ଧେତ୍‌ ଏ କରୋନା

ସୁଧାକର ଦାସ

ସକାଳ ଛ’ଟା ହେଇନି, ଗୋଟେ ଫୋନ୍‌ ଆସି ନିଦ ଭାଙ୍ଗିଦେଲା। ଲକଡାଉନ୍‌ ସମୟରେ ଏତେ ସକାଳୁ ଇଏ କାହାର ଫୋନ୍‌? ଫୋନ୍‌ ଆଣି ଦେଖିଲା ବେଳକୁ ନମ୍ବରଟି ଅଚିହ୍ନା। ସେପଟୁ ଯେଉଁ ସ୍ବର ଶୁଣିଲି ତାହା କିନ୍ତୁ ଅପରିଚିତ ନ ଥିଲା। “ଆଜ୍ଞା କାଲି କ’ଣ ସଂକ୍ରାନ୍ତି ହୋମ କରିବେନି କି? କାଇଁ ଆପଣଙ୍କ ଅଫିସ୍‌ରୁ ଏ ଯାଏ କେହି ତ ଫୋନ୍‌ କରିନାହାନ୍ତି?”- ଏଇଟା ଥିଲା ଆମର ସବୁଦିନିଆ ପୁରୋହିତ ମାୟାଧର ନନାଙ୍କର ମୋ ପାଇଁ ପ୍ରଶ୍ନ। ଲକଡାଉନ୍‌ ସମୟରେ ଆତଙ୍କ ଓ ଆଶଙ୍କା ଭିତରେ ରହୁଥିବାରୁ ଆସନ୍ତାକାଲି ଯେ ସଂକ୍ରାନ୍ତି, ଏକଥା ମୁଁ ସମ୍ପୂର୍ଣ୍ଣ ଭୁଲିଯାଇଥିଲି। ମତେ ନୀରବ ରହିବାର ଦେଖି ନନା ସେପଟୁ କହିଲେ, “ଆଜ୍ଞା ବର୍ଷର ସବୁ ସଂକ୍ରାନ୍ତି ଭିତରୁ ଏଇଟା ସବୁଠୁ ବଡ଼, ବିଷୁବ ସଂକ୍ରାନ୍ତି। ମତେ ଲାଗୁଛି ଏ କରୋନା ପାଇଁ ଆପଣଙ୍କ ଅଫିସ୍‌ ବୋଧହୁଏ ବନ୍ଦ ଥିବ। କିନ୍ତୁ ସଂକ୍ରାନ୍ତି ହୋମଟା ପ୍ରତି ମାସ ପରି ଯେମିତି ହେଲେ କରନ୍ତୁ।” ଏଇ ମାୟାଧର ନନା ହେଉଛନ୍ତି ସେଇ ନନା ଯାହାଙ୍କ ପାଇଁ ଆମକୁ ପ୍ରତି ମାସ ସଂକ୍ରାନ୍ତି ଦିନ ହୋମ ଟିକେ ଆସି କରିବା ପାଇଁ ଅପରାହ୍ଣ ୩ଟା ଯାଏ ଅପେକ୍ଷା କରିବାକୁ ପଡ଼େ। ‘ଏଇ ଯାଉଛି’, ‘ଏଇ ପହଞ୍ଚିଲି’ କହି କହି ଆମ ଅଫିସ୍‌ର ଗୋଟିଏ ଓଳି ସେ ନଷ୍ଟ କରିଦିଅନ୍ତି। କିନ୍ତୁ ଆଜି ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ମୋ ଅଫିସ୍‌ରେ ହୋମ କରିବା ପାଇଁ ନନାଙ୍କର ତତ୍ପରତା ମୁଁ ହଜମ କରିପାରିଲିନି। ମୁଁ ହାଇ ମାରୁ ମାରୁ କହିଲି, “ନନା ଅଫିସ୍‌ ତ ଦି’ ସପ୍ତାହ ହେଲା ବନ୍ଦ। ତା’ପରେ ପୂଜା ସାମଗ୍ରୀ ଦୋକାନ କୋଉଠି ଖୋଲା ଅଛି ଯେ?” ମୋ କଥା ନ ସରୁଣୁ ନନା ଟିକେ କହିଲେ, “ଆମ୍ବ କାଠ ମୋ ଘରେ ଅଛି ଆଜ୍ଞା, ଫୁଲ, ଦୂବ, ବରକୋଳି ପତ୍ର ମୁଁ ଇଆଡୁ ସାଙ୍ଗରେ ନେଇଯିବି। ଆପଣ ଖାଲି ଘରେ ଯଦି ଥିବ ଘିଅ ଟିକେ ଓ ନଡ଼ିଆ ଗୋଟାଏ ଦେଇ କାହାକୁ ପଠେଇ ଦେଲେ, ସେ ଅଫିସ୍‌ ଖୋଲିଦବ ମୁଁ ହୋମଟା କରିଦେଇ ଆସିବି।” ସକାଳୁ ସକାଳୁ ଏଇ କଥାଟି ଗୋଟିଏ ସମସ୍ୟା ନ ହେଲେ ବି ମତେ ଧର୍ମସଙ୍କଟରେ ପକେଇଦେଲା। ମୁଁ ଏପଟୁ କହିଲି, “ହଉ ନନା ଟିକେ ସମୟ ଦିଅ, ମୁଁ ବୁଝିକି କହୁଛି।” ନନା କିନ୍ତୁ ନଛୋଡ଼ବନ୍ଧା। ସେ ପୁଣି ସେପଟୁ କହିଲେ, “ଆଜ୍ଞା ମାସିକିଆ ସଂକ୍ରାନ୍ତି ହୋମ ବନ୍ଦ କରାଯାଏନି। ଯଦି ଅଫିସ୍‌ରେ ନ ହେଇପାରିବ, ଏଥର ସଂକ୍ରାନ୍ତି ହୋମଟା ଘରେ କରେଇ ଦିଅନ୍ତୁ।” “ହଉ ନନା ମୁଁ କହୁଛି କହୁଛି” କହି ମୁଁ ଫୋନ୍‌ଟା କାଟିଦେଲି।
ତା’ପରେ ସକାଳର ନିତ୍ୟକର୍ମ, ଖବର କାଗଜ ଆଉ ଟିଭିରୁ କରୋନା ଖବର ଏବଂ ହ୍ବାଟ୍ସଆପ୍‌ରେ ସାଙ୍ଗମାନଙ୍କ ସହିତ ଆଳାପ ଆଲୋଚନା ଭିତରେ ମୁଁ ମାୟାଧର ନନାଙ୍କ କଥା ପାସୋରିଯାଇଛି। ଠିକ୍‌ ଦିନ ଗୋଟାଏ ପାଖାପାଖି ନନାଙ୍କର ପୁଣି ଆସିଲା ଫୋନ୍‌। ମୁଁ ଜାଣିକି ଫୋନ୍‌ଟା ନ ଉଠେଇ ମୋ ପତ୍ନୀଙ୍କ ସହ ଟିକେ ଏ ବିଷୟରେ କଥା ହେଇଯିବା ଉଚିତ ହେବ ବୋଲି ଭାବିଲି। ପତ୍ନୀ କହିଲେ- ”ଯେହେତୁ ମଠ, ମନ୍ଦିର ସବୁ ବନ୍ଦ ପଇସାପତ୍ର ପାଇଁ ନନା ବଡ଼ ଅସୁବିଧାରେ ପଡୁଥିବେ। ଏପଟେ ଏ ପରିସ୍ଥିତିରେ ଅଫିସ୍‌ ଖୋଲି ହୋମ କରିବା ଆଦୌ ସମ୍ଭବ ନୁହେଁ। ଆଉ ତା’ ଛଡା ଏ ପରିସ୍ଥିତିରେ କୌଣସି ବାହାର ଲୋକକୁ ଘର ଭିତରେ ପୂରେଇବାର ପ୍ରଶ୍ନ ହିଁ ଉଠୁନି। ତେଣୁ ସଂକ୍ରାନ୍ତି ହୋମ କରି ନନା ଯେତିକି ଦକ୍ଷିଣା ନିଅନ୍ତି, କୌଣସି ଉପାୟରେ ତାଙ୍କୁ ସେତକ ଦେଇଦିଅ।“
ମୁଁ ଏବେ ନନାଙ୍କୁ ଫୋନ୍‌ ଲଗେଇଲି। ନନାଙ୍କ ସ୍ବରରେ ଏଥର ଥିଲା ଉତ୍ସାହ ଆଉ ଆତ୍ମବିଶ୍ୱାସ। ସେ ସେପଟୁ କହିଲେ, ”କ’ଣ ହେଲା ଆଜ୍ଞା.. ଘରେ ତ ସବୁ ଜିନିଷ ଥିବ। ଘରେ ନ ହେଲେ ହୋମଟା କରିଦବା।“ ମୁଁ କହିଲି, ”ନାଇଁ ନନା, ଏଇ ପରିସ୍ଥିତିରେ ସଂକ୍ରାନ୍ତି ହୋମଟା ଏ ମାସରେ ବନ୍ଦ କରିଦବା। ବରଂ ତମେ ଗୋଟିଏ କାମ କର, କାଲି ଆସି ହୋମର ଦକ୍ଷିଣାଟା ନେଇଯାଅ।“ ମୁଁ ଭାବିଥିଲି ନନା ବୋଧହୁଏ କହିବେ ଯେ, ”ମୁଁ ହୋମ ନ କରି ଦକ୍ଷିଣା କେମିତି ନେବି, ଆଉ ମତେ ତାଙ୍କୁ ଟିକେ ବୁଝେଇବାକୁ ପଡିବ ଯେ ଏଇ ପରିସ୍ଥିତିରେ ମର୍ଯ୍ୟାଦା କଥା ଭୁଲି ପ୍ରଥମେ ବଞ୍ଚି ରହିବା ଜରୁରୀ। କିନ୍ତୁ ତାଙ୍କର ଉତ୍ତର ଥିଲା, ”ପିଲାଛୁଆ ବଞ୍ଚିଯା’ନ୍ତେ ଆଜ୍ଞା.. ଆଉ ଦକ୍ଷିଣାଟା ଟଙ୍କା ଆକାରରେ ନ ଦେଇ ଯଦି କିଛି ଅରୁଆ ଚାଉଳ, ଡାଲି ଭଳି ଖାଇବା ଜିନିଷ ଦିଅନ୍ତେ ବଡ଼ ପୁଣ୍ୟ ହୁଅନ୍ତା।“ ମୋ ଛାତି ଭିତରଟା କେମିତି ଦୁଲୁକି ଉଠିଲା। ମୁଁ ଦୀର୍ଘଶ୍ୱାସଟାଏ ପକେଇ କହିଲି, ”ହଉ ନନା, ସବୁଆଡ଼େ ପୋଲିସ୍‌ ପଇଁତରା ମାରୁଛି.. ତେଣୁ ସୁବିଧା ଦେଖି ଆସିବ। ଆମ ଘର ଗେଟ୍‌ ବାହାରେ ରହି ମତେ ଫୋନ୍‌ କରିବ।“ ନନା ‘ହଉ’ କହି ଫୋନ୍‌ ରଖିଦେଲେ।
ଠିକ୍‌ ରାତି ସାଢ଼େ ନ’ଟା ବେଳକୁ ନନାଙ୍କ ଫୋନ୍‌ ଆସିଲା। ମୋ ପତ୍ନୀ ନନାଙ୍କ ପାଇଁ ରଖିଥିବା ବ୍ୟାଗ୍‌ଟି ମୋ ହାତକୁ ବଢ଼େଇ ଦେଲେ। ମୁଁ ବ୍ୟାଗ୍‌ଟି ଖୋଲି ଦେଖିଲି କିଛି ଅରୁଆ ଚାଉଳ, ଡାଲି, ଅଟା, ଚୁଡ଼ା, ପରିବାପତ୍ର ଆଉ ତା’ ଉପରେ ତିନି ଚାରିଟା ହାତଧୁଆ ସାବୁନ୍‌ ଓ ଦୁଇତିନିଟା ମାସ୍କ୍‌। ତରବରରେ ବାହାରି ଗଲି ଗେଟ୍‌ ପାଖକୁ। ଗେଟ୍‌ ଉପରପଟ ଦେଇ ନନାଙ୍କ ହାତକୁ ବଢ଼େଇଦେଲି ବ୍ୟାଗ୍‌ଟା। ନନା ବ୍ୟାଗ୍‌ଟା ନେଇ କନ୍ଦି ବାଟ ଦେଇ ବାହାରିଗଲେ ତାଙ୍କ ଘରକୁ। ମୁଁ ଘର ଭିତରକୁ ଫେରି ପତ୍ନୀଙ୍କ ସହିତ ବସି ସୁଖଦୁଃଖ ହେଉଥିବାବେଳେ ପୁଣି ଆସିଲା ନନାଙ୍କର ଫୋନ୍‌। ନନା ସେପଟୁ କୋହଭରା କଣ୍ଠରେ କହୁଥିଲେ, ”ମୋ ଘରେ କିଛି ଘିଅ ଆଉ ଗୋଟେ ନଡ଼ିଆ ଅଛି ଆଜ୍ଞା। ମୁଁ କାଲି ଏଇଠି ମୋ ଘରେ ଆପଣଙ୍କ ନାଁରେ ସଂକଳ୍ପ କରି ହୋମଟି କରିଦେବି। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଆପଣଙ୍କ ଭଳି ଯଜମାନ ଥିଲେ ଏ କରୋନା ଫରୋନା ଆମର କିଛି ବି କରିପାରିବେନି।“ ତା’ପରେ କଲ୍ୟାଣ କରୁଛି ବୋଲି କହି ନନା ଗୋଟେ ମନ୍ତ୍ର ପଢିଲେ ।
ମନ୍ତ୍ରର ଶବ୍ଦ ଯାହା ହେଇଥାଉ ପଛେ, କିନ୍ତୁ ନନାଙ୍କ ସ୍ବରରେ ଆଶୀର୍ବାଦ ଅପେକ୍ଷା ଅସହାୟତା ଓ ବଶମ୍ବଦତାର କାରୁଣ୍ୟ ଏତେ ଭରି ରହିଥିଲା ଯେ ମୋ ଆଖିରେ ବି ଲୁହ ଚାଲିଆସିଲା। ବଡ ବ୍ୟସ୍ତରେ ମୋ ପାଟିରୁ ବାହାରିଗଲା- ଧେତ୍‌ ଏ କରୋନା!

ସ୍ବାହା, କେନାଲ ରୋଡ୍‌, ଛତ୍ର ବଜାର, କଟକ, ମୋ- ୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri