ଧେତ୍‌ ଏ କରୋନା

ସୁଧାକର ଦାସ

ସକାଳ ଛ’ଟା ହେଇନି, ଗୋଟେ ଫୋନ୍‌ ଆସି ନିଦ ଭାଙ୍ଗିଦେଲା। ଲକଡାଉନ୍‌ ସମୟରେ ଏତେ ସକାଳୁ ଇଏ କାହାର ଫୋନ୍‌? ଫୋନ୍‌ ଆଣି ଦେଖିଲା ବେଳକୁ ନମ୍ବରଟି ଅଚିହ୍ନା। ସେପଟୁ ଯେଉଁ ସ୍ବର ଶୁଣିଲି ତାହା କିନ୍ତୁ ଅପରିଚିତ ନ ଥିଲା। “ଆଜ୍ଞା କାଲି କ’ଣ ସଂକ୍ରାନ୍ତି ହୋମ କରିବେନି କି? କାଇଁ ଆପଣଙ୍କ ଅଫିସ୍‌ରୁ ଏ ଯାଏ କେହି ତ ଫୋନ୍‌ କରିନାହାନ୍ତି?”- ଏଇଟା ଥିଲା ଆମର ସବୁଦିନିଆ ପୁରୋହିତ ମାୟାଧର ନନାଙ୍କର ମୋ ପାଇଁ ପ୍ରଶ୍ନ। ଲକଡାଉନ୍‌ ସମୟରେ ଆତଙ୍କ ଓ ଆଶଙ୍କା ଭିତରେ ରହୁଥିବାରୁ ଆସନ୍ତାକାଲି ଯେ ସଂକ୍ରାନ୍ତି, ଏକଥା ମୁଁ ସମ୍ପୂର୍ଣ୍ଣ ଭୁଲିଯାଇଥିଲି। ମତେ ନୀରବ ରହିବାର ଦେଖି ନନା ସେପଟୁ କହିଲେ, “ଆଜ୍ଞା ବର୍ଷର ସବୁ ସଂକ୍ରାନ୍ତି ଭିତରୁ ଏଇଟା ସବୁଠୁ ବଡ଼, ବିଷୁବ ସଂକ୍ରାନ୍ତି। ମତେ ଲାଗୁଛି ଏ କରୋନା ପାଇଁ ଆପଣଙ୍କ ଅଫିସ୍‌ ବୋଧହୁଏ ବନ୍ଦ ଥିବ। କିନ୍ତୁ ସଂକ୍ରାନ୍ତି ହୋମଟା ପ୍ରତି ମାସ ପରି ଯେମିତି ହେଲେ କରନ୍ତୁ।” ଏଇ ମାୟାଧର ନନା ହେଉଛନ୍ତି ସେଇ ନନା ଯାହାଙ୍କ ପାଇଁ ଆମକୁ ପ୍ରତି ମାସ ସଂକ୍ରାନ୍ତି ଦିନ ହୋମ ଟିକେ ଆସି କରିବା ପାଇଁ ଅପରାହ୍ଣ ୩ଟା ଯାଏ ଅପେକ୍ଷା କରିବାକୁ ପଡ଼େ। ‘ଏଇ ଯାଉଛି’, ‘ଏଇ ପହଞ୍ଚିଲି’ କହି କହି ଆମ ଅଫିସ୍‌ର ଗୋଟିଏ ଓଳି ସେ ନଷ୍ଟ କରିଦିଅନ୍ତି। କିନ୍ତୁ ଆଜି ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ମୋ ଅଫିସ୍‌ରେ ହୋମ କରିବା ପାଇଁ ନନାଙ୍କର ତତ୍ପରତା ମୁଁ ହଜମ କରିପାରିଲିନି। ମୁଁ ହାଇ ମାରୁ ମାରୁ କହିଲି, “ନନା ଅଫିସ୍‌ ତ ଦି’ ସପ୍ତାହ ହେଲା ବନ୍ଦ। ତା’ପରେ ପୂଜା ସାମଗ୍ରୀ ଦୋକାନ କୋଉଠି ଖୋଲା ଅଛି ଯେ?” ମୋ କଥା ନ ସରୁଣୁ ନନା ଟିକେ କହିଲେ, “ଆମ୍ବ କାଠ ମୋ ଘରେ ଅଛି ଆଜ୍ଞା, ଫୁଲ, ଦୂବ, ବରକୋଳି ପତ୍ର ମୁଁ ଇଆଡୁ ସାଙ୍ଗରେ ନେଇଯିବି। ଆପଣ ଖାଲି ଘରେ ଯଦି ଥିବ ଘିଅ ଟିକେ ଓ ନଡ଼ିଆ ଗୋଟାଏ ଦେଇ କାହାକୁ ପଠେଇ ଦେଲେ, ସେ ଅଫିସ୍‌ ଖୋଲିଦବ ମୁଁ ହୋମଟା କରିଦେଇ ଆସିବି।” ସକାଳୁ ସକାଳୁ ଏଇ କଥାଟି ଗୋଟିଏ ସମସ୍ୟା ନ ହେଲେ ବି ମତେ ଧର୍ମସଙ୍କଟରେ ପକେଇଦେଲା। ମୁଁ ଏପଟୁ କହିଲି, “ହଉ ନନା ଟିକେ ସମୟ ଦିଅ, ମୁଁ ବୁଝିକି କହୁଛି।” ନନା କିନ୍ତୁ ନଛୋଡ଼ବନ୍ଧା। ସେ ପୁଣି ସେପଟୁ କହିଲେ, “ଆଜ୍ଞା ମାସିକିଆ ସଂକ୍ରାନ୍ତି ହୋମ ବନ୍ଦ କରାଯାଏନି। ଯଦି ଅଫିସ୍‌ରେ ନ ହେଇପାରିବ, ଏଥର ସଂକ୍ରାନ୍ତି ହୋମଟା ଘରେ କରେଇ ଦିଅନ୍ତୁ।” “ହଉ ନନା ମୁଁ କହୁଛି କହୁଛି” କହି ମୁଁ ଫୋନ୍‌ଟା କାଟିଦେଲି।
ତା’ପରେ ସକାଳର ନିତ୍ୟକର୍ମ, ଖବର କାଗଜ ଆଉ ଟିଭିରୁ କରୋନା ଖବର ଏବଂ ହ୍ବାଟ୍ସଆପ୍‌ରେ ସାଙ୍ଗମାନଙ୍କ ସହିତ ଆଳାପ ଆଲୋଚନା ଭିତରେ ମୁଁ ମାୟାଧର ନନାଙ୍କ କଥା ପାସୋରିଯାଇଛି। ଠିକ୍‌ ଦିନ ଗୋଟାଏ ପାଖାପାଖି ନନାଙ୍କର ପୁଣି ଆସିଲା ଫୋନ୍‌। ମୁଁ ଜାଣିକି ଫୋନ୍‌ଟା ନ ଉଠେଇ ମୋ ପତ୍ନୀଙ୍କ ସହ ଟିକେ ଏ ବିଷୟରେ କଥା ହେଇଯିବା ଉଚିତ ହେବ ବୋଲି ଭାବିଲି। ପତ୍ନୀ କହିଲେ- ”ଯେହେତୁ ମଠ, ମନ୍ଦିର ସବୁ ବନ୍ଦ ପଇସାପତ୍ର ପାଇଁ ନନା ବଡ଼ ଅସୁବିଧାରେ ପଡୁଥିବେ। ଏପଟେ ଏ ପରିସ୍ଥିତିରେ ଅଫିସ୍‌ ଖୋଲି ହୋମ କରିବା ଆଦୌ ସମ୍ଭବ ନୁହେଁ। ଆଉ ତା’ ଛଡା ଏ ପରିସ୍ଥିତିରେ କୌଣସି ବାହାର ଲୋକକୁ ଘର ଭିତରେ ପୂରେଇବାର ପ୍ରଶ୍ନ ହିଁ ଉଠୁନି। ତେଣୁ ସଂକ୍ରାନ୍ତି ହୋମ କରି ନନା ଯେତିକି ଦକ୍ଷିଣା ନିଅନ୍ତି, କୌଣସି ଉପାୟରେ ତାଙ୍କୁ ସେତକ ଦେଇଦିଅ।“
ମୁଁ ଏବେ ନନାଙ୍କୁ ଫୋନ୍‌ ଲଗେଇଲି। ନନାଙ୍କ ସ୍ବରରେ ଏଥର ଥିଲା ଉତ୍ସାହ ଆଉ ଆତ୍ମବିଶ୍ୱାସ। ସେ ସେପଟୁ କହିଲେ, ”କ’ଣ ହେଲା ଆଜ୍ଞା.. ଘରେ ତ ସବୁ ଜିନିଷ ଥିବ। ଘରେ ନ ହେଲେ ହୋମଟା କରିଦବା।“ ମୁଁ କହିଲି, ”ନାଇଁ ନନା, ଏଇ ପରିସ୍ଥିତିରେ ସଂକ୍ରାନ୍ତି ହୋମଟା ଏ ମାସରେ ବନ୍ଦ କରିଦବା। ବରଂ ତମେ ଗୋଟିଏ କାମ କର, କାଲି ଆସି ହୋମର ଦକ୍ଷିଣାଟା ନେଇଯାଅ।“ ମୁଁ ଭାବିଥିଲି ନନା ବୋଧହୁଏ କହିବେ ଯେ, ”ମୁଁ ହୋମ ନ କରି ଦକ୍ଷିଣା କେମିତି ନେବି, ଆଉ ମତେ ତାଙ୍କୁ ଟିକେ ବୁଝେଇବାକୁ ପଡିବ ଯେ ଏଇ ପରିସ୍ଥିତିରେ ମର୍ଯ୍ୟାଦା କଥା ଭୁଲି ପ୍ରଥମେ ବଞ୍ଚି ରହିବା ଜରୁରୀ। କିନ୍ତୁ ତାଙ୍କର ଉତ୍ତର ଥିଲା, ”ପିଲାଛୁଆ ବଞ୍ଚିଯା’ନ୍ତେ ଆଜ୍ଞା.. ଆଉ ଦକ୍ଷିଣାଟା ଟଙ୍କା ଆକାରରେ ନ ଦେଇ ଯଦି କିଛି ଅରୁଆ ଚାଉଳ, ଡାଲି ଭଳି ଖାଇବା ଜିନିଷ ଦିଅନ୍ତେ ବଡ଼ ପୁଣ୍ୟ ହୁଅନ୍ତା।“ ମୋ ଛାତି ଭିତରଟା କେମିତି ଦୁଲୁକି ଉଠିଲା। ମୁଁ ଦୀର୍ଘଶ୍ୱାସଟାଏ ପକେଇ କହିଲି, ”ହଉ ନନା, ସବୁଆଡ଼େ ପୋଲିସ୍‌ ପଇଁତରା ମାରୁଛି.. ତେଣୁ ସୁବିଧା ଦେଖି ଆସିବ। ଆମ ଘର ଗେଟ୍‌ ବାହାରେ ରହି ମତେ ଫୋନ୍‌ କରିବ।“ ନନା ‘ହଉ’ କହି ଫୋନ୍‌ ରଖିଦେଲେ।
ଠିକ୍‌ ରାତି ସାଢ଼େ ନ’ଟା ବେଳକୁ ନନାଙ୍କ ଫୋନ୍‌ ଆସିଲା। ମୋ ପତ୍ନୀ ନନାଙ୍କ ପାଇଁ ରଖିଥିବା ବ୍ୟାଗ୍‌ଟି ମୋ ହାତକୁ ବଢ଼େଇ ଦେଲେ। ମୁଁ ବ୍ୟାଗ୍‌ଟି ଖୋଲି ଦେଖିଲି କିଛି ଅରୁଆ ଚାଉଳ, ଡାଲି, ଅଟା, ଚୁଡ଼ା, ପରିବାପତ୍ର ଆଉ ତା’ ଉପରେ ତିନି ଚାରିଟା ହାତଧୁଆ ସାବୁନ୍‌ ଓ ଦୁଇତିନିଟା ମାସ୍କ୍‌। ତରବରରେ ବାହାରି ଗଲି ଗେଟ୍‌ ପାଖକୁ। ଗେଟ୍‌ ଉପରପଟ ଦେଇ ନନାଙ୍କ ହାତକୁ ବଢ଼େଇଦେଲି ବ୍ୟାଗ୍‌ଟା। ନନା ବ୍ୟାଗ୍‌ଟା ନେଇ କନ୍ଦି ବାଟ ଦେଇ ବାହାରିଗଲେ ତାଙ୍କ ଘରକୁ। ମୁଁ ଘର ଭିତରକୁ ଫେରି ପତ୍ନୀଙ୍କ ସହିତ ବସି ସୁଖଦୁଃଖ ହେଉଥିବାବେଳେ ପୁଣି ଆସିଲା ନନାଙ୍କର ଫୋନ୍‌। ନନା ସେପଟୁ କୋହଭରା କଣ୍ଠରେ କହୁଥିଲେ, ”ମୋ ଘରେ କିଛି ଘିଅ ଆଉ ଗୋଟେ ନଡ଼ିଆ ଅଛି ଆଜ୍ଞା। ମୁଁ କାଲି ଏଇଠି ମୋ ଘରେ ଆପଣଙ୍କ ନାଁରେ ସଂକଳ୍ପ କରି ହୋମଟି କରିଦେବି। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଆପଣଙ୍କ ଭଳି ଯଜମାନ ଥିଲେ ଏ କରୋନା ଫରୋନା ଆମର କିଛି ବି କରିପାରିବେନି।“ ତା’ପରେ କଲ୍ୟାଣ କରୁଛି ବୋଲି କହି ନନା ଗୋଟେ ମନ୍ତ୍ର ପଢିଲେ ।
ମନ୍ତ୍ରର ଶବ୍ଦ ଯାହା ହେଇଥାଉ ପଛେ, କିନ୍ତୁ ନନାଙ୍କ ସ୍ବରରେ ଆଶୀର୍ବାଦ ଅପେକ୍ଷା ଅସହାୟତା ଓ ବଶମ୍ବଦତାର କାରୁଣ୍ୟ ଏତେ ଭରି ରହିଥିଲା ଯେ ମୋ ଆଖିରେ ବି ଲୁହ ଚାଲିଆସିଲା। ବଡ ବ୍ୟସ୍ତରେ ମୋ ପାଟିରୁ ବାହାରିଗଲା- ଧେତ୍‌ ଏ କରୋନା!

ସ୍ବାହା, କେନାଲ ରୋଡ୍‌, ଛତ୍ର ବଜାର, କଟକ, ମୋ- ୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri