତ କରିପାରୁଛି। ବହୁ ମୂଲ୍ୟବାନ ତଥ୍ୟ ତା’ର ହସ୍ତଗତ ହୋଇପାରୁଛି। କ୍ଲୋନିଂ ଶିକ୍ଷା ବନ୍ୟ ଜୀବମାନଙ୍କଠାରୁ ମଣିଷ ଗ୍ରହଣ କରିଛି। ବନଜୀବନ ବିନା ଜନଜୀବନର ମୂଲ୍ୟବୋଧ ଏକ ଅପହଞ୍ଚ ଇଲାକାରେ ରହିଯିବ। କୃତ୍ରିମ ଉପାୟରେ ମେଷ ଶାବକର ସୃଷ୍ଟି ଆଜିର ବିଜ୍ଞାନ ପାଇଁ କୀର୍ତ୍ତିସ୍ତମ୍ଭ। ଏସବୁ ମୂଳରେ ପ୍ରାଣୀର ପ୍ରଭାବ ଅଛି। ମରୁଭୂମିଠାରୁ ଆରମ୍ଭ କରି ତୃଣଭୂମି ପର୍ଯ୍ୟନ୍ତ, ମାଟିଠୁ ଆରମ୍ଭ କରି ପାହାଡ଼ ପର୍ଯ୍ୟନ୍ତ ବହୁ ବିବିଧତା ମଧ୍ୟରେ ଜଳବାୟୁ, ବୃକ୍ଷଲତା ଓ ପରିବେଶକୁ ଚାହିଁ ବିଧାତା ପୃଥିବୀପୃଷ୍ଠରେ ଭିନ୍ନ ଭିନ୍ନ ଜୀବଜନ୍ତୁ ସୃଷ୍ଟି କରିଛନ୍ତି। ସମସ୍ତଙ୍କର ଅଧିକାର ଅଛି ବଞ୍ଚିବା ପାଇଁ ଏହି ପୃଥିବୀରେ। ଏମାନଙ୍କ ମଧ୍ୟରେ କିଏ ଖାଦ୍ୟ ବା କିଏ ଖାଦକ, କିଏ ତୃଣଭୋଜୀ ବା କିଏ ମାଂସଭୋଜୀ, କିଏ ହିଂସ୍ର, କିଏ ନିରୀହ- ସବୁରି ଜୀବନର ଚକ୍ରରେ ପରିବେଶର ଭାରସାମ୍ୟ ରକ୍ଷା ହେବା ସହିତ ପୃଥିବୀର ଗତିଚକ୍ର ଗଡିଚାଲିଛି।
ମଣିଷ ଆଜି ଜଡ଼ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବଳରେ ନୀଳ ଆକାଶରେ ପକ୍ଷୀ ପରି ଉଡି ପାରୁଛି। ସାଗରର ନୀଳ ବକ୍ଷରେ ମାଛ ପରି ସନ୍ତରଣ କରିପାରୁଛି। ଗ୍ରହ, ଉପଗ୍ରହ ସନ୍ଧାନରେ ଭୂପୃଷ୍ଠରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ଯାତ୍ରା କରିପାରୁଛି। କିନ୍ତୁ ଏହି ମାଟିର ଧରାରେ କିପରି ସୁଖଶାନ୍ତିରେ ବଞ୍ଚିପାରିବ ତାହା ଶିକ୍ଷା କରିପାରୁନି। ପ୍ରକୃତି ଓ ପରିବେଶର ସୁରକ୍ଷା କରି ନ ପାରିଲେ ଜୀବନ ଯେ ହା-ହୁତାଶମୟ ହୋଇଯିବ, ଉତ୍ତରପୁରୁଷଙ୍କର ଜୀବନ ଯେ ଅସନ୍ତୋଷ ବହ୍ନିରେ ଜଳିଯିବ ଏହା ଧ୍ରୁବସତ୍ୟ। ପୃଥିବୀ କ୍ରମଶଃ ଜନବହୁଳ ଓ ବନବିରଳ ଆଡକୁ ମୁହାଁଉଛି। ଏଣୁ ସାମ୍ପ୍ରତିକ ସମୟରେ ପରିବେଶର ନିର୍ମଳତ୍ୱ ପାଇଁ ପ୍ରାଣୀ ସୁରକ୍ଷା ଏକାନ୍ତ ଆବଶ୍ୟକ। ବନ୍ୟ ଜୀବମାନଙ୍କୁ ସୁରକ୍ଷା ଦେଇ ନ ପାରିଲେ, ମଣିଷ ଜୀବନ ଯେ କୃତଘ୍ନତାରେ ପରିଣତ ହୋଇଯିବ, ଏଥିରେ ସନ୍ଦେହ ନାହିଁ। ବନ୍ୟଜୀବ ବଞ୍ଚିବା ପାଇଁ ମଣିଷ ଉପରେ ନିର୍ଭର କରନ୍ତି ନାହିଁ, ବରଂ ମଣିଷ ବଞ୍ଚିବା ପାଇଁ ବନ ଓ ବନ୍ୟଜୀବ ଉପରେ ନିର୍ଭରଶୀଳ। ମଣିଷ ସେମାନଙ୍କ ସେବା, ଦୟା, ସାହାଯ୍ୟ ଓ ସହଯୋଗ ପ୍ରତି କୃତଜ୍ଞତା ନ ଜଣାଇ ସେମାନଙ୍କୁ ଧ୍ୱଂସ କରୁଛି। ଏହା ମଣିଷର ଚରମ ଅକୃତଜ୍ଞତା ଯାହା ଆମ ବିନାଶର କାରଣ ହେବ। କେବଳ ପ୍ରକୃତି ତଥା ପରିବେଶ ସୁରକ୍ଷା ଏହାର ଏକମାତ୍ର ସମାଧାନ।
ଆଜି ସମଗ୍ର ମାନବ ସମାଜ ଅର୍ଥ ପଛରେ ଦୌଡୁଛି। ଏଥିପାଇଁ ପ୍ରତିଯୋଗିତାର ସମ୍ମୁଖୀନ ହେଉଛି। କୁହାଯାଏ, ଅର୍ଥ ମଣିଷର ଷଷ୍ଠ ଇନ୍ଦ୍ରିୟ, ଯାହାର ଅଭାବରେ ଅନ୍ୟ ଇନ୍ଦ୍ରିୟଗୁଡିକ ନିଷ୍ପ୍ରଭ। ଏ ସମାଜ ତଥା ଦେଶକୁ ସମୃଦ୍ଧ ତଥା ବିଶ୍ୱ ଜୀବନର ଶ୍ରେଷ୍ଠତ୍ୱରେ ପହଞ୍ଚାଇବାକୁ ହେଲେ ଆମକୁ ଅର୍ଥ ଉପାର୍ଜନ ମାର୍ଗକୁ ବିଚାର କରିବାକୁ ହେବ। ତପୋବନର ଏହି ଭୂମି, ଏହି ମାଟି, ଏହି ସଂସ୍କୃତିକୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରି ବୈଦେଶିକ ମୁଦ୍ରାର ଭଣ୍ଡାରରେ ଆମେ ପରିପୂର୍ଣ୍ଣ ହୋଇପାରିବା। ପର୍ଯ୍ୟଟନ କ୍ଷେତ୍ରରେ ଏହି ବନ୍ୟଜୀବ ଓ ପରିବେଶ ସୁରକ୍ଷାର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ। ନିଘଞ୍ଚ ଶ୍ୟାମଳ ବନାନୀ ମଧ୍ୟରେ ମୁକ୍ତଭାବେ ବନ୍ୟ ପଶୁପକ୍ଷୀଙ୍କର ବିଚରଣ ଦେଖି ପର୍ଯ୍ୟଟକମାନେ ଅପାର ଆନନ୍ଦ ପାଇପାରିଲେ ଧନ ଓ ମନରେ ଆମେ ସମୃଦ୍ଧ ଓ ପ୍ରଶଂସିତ ହୋଇପାରିବା।
ବୁଦ୍ଧେଶ୍ୱରୀ, ଭୁବନେଶ୍ୱର, ମୋ-୯୮୬୧୧୮୯୯୩୬


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?