ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ ବନାମ କୋଭିଡ୍‌-୧୯

ନଟବର ଖୁଣ୍ଟିଆ

ମହାତ୍ମା ଗାନ୍ଧୀ କେବଳ ଭାରତକୁ ବ୍ରିଟିଶ୍‌ ଶାସନରୁ ମୁକ୍ତ କରିବା ପାଇଁ ଅହିଂସା ମାର୍ଗରେ ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ନ ଥିଲେ, ସ୍ବାଧୀନ ଭାରତର ଅର୍ଥନୈତିକ ବ୍ୟବସ୍ଥା ଏପରି ପରିଚାଳିତ ହେବା ଆବଶ୍ୟକ ଯେପରି ସମାଜରେ ବାସ କରୁଥିବା ପ୍ରତ୍ୟେକ ବର୍ଗର ଲୋକ ନିଜ ନିଜର ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ ନିଶ୍ଚିତ କରିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ ଆଦିର ଯତ୍ନ ନେବାକୁ ସମର୍ଥ ହେଉଥିବେ। ଗାନ୍ଧିଜୀଙ୍କ ସ୍ପଷ୍ଟ ମତ ହେଲା, ଯେଉଁ ଅର୍ଥନୈତିକ ଯୋଜନା ଗ୍ରାମାଞ୍ଚଳରେ ଥିବା ମାନବସମ୍ବଳର ସଂପୂର୍ଣ୍ଣ ଉପଯୋଗ କରେ ନାହିଁ, ତାକୁ ଆମେ ଏକ ସ୍ବଚ୍ଛ ବିଚାରବନ୍ତ ଯୋଜନା କହିବା ନାହିଁ। ଅନ୍ନକ୍ଲିଷ୍ଟ, ଅଳସୁଆ ଲୋକଟିକୁ ଶେଷରେ ଭଗବାନଙ୍କ ଭରସା ଉପରେ ଆମକୁ ଛାଡ଼ି ଦେବାକୁ ହେବ। ସୁତରାଂ ପୂର୍ଣ୍ଣ ନିଯୁକ୍ତିର ଆବଶ୍ୟକତା ବହୁଳ ଉତ୍ପାଦନଠାରୁ ଅଧିକା ବହୁଳ ଉତ୍ପାଦନ ଯଦି ଦେଶରୁ ବେକାରି ଦୂର ନ କରେ, ସେହି ଉତ୍ପାଦନର ମୂଲ୍ୟ କିଛି ନ ଥାଏ। ଏହି ବିଚାରକୁ ଗାନ୍ଧିଜୀ ଶ୍ରେୟ ଦେଇ ଗ୍ରାମ ସ୍ବରାଜ ପ୍ରତିଷ୍ଠା କରିବା ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ପରାମର୍ଶ ଦେଉଥିଲେ। ସେ ଚାହୁଁଥିଲେ ସ୍ବାଧୀନ ଭାରତର ସମ୍ବିଧାନରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ସ୍ବୀକୃତି ଦିଆଯାଇ ପଞ୍ଚାୟତ ବ୍ୟବସ୍ଥା ମାଧ୍ୟମରେ ସ୍ବାଧୀନ ଭାରତର ସାମଗ୍ରିକ ବିକାଶ ହେଉ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଛାୟା ସମ୍ବିଧାନରେ ସ୍ଥାନ ପାଉ ନ ଥିବା ସମ୍ବାଦ ପାଇ ମହାତ୍ମା ଗାନ୍ଧୀ ବ୍ୟତିବ୍ୟସ୍ତ ହୋଇପଡ଼ିଲେ ଏବଂ ତାଙ୍କ ପତ୍ରିକା ହରିଜନରେ ତାଙ୍କର ଅସନ୍ତୋଷ ପ୍ରକାଶ କଲାପରେ ସମ୍ବିଧାନସଭା ସମ୍ବିଧାନର ‘ରାଷ୍ଟ୍ରନୀତି ନିର୍ଦ୍ଦେଶକ ତତ୍ତ୍ୱ’ରେ ଏହାକୁ ସ୍ଥାନ ଦେଲେ। କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥା ବାଧ୍ୟତାମୂଳକ ହେଲା ନାହିଁ- ରାଜ୍ୟଗୁଡ଼ିକର ମର୍ଜି ଉପରେ ଛାଡ଼ି ଦିଆଗଲା। ସ୍ବାଧୀନତା ପରେ ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ ବ୍ୟବସ୍ଥା ପ୍ରତି ରାଷ୍ଟ୍ର ଗୁରୁତ୍ୱ ନ ଦେଇ ସହରାଞ୍ଚଳ ବିକାଶ ପ୍ରତି ଗୁରୁତ୍ୱ ଦିଆଗଲା। ଗ୍ରାମାଞ୍ଚଳବାସୀ ଓ ସହରାଞ୍ଚଳବାସୀଙ୍କ ମଧ୍ୟରେ ଅର୍ଥନୈତିକ ଓ ସାମାଜିକ ବୈଷମ୍ୟ ବୃଦ୍ଧି ପାଇଲା। ଗ୍ରାମାଞ୍ଚଳରେ ବାସ କରୁଥିବା ନାଗରିକମାନେ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ସ୍ବାସ୍ଥ୍ୟରେ ଆତ୍ମନିର୍ଭରଶୀଳ ହୋଇପାରିଲେ ନାହିଁ। ଗ୍ରାମାଞ୍ଚଳରେ ବେକାରି ବୃଦ୍ଧି ପାଇଲା। ଗ୍ରାମାଞ୍ଚଳର ସମନ୍ବିତ ବିକାଶ ପାଇଁ ସ୍ବର ଉତ୍ତୋଳନ ସାରା ଦେଶରେ ଉଠିଲା। ଏହାକୁ ଲକ୍ଷ୍ୟ କରି ୧୯୯୨ ମସିହାରେ ୭୩ତମ ସମ୍ବିଧାନ ସଂଶୋଧନ ହୋଇ ପଞ୍ଚାୟତ ବ୍ୟବସ୍ଥାକୁ ସକ୍ରିୟ କରି ପଞ୍ଚାୟତକୁ ଦିଆଗଲା ଯେପରି ପଞ୍ଚାୟତମାନେ ଗ୍ରାମାଞ୍ଚଳରେ ଏକ ସଂସଦ ରୂପେ କାର୍ଯ୍ୟକରି ନିଜ ନିଜ ଅଞ୍ଚଳରେ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବେ। ସମ୍ବିଧାନର ଏକାଦଶ ତଫସିଲରେ ୨୯ଟି କ୍ଷେତ୍ରରେ ପଞ୍ଚାୟତକୁ ଅଧିକାର ଦିଆଯାଇଛି କାର୍ଯ୍ୟକାରୀ କରିବାକୁ । ଯଦି ପଞ୍ଚାୟତଗୁଡ଼ିକୁ ଏତେଗୁଡ଼ିଏ କ୍ଷେତ୍ରରେ କାର୍ଯ୍ୟ କରିବାକୁ କ୍ଷମତା ଦିଆଯାଇଛି ତେବେ ପଞ୍ଚାୟତଗୁଡ଼ିକୁ ଏସବୁକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଆର୍ଥିକ ଅନୁଦାନ ସହିତ ମାନବସମ୍ବଳ ଯୋଗାଇ ଦେବା ଆବଶ୍ୟକ। କିନ୍ତୁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ଅନୁଦାନ ଏବଂ ମାନବ ସମ୍ବଳ ପଞ୍ଚାୟତଗୁଡ଼ିକୁ ଯୋଗାଇ ଦେଇ ନ ଥିବାରୁ ପଞ୍ଚାୟତଗୁଡ଼ିକ ସାମ୍ବିଧାନିକ ଦାୟିତ୍ୱ ପାଳନ କରିପାରି ନ ଥିବାରୁ ଗ୍ରାମାଞ୍ଚଳର ବିକାଶ ନ ହେବା ଫଳରେ ଅଣକୁଶଳୀ, କୁଶଳୀ, ମାନବ ସମ୍ବଳ ଗ୍ରାମାଞ୍ଚଳରୁ ସହରାଞ୍ଚଳ ଓ ବିଦେଶକୁ ଯାଇ ଅତି ଦୟନୀୟ ସ୍ଥିତିରେ କାର୍ଯ୍ୟ କରୁଛନ୍ତି।
ଏବେ ପଞ୍ଚାୟତମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଆର୍ଥିକ ଅନୁଦାନ ଦିଆଯାଉଛି।ଏହାର ପରିମାଣ ପଞ୍ଚାୟତର ଲୋକ ସଂଖ୍ୟାକୁ ଚାହିଁ ଅନୂ୍ୟନ ୪୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା। ଏତେ ପରିମାଣ ଟଙ୍କାର ବାର୍ଷିକ ଅନୁଦାନକୁ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ କିପରି ପଞ୍ଚାୟତର ସମ୍ପଦକୁ ବିନିଯୋଗ କରି ଯୋଜନାବଦ୍ଧ ଭାବରେ ବ୍ୟୟ କରାଯିବ ସେଥିପାଇଁ ମାନବସମ୍ବଳର ପଞ୍ଚାୟତର ଅଛି କି? ସେମାନଙ୍କର ଆବଶ୍ୟକ ଯୋଗ୍ୟତା ଅଛି କି? ଖବର ନେବାରେ ଜଣାଯାଏ ଯେଉଁ ଅନୁଦାନ ଆସୁଛି ତାହା ଖର୍ଚ୍ଚ ହୋଇ ନ ପାରି ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ରହୁଛି। ଯାହା ଖର୍ଚ୍ଚ ହେଉଛି ତାହାର ଯଥାଯଥ ଉପଯୋଗ ହେଉନାହିଁ। ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଅନୁଦାନ ସିଧାସଳଖ ଆସିବା ବ୍ୟତୀତ ବ୍ଲକ୍‌ ମାଧ୍ୟମରେ ଅନେକ ଯୋଜନା ମାଧ୍ୟମରେ ଅର୍ଥ ପଞ୍ଚାୟତ ସୁପାରିସରେ ଖର୍ଚ୍ଚ ହେଉଛି।

ପ୍ରକୃତ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକ କିପରି ଦୟନୀୟ ଅବସ୍ଥାରେ ଆମ ରାଜ୍ୟରେ କାର୍ଯ୍ୟ କରୁଛନ୍ତି ସେ ସ୍ଥିତିକୁ ଆଉ କେହି ନୁହେଁ ଖୋଦ୍‌ ଚତୁର୍ଥ ଅର୍ଥ କମିଶନ କୁହନ୍ତି ଯେ, ସମ୍ବିଧାନରେ ପଞ୍ଚାୟତମାନଙ୍କୁ କ୍ଷମତା ହସ୍ତାନ୍ତର କରିବାରେ ଯେଉଁ ବ୍ୟବସ୍ଥା ରହିଛି ତାକୁ କାର୍ଯ୍ୟକାରୀ କରିବାକୁ ଆବଶ୍ୟକ ଆର୍ଥିକ, ମାନବସମ୍ବଳ ଓ ଭିତ୍ତିଭୂମି ଯୋଗାଇ ଦିଆଯାଇନାହିଁ, ଯାହାଫଳରେ ପଞ୍ଚାୟତଗୁଡ଼ିକ ଏକ ଏକ ସ୍ଥାନୀୟ ସରକାର ରୂପେ କାର୍ଯ୍ୟ ନ କରି ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଏଜେନ୍ସି ରୂପେ କାର୍ଯ୍ୟ କରୁଛନ୍ତି। ପଞ୍ଚାୟତିରାଜ ବିଭାଗ ଜିଲାପାଳମାନଙ୍କୁ ଗତ ୨୨ା୨ା୨୦୨୦ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେହେତୁ କେନ୍ଦ୍ର ଅର୍ଥକମିଶନ ଓ ରାଜ୍ୟ ଅର୍ଥକମିଶନଙ୍କ ସୁପାରିସ କ୍ରମେ ଗୋଟିଏ ଗୋଟିଏ ପଞ୍ଚାୟତକୁ ବାର୍ଷିକ ୪୦ ଲକ୍ଷରୁ ୧ କୋଟି ଟଙ୍କା ଅନୁଦାନ ସିଧାସଳଖ ଦିଆଯିବ ତାକୁ ବ୍ୟୟ କରିବାର ସାମର୍ଥ୍ୟ ପଞ୍ଚାୟତମାନଙ୍କର ନାହିଁ। ଯେହେତୁ ସେମାନଙ୍କ ପାଖରେ ଆବଶ୍ୟକ ମାନବସମ୍ବଳ ନାହିଁ, ଏଣୁ ଏହି ଅର୍ଥ ଖର୍ଚ୍ଚ କରିବା ପାଇଁ ସଂପୃକ୍ତ ବ୍ଲକ୍‌ ଉନ୍ନୟନ ଅଫିସରମାନେ ପଞ୍ଚାୟତଗୁଡ଼ିକର ଯୋଜନା ପ୍ରସ୍ତୁତ କରି ଅର୍ଥ ବ୍ୟୟ କରିବାର ସମସ୍ତ ଦାୟିତ୍ୱ ନେବେ। ସମ୍ବିଧାନର ନିର୍ଦ୍ଦେଶକୁ ଅବମାନନା କରି ରାଜ୍ୟ ସରକାର ପଞ୍ଚାୟତକୁ କିପରି ଏକ କ୍ରୀଡ଼ାନକ କରି ଦେଇଛନ୍ତି, ତାହାର ସୂଚନା ଦେଉଛି।

କୋଭିଡ୍‌-୧୯ ଭୂତାଣୁ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି ବିଶ୍ୱ ମହାମାରୀ ରୂପେ। ଭାରତ ସେଥିରୁ ବାଦ୍‌ ପଡ଼ିନାହିଁ। ଯେଉଁଦିନ ଲକ୍‌ଡାଉନ୍‌ ଘୋଷଣା କରାଗଲା ତା’ପରଦିନ ସାରା ଦେଶରେ ଦିନ ମଜୁରିଆମାନେ କିପରି ରାସ୍ତାଘାଟରେ ଦଳ ଦଳ ହୋଇ ଚାଲିଲେ, ଖାଇବାକୁ ପାଇଲେ ନାହିଁ, ମୁଣ୍ଡ ଗୁଞ୍ଜିବାକୁ ବାସସ୍ଥାନ ପାଇଲେ ନାହିଁ- ତାହା ଦେଶ ବିଭାଜନ ସମୟର ଶରଣାର୍ଥୀମାନଙ୍କର ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଯିବାର କରୁଣ ଦୃଶ୍ୟକୁ ମନେପକାଇଲା। ବାହାରେ ଥିବା ଉଭୟ ଅଣକୁଶଳୀ ଓ କୁଶଳୀ ଶ୍ରମିକମାନେ ଲମ୍ବା ଧାଡ଼ି ଲଗାଇଲେ ନିଜ ଘରକୁ ଆସିବାକୁ। ଆମ ଦେଶରେ ଗ୍ରାମାଞ୍ଚଳ ଯେଉଁ କୃଷି ଓ କୃଷି ଆନୁଷଙ୍ଗିକ ସମ୍ପଦ ଅଛି ତାହାର ଯଦି ସ୍ବାଧୀନତା ପରଠାରୁ ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ବରାଜ ନୀତିରେ ପରିଚାଳନା ହୋଇଥାନ୍ତା ତେବେ ଲୋକେ ନିଜ ନିଜ ଗ୍ରାମରେ ନିଯୁକ୍ତି ପାଇଥାନ୍ତେ- ନିଜର ସର୍ବନିମ୍ନ ଗୁଜୁରାଣ ମେଣ୍ଟାଇ ପାରୁଥାନ୍ତେ- ବାହାରକୁ ସୀମିତ ସଂଖ୍ୟାରେ ଲୋକେ ଯାଇଥାନ୍ତେ। ଏତେ ସଂଖ୍ୟାର ଲୋକେ ରାଜ୍ୟ ଓ ଦେଶ ବାହାରକୁ ଯାଇଥାନ୍ତେ କାହିଁକି? କାରଣ ହେଲା ପ୍ରତି ପଞ୍ଚାୟତକୁ ଆତ୍ମନିର୍ଭରଶୀଳ କରାଯାଇ ନାହିଁ। ସମ୍ବିଧାନ ସଂଶୋଧନ ହେବା ପରେ କି ଗ୍ରାମାଞ୍ଚଳ ବିକାଶ ପ୍ରତି ଧ୍ୟାନ ଦିଆଯାଇନାହିଁ। କୋଭିଡ୍‌-୧୯ ଆଜି ଯେଉଁ ସ୍ଥିତି କରିଛି ତାହା ଆମ ଅର୍ଥନୈତିକ ବ୍ୟବସ୍ଥାକୁ ପଦାରେ ପକାଇଛି।

ଏବେ ସୁଯୋଗ ଆସିଛି- ଆମ ଅର୍ଥନୀତି ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣି ଗ୍ରାମାଞ୍ଚଳ ବିକାଶ ପାଇଁ ଗୁରୁତ୍ୱ ଦେବାକୁ। ସମ୍ବିଧାନର ନିର୍ଦ୍ଦେଶ ଅନୁଯାୟୀ ଗ୍ରାମ ପଞ୍ଚାୟତମାନଙ୍କୁ ଆତ୍ମନିର୍ଭରଶୀଳ କରାଯାଉ। ସେଥିପାଇଁ ଗ୍ରାମପଞ୍ଚାୟତମାନଙ୍କୁ ଆବଶ୍ୟକ ମାନବସମ୍ବଳ ଯୋଗାଇ ଦିଅନ୍ତୁ। ଗ୍ରାମପଞ୍ଚାୟତମାନଙ୍କୁ ମାନବସମ୍ବଳ ଯୋଗାଇ ଦିଆ ନ ଯିବାର କାରଣ କୁହାଯାଇଛି- ସମ୍ବଳର ଅଭାବ। ତେବେ ସରକାର, ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିଙ୍କୁ ଅଧିକ ପରିମାଣର ବେତନ ଓ ପେନ୍‌ସନ କାହିଁକି ଯୋଗାଇ ଦେଉଛନ୍ତି। ସର୍ବନିମ୍ନ ବେତନ ଆଜି ୨୫ ହଜାର ଟଙ୍କା ହେବା ବେଳେ ସର୍ବୋଚ୍ଚ ବେତନ ୨ଲକ୍ଷ ୫୦ ହଜାର ଟଙ୍କା। ସେହିପରି ପେନ୍‌ସନ ମଧ୍ୟ ୨୫ ହଜାର ଟଙ୍କାରୁ ଲକ୍ଷାଧିକ ଟଙ୍କା ଦିଆଯାଉଛି। ଯେତେବେଳେ ଗୋଟିଏ ୫ ଜଣିଆ ଚାଷୀ ପରିବାରର ମାସିକ ଆୟ ୮ ହଜାର ଟଙ୍କାରୁ କମ୍‌। ଏ ବୈଷମ୍ୟ କାହିଁକି? ବର୍ତ୍ତମାନ କେନ୍ଦ୍ର ସରକାର ସାଂସଦମାନଙ୍କର ହାତପାଣ୍ଠିକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖିବା ବେଳେ ସାଂସଦ ଓ ମନ୍ତ୍ରୀମାନଙ୍କର ବେତନ ୩୦ ପ୍ରତିଶତ ହ୍ରାସ କରିଛନ୍ତି। ଓଡ଼ିଶା ସରକାର ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଫିସରଙ୍କ ବେତନ ୫୦ ପ୍ରତିଶତ ତିନି ମାସ ପାଇଁ ସ୍ଥଗିତ ରଖିଛନ୍ତି। ଏବେ ସୁଯୋଗ ସୃଷ୍ଟି ହୋଇଛି ବର୍ତ୍ତମାନ ଜାତୀୟ ସହମତିରେ ନିଷ୍ପତ୍ତି ନିଆଯାଉ। ସରକାରୀ ଓ ବେସରକାରୀ କ୍ଷେତ୍ରର କର୍ମଚାରୀମାନେ ବେତନ ଓ ପେନ୍‌ସନ୍‌କୁ ହ୍ରାସ କରି ବଳକା ଅର୍ଥକୁ ଗ୍ରାମାଞ୍ଚଳ ବିକାଶ ପାଇଁ ଗ୍ରାମପଞ୍ଚାୟତକୁ ଉପଯୁକ୍ତ ମାନବସମ୍ବଳ ଯୋଗାଇ ଦେଇ ଗ୍ରାମାଞ୍ଚଳରେ ନିଯୁକ୍ତି ସୁବିଧା ସୃଷ୍ଟି କରାଯାଉ ତେବେ ଯାଇ ଆମ ଅର୍ଥନୀତି ସୁଦୃଢ଼ ହେବ, ଆମ ଦେଶର ପ୍ରତ୍ୟେକ ଲୋକଙ୍କୁ ସର୍ବନିମ୍ନ ଆବଶ୍ୟକତା ଯୋଗାଇ ଦେଇପାରିବା।

ଏ ୫୦୨, ମୋତି ବ୍ଲକ୍‌, ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର
ମୋ: ୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri