କାଷ୍ଠ ପାଷାଣ ତରୁ ତୃଣେ

ଦୋଳଗୋବିନ୍ଦ ପଣ୍ଡା
ଭାରତରେ ଶକ୍ତି-ଆରାଧନାର ପରମ୍ପରା କେବେ ଆରମ୍ଭ ହେଲା କହିବା ସହଜ ନୁହେଁ। ପୁରାଣରୁ ଯାହା ଜଣାଯାଏ ସତ୍ୟଯୁଗରେ ରାଜା ସୁରଥ ଏବଂ ତ୍ରେତାଯୁଗରେ ରଘୁକୁଳତିଳକ ରାଜା ରାମଚନ୍ଦ୍ର ମହାଶକ୍ତିଙ୍କର ମୂର୍ତ୍ତିଭୂତା ଶକ୍ତିଦାୟିନୀ ମା’ ଦୁର୍ଗାଙ୍କର ଉପାସନା କରିଥିଲେ। ସେମାନଙ୍କ ଭକ୍ତିରେ ମାଆ ସନ୍ତୁଷ୍ଟ ହୋଇ ଅଭୀଷ୍ଟସିଦ୍ଧିର ବରପ୍ରଦାନ କରିଥିଲେ। ଦ୍ୱାପରଯୁଗରେ ଗୋପାଙ୍ଗନାମାନେ ପ୍ରିୟତମ କୃଷ୍ଣଙ୍କର ମଙ୍ଗଳକାମନା କରି ପୌର୍ଣ୍ଣମାସୀଙ୍କର ଆରାଧନା କରିଥିଲେ। ଶ୍ରୀମତୀ ରାଧା ତ ପୌର୍ଣ୍ଣମାସୀ ମା’ ଦୁର୍ଗାଙ୍କର ସାକ୍ଷାତ୍‌ ଦର୍ଶନ ଲାଭ କରି ତାଙ୍କଠାରୁ କୃଷ୍ଣମନ୍ତ୍ର ପ୍ରାପ୍ତ ହୋଇଥିଲେ ଏବଂ ସେହି ନାମର ସାଧନଭଜନରେ ମଜ୍ଜିଯାଇଥିଲେ ବୋଲି ପୁରାଣରେ ବର୍ଣ୍ଣନା ଅଛି। ବିଦଗ୍ଧକବିଙ୍କ ଭାଷାରେ
”ଯେଉଁ ନାମ ଶୁଣାଇ ଗଲେ ପୂର୍ଣ୍ଣମାସୀ।
ଚିନ୍ତାସିନ୍ଧୁକୁ ହେଲା ସେ ପୂର୍ଣ୍ଣମାସୀ ଯେ।ା“ (ବି.ଚି.)
କଳିଯୁଗରେ ଶ୍ରୀରାମକୃଷ୍ଣ ପରମହଂସ ମା’ କାଳୀଙ୍କର ପୂଜାନିରତ ରହି ଚିନ୍ମୟୀ ଜନନୀରୂପରେ ତାଙ୍କର ଦର୍ଶନଲାଭ ଓ ତାଙ୍କ ସହ ବାକ୍ୟାଳାପ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ତନ୍ତ୍ରଗୁରୁ ବାମାକ୍ଷେପା ଏବଂ ପରିବ୍ରାଜକାଚାର୍ଯ୍ୟ ନିଗମାନନ୍ଦ ପରମହଂସ ମଧ୍ୟ ସ୍ବକୀୟା ସାଧନା ବଳରେ ମା’ କାଳୀଙ୍କର ଦର୍ଶନଲାଭ କରିଥିଲେ। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଅତି ଛୋଟ ବୟସରେ ମା’ କାଳୀଙ୍କର ବହୁବାର ଦର୍ଶନଲାଭ କରିଛନ୍ତି। ଏକଦା ମା’ କାଳୀ ତାଙ୍କୁ ସ୍ତନ୍ୟପାନ କରାଇବା କଥା ତାଙ୍କର ଏକାଧିକ ଜୀବନୀପୁସ୍ତକରୁ ଜଣାଯାଏ। ଅସଲ କଥା ହେଉଛି ଭକ୍ତି ଓ ବିଶ୍ୱାସ। ମନ ଓ ଚରିତ୍ର ନିର୍ମଳ ହୋଇ ନ ଥିଲେ ଏବଂ ଶ୍ରଦ୍ଧା ଓ ବିଶ୍ୱାସ ନ ଥିଲେ ମାଆଙ୍କର ଦର୍ଶନଲାଭ ସମ୍ଭବ ନୁହେଁ।
ଯେଉଁମାନେ ହିନ୍ଦୁମାନଙ୍କୁ ପୌତ୍ତଳିକ କହି ଉପହାସ କରନ୍ତି ସେମାନେ ମୂର୍ତ୍ତିପୂଜାର ଜୀବନ୍ୟାସ ତତ୍ତ୍ୱ ଜାଣନ୍ତି ନାହିଁ। ବ୍ରହ୍ମୋପାସନା ସର୍ବଶ୍ରେଷ୍ଠ ହେଲେ ମଧ୍ୟ ତାହା କେବଳ ଉତ୍ତମ ଅଧିକାରୀମାନଙ୍କ ଲାଗି ଉଦ୍ଦିଷ୍ଟ। ଶାସ୍ତ୍ର ମତରେ-
”ଉତ୍ତମୋ ବ୍ରହ୍ମସଦ୍‌ଭାବୋ ଧ୍ୟାନଭାବସ୍ତୁ ମଧ୍ୟମଃ।
ସ୍ତୁତିଜପୋଽଧମଭାବୋ ବାହ୍ୟ ପୂଜା ଧମାଧମଃ।ା“
ଅର୍ଥାତ୍‌ ବ୍ରହ୍ମସଦ୍‌ଭାବ ଉତ୍ତମ (ଅବତାର ପୁରୁଷ ବା ସଦ୍‌ଗୁରୁଙ୍କ ସଙ୍ଗଲାଭ), ଧ୍ୟାନଭାବ ମଧ୍ୟମ (ତାଙ୍କର ସାକ୍ଷାତ୍‌ ଅଭାବରେ ତାଙ୍କ ବିଷୟରେ ଗଭୀର ଭାବରେ ଚିନ୍ତା କରିବା), ସ୍ତୁତିଜପ ଅଧମ ଏବଂ ବାହ୍ୟପୂଜା (ଭାବଭକ୍ତିହୀନ ମୂର୍ତ୍ତିପୂଜା) ଅଧମାଧମ।
ସେହି ମୂର୍ତ୍ତିପୂଜାରେ ଭାବଭକ୍ତି ଯୋଗ ହୋଇଗଲେ ତାହା ଆଉ ଅଧମାଧମ ହେବ ନାହିଁ। ଈଶ୍ୱରୀୟ ଚିନ୍ତାଭାବନାରୁ ସର୍ବଦା ଦୂରରେ ରହୁଥିବା ଏବଂ ସାଂସାରିକ ଜଞ୍ଜାଳରେ ବୁଡ଼ିରହୁଥିବା ଅଧମ ଅଧିକାରୀମାନଙ୍କ ମନରେ କିଛି ସମୟ ଅନ୍ତତଃ ଈଶ୍ୱରୀୟ ଚିନ୍ତା ଜାଗ୍ରତ କରାଇବାରେ ଏହି ମୂର୍ତ୍ତିପୂଜା ସାହାଯ୍ୟ କରିଥାଏ। ତେଣୁ ତାହା ନିନ୍ଦନୀୟ ବା ପରିତ୍ୟଜ୍ୟ ନୁହେଁ। ତେବେ ଆମକୁ ମନେରଖିବାକୁ ହେବ ଯେଉଁ ମୂର୍ତ୍ତି ଆମେ ପୂଜା କରୁଛୁ ତାହା କୌଣସି କାଷ୍ଠ, ପାଷାଣ ବା ମୃତ୍ତିକା ନୁହେଁ- ସେହି ମୂର୍ତ୍ତି ଭିତରେ ଜଗନ୍ମାତା ଜୀବନ୍ତରୂପରେ ବିରାଜିତା। ମୂର୍ତ୍ତିକୁ ଜୀବନ୍ତ ମନେକରିବା ପାଇଁ ପୂଜାବିଧାନରେ ଜୀବନ୍ୟାସ, ଚକ୍ଷୁଦାନ, ଆସନଦାନ, ବସ୍ତ୍ର-ଆଭୂଷଣଦାନ, ଗନ୍ଧ-ପୁଷ୍ପ-ଧୂପ-ଦୀପ-ନୈବେଦ୍ୟ ଆଦି ଦାନର ବ୍ୟବସ୍ଥା ରହିଛି। ପିତୁଳା ଭାବନାରେ ଆମେ କ’ଣ ଏସବୁ ଦାନ କରୁ? ସ୍ବୟଂ ଦେବୀ ଆମ ସମ୍ମୁଖରେ ଉପସ୍ଥିତା ମନେକରି ଆମେ ଏପ୍ରକାର ଶାସ୍ତ୍ରୀୟ ଉପାସନା ଓ ଆରାଧନା ପଦ୍ଧତି ଅବଲମ୍ବନ କରିଥାଉ। ଏହା ହେଉଛି ସଗୁଣ ଉପାସନା ପଦ୍ଧତି। ନିର୍ଗୁଣରୂପରେ ମଧ୍ୟ ଆମେ ପରଂବ୍ରହ୍ମସ୍ବରୂପିଣୀ ସଚ୍ଚିଦାନନ୍ଦମୟୀ ମାଆଙ୍କର ପୂଜା କରିପାରିବା। ଦେବୀ ଭାଗବତରେ ସେଥିପାଇଁ କୁହାଯାଇଛି-
”ନିର୍ଗୁଣା ସଗୁଣା ଚେତି ଦ୍ୱିଧା ପ୍ରୋକ୍ତା ମନୀଷିଭିଃ।
ସଗୁଣା ରାଗିଭିଃ ସେବ୍ୟା ନିର୍ଗୁଣା ତୁ ବିରାଗିଭିଃ।ା“
ଅର୍ଥାତ୍‌, ବ୍ରହ୍ମମୟୀଙ୍କର ଉପାସନା ସଗୁଣ-ନିର୍ଗୁଣ ଭେଦରେ ଦୁଇ ପ୍ରକାରେ କରାଯାଏ। ରାଗୀ (ସଂସାରାସକ୍ତ ବ୍ୟକ୍ତି)ମାନେ ସଗୁଣରୂପରେ ଏବଂ ବିରାଗୀ (ନିଃସ୍ପୃହ ସନ୍ନ୍ୟାସୀ)ମାନେ ନିର୍ଗୁଣରୂପରେ ତାଙ୍କର ପୂଜା କରନ୍ତି। ଆମେ କେହି ସଂସାର ପ୍ରତି ଅନାସକ୍ତ ସର୍ବତ୍ୟାଗୀ ସନ୍ନ୍ୟାସୀ ନୋହୁ କିମ୍ବା ସେମାନଙ୍କ ପରି ଜ୍ଞାନୀ ନୋହୁ। ତେଣୁ ସଗୁଣ ଉପାସନା ବ୍ୟତୀତ ଆମ ପାଖରେ ଅନ୍ୟ ବିକଳ୍ପ ନାହିଁ।
ଯେ କେହି ଭକ୍ତିର ସହ ମାଆଙ୍କର ପୂଜା କରେ ତା’ର ପୂଜା କେବେହେଲେ ନିଷ୍ଫଳା ହୁଏ ନାହିଁ। ଏ ବିଶ୍ୱାସ ଆମର ରହିବା ଉଚିତ। ତେବେ ପୂଜା କରି ଆମେ ପାଉ କ’ଣ? ଯେ ଯେଉଁପରି ଭକ୍ତିଭାବରେ ପୂଜା କରେ ସେ ତା’ର ସେହି ଭାବ ଅନୁଯାୟୀ ଫଳ ପାଏ। ଗୀତାରେ ଚାରି ପ୍ରକାର ଭକ୍ତଙ୍କ ବିଷୟ ଉଲ୍ଲେଖ କରାଯାଇଛି-
”ଚତୁର୍ବିଧାଃ ଭଜନ୍ତେ ମାଂ ଜନାଃ ସୁକୃତିନୋଽର୍ଜୁନ।
ଆର୍ତ୍ତରର୍ଥାର୍ଥୀ ଜିଜ୍ଞାସୁ ଜ୍ଞାନୀ ଚ ଭରତର୍ଷଭ।ା“
ଆର୍ତ୍ତ ଭକ୍ତ ବିପଦରେ ପଡ଼ି ‘ମାଆ ମୋତେ ରକ୍ଷା କର’ ବୋଲି ଡାକେ ଓ ଭକ୍ତି ଅନାବିଳ ଥିଲେ ମାଆ ସେ ଡାକ ଶୁଣନ୍ତି। ଅର୍ଥାର୍ଥୀ ଭକ୍ତ ନିଜର ସାଂସାରିକ ଅଭାବ-ଅସୁବିଧା ଜଣାଇ ଅଧିକ ସୁଖ-ସ୍ବାଚ୍ଛନ୍ଦ୍ୟରେ ରହିବାକୁ ପ୍ରାର୍ଥନା କରେ। ଜିଜ୍ଞାସୁ ଭକ୍ତ ସୃଷ୍ଟିର କାରଣ ଓ ନାନାବିଧ ତତ୍ତ୍ୱ ଜାଣିବା ପାଇଁ ପ୍ରାର୍ଥନା କରେ। ଜ୍ଞାନୀ ଭକ୍ତ ସେହି ଜଗଜ୍ଜନନୀ ହିଁ ଚରାଚର ବ୍ରହ୍ମାଣ୍ଡର ଉଦ୍ଭବ-ସ୍ଥିତି-ସଂହାରକାରିଣୀ ବୋଲି ଜାଣି ନିଷ୍କାମ ଭାବେ ତାଙ୍କର ଆରାଧନା କରେ। ନିଃସ୍ପୃହ ସନ୍ନ୍ୟାସୀମାନଙ୍କ ବ୍ୟତୀତ ଆମେ କେହି ଜ୍ଞାନୀ ପର୍ଯ୍ୟାୟର ଭକ୍ତ ନୋହୁ। ତେଣୁ ଆମେ ଆମର ନାନାବିଧ କାମନାର ପରିପୂର୍ତ୍ତି ନିମନ୍ତେ ମାଆଙ୍କର ପୂଜା କରୁ। ମାଆଙ୍କର ଜୟନ୍ତୀ, ମଙ୍ଗଳା, କାଳୀ, ଭଦ୍ରକାଳୀ, କପାଳିନୀ, ଦୁର୍ଗା, କ୍ଷମା, ଶିବା, ଧାତ୍ରୀ, ସ୍ବାହା, ସ୍ବଧା, ଚାମୁଣ୍ଡା, ଭୂତାର୍ତ୍ତିହାରିଣୀ, କାଳରାତ୍ରି, ମହିଷମର୍ଦ୍ଦିନୀ, ଚଣ୍ଡମୁଣ୍ଡବିନାଶିନୀ ଆଦି ବିଭିନ୍ନ ନାମୋଚ୍ଚାରଣପୂର୍ବକ ସ୍ତୁତି କରି ପ୍ରାର୍ଥନା କରୁ-
”ଦେହି ସୌଭାଗ୍ୟମାରୋଗ୍ୟଂ ଦେହି ମେ ପରମଂ ସୁଖମ୍‌।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ୱିଷୋ ଜହି।ା“ (ଶ୍ରୀଚଣ୍ଡୀ)
ଅର୍ଥାତ୍‌ ହେ ଦେବି! ମୋତେ ସୌଭାଗ୍ୟ, ଆରୋଗ୍ୟ ଓ ପରମ ସୁଖ ପ୍ରଦାନ କର। ମୋତେ ରୂପ (ଆତ୍ମସ୍ବରୂପର ଜ୍ଞାନ) ଦିଅ, ଜୟ (ମୋହ ଉପରେ ବିଜୟ) ଦିଅ, ଯଶ (ରିପୁଜୟ ତଥା ଜ୍ଞାନପ୍ରାପ୍ତିରୂପକ ଯଶ) ଦିଅ ଏବଂ ମୋର (କାମ, କ୍ରୋଧ, ଲୋଭ ଆଦି) ଶତ୍ରୁମାନଙ୍କୁ ବିନାଶ କର। ମାଆ ସନ୍ତାନର ଏପରି ପ୍ରାର୍ଥନା ଶୁଣନ୍ତି। ଶୁଣିଥିଲେ ସତ୍ୟଯୁଗରେ ରାଜା ସୁରଥଙ୍କର ଏବଂ ତ୍ରେତାଯୁଗରେ ରଘୁପତି ରାମଙ୍କର ପ୍ରାର୍ଥନା। କଳିଯୁଗରେ କାଳିଦାସ ଓ ସାରଳାଦାସ ମା’ଙ୍କର ଆରାଧନା କରି ମହାକବି ବୋଲାଇଛନ୍ତି। ମା’ଙ୍କର ଦୟାର ପଟାନ୍ତର ନାହିଁ। କିନ୍ତୁ ସେଇ ପରମ କଲ୍ୟାଣମୟୀ ଭୂତାର୍ତ୍ତିହାରିଣୀ ମାଆ ପ୍ରତିବର୍ଷ ଏଇ ଶରତ ଋତୁରେ ସର୍ବତ୍ର ପୂଜିତା ହୋଇ ମଧ୍ୟ ଭକ୍ତଗଣଙ୍କର ମନୋବାଞ୍ଛା ପ୍ରପୂରିତ ହେବାର କୌଣସି ଲକ୍ଷଣ ତ ଦେଖାଯାଉ ନାହିଁ। ମଣିଷ ହେଉଛି ଦିନକୁ ଦିନ ଅଧିକ ଅଜ୍ଞାନ-ଅନ୍ଧକାରରେ ଆଚ୍ଛନ୍ନ, ବିବେକବୁଦ୍ଧିହୀନ, କାମକ୍ରୋଧାଦି ରିପୁର କବଳିତ, ଆଳସ୍ୟ-ଅବିଶ୍ୱାସ-ଆତ୍ମମ୍ଭରିତା-ଅକୃତଜ୍ଞତାର ବଶୀଭୂତ। ମାଆଙ୍କର ଉପାସନା କରି ସନ୍ତାନର କ’ଣ ଏହିପରି ଅଧୋଗତି ହୋଇପାରେ? କେବେହେଲେ ନୁହେଁ। ଏହି ବିରୋଧାଭାସରୁ ସ୍ପଷ୍ଟ ପ୍ରତୀତ ହେଉଛି ଯେ, ମାଆଙ୍କର ପୂଜା ନାମରେ ଯାହା କିଛି କରାଯାଉଛି ତାହା ପ୍ରକୃତ ପୂଜା ନୁହେଁ। ପ୍ରତିବର୍ଷ ମା’ ଦୁର୍ଗାଙ୍କର ପୂଜା ନାମରେ ଦେବୀଙ୍କର ପୂଜା ହେଉ ନାହିଁ, ପୂଜା ହେଉଛି ମାଟିପ୍ରତିମାର। ଗୋଟିଏ ମାଟି ପିତୁଳାର ବା କି ଶକ୍ତି ଅଛି ସେ ପୂଜକର କଲ୍ୟାଣବିଧାନ କରିପାରିବ? ଏହା ପୂର୍ବରୁ ଯେଉଁ ଭାବଭକ୍ତିହୀନ ବାହ୍ୟପୂଜା ବିଷୟରେ କୁହାଯାଇଛି ଏହା ତା’ଠାରୁ ମଧ୍ୟ ହୀନ। ଦେବୀମୂର୍ତ୍ତିକୁ ମାଟି ପିତୁଳା ମନେ କରୁ ବୋଲି ତା’ ସମ୍ମୁଖରେ ଆମେ ଅଶାଳୀନ ଆଚରଣ ପ୍ରଦର୍ଶନ କରୁ, ଚଳଚ୍ଚିତ୍ରର ରେକର୍ଡ ବଜାଉ, ଅର୍ଦ୍ଧନଗ୍ନ ଭଡ଼ାଟିଆ ନର୍ତ୍ତକୀଙ୍କୁ ନଚାଉ, ମଦ-ଗଞ୍ଜା-ଚରସ ସେବନ କରୁ, ପରସ୍ପର ମଧ୍ୟରେ ଗଣ୍ଡଗୋଳ, ମାରପିଟ କରୁ ଏବଂ ଏହିପରି କେତେ କ’ଣ ଅଶୋଭନୀୟ ଆଚରଣ କରୁ ତା’ର ଠିକଣା ନାହିଁ। ଆମେ ଯଦି ମାଟିର ପ୍ରତିମା ନ ଭାବି ଜୀବନ୍ତ ଜନନୀ ଭାବିଥାନ୍ତୁ ଏହିପରି ଆଚରଣ କରିଥାନ୍ତୁ କି? ସ୍ବୀୟ ଜନନୀ ସମ୍ମୁଖରେ ଆମେ ଏପରି ବ୍ୟବହାର କରୁ କି? ଏପରି ପୂଜାଦ୍ୱାରା ବାଞ୍ଛିତ ଫଳ ମିଳିବ କିପରି? ପ୍ରଭୁ ଯିଶୁ ଖ୍ରୀଷ୍ଟ ଏବଂ ରସୁଲ ମହମ୍ମଦ ମୂର୍ତ୍ତିପୂଜାର ଘୋର ବିରୋଧ କରିଥିଲେ ସେତେବେଳେ, ଯେତେବେଳେ ପୂଜା ଆସି ଏହି ସ୍ତରରେ ପହଞ୍ଚତ୍ଥିଲା। କିନ୍ତୁ ତା’ ପରବର୍ତ୍ତୀ ସମୟରେ ପରମହଂସ ଶ୍ରୀରାମକୃଷ୍ଣ ମାଆଙ୍କର ପୂଜା କିପରି କରାଯାଏ ତାହା ନିଜେ ଆଚରଣ କରି ଦେଖାଇଦେଲେ। ବିହିତଭାବରେ ପୂଜା ନ କଲେ ପୂଜାର ଫଳ ମିଳିବା ସମ୍ଭବ ନୁହେଁ। ପୂଜା ଭିତରେ ଅଛି ପୂଜ୍‌-ଧାତୁ, ଯାହାର ଅର୍ଥ ସମ୍ବର୍ଦ୍ଧନା। ଆମେ ଯାହାଙ୍କର ପୂଜା କରୁ ତାଙ୍କର ସମସ୍ତ ସଦ୍‌ଗୁଣାବଳୀ ନିଜ ଭିତରେ ସମ୍ବର୍ଦ୍ଧିତ କରିପାରିଲେ ହିଁ ପୂଜା ସାର୍ଥକ ହୁଏ। ମନେ ରଖିବାକୁ ହେବ, ମୂର୍ତ୍ତି ସେ ହିଁ ଯାହାଙ୍କ ଭିତରେ ଆମର କଳ୍ପିତ ମାତୃତ୍ୱ, ଦେବତ୍ୱ, ସ୍ନେହ, ଦୟା, କ୍ଷମା ଆଦି ସମସ୍ତ ସଦ୍‌ଗୁଣାବଳୀ ମୂର୍ତ୍ତ ହୋଇଉଠିଛି। ଦେବୀଙ୍କର ସେହି ଗୁଣଗୁଡ଼ିକୁ ନିଜ ଭିତରେ ବିକଶିତ କରିବାର ସାଧନା ଆଜୀବନ ଅବ୍ୟାହତ ରହିବା ଆବଶ୍ୟକ। ”କାଷ୍ଠ ପାଷାଣ ତରୁ ତୃଣେ। ବସଇ ଶରୀର ପ୍ରମାଣେ।ା“ ବୋଲି ଭାଗବତରେ ଅଛି। ଆମର ଆର୍ଯ୍ୟ ସଂସ୍କୃତିର ସାରତତ୍ତ୍ୱ ଏହା ହିଁ। ତେଣୁ ସେହି ମୂର୍ତ୍ତି ଭିତରେ ଈଶ୍ୱରୀୟ ସତ୍ତା ପୂର୍ଣ୍ଣ ମହିମାରେ ବିଦ୍ୟମାନ ମନେକରି ଯଥାର୍ଥ ଉପାସନା କରିପାରିଲେ ଏବଂ ନିଜର ଚରିତ୍ରକୁ ତଦନୁଯାୟୀ ନିର୍ମଳ କରିବାର ସାଧନା ଅବ୍ୟାହତ ରଖିପାରିଲେ ହିଁ ପ୍ରତିବର୍ଷ କରାଯାଉଥିବା ଶାରଦୀୟ ଦୁର୍ଗାପୂଜା ସାର୍ଥକ ହେବ ଏଥିରେ ସନ୍ଦେହ ନାହିଁ।
ମୋ- ୭୦୦୮୯୬୦୫୦୨, Email: dolagovinda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?