ଆମେରିକାର ବାଲାକୋଟ

ବିଶ୍ୱ ରାଜନୈତିକ ଦୃଶ୍ୟପଟକୁ ଦେଖିଲେ ଦିନକୁ ଦିନ ନୂଆ ପରୀକ୍ଷଣ ହେଉଥିବା ଲକ୍ଷ୍ୟ କରାଯାଉଛି। ବିରୋଧୀ ଯେଭଳି ଶାସନ ଗାଦିକୁ ଫେରି ନ ପାରିବେ ସେଥିଲାଗି ଚରମ କୌଶଳ ଆପଣାଯାଉଛି। ବିଗତ କିଛି ବର୍ଷ ହେବ ଭାରତଠାରୁ ଆରମ୍ଭକରି ଆମେରିକା ଯାଏ ଚାରିଆଡ଼େ ଏଭଳି ଶକ୍ତିଗୁଡ଼ିକର ଅଭ୍ୟୁଦୟ ଘଟୁଛି। ଭାରତରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ମଧ୍ୟରେ ଦେଶପ୍ରେମ ସୃଷ୍ଟି କରାଯିବା ଲାଗି ବାଲାକୋଟ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା ବୋଲି ବିରୋଧୀ ଅଭିଯୋଗ କରିଥିଲେ। ସଂଯୋଗବଶତଃ ପୁଲ୍‌ଓ୍ବାମା ଆକ୍ରମଣ ପରେ ଏଠାକାର ଶାସକଙ୍କୁ ପ୍ରତିଆକ୍ରମଣ କରିବାର ସୁଯୋଗ ମିଳିଥିଲା ଏବଂ ତାହା ହିଁ ଶାସକ ଦଳକୁ ସଫଳତା ଦେଇଥିଲା। ସମ୍ଭବତଃ ଏକ ପ୍ରକାର ଚିନ୍ତାଧାରା ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇରାନ୍‌ ଉପରେ ଆକ୍ରମଣ କରିଛନ୍ତି। ସେଠାକାର ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ଆମେରିକା ସୈନ୍ୟ ୩ ଜାନୁୟାରୀ ୨୦୨୦ରେ ଯେଭଳି ଭାବେ ଇରାକ୍‌ ରାଜଧାନୀ ବାଗ୍‌ଦାଦରେ ହତ୍ୟା କଲେ, ସେଥିରୁ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ସ୍ପଷ୍ଟ ବାରି ହୋଇପଡ଼ିଛି। ବିଶ୍ୱ ସମୁଦାୟ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଘୋର ନିନ୍ଦା କରିଛନ୍ତି। କିନ୍ତୁ ପ୍ରେସିଡେଣ୍ଟ ଟ୍ରମ୍ପ ସଫେଇ ଦେଇ କହିଛନ୍ତି ଯେ, ସୋଲେମାନୀ ଆମେରିକା ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବାରୁ ତାଙ୍କୁ ନିପାତ କରିଦିଆଯାଇଛି। ତେବେ ଦୀର୍ଘବର୍ଷ ଧରି ଆମେରିକା ଓ ଇରାନ୍‌ ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ଦୃଷ୍ଟିରେ ରଖି କିଛି ଦିନ ପୂର୍ବରୁ ଟ୍ରମ୍ପଙ୍କୁ ଉପଲକ୍ଷ୍ୟ କରି ସୋଲେମାନୀ କହିଥିଲେ ଯେ, ତୁମେ ଯୁଦ୍ଧ ଆରମ୍ଭ କଲେ ଆମେ ତାହାକୁ ଶେଷ କରିବୁ। ହେଲେ ଆମେରିକା ରକେଟ ମାଡ଼ରେ ସୋଲେମାନୀଙ୍କ ଜୀବନ ଗଲା। ତାଙ୍କ ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି । କାରଣ ସୋଲେମାନୀଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ବାଗ୍‌ଦାଦର ଗ୍ରୀନ୍‌ ଜୋନ୍‌ରେ ଥିବା ଆମେରିକୀୟ ଦୂତାବାସକୁ ଟାର୍ଗେଟ କରାଯାଇଛି। ସୋଲେମାନୀ ନିହତ ହେବା ପରେ ଇରାନ୍‌ର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମିନୀ ଆମେରିକା ବିରୋଧରେ ପ୍ରତିଶୋଧ ନିଆଯିବ ବୋଲି କହିଥିବାରୁ ବାଗ୍‌ଦାଦସ୍ଥିତ ଆମେରିକୀୟ ଦୂତାବାସ ଆକ୍ରମଣ ତେହେରାନ ଦ୍ୱାରା କରାଯାଇଥିବା ସ୍ପଷ୍ଟ ହେଉଛି। ଏପଟେ ଇରାନ୍‌ ଆମେରିକାର କୌଣସି କ୍ଷତି କଲେ ସେହି ଦେଶର ୫୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଆକ୍ରମଣ କରି ଉଡ଼ାଇ ଦିଆଯିବ ବୋଲି ଟ୍ରମ୍ପ ଚେତାବନୀ ଦେଲେଣି।
ଦେଖିବାକୁ ଗଲେ ଆମେରିକା ବିରୋଧରେ ଯୁଦ୍ଧ କରିବାର କ୍ଷମତା ଇରାନ୍‌ ପାଖରେ ଥିବା ଭଳି ମନେହୁଏ ନାହିଁ। ଅନ୍ୟ ଦେଶରେ ଥିବା ଦୂତାବାସ ଉପରେ ଆକ୍ରମଣ କରିବା ଦେଶ ପାଇଁ ଲଜ୍ଜାଜନକ। ଅନ୍ୟପଟେ ଇରାନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଟ୍ରମ୍ପ ପ୍ରଶାସନ ବାସ୍ତବରେ ଏହି ପରିସ୍ଥିତିକୁ କେତେଦୂର ନେବାକୁ ଇଚ୍ଛୁକ ତାହା ଏବେ କହିବା କଷ୍ଟକର। ୨୦୨୦ ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିଜର ବୀରତ୍ୱ ପ୍ରଦର୍ଶନ କରିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ଟ୍ରମ୍ପଙ୍କ ସମାଲୋଚକମାନେ କହୁଛନ୍ତି। ଯୁଦ୍ଧ ଯଦି ବୃଦ୍ଧି ପାଏ, ତେବେ ତାହା ଟ୍ରମ୍ପଙ୍କ ନିର୍ବାଚନ ଉପରେ କୁପ୍ରଭାବ ପକାଇପାରେ। କିନ୍ତୁ ସୀମିତ ଆକ୍ରମଣ କରାଯାଇ ନିଜର ଦକ୍ଷତା ପ୍ରଦର୍ଶନ କରିପାରିଲେ ତାହା ଟ୍ରମ୍ପଙ୍କୁ ସହାୟକ ହେବାର ସମ୍ଭାବନା ରହିଛି। ଏହାକୁ ଭାରତୀୟଙ୍କଠାରୁ କେହି ଅଧିକ ଭଲ ଭାବେ ବୁଝି ନ ଥିବେ। ଅନ୍ୟପଟେ ଟ୍ରମ୍ପ କହିଛନ୍ତି ଯେ, ସୋଲେମାନୀ ନୂଆଦିଲ୍ଲୀ ଓ ଲଣ୍ଡନରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ସମ୍ପୃକ୍ତ ଥିଲେ। ୨୦୧୨ ଫେବୃୟାରୀ ୧୩ରେ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣକୁ ଟ୍ରମ୍ପ ଇଙ୍ଗିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଇସ୍ରାଏଲ ଦୂତାବାସର କୂଟନୀତିଜ୍ଞଙ୍କ ସ୍ତ୍ରୀ ତାଙ୍କ ପିଲାମାନଙ୍କୁ ସ୍କୁଲରୁ ଆଣିବାକୁ ଯାଉଥିବାବେଳେ ତାଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଥିଲା। ସେଥିରେ କେହି ମୃତାହତ ହୋଇ ନ ଥିଲେ। ଉକ୍ତ ବୋମାମାଡ଼ ସହ ସୋଲେମାନୀ ନେତୃତ୍ୱାଧୀନ ଇରାନ୍‌ର ରିଭୋଲ୍ୟୁଶନାରୀ ଗାର୍ଡସ୍‌ ସମ୍ପୃକ୍ତ ଥିବା ଦିଲ୍ଲୀ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଏବର ପରିସ୍ଥିତି ଦେଖିଲେ ସୋଲେମାନୀଙ୍କ ହତ୍ୟା ପାଇଁ ଆମେରିକା ନିନ୍ଦିତ ହୋଇଥିବାରୁ ଏବେ ଭାରତ ସମେତ ଅନ୍ୟାନ୍ୟ ଦେଶକୁ କୂଟନୈତିକ ସମର୍ଥନ ହାସଲ କରିବାକୁ ଟ୍ରମ୍ପ ଏଭଳି ଉଦ୍ୟମ କରୁଥିବା କୁହାଯାଉଛି।
ମନେରଖିବାକୁ ହେବ ଯେ, ଭାରତର ପୁଞ୍ଜିନିବେଶ ଇରାନ୍‌ର ଚବାହାର ବନ୍ଦରରେ କରାଯାଇଛି। ସେଥିପାଇଁ ଇରାନ୍‌ରେ କୌଣସି ପ୍ରକାର ଯୁଦ୍ଧ କିମ୍ବା ଅସ୍ଥିରତା ସୃଷ୍ଟି ହେଲେ ତାହା ସିଧାସଳଖ ଭାରତକୁ ପ୍ରଭାବିତ କରିବ। ବିଶେଷକରି ଭାରତର ତୈଳ ଆମଦାନୀ ଅନ୍ୟ ଉପସାଗରୀୟ ଦେଶ ସମେତ ଇରାନ୍‌ଠାରୁ ମଧ୍ୟ କରାଯାଉଛି। ସେଥିପାଇଁ ଆମେରିକା ସୃଷ୍ଟି କରିଥିବା ଅସ୍ଥିରତା ଯୋଗୁ ଭାରତ କ୍ଷତି ସହିପାରେ। ଏଭଳି ପ୍ରଚ୍ଛଦପଟରେ ଭାରତର କୂଟନୈତିକ ଦକ୍ଷତା ଉପରେ ଏକ ଝଡ଼ ସୃଷ୍ଟି ହୋଇଛି। ଇରାନ୍‌ ସହିତ ସୁସମ୍ପର୍କ ରଖିଥିବା ଓ ସେଠାରେ ପୁଞ୍ଜିନିବେଶ କରିଥିବା ଭାରତ ନିରପେକ୍ଷ ରହିବା କଷ୍ଟକର। ନିଜ ପଡ଼ୋଶୀର ବିପଦ ପଡ଼ିବା ବେଳେ ଯଦି ଭାରତ ତାହାର ନିରପେକ୍ଷତା ଦେଖାଇବାକୁ ଯିବ, ତେବେ ଭବିଷ୍ୟତରେ ଆଉ ଗୋଟିଏ ଶକ୍ତିଶାଳୀ ପଡ଼ୋଶୀ ଶତ୍ରୁ ପାଲଟିବ। ଏଥିସହିତ ଆମେରିକାକୁ ବିରକ୍ତ କଲେ ତାହା ମଧ୍ୟ ଭାରତ ସକାଶେ ମହଙ୍ଗା ପଡ଼ିବ। କିନ୍ତୁ ଆଜିର ଭାରତର ଆଭ୍ୟନ୍ତରୀଣ ସମସ୍ୟାରେ ନିଆଁ ଲଗାଉଥିବା ମୋଦି ସରକାର ନିଜର ଭାରସାମ୍ୟ କେତେଦୂର ରଖିପାରିବେ ତାହା ଏକ ବଡ଼ ପ୍ରଶ୍ନବାଚୀ। ଆମେ ଏକ ଦାୟିତ୍ୱସମ୍ପନ୍ନ ଦେଶ ଭାବେ ନିଜର ଆଭିମୁଖ୍ୟକୁ କେଉଁଭଳି ଉତ୍‌୍‌ଥାପନ କରିବୁ ତାହା ବିଶ୍ୱ ଦରବାରରେ ନିଷ୍ପତ୍ତି ନିଆଯିବ। ଦୁଃଖର ବିଷୟ ଯେ ପାକିସ୍ତାନସ୍ଥିତ ନାନ୍‌କାନ୍‌ ସାହିବ ଗୁରୁଦ୍ୱାରା ଉପରେ ଆକ୍ରମଣ ଆମର ଦୁଇ ମୁଖ୍ୟ ରାଜନୈତିକ ଦଳକୁ ରାସ୍ତାକୁ ଟାଣିଆଣିଥିବା ବେଳେ ଇରାନ୍‌ ଘଟଣା ଭାରତ ପାଇଁ ଗୁରୁତ୍ୱ ରଖୁ ନାହିଁ। ପାକିସ୍ତାନ ପରି ଏକ ପିମ୍ପୁଡ଼ି ଭଳି ରାଷ୍ଟ୍ରକୁ ଅଧିକ ମାତ୍ରାରେ ନଜର ଦେଉଥିବା ଭାରତ ଏବେ ନିଜର ପରିସ୍ଥିତିକୁ ପୁନର୍ବିଚାର କରିବା ଦରକାର।
ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିଲେ ଏକ ନୂଆ ସମୀକରଣ ସାମ୍ନାକୁ ଆସୁଛି। ନିକଟ ଅତୀତରେ ସୌଦି ଆରବର ତୈଳ ଟ୍ୟାଙ୍କ ଉପରେ ଇରାନ୍‌ ସମର୍ଥିତ ୟେମେନୀ ବିଦ୍ରୋହୀମାନେ ଡ୍ରୋନ୍‌ ଆକ୍ରମଣ କରିଥିଲେ। ପେଟ୍ରୋଲିୟମ ପଦାର୍ଥକୁ ଆଖି ଆଗରେ ରଖି ଏବେ ସୌଦି ଆରବକୁ ଆମେରିକା ଖୁସି କରିବାକୁ ଚାହୁଁଛି। ତେଣୁ ଇରାନ୍‌ ଉପରେ ଆକ୍ରମଣ କରିବା ପଛରେ ଆମେରିକାର ଲୁକ୍କାୟିତ ଇଚ୍ଛା ରହିଥାଇପାରେ। ଇରାନ୍‌ ଓ ଭାରତର ସମ୍ପର୍କ ଭଲ ରହିଥିବାରୁ ସୌଦି ଆରବ ମଧ୍ୟ ପାକିସ୍ତାନକୁ ସମର୍ଥନ କଲାଣି। ଭାରତକୁ ଅକଳରେ ପକାଇବାକୁ ଚାହିଁ ମାଲେସିଆଠାରେ ଇସ୍‌ଲାମୀୟ ସହଯୋଗ ସଙ୍ଗଠନ (ଓଆଇସି)ରେ ଯୋଗ ନ ଦେବା ପାଇଁ ଇସ୍‌ଲାମାବାଦ୍‌କୁ ରିୟାଦ କହିଥିଲା। ସେହି ଦୃଷ୍ଟିରୁ ପାକିସ୍ତାନ କୁଆଲାଲମପୁରରେ ହୋଇଥିବା ବୈଠକରେ ଯୋଗ ଦେଇ ନ ଥିଲା। ପାକିସ୍ତାନକୁ ଖୁସି କରିବା ପାଇଁ ସୌଦି ଆରବ ପୁଣି ଏକ ଇସ୍‌ଲାମିକ୍‌ ବୈଠକ କରି ସେଥିରେ କଶ୍ମୀର ପ୍ରସଙ୍ଗ ଉଠାଇବ ବୋଲି କହିଛି। ଏଭଳି ଏକ ଜଟିଳ କୂଟନୈତିକ ପୃଷ୍ଠଭୂମିରେ ଭାରତକୁ ସତର୍କତାର ସହିତ ପଦକ୍ଷେପ ନେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri