ଅତୀତ ନୁହେଁ, ଆଗକୁ ଭାବ

ତଥାଗତ ସତପଥୀ

କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ଓଡ଼ିଶା ସମେତ ଅଳ୍ପ କେତେକ ରାଜ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍‌ ଘୋଷଣା କରିସାରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀମାନଙ୍କୁ ସୋମବାର, ୧୩ ଏପ୍ରିଲଠାରୁ କାମରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇସାରିଲେଣି। ତେବେ ମନ୍ତ୍ରୀ ଓ ଅଧିକାରୀମାନେ ସାମାଜିକ ଦୂରତା ରକ୍ଷାକରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଭଳି ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଜଣାଇ ଦେବାକୁ ଚାହାନ୍ତି ଯେ, କେନ୍ଦ୍ର ସରକାର ଲକ୍‌ଡାଉନ ଅବଧି ବଢ଼ାଇବାକୁ ଚାହୁଁ ନ ଥିବା ବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ର ଉପରେ ଚାପ ପକାଉଛନ୍ତି। କେନ୍ଦ୍ର ଲକ୍‌ଡାଉନ୍‌ ଅବଧି ବଢ଼ାଇବା ବିପକ୍ଷରେ ଥିବାବେଳେ ରାଜ୍ୟ ସରକାରଗୁଡ଼ିକ ଏହାର ଅବଧି ବୃଦ୍ଧି ସପକ୍ଷରେ ମତ ଦେଉଛନ୍ତି। ଅର୍ଥାତ୍‌ ଗଣତାନ୍ତ୍ରିକ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ବାଧୀନତା ଦେଇଥିବା ବେଳେ ନିଜେ କେନ୍ଦ୍ର ସରକାର କାର୍ଯ୍ୟ ଆରମ୍ଭ କରିଦେଲେ। ଏଥିରୁ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବାର ମହତପଣିଆ ଜଣାପଡୁଥିବା ବେଳେ ଦେଶର ଅର୍ଥନୈତିକ ପରିସ୍ଥିତି ପ୍ରତି ଚିନ୍ତିତ ଥିବା କେନ୍ଦ୍ର ସରକାର ନିଜ ଦାୟିତ୍ୱରୁ ଓହରିଯାଇ ନାହାନ୍ତି। ଏଭଳି ବାର୍ତ୍ତା ଯେତେବେଳେ ସାଧାରଣ ନାଗରିକ ପାଖରେ ପହଞ୍ଚିବ ସେତେବେଳେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ବାଭାବିକ। କେନ୍ଦ୍ର ଲକ୍‌ଡାଉନ୍‌ ବିପକ୍ଷରେ ଥିବା ବେଳେ ରାଜ୍ୟ ସରକାର ଏକାକୀ ଲୋକଙ୍କୁ ଘର ଭିତରେ ଆବଦ୍ଧ କରି ରଖୁଛି ବୋଲି ସ୍ପଷ୍ଟ ମତ ସୃଷ୍ଟି ହେବ। ପଞ୍ଜାବରେ ଘଟିଥିବା ପୋଲିସ ଏଏସ୍‌ଆଇଙ୍କ ଉପରେ ଆକ୍ରମଣ ଏବଂ ଖଣ୍ଡା ଚୋଟରେ ତାଙ୍କ ହାତ କାଟିଦେବା ଘଟଣା ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ବିରକ୍ତିଭାବର ପରିପ୍ରକାଶ ମାତ୍ର। ଅନ୍ୟ ଏକ ବିଷୟକୁ ଚିନ୍ତା କଲେ ବୁଝାପଡ଼ିବ ଯେ ସ୍ବାଭାବିକ ଭାବେ ଯେତେବେଳେ ଦେଶରେ ପ୍ରବଳ ଆର୍ଥିକ ସଙ୍କଟ ଖୁବ୍‌ଶୀଘ୍ର ମୁଣ୍ଡ ଟେକିବ ସେତେବେଳେ କେନ୍ଦ୍ର ନିଜକୁ କୌଣସି ଭାବେ ସମସ୍ୟାରେ ଅନ୍ତର୍ଭୁକ୍ତ ହେବାକୁ ଦେବନାହିଁ। ଯଦି ଶିଳ୍ପ ଚାଲୁନାହିଁ, ତେବେ ତୁମ ମୁଖ୍ୟମନ୍ତ୍ରୀକୁ କୁହ। ଯଦି ରୋଜଗାର ସୁବିଧା ନାହିଁ, ତେବେ ତୁମ ମୁଖ୍ୟମନ୍ତ୍ରୀକୁ କୁହ। ଯଦି ପରିବାର ପାଇଁ ଖାଦ୍ୟ ଯୋଗାଣ ହୋଇପାରୁ ନାହିଁ, ତେବେ ତୁମ ମୁଖ୍ୟମନ୍ତ୍ରୀକୁ କୁହ। ଏହା ଦ୍ୱାରା ନିଜ ହାତ ଧୋଇ ଅର୍ଥନୈତିକ କରୋନାରୁ ଦୂରେଇ ଯାଇପାରିବ କେନ୍ଦ୍ର ସରକାର।

ଦୀର୍ଘଦିନ ଧରି ଲକ୍‌ଡାଉନ୍‌ ବଳବତ୍ତର ରହିବା ଯୋଗୁ ଦେଶରେ ଅର୍ଥନୈତିକ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସ୍ଥାଣୁ ହୋଇଯାଇଛି। ପ୍ରଥମ ପଦକ୍ଷେପ ସ୍ବରୂପ ୧୫ ଏପ୍ରିଲରୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) କାମ ଆରମ୍ଭ କରିବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ମନ୍ତ୍ରଣାଳୟର ଅଧିକାରୀଙ୍କୁ ସମ୍ଭାବ୍ୟ ଦିଗ ବାହାର କରିବାକୁ କହିସାରିଲେଣି। ସମ୍ଭବତଃ ଦ୍ୱାରକା ଏକ୍ସପ୍ରେସଓ୍ବେ କାର୍ଯ୍ୟ ତତ୍‌କ୍ଷଣାତ୍‌ ହୋଇପାରେ। ଏହି ଖବର ପଢ଼ିବା ପରେ ମନରେ ପ୍ରଶ୍ନ ହେବା ସ୍ବାଭାବିକ ଯେ, ଏହା ଦ୍ୱାରା ରାଜପଥରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀମାନେ ସାମାଜିକ ଦୂରତା କେଉଁଭଳି ରକ୍ଷା କରିପାରିବେ। ପରବର୍ତ୍ତୀ ପ୍ରଶ୍ନ ହୋଇପାରେ ଭାରତୀୟ ଅର୍ଥନୀତିକୁ ଏହି ମୁହୂର୍ତ୍ତରେ ସୁଦୃଢ଼ କରିବା ସକାଶେ ଜାତୀୟ ରାଜପଥ ନିର୍ମାଣ ଏକମାତ୍ର ପନ୍ଥା କି? କାରଣ ଭାରତର କେନ୍ଦ୍ର ସରକାର ଅନ୍ୟ ଦେଶଗୁଡ଼ିକ ଭଳି କୌଣସି ଆର୍ଥିକ ପ୍ୟାକେଜ୍‌ ଚିନ୍ତା କରୁନାହାନ୍ତି, ଯେଉଁଥିରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପୁନର୍ଜୀବିତ ହୋଇପାରିବ। ରାଜପଥ ନିର୍ମାଣଠାରୁ ୧.୭ ଲକ୍ଷ କୋଟି ଟଙ୍କା ଗରିବଙ୍କ ପାଇଁ ଦିଆଯାଇଥିବା ଅର୍ଥ କେବଳ ଏକ ବିରାଟକାୟ ଦୁର୍ନୀତିକୁ ପ୍ରଶ୍ରୟ ଦେବା ଭଳି ମନେହେଉଛି। ନୂଆଦିଲ୍ଲୀର ବ୍ରିଟିଶ୍‌ ସମୟର କୋଠାଗୁଡ଼ିକୁ ଭାଙ୍ଗି ସେଣ୍ଟ୍ରାଲ ଭିଷ୍ଟା ନାମରେ ଆରମ୍ଭ କରାଯାଇଥିବା ନୂତନ ସହର ନିର୍ମାଣ ନିମନ୍ତେ ୨୦,୦୦୦ କୋଟି ଟଙ୍କା ବରବାଦ କରାଯିବାର ଯେଉଁ ଉଦ୍ଦେଶ୍ୟ ରଖାଯାଇଛି, ତାହା ଏବେ ସମ୍ପୂର୍ଣ୍ଣ ଭାବେ ଅଯଥା ଖର୍ଚ୍ଚ ଭଳି ମନେହେଉଛି। ଅନୁରୂପ ଭାବେ, ଆଜିର ପରିସ୍ଥିତିକୁ ଦେଖିଲେ ଭାରତ ସହ ଯୁଦ୍ଧ କଲା ଭଳି କୌଣସି ଦେଶ ସୀମା ଆରପଟେ ନାହିଁ। ପାକିସ୍ତାନ ଏକ ବିଫଳ ଦେଶ ଭାବେ ଭୁଶୁଡ଼ି ସାରିଲାଣି। ଅନ୍ୟପଟେ ଚାଇନାର ସାମରିକ କ୍ଷମତା ସହିତ ଭାରତ କେବେହେଲେ ନିଜକୁ ତୁଳନା କରିପାରିବ ନାହିଁ। ସେଥିପାଇଁ ପ୍ରବଳ ଅର୍ଥ ଖର୍ଚ୍ଚ କରାଯାଇ ମାତ୍ର ୩୬ଟି ରାଫାଲ ଲଢ଼ୁଆ ବିମାନ କିଣିବା ସପକ୍ଷରେ କୌଣସି ଯୁକ୍ତି ଦର୍ଶାଯାଇ ପାରିବ ନାହିଁ। ସୀମାନ୍ତରେ ଯଦି ୫ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟୁଛି, ଆଭ୍ୟନ୍ତରୀଣ ବିଶୃଙ୍ଖଳା ଯୋଗୁ ଛତିଶଗଡ଼ରେ ୧୭ ଜଣ ଯବାନଙ୍କ ମୃତ୍ୟୁ ଘଟୁଛି। ଏଭଳି ଆଭ୍ୟନ୍ତରୀଣ ନିରାପତ୍ତା ସମସ୍ୟାରେ ରାଫାଲ ବିମାନର କୌଣସି ଭୂମିକା ରହିବ ନାହିଁ। ସେଥିପାଇଁ ବିଗତ ବର୍ଷଗୁଡ଼ିକରେ ଅଦରକାରୀ ବିପୁଳ ଅର୍ଥ ଖର୍ଚ୍ଚକୁ କେନ୍ଦ୍ର ସରକାର ତତ୍‌କ୍ଷଣାତ୍‌ ବନ୍ଦ କରି ଦେଶରେ ଉପୁଜିଥିବା ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବା ଦରକାର।

କେବଳ ଶିଳ୍ପ, ବ୍ୟବସାୟ କିମ୍ବା ରାଜରାସ୍ତା ପାଇଁ ଚିନ୍ତା କଲେ ହେବ ନାହିଁ, ଦେଶବ୍ୟାପୀ ରବି ଫସଲର ଅମଳ ସମୟ ଚାଲିଛି। ଏହି ସମୟରେ କୃଷି ଶ୍ରମିକଙ୍କ ଦୁରବସ୍ଥା ସ୍ପଷ୍ଟ ଜଣାପଡୁଛି। ଆନ୍ଧ୍ର, ତେଲଙ୍ଗାନା, କର୍ନାଟକଠାରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ ସବୁ ରାଜ୍ୟର କୃଷିକ୍ଷେତ୍ରରେ କାମ କରୁଥିବା ବହୁସଂଖ୍ୟକ ଲୋକ ବିହାର, ଓଡ଼ିଶା ଓ ପୂର୍ବ ଉତ୍ତରପ୍ରଦେଶରୁ ଯାଇଥାଆନ୍ତି। ସେହି ଲୋକମାନେ ଏବେ କର୍ମକ୍ଷେତ୍ର ଛାଡ଼ି ନିଜ ଗ୍ରାମ ଅଭିମୁଖେ ଯିବାବେଳେ ବିଭିନ୍ନ ଜାଗାରେ ଅଟକି ଯାଇଛନ୍ତି। ତତ୍‌କ୍ଷଣାତ୍‌ ପୁନର୍ବାର ଏହି କର୍ମଜୀବୀମାନେ ସେହିସବୁ କୃଷିକ୍ଷେତକୁ ଫେରିଯିବେ ବୋଲି ବିଶ୍ୱାସ ହେଉନାହିଁ। ସେଥିପାଇଁ ରବି ଅମଳର ସମସ୍ୟା ଆରମ୍ଭ ହୋଇଗଲାଣି। କର୍ନାଟକ ଭଳି ରାଜ୍ୟରେ ଦେଶର ଅନ୍ୟ ସ୍ଥାନଠାରୁ ଶୀଘ୍ର ବର୍ଷାଋତୁ ଆସିଥାଏ। ସେଥିପାଇଁ ସେଠାରେ ଏବେଠାରୁ ଖରିଫ୍‌ ଫସଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯିବା କଥା। କିନ୍ତୁ ଶ୍ରମିକ ଅଭାବରୁ ତାହା କ୍ଷତିଗ୍ରସ୍ତ ହେବ ବୋଲି ଜଣାପଡୁଛି। ଦେଶର ଏହିସବୁ ମୁଖ୍ୟ ରାଜ୍ୟଗୁଡ଼ିକରେ କୃଷି ଶ୍ରମିକଙ୍କ ଅଭାବ ଦେଖାଦେଲେ ତାହା ଅନ୍ୟ ଏକ ବିରାଟକାୟ ସମସ୍ୟା ସୃଷ୍ଟି କରିବ। ଖାଦ୍ୟ ପଦାର୍ଥର ଅଭାବ ସୃଷ୍ଟି ହେବାକୁ ସମୟ ଲାଗିବ ନାହିଁ। ଯଦି ତାହା ହୁଏ, ତେବେ ଯେଉଁ ଅସମ୍ଭାଳ ପରିସ୍ଥିତି ଉପୁଜିବ ସେଥିପାଇଁ କେବଳ ରାଜ୍ୟ ସରକାରଗୁଡ଼ିକ ଦାୟୀ ରହିବେ।

ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରାଯିବା ନେଇ ଏକ ପ୍ରଶ୍ନ ମନକୁ ଆସୁଛି-ଜୀବନ ବଞ୍ଚାଇବା ଆଗ ନା ଜୀବିକା ସୁନିଶ୍ଚିତ କରିବା ଲାଗି ପ୍ରାଥମିକତା କାହାକୁ ଦିଆଯିବା ଉଚିତ। ଦେଖିବାକୁ ଗଲେ ଉଭୟର ସମାନ ଗୁରୁତ୍ୱ ରହିଛି। କିନ୍ତୁ ପରିସ୍ଥିତି ଯାହା ଦେଖାଗଲାଣି, ଜୀବନ ବଞ୍ଚତ୍ବା ପୂର୍ବରୁ ମଣିଷ ଭୋକ ଉପାସରେ ମରିଯାଇଥିବ। କେନ୍ଦ୍ର ସରକାର କେବଳ ଗରିବଙ୍କ ଚିନ୍ତା କରୁଛନ୍ତି ବୋଲି ଦେଖେଇ ହୋଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିଛି ଅର୍ଥ ପଠାଇ ଦେଉଛନ୍ତି। କିନ୍ତୁ ସେମାନଙ୍କୁ ଛାଡ଼ି ଯେଉଁ ବର୍ଗ ଭାରତୀୟ ଅର୍ଥନୀତିକୁ ଗତିଶୀଳ କରିଥାଏ, ତାହା ହେଉଛି ମଧ୍ୟବିତ୍ତ ଶ୍ରେଣୀ। ଛୋଟବଡ଼ ଦୋକାନଠାରୁ ଆରମ୍ଭକରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନେକ ଲକ୍ଷ ଲୋକଙ୍କୁ ରୋଜଗାରର ସୁଯୋଗ ଯୋଗାଇଥାଏ। ସେଥିପ୍ରତି ଯଦି ସରକାରଙ୍କ ଧ୍ୟାନ ନ ରହିବ ତେବେ ସାମାଜିକ ଅସ୍ଥିରତା ସୃଷ୍ଟି ହେବା ଅବଶ୍ୟମ୍ଭାବୀ।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?