ମା’ କାଳୀଙ୍କ ରୂପତତ୍ତ୍ୱ

ଡ. ଭାଗ୍ୟଲିପି ମଲ୍ଲ
ଆଉ ଦିନକ ପରେ ଦୀପାବଳୀ ଓ କାଳୀପୂଜା। ଏହିଦିନ ଆମେ ମା’ କାଳୀଙ୍କୁ ଆବାହନ କରିବା। ମାତ୍ର କାହିଁକି ମମତାମୟୀ ମା’ର ଏ ଭୟଙ୍କର ରୂପ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। ଏହାର ଉତ୍ତର ଜାଣିବା ପାଇଁ ଆମକୁ ପୁରାଣପୃଷ୍ଠାକୁ ଅବଲୋକନ କରିବାକୁ ହେବ। ଅବଶେଷରେ ଭୂଲୁଣ୍ଠିତ ହେଲା ମହିଷାସୁର। ସକଳ ଦର୍ପ, ସାମର୍ଥ୍ୟ, ଅହଂକାର ମୁହୂର୍ତ୍ତକରେ ଚୂନା ହୋଇଗଲା। ଅଶୁଭ ଶକ୍ତିର ପ୍ରତୀକ ମହିଷାର ଅହଂକାରରୁ ସଂସାରର ମୁକ୍ତି ଓ ଆନନ୍ଦ ପାଇଁ ସେଦିନ ମହାଶୂନ୍ୟରେ ସଞ୍ଚରିଗଲା ମାତୃତ୍ୱର କ୍ରୋଧପୂର୍ଣ୍ଣ ରୂପ। ସେ ଏବେ ବନ୍ଧନମୁକ୍ତ, ହୃଦୟରେ ରକ୍ତର ଛିଟା। ପାଦତଳେ ପୁଅର ରକ୍ତଭିଜା ଶବ। ଆଉ ସେ ନିଜେ? ନିଜକୁ ଚାହିଁଲେ, ଅନୁଭବ କଲେ, ଏକ ଅସହାୟ ନଗ୍ନତା। ମୁହୂର୍ତ୍ତକରେ ଚହଲିଗଲା ତାଙ୍କ ଚେତନା। ମାତୃତ୍ୱ ଓ ନାରୀତ୍ୱ ନିଜ ପାଖରେ କେତେ ଅସହାୟ ନୁହେଁ ସତରେ? କାରଣ ଭେଦିବାକୁ ତାଙ୍କୁ ସମୟ ଲାଗିଲାନି। ସେ ଅନୁଭବ କଲେ, ତାଙ୍କ ମହାମାତୃତ୍ୱ ଯେପରି ଦେବତାମାନଙ୍କର ଅହଂ-ପ୍ରତାରିତା।
ବଦଳିଗଲା ଦେହର ରଙ୍ଗ। ମହାକ୍ରୋଧର ରଙ୍ଗ କଳା। ଏବେ ସେ କାଳୀ। ରକ୍ତାଭ ଆଖି। ବେକରେ ମଣିଷର ମୁଣ୍ଡ ଓ ହାଡ଼ର ମାଳ। ଗୋଟିଏ ହାତରେ ପାନପାତ୍ର-ଖପୁରି, ଆର ହାତରେ ଖଡ୍‌ଗ। ଗୋଟିଏ ହାତରେ ତଳକୁ ଝୁଲି ରହିଛି ମଣିଷର କଟାମୁଣ୍ଡ, ଅନ୍ୟ ହାତଟିରେ ବରଦମୁଦ୍ରା। ମୁକୁଳା ଆଲୁଳାୟିତ କେଶ। ଲହଲହ ଜିଭ ଏବଂ ବିବସନା। ହାତ ଓ ପାଦରେ କରାଳ ଗତି, ଅବିଶ୍ରାନ୍ତ। ଏବେ ଲୋହିତଯାତ୍ରାର ପଦଧ୍ୱନି। ଦେବତାମାନଙ୍କ ଛଳନା ତାଙ୍କୁ ଉନ୍ମାଦିନୀ କରିଦେଲା। ନା, ଏବେ ସେ କାହାକୁ ବି ବଞ୍ଚତ୍ବାକୁ ଦେବେନି। ସଂହାର କରିବେ ସକଳ ସୃଷ୍ଟି।
ଏଣେ ଅଶୁଭଶକ୍ତିର ବିନାଶରେ ପୁଲକିତ ହେଉଥିବା ଦେବତାମାନେ ଉତ୍ସବ ମନାଉଥିଲେ। କାରଣ ଥିଲା ସୃଜନଶକ୍ତିକୁ ମଧ୍ୟ କ୍ଷମତାର ଶକ୍ତି ଅନ୍ଧ କରିଦେଇପାରେ। ମାତ୍ର ହଠାତ୍‌ ବଦଳିଗଲା ପରିମଣ୍ଡଳ। ଦେବଗଣ ଅନୁଭବ କଲେ, ସେମାନେ ଯେପରି କ୍ଷମତାପୀଡ଼ିତ ଏକ ଏକ ଅସହାୟତା। ଆଗରେ ନା ସମଗ୍ର ଜଗତରେ କାଳାନ୍ତରର ମହାରୂପ। ମହାକାଳୀଙ୍କର ସଂହାରଲୀଳା। ଅପେକ୍ଷା ରହିଛି ପୁନଃସୃଜନର। ମହାକାଳୀଙ୍କର ଏହି ତେଜୋଦୀପ୍ତ ରୂପ ଥିଲା ସେମାନଙ୍କ ପାଇଁ ପ୍ରଥମ ଓ ସ୍ବତନ୍ତ୍ର, ଅବର୍ଣ୍ଣନୀୟ। ସେମାନେ ଆତଙ୍କିତ, ଆତଙ୍କିତ ନିଜ ନିଜ ଅସ୍ତିତ୍ୱର ସୁରକ୍ଷା ପାଇଁ। ସେମାନେ ପ୍ରଥମଥର ପାଇଁ ଅନୁଭବ କଲେ ସୃଜନଶକ୍ତିର କ୍ରୋଧ ଆଗରେ କେତେ ଅସହାୟ କ୍ଷମତାର ଅହଂକାର। କାରଣ ସେଇ ଦେବତାମାନେ ହିଁ ମହିଷାକୁ ଅଭିଶାପ ଦେଇଥିଲେ, ମାତୃତ୍ୱର ଉଲଗ୍ନ ଦର୍ଶନ ହିଁ ହେବ ତା’ର ମୃତ୍ୟୁର କାରଣ। ମାତ୍ର ଏ ବୀଭତ୍ସ ରହସ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସ୍ବୟଂ ଆଦିମାତା। ଏ ରହସ୍ୟର ଭେଦ ଜାଣିବା ମାତ୍ରକେ ଚହଲିଗଲା ତାଙ୍କ ଚେତନା, ମାତୃତ୍ୱ ବିପ୍ଳବ କରିବାକୁ ଲାଗିଲା। ଲାଜ ଓ କ୍ରୋଧ ଏବେ ଏକାକାର।
ଦେବଗଣଙ୍କ ଭିତରେ ଦ୍ୱନ୍ଦ୍ୱ। କିପରି ରକ୍ଷା କରାଯାଇପାରିବ ସକଳ ସୃଷ୍ଟିକୁ? ବାଟ ଦିଶିଗଲା। ଅନୁଭବ କଲେ, ମରଣର ବିଷଜ୍ୱାଳାରୁ ଜଗତର ତ୍ରାଣ ପାଇଁ କେବଳ ଜଣେମାତ୍ର ସମର୍ଥ ବ୍ୟକ୍ତିତ୍ୱ, ସେ ନୀଳକଣ୍ଠ, ମହାଯୋଗୀ ଶିବ। ମହାମାୟାଙ୍କ ପ୍ରେମିକ ସ୍ବାମୀ। ସେମାନେ ମଙ୍ଗଳମୟଙ୍କ ଶରଣାପନ୍ନ ହେଲେ ସୃଷ୍ଟିକୁ ପୁନଃ ବିନାଶରୁ ରକ୍ଷା କରିବା ପାଇଁ। ମହାନଟ ଶିବଙ୍କ ମୁହଁରେ ଫୁଟିଉଠିଲା ପୌରୁଷର ହସ। ଅସ୍ତିବାଚକ ଆଶ୍ୱାସନା। ସେ ଜାଣନ୍ତି, ଭଲଭାବରେ ଜାଣନ୍ତି, ମହାମାୟାଙ୍କ ସର୍ଜନା ଆକାଂକ୍ଷାର ମହାନନ୍ଦରେ ବାରମ୍ବାର ନିଜର ଅସ୍ତିତ୍ୱକୁ ଆହୁତି ଦେଉଥିବା ସେ ହିଁ ଜଣେମାତ୍ର ନିର୍ଲିପ୍ତ ଅହଂକାର।
ପୁରୁଷର ପାଦ ଏଥର ପ୍ରକୃତି ପାଖକୁ। ତା’ ଆଗରେ ପ୍ରକୃତି ପ୍ରତି ମୁହୂର୍ତ୍ତରେ ବଦଳି ଯାଉଥିବା ଏକ ପ୍ରୀତିପଦ ଅସ୍ତିତ୍ୱ। ମହାକାଳୀ ରୂପରେ ଏବେ କେମିତି ଦିଶୁଥିବେ ସତୀ, ପାର୍ବତୀ? ମହାଭୈରବଙ୍କ ଚେତନାରେ ମହାକାଳୀଙ୍କ ରୂପତୃଷ୍ଣାକୁ ଶାନ୍ତ କରିବା ପାଇଁ ଉନ୍ମାଦନା। ସତେଯେପରି ମହାକାଳଙ୍କର ଅନ୍ୟ ଏକ ମୃତ୍ୟୁକୁ ଅପେକ୍ଷା।
ପ୍ରେମିକା ପତ୍ନୀଙ୍କ ଗତିର ଦିଗ ବାରି ଊର୍ଦ୍ଧ୍ୱମୁଖ ହୋଇ ଶୋଇପଡ଼ିଲେ ବାଟରେ। ସଂହାରିଣୀ ପତ୍ନୀଙ୍କ ପାଦ ଏବେ ପତିଙ୍କ ଛାତି ଉପରେ। ପତ୍ନୀଙ୍କର ଏ ରୂପ ଥିଲା ତାଙ୍କ ପାଇଁ ଅଦ୍ଭୁତ ଓ ଅନନ୍ୟ। ଅନୁଭବ କଲେ, ପ୍ରିୟତମାଙ୍କର ଗୋଟିଏ ହାତରେ ଜ୍ଞାନ (ଖଡ୍‌ଗ)- ସାଧକକୁ ମୁକ୍ତ କରୁଛି ଅଜ୍ଞାନତାର ଅନ୍ଧକାରରୁ; ଅନ୍ୟ ହାତରେ ତତ୍ତ୍ୱଜ୍ଞାନ (ମଣିଷର ଖପୁରି)- ଜ୍ଞାନତତ୍ତ୍ୱର ଆଲୋକ, ବାମ ହାତରେ ମଣିଷର କଟାମୁଣ୍ଡ- ମୃତ୍ୟୁଞ୍ଜୟୀ ହେବାର ସଂକଳ୍ପ, ଦକ୍ଷିଣ ହାତରେ ଭୟରୁ ମୁକ୍ତିବୋଧ (ଅଭୟମୁଦ୍ରା)ର ଆନନ୍ଦ ଓ ଜୀବନର ପ୍ରତିଶ୍ରୁତି ଏବଂ ମୁକୁଳା କେଶରେ କାମନାମୁକ୍ତିର ସଙ୍ଗୀତ। ଗଳାରେ ଲମ୍ବିତ ମୁଣ୍ଡମାଳର ଅକ୍ଷର(ଶବ୍ଦ) ଏବଂ ଲୋଳଜିହ୍ବାରେ କାଳକୁ କବଳିତ କରିବାର ମନ୍ତ୍ର।
ପ୍ରକୃତିର ଉନ୍ମୁକ୍ତ ରୂପ ଭିତରେ ଆତ୍ମମଗ୍ନ ହେବାର ପ୍ରବଳ ଇଚ୍ଛାଶକ୍ତି ଶିବଙ୍କ ଚେତନାରେ ଉଚ୍ଚକିତ ହେବାରେ ଲାଗିଲା। ଶବ ମାଧ୍ୟମରେ ସେ ଆତ୍ମପ୍ରକାଶ କଲେ। ଜାଗ୍ରତ ପୌରୁଷ। ପୌରୁଷର ସ୍ପର୍ଶରେ ପ୍ରକୃତି ଚେତନାରେ ଚମକ। ରାଗରେ କାନ୍ଦୁଥିଲେ। କାନ୍ଦୁ କାନ୍ଦୁ ହସିଦେଲେ। ଜାଗ୍ରତ କୁଣ୍ଡଳିନୀ। ପ୍ରକୃତି ଓ ପୁରୁଷଙ୍କର ଏବେ ମହାମିଳନ ମଶାଣିରୂପକ କାଳଭୂମିରେ। ଆଖିରେ ଆଖି ମିଶିଗଲା। ଶାନ୍ତ ଓ ସଜଳ। ଚାହିଁଲେ ନିଜକୁ। ଲାଜେଇ ଗଲେ। ଫୁଲ ହୋଇଗଲେ। ଗୋଟିଏ ନୁହେଁ; ଅଗଣିତ ଫୁଲ। ପ୍ରେମ, ମାତୃତ୍ୱ, ସେବା, ତ୍ୟାଗ, ସୌନ୍ଦର୍ଯ୍ୟ, ତିତିକ୍ଷା- ସକଳ ଭାବର ଫୁଲ। ସମସ୍ତେ ଏବେ ତା’ କୋଳରେ, ସମସ୍ତେ ଏବେ ତା’ର ପ୍ରେମ। ଆମେ ସେହି ମା’ କାଳୀଙ୍କୁ ଆରାଧନା କରିବା ।
ମୋ-୯୪୩୯୨୮୧୫୬୧


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri