ଗରିବଙ୍କୁ ବିପଦ ଆଧାର

ସମୀତ ପଣ୍ଡା ଓ ବିପୁଲ କୁମାର
ଧନକର ବେମାଲ, ବୟସ ଅଶୀ। କଳାହାଣ୍ଡି ଜିଲାର ଗୋଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ବଡ଼ଚେରଗଁା ଗ୍ରାମପଞ୍ଚାୟତର କର୍ଲା ଗ୍ରାମରେ ବସବାସ କରେ। ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର ମାସ ଚାଉଳ ସରକାରୀ ରାଶନ ଦୋକାନରୁ ଉଠାଇବା ପାଇଁ ତାଙ୍କୁ ମନା କରାଗଲା। କାରଣ ତାଙ୍କର ଆଧାର କାର୍ଡ ରାଶନ କାର୍ଡ ସହ ସଂଯୋଗ ହୋଇନାହିଁ। ଧନକର ବେମାଲ ଜଣେ ଭୂମିହୀନ ଲୋକ। ତାଙ୍କର ଖାଦ୍ୟ ସୁରକ୍ଷା ପାଇଁ ପିଡିଏସ୍‌ ଚାଉଳ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଧନକର ଚାରିଥର ଆଧାର ପଞ୍ଜୀକରଣ କେନ୍ଦ୍ରକୁ ଯାଇଛନ୍ତି, ମାତ୍ର ତାଙ୍କର ଅଙ୍ଗୁଳି ଛାପକୁ ମେଶିନ ପଢ଼ିପାରି ନାହିଁ। ତେଣୁ ତାଙ୍କର ଆଧାର ପଞ୍ଜୀକରଣ ହୋଇପାରିନାହିଁ।
ଧନକର କେବଳ ଜଣେ ମାତ୍ର ବ୍ୟକ୍ତି ନୁହନ୍ତି, ଯିଏକି ତାଙ୍କ ଖାଦ୍ୟ ସୁରକ୍ଷାର ମୁଖ୍ୟ ଉତ୍ସ ହରେଇଛନ୍ତି। ତାଙ୍କ ପରି ଆହୁରି ଓଡ଼ିଶାରେ ୧୯ଲକ୍ଷ ହିତାଧିକାରୀ ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହା କେବଳ ରାଶନ କାର୍ଡ ସହ ଆଧାରର ସଂଯୋଗୀକରଣ ହୋଇପାରି ନ ଥିବାରୁ ଘଟିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀ ସେମାନଙ୍କର ରାଶନ କାର୍ଡ ସହ ସେମାନଙ୍କର ଆଧାର କାର୍ଡକୁ ସଂଯୋଗ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା ଏବଂ ରାଜ୍ୟ ସରକାର ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ୨୦୧୯ ସେପ୍ଟେମ୍ବର ୧୫ ତାରିଖକୁ ସମୟସୀମା ଧାର୍ଯ୍ୟ କରିଥିଲେ।
୨୦୧୯ ସେପ୍ଟେମ୍ବର ୧୬ ତାରିଖରେ ରାଜ୍ୟ ସରକାର ପ୍ରକାଶ କରିଥିବା ତଥ୍ୟ ଅନୁସାରେ, ସମୁଦାୟ ୩.୨୬କୋଟି ହିତାଧିକାରୀଙ୍କ ମଧ୍ୟରୁ ୩.୦୭କୋଟି ସେମାନଙ୍କର ଆଧାର ସଂଯୋଗୀକରଣ କରିସାରିଛନ୍ତି। ଅବଶିଷ୍ଟ ୧୮.୬୬ଲକ୍ଷ ହିତାଧିକାରୀଙ୍କର ଆଧାର ସଂଯୋଗ ହୋଇନାହିଁ। ଯେହେତୁ ଖାଦ୍ୟଶସ୍ୟ ଦୁଇ ମାସ ପାଇଁ ଦିଆଯାଉଛି, ତେଣୁ ଆଧାର ସଂଯୋଗ ହୋଇ ନ ଥିବା ହିତାଧିକାରୀମାନଙ୍କୁ ସେପ୍ଟେମ୍ବର-ଅକ୍ଟୋବର ମାସର ଖାଦ୍ୟଶସ୍ୟ ଦେବାକୁ ମନା କରାଯାଇଛି।
ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ (ଖାଦ୍ୟ ଅଧିକାର ଉପରେ କାମ କରୁଥିବା ସଂଗଠନ ଓ ବ୍ୟକ୍ତିବିଶେଷଙ୍କର ଏକ ଅଣ-ଆନୁଷ୍ଠାନିକ ଫୋରମ୍‌) ତରଫରୁ ଏକ ତ୍ୱରିତ ସର୍ବେକ୍ଷଣ କରାଯାଇଥିଲା। ଏଥିରେ ସାମିଲ୍‌ ହୋଇଥିଲା ନବରଙ୍ଗପୁର ଜିଲାର ୨୫ଗୋଟି ଗ୍ରାମପଞ୍ଚାୟତ। ଏହି ସର୍ବେକ୍ଷଣ ସେପ୍ଟେମ୍ବର ୨୭ତାରିଖରୁ ଅକ୍ଟୋବର ୪ତାରିଖ ମଧ୍ୟରେ କରାଯାଇଥିଲା। ଏହି ସର୍ବେକ୍ଷଣରେ ଆଦିବାସୀ ପରିବାର (୬୫%), ଦଳିତ ପରିବାର (୧୩%), ପଛୁଆ ଜାତିର ପରିବାର (୨୧%) ଏବଂ ସାଧାରଣ ବର୍ଗର ପରିବାର (୧%) ସାମିଲ ଥିଲେ।
ସର୍ବେକ୍ଷଣର ଅଂଶବିଶେଷ ଭାବେ ୬୩ ଗୋଟି ଗ୍ରାମର ୨୭୨ ପରିବାରରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ସେହି ପରିବାରଗୁଡ଼ିକରୁ ତଥ୍ୟ ସଂଗ୍ରହ କରାଯାଇଥିଲା, ଯେଉଁମାନଙ୍କୁ ପରିବାରର କିଛି ସଦସ୍ୟ କିମ୍ବା ସମ୍ପୂର୍ଣ୍ଣ ପରିବାରକୁ ୨୦୧୯ ମସିହା ସେପ୍ଟେମ୍ବର ଓ ଅକ୍ଟୋବର ମାସର ଚାଉଳ ଉଠାଇବାକୁ ମନା କରାଯାଇଥିଲା, କାରଣ ସେମାନଙ୍କର ରାଶନ କାର୍ଡ ସହ ଆଧାର ସଂଯୋଗୀକରଣ ହୋଇ ନ ଥିଲା। ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ ମୋଟ ୨୭୨ ପରିବାରର ୧୨୭୧ ସଦସ୍ୟଙ୍କ ମଧ୍ୟରୁ ୪୩୫ ଜଣଙ୍କର ଆଧାର ସଂଯୋଗୀକରଣ ହୋଇ ନ ଥିଲା, ଯାହାକି ସର୍ବେକ୍ଷଣର ସମୁଦାୟ ହିତାଧିକାରୀର ପ୍ରାୟ ଏକ ତୃତୀୟାଂଶ।
ଯେଉଁ ୪୩୫ ଜଣଙ୍କର ଆଧାର ସଂଯୋଗ ହୋଇନାହିଁ ସେଥିମଧ୍ୟରୁ ପ୍ରାୟ ୩୫ପ୍ରତିଶତ ହିତାଧିକାରୀ ହେଉଛନ୍ତି ୧୦ବର୍ଷ ବୟସରୁ କମ୍‌ ବୟସର ଶିଶୁ। ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଲକ୍ଷୀନାଥ, ବୟସ ୧୧ ଏବଂ ଦିବାକର, ବୟସ ୮। ଉଭୟ କୋଷାଗୁମୁଡ଼ା ବ୍ଲକ୍‌ର ଆତିଗଁା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆତିଗଁା ଗ୍ରାମର କୌଶଲ୍ୟା ବାତ୍ରାଙ୍କ ସନ୍ତାନ। କୌଶଲ୍ୟା ତାଙ୍କର ଉଭୟ ପିଲାଙ୍କର ଆଧାର କାର୍ଡ ଗ୍ରାମପଞ୍ଚାୟତରେ ଦାଖଲ କରିଛନ୍ତି, ମାତ୍ର ତାହା ରାଶନ କାର୍ଡ ସହ ସଂଯୋଗ ହୋଇନାହିଁ। ତେଣୁ ଦୁଇ ସନ୍ତାନଙ୍କର ହକ୍‌ ମାସିକ ୧୦କିଗ୍ରା ରାଶନ ହିସାବରେ ଦୁଇ ମାସର ୨୦ କିଗ୍ରା ରାଶନ ଦିଆଯାଇନାହିଁ। ଏହା କେବଳ ଖାଦ୍ୟ ଶସ୍ୟର ପ୍ରସଙ୍ଗ ନୁହେଁ ବରଂ ଶିଶୁ ଖାଦ୍ୟ ସୁରକ୍ଷାର ଉଲ୍ଲଂଘନ।
ଯେଉଁ ୪୩୫ ଜଣଙ୍କର ଆଧାର ସଂଯୋଗ ହୋଇନାହିଁ, ସେମାନଙ୍କ ମଧ୍ୟରୁ ୧୮୫ (୪୩%) ଜଣଙ୍କର ଆଧାର ନମ୍ବର ନାହିଁ। ତେଣୁ ସେମାନେ ରାଶନ କାର୍ଡ ସହ ସଂଯୋଗ କରିବାକୁ ଅକ୍ଷମ। ସର୍ବେକ୍ଷଣ ସମୟରେ ୨୨୮ଜଣ (୫୩%) କହିଥିଲେ ଯେ ସେମାନଙ୍କର ଆଧାର ନମ୍ବର ଅଛି, ମାତ୍ର ସଂଯୋଗ ହୋଇ ନ ଥିବାରୁ ସେମାନଙ୍କୁ ଖାଦ୍ୟଶସ୍ୟ ଉଠାଇବାକୁ ମନା କରାଯାଇଛି। ଅତି ଦୁଃସ୍ଥ ଅବସ୍ଥାରେ ଥିବା ବ୍ୟକ୍ତିବିଶେଷ ଏଥିରେ ଅଛନ୍ତି। ଯେପରି କି ଉଅଁାସୀ ମାଝି- ଜଣେ ବୟୋବୃଦ୍ଧା ଓ ଚାଲିବା ପାଇଁ ଅକ୍ଷମ, ଡମଣୀ ଶବର- ତାଙ୍କର ଡାହାଣ ହାତର ଏକ ଅଙ୍ଗୁଳି ନାହିଁ।
ଅବସୋସର ବିଷୟ ଯେ, ପ୍ରଶାସନିକ ସ୍ଥାଣୁତା ପାଇଁ ଗରିବ ଲୋକ ଦଣ୍ଡ ଭୋଗୁଛନ୍ତି। ଉଦାହରଣ ସ୍ବରୂପ, ୭୨ ଜଣ (୧୭%) ବ୍ୟକ୍ତି ସେମାନଙ୍କର ଆଧାର କାର୍ଡ ଗ୍ରାମପଞ୍ଚାୟତରେ ଦାଖଲ କରିଛନ୍ତି, ୧୭ ଜଣ (୪%) ବ୍ୟକ୍ତି କହିଛନ୍ତି ଯେ ସେମାନଙ୍କର ଆଧାର ନମ୍ବର ରାଶନ କାର୍ଡରେ ଉଲ୍ଲେଖ ରହିଛି, ତଥାପି ସେମାନଙ୍କୁ ଆଧାର ସଂଯୋଗ ହୋଇନାହିଁ ବୋଲି କହି ଖାଦ୍ୟଶସ୍ୟ ଉଠାଇବାକୁ ମନା କରାଯାଇଛି। ଅନ୍ୟ ୨୩ ଜଣ (୫.୩%) ବ୍ୟକ୍ତି କହିଛନ୍ତି ଯେ ଆଧାର କାର୍ଡ ତଥ୍ୟ ସହ ରାଶନ କାର୍ଡ ତଥ୍ୟ ଯଥା ନାମ, ଗ୍ରାମ ମେଳ ଖାଉ ନ ଥିବାରୁ ଆଧାର ସଂଯୋଗ ହୋଇପାରୁ ନାହିଁ। ଠିକ୍‌ ସେହିଭଳି ଚଇତି ଭତ୍ରାର ୧୩ବର୍ଷର ଝିଅ ମଟାଇ ଭତ୍ରାଙ୍କୁ ଖାଦ୍ୟଶସ୍ୟ ଉଠାଇବାକୁ ମନା କରାଯାଇଛି। କାରଣ ତାଙ୍କର ମା’ଙ୍କ ନାମ ଆଧାର କାର୍ଡ ଓ ରାଶନ କାର୍ଡରେ ମେଳ ଖାଉନାହିଁ। କେବଳ ୧୭ ଜଣ ବ୍ୟକ୍ତି (୩.୫%)ଙ୍କର ରାଶନ କାର୍ଡରୁ ନାମ କଟିବା ଯଥାର୍ଥ ଦେଖାଯାଇଛି। ଏହି ୧୭ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୦ଜଣ ମରିଯାଇଛନ୍ତି ଏବଂ ଅବଶିଷ୍ଟ ୭ଜଣ ଯୁବତୀ ବିବାହ କରି ଅନ୍ୟତ୍ର ଚାଲିଯାଇଛନ୍ତି। ତେଣୁ ସରକାର ଆଧାର ସଂଯୋଗ ଉପରେ ଜୋର୍‌ ଦେବା ପରିବର୍ତ୍ତେ ପିଡିଏସ୍‌ ଡାଟାବେସ୍‌କୁ କିପରି ଗତିଶୀଳ କରାଯାଇପାରିବ ସେହି ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
ରାଶନ କାର୍ଡ ସହ ଆଧାରର ବାଧ୍ୟତାମୂଳକ ସଂଯୋଗୀକରଣ କିପରି ଏକ ତୃତୀୟାଂଶ ହିତାଧିକାରୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛି, ତାହା ନବରଙ୍ଗପୁର ସର୍ବେକ୍ଷଣରୁ ପ୍ରତିପାଦିତ ହେଉଛି। ଏତେ ବ୍ୟାପକ ପରିମାଣରେ ହିତାଧିକାରୀ ବଞ୍ଚିତ ହେବାର କାରଣ ସମ୍ଭବତଃ ଜିଲାର ଦୁର୍ଗମତା ହୋଇଥାଇପାରେ। ତେବେ ସେ ଯାହାହେଉ, ରାଜ୍ୟ ସରକାର ଏହାର ଟିକିନିଖି ବିବରଣୀ ପ୍ରକାଶ କରିବାର ଆବଶ୍ୟକତା ରହିଛି। ଯେଉଁମାନଙ୍କର ନାମ ରାଶନ କାର୍ଡରୁ କଟିଯାଇଛି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା କଥା। ସେମାନଙ୍କୁ ପଚରାଯିବା କଥା ଯେ କାହିଁକି ସେମାନଙ୍କର ନାମ ରାଶନ କାର୍ଡରୁ କଟାଯିବ ନାହିଁ ବୋଲି? ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଦାୟିତ୍ୱ ହେଉଛି ଆଧାର ସଂଯୋଗ ହୋଇ ନ ଥିବାରୁ ଯେଉଁମାନଙ୍କୁ ଖାଦ୍ୟଶସ୍ୟ ଉଠାଇବା ପାଇଁ ମନା କରାଯାଇଛି, ସେମାନଙ୍କର ନାମ ତାଲିକା ୱେବ୍‌ସାଇଟ୍‌ରେ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଗ୍ରାମପଞ୍ଚାୟତ ଓ ସୁଲଭ ମୂଲ୍ୟ ରାଶନ ଦୋକାନରେ ପ୍ରଦର୍ଶିତ କରିବା।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀଙ୍କ ପାଇଁ ଖାଦ୍ୟଶସ୍ୟ ପାଇବା ଏକ ମୌଳିକ ଅଧିକାର। ପ୍ରଯୁକ୍ତି କାରଣ ଯେପରି କି ଆଧାର ସଂଯୋଗୀକରଣ ହୋଇ ନ ପାରିବା ଭଳି ଘଟଣାରେ ସେମାନଙ୍କୁ ଖାଦ୍ୟଶସ୍ୟ ଉଠାଇବାକୁ ମନା କରିବା ଆଇନରେ ଥିବା ମୌଳିକ ବିଷୟର ପରିପନ୍ଥୀ। ତେଣୁ ଯେଉଁମାନଙ୍କୁ ଗତ ଦୁଇମାସର ଖାଦ୍ୟଶସ୍ୟ ଦିଆଯାଇନାହିଁ, ସେମାନଙ୍କୁ ତୁରନ୍ତ ତାହା ପ୍ରଦାନ କରାଯିବା ଉଚିତ।
ଉଚ୍ଚତମ ନ୍ୟାୟାଳୟ ନିଜର ଏକ ରାୟରେ କହିଛନ୍ତି ଯେ ଆଧାର ଅଭାବ ହେତୁ କୌଣସି ହିତାଧିକାରୀଙ୍କୁ ସେମାନଙ୍କ ହକ୍‌ରୁ ବଞ୍ଚିତ କରାଯାଇ ପାରିବ ନାହିଁ। ଯେଉଁ ହିତାଧିକାରୀମାନଙ୍କ ଆଧାର ସଂଯୋଗ ହୋଇପାରି ନାହିଁ, ସେମାନଙ୍କୁ ଖାଦ୍ୟଶସ୍ୟ ଉଠାଇବାକୁ ମନାକରିବା ପ୍ରସଙ୍ଗରୁ ରାଜ୍ୟ ସରକାର ନିବୃତ୍ତ ରହିବା କଥା। ରାଜ୍ୟ ସରକାର ମନେରଖିବା ଉଚିତ ଯେ, ପଡ଼ୋଶୀ ରାଜ୍ୟ ଝାଡଖଣ୍ଡରେ ବାଧ୍ୟତାମୂଳକ ଆଧାର ସଂଯୋଗୀକରଣ ପରିପ୍ରେକ୍ଷୀରେ କିପରି ସନ୍ତୋଷୀ କୁମାରୀଙ୍କ ଜୀବନ ଅକାଳରେ ଝଡ଼ିପଡ଼ିଛି।
ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ, sameet1983@gmail.com, rebelvipul@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri