ଅଗଷ୍ଟ ବିପ୍ଳବ ଓ ତ୍ୟାଗଭୂମି ଭଦ୍ରକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଅଗଷ୍ଟ ବିପ୍ଳବ ଆମ ମୁକ୍ତି ଆନ୍ଦୋଳନ ଇତିହାସର ଏକ ଯୁଗାନ୍ତକାରୀ ଅଧ୍ୟାୟ। ୧୯୪୨ ମସିହା ଅଗଷ୍ଟ ୮ ବମ୍ବେର ଗ୍ବାଲିୟର ଟ୍ୟାଙ୍କ(ଅଗଷ୍ଟ କ୍ରାନ୍ତି) ମଇଦାନରେ ଅନୁଷ୍ଠିତ କଂଗ୍ରେସର ଖୋଲା ଅଧିବେଶନରେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦେଲେ ଗାନ୍ଧିଜୀ। ସ୍ବାଧୀନତା ସଂଗ୍ରାମର ଅନ୍ତିମ ଲଢ଼େଇ ଲଢ଼ିବା ପାଇଁ ସତ୍ୟାଗ୍ରହୀମାନଙ୍କୁ ଶୁଣେଇଲେ ‘କର ବା ମର’ ମନ୍ତ୍ର। ସେ ମନ୍ତ୍ର ପ୍ରତିଧ୍ୱନିତ ହେଲା ଆକୁମାରୀ ହିମାଚଳ। ଚାରିଆଡ଼େ ଖେଳିଗଲା ଦେଶପ୍ରେମର ଏକ ଅଦ୍ଭୁତ ଆଲୋଡ଼ନ। ଏଥିରେ ଭୟଭୀତ ହୋଇ ଦମନଲୀଳା ଆରମ୍ଭ କରିଦେଲା ବ୍ରିଟିଶ୍‌ ସରକାର। ଆନ୍ଦୋଳନକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ତତ୍କାଳ ଆରମ୍ଭ ହେଲା ବ୍ୟାପକ ଗିରଫଦାରି। ଅଗଷ୍ଟ ୯ ତାରିଖ ସକାଳ ହେବା ଆଗରୁ ଗିରଫ ହୋଇସାରିଥିଲେ ଗାନ୍ଧିଜୀ ଓ କଂଗ୍ରେସ କାର୍ଯ୍ୟକାରୀ କମିଟିର ଅଧିକାଂଶ ସଦସ୍ୟ। କଂଗ୍ରେସକୁ ବେଆଇନ ଘୋଷଣା କରିବା ସହ ଅନେକ କଂଗ୍ରେସ ଅଫିସ୍‌ରେ ଝୁଲାଇ ଦିଆଗଲା ତାଲା। ତଡ଼ିତ ବେଗରେ ବ୍ୟାପିଗଲା ଗାନ୍ଧିଜୀ ଏବଂ କଂଗ୍ରେସର ଅନ୍ୟ ତୁଙ୍ଗନେତାମାନେ ଗିରଫ ହେବା ଖବର। ସମସ୍ତଙ୍କୁ ଉଦ୍‌ବେଳିତ କଲା ଗାନ୍ଧିଜୀଙ୍କର ‘କର ବା ମର’ ମନ୍ତ୍ର। ସେ ପଞ୍ଚାକ୍ଷରୀ ମନ୍ତ୍ରରେ କି ଅଦ୍ଭୁତ ଶକ୍ତି ଥିଲା କେଜାଣି ଦେଶର ପୁରପଲ୍ଲୀରେ ତେଜିଉଠିଲା ବ୍ରିଟିଶ୍‌ ବିରୋଧୀ ଗଣ ଆନ୍ଦୋଳନ। ପୋଲିସ ଗୁଳିକୁ ଖାତିର ନ କରି ରାଜରାସ୍ତାକୁ ଓହ୍ଲାଇ ଆସିଲେ ଲକ୍ଷ ଲକ୍ଷ ଲୋକ। ବିଭିନ୍ନ ସ୍ଥାନରେ ପୋଲିସ ଓ ଜନତାଙ୍କ ଭିତରେ ଉପୁଜିଲା ମୁହାଁମୁହିଁ ପରିସ୍ଥିତି। ଗାନ୍ଧିଜୀଙ୍କ ଡାକରା ଥିଲା ଶାନ୍ତିପୂର୍ଣ୍ଣ ଉପାୟରେ ସଂଗ୍ରାମକରି ସ୍ବାଧୀନତା ହାସଲ କର ନତୁବା ଆମତ୍ବଳୀ ଦିଅ ଦେଶ ପାଇଁ। କିନ୍ତୁ ଗାନ୍ଧିଜୀଙ୍କର ଆନ୍ଦୋଳନ ଖସଡ଼ାକୁ ବଦଳେଇଦେଲା ବ୍ରିଟିଶ ସରକାରର ଦମନମୂଳକ ନୀତି। ଜନ ଆନ୍ଦୋଳନକୁ ଦବେଇ ଦେବା ପାଇଁ ସରକାରଙ୍କ ପଦକ୍ଷେପ ଥିଲା ସତ୍ୟାଗ୍ରହୀଙ୍କ ଉପରେ ନିର୍ମମ ଲାଠି ପ୍ରହାର ଓ ଗୁଳିବର୍ଷଣ। ମହିଳାମାନଙ୍କ ପ୍ରତି ସେମାନଙ୍କ ଭାଷା ଓ ବ୍ୟବହାର ଥିଲା ଅତ୍ୟନ୍ତ ଅଶାଳୀନ ଓ ଅଭଦ୍ରୋଚିତ୍ତ। କେତେ ଆଉ ସହିଥା’ନ୍ତେ ଦେଶବାସୀ। ତେଣୁ କେତେକ ସ୍ଥାନରେ ଲୋକେ ଅହିଂସା ମନ୍ତ୍ର ଭୁଲି ଆପଣେଇ ନେଲେ ହିଂସାର ରାସ୍ତା। ଫଳରେ ଉଗ୍ରରୂପ ଧାରଣକଲା ଭାରତ ଛାଡ଼ ଆନ୍ଦୋଳନ। କେଉଁଠି ଥାନା ପୋଡ଼ି ହେଲା ତ କେଉଁଠି ଖଜଣା ଖାନା ଆକ୍ରମଣ କଲେ ଉତ୍ତ୍ୟକ୍ତ ଲୋକେ। ଆଇନ ଅମାନ୍ୟକରି ପୋଲିସ ଗୁଳିରେ ଶହୀଦ ହେଲେ ଅନେକ ନିରୀହ ମଣିଷ।
ଏହି ମୁକ୍ତି ଆନ୍ଦୋଳନର ଇତିହାସରେ ଓଡ଼ିଶା ଯୋଡ଼ିଲା ବଳିଦାନର ଏକ ସ୍ବତନ୍ତ୍ର ଅଧ୍ୟାୟ। ଓଡ଼ିଶାର ପୁରପଲ୍ଲୀରେ ଏପରି କି ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବି ତେଜି ଉଠିଥିଲା ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧୀ ଗଣ ଆନ୍ଦୋଳନ। ଏହି ଆନ୍ଦୋଳନରେ ଭଦ୍ରକ (ନବଗଠିତ) ଜିଲା ଥିଲା ସବା ଆଗରେ। ଭଦ୍ରକ ଅଞ୍ଚଳର ସତ୍ୟାଗ୍ରହୀମାନେ ହିଁ ପ୍ରଥମେ ଥାନା ପୋଡ଼ିଲେ, ପୋଲ ଭାଙ୍ଗିଲେ, ପୋଷ୍ଟ ଅଫିସ ଦଖଲକଲେ, ପୋଲିସ ଉପରେ ଆକ୍ରମଣ କଲେ ଏବଂ ଏମିତି ବିଭିନ୍ନ ଭାବରେ ଆଇନ ଭାଙ୍ଗିଲେ ଗୁଳିଗୋଳାକୁ ଖାତିର ନ କରି। ଇତିହାସ କହେ ୧୯୪୨ ମସିହା ଅଗଷ୍ଟ ୧୭ରେ ଭଦ୍ରକଠାରୁ ୧୬ କି.ମି. ଦୂରରେ ଅବସ୍ଥିତ ଭଣ୍ଡାରିପୋଖରୀ ଥାନାପୋଡ଼ି ଘଟଣା ଥିଲା ବ୍ରିଟିଶ କୁଶାସନ ବିରୋଧରେ ଓଡ଼ିଶାର ସର୍ବପ୍ରଥମ ହିଂସାମତ୍କ ଆନ୍ଦୋଳନ। ଘଟଣା ଦିନ ଯୁବସଂଗ୍ରାମୀ ବୈଷ୍ଣବ ଚରଣ ନାୟକଙ୍କ ନେତୃତ୍ୱରେ ପାଖାପାଖି ୫ହଜାର ସତ୍ୟାଗ୍ରହୀ ମଶାଲ ଶୋଭାଯାତ୍ରାରେ ଆସି ନିଆଁ ଲଗାଇ ଦେଇଥିଲେ ଭଣ୍ଡାରିପୋଖରୀ ଥାନାରେ। ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବୈଷ୍ଣବ ଚରଣ ନାୟକ, କୁଶଧ୍ୱଜ ପଣ୍ଡା ଓ କୃପାସିନ୍ଧୁ ସାହୁ ପ୍ରମୁଖ କେତେଜଣ ସତ୍ୟାଗ୍ରହୀଙ୍କୁ ଗିରଫ କରିନେଇଥିଲା ପୋଲିସ। ପିଟୁଣି ଟିକସ(ଜରିମାନା) ବାବଦକୁ ପାର୍ଶ୍ୱବର୍ତ୍ତୀ ୧୨ଟି ଗ୍ରାମର ଲୋକଙ୍କଠାରୁ ଆଦାୟ କରାଯାଇଥିଲା ୬ ହଜାର ଟଙ୍କା। ବ୍ରିଟିଶ ପ୍ରଶାସନର ଏଭଳି ଦମନମୂଳକ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଭଦ୍ରକ ଅଞ୍ଚଳର ବିଭିନ୍ନ ସ୍ଥାନରେ ତେଜିଉଠିଥିଲା ଆନ୍ଦୋଳନ।
୧୯୪୨ ସେପ୍ଟେମ୍ବର ୫ରେ ଭଦ୍ରକଠାରୁ ୨୦ କି.ମି. ଦୂର ଧାମନଗର ଥାନା ଅନ୍ତର୍ଗତ ଧୂଷୁରୀଠାରେ ସତ୍ୟାଗ୍ରହୀମାନେ ଏକତ୍ରିତ ହୋଇ ଧାମନଗର ଅଞ୍ଚଳକୁ ସ୍ବାଧୀନ ଘୋଷଣାକଲେ ସର୍ଦ୍ଦାର ମୁରଲୀଧର ପଣ୍ଡା ଓ ମୁରଲୀଧର ଜେନା ପ୍ରମୁଖ ସତ୍ୟାଗ୍ରହୀଙ୍କ ନେତୃତ୍ୱରେ। ଏଥିରେ ଉତ୍‌କ୍ଷିପ୍ତ ହୋଇ (ସେପ୍ଟେମ୍ବର ୨୨) ଲୁଣିଆ କଟସାହି ଗାଁରେ ପହଞ୍ଚତ୍ ସର୍ଦ୍ଦାର ମୁରଲୀଧର ପଣ୍ଡାଙ୍କ ଘର ଘେରାଉକଲା ପୋଲିସ। ଶଙ୍ଖଧ୍ୱନି ମାଧ୍ୟମରେ ସାରା ଅଞ୍ଚଳରେ ଖେଳିଗଲା ଖବର। ହାତରେ ବାଡ଼ିଠେଙ୍ଗା ଧରି ମାଡ଼ିଆସିଲେ ହଜାର ହଜାର ଲୋକ। ଆରମ୍ଭହେଲା ପୋଲିସ ଓ ଜନତାଙ୍କ ମଧ୍ୟରେ ଛକାପଞ୍ଝା। ମାତ୍ର ରକ୍ତମୁଖା ପୋଲିସର ଆଖିବୁଜା ଗୁଳିଚାଳନା ଫଳରେ ଶହୀଦ ହେଲେ ୯ଜଣ ସତ୍ୟାଗ୍ରହୀ। ବଳିଦାନର ଏହି ମାଟି ଏବେ ଶହୀଦନଗର ନାମରେ ଖ୍ୟାତ।
ଲୁଣିଆ ଗୁଳିକାଣ୍ଡର ଠିକ୍‌ ୬ ଦିନ ପରେ (୧୯୪୨ ସେପ୍ଟେମ୍ବର ୨୮) ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଜନ୍ମମାଟି ଇରମ(ଭଦ୍ରକ) ଲେଖିଲା ସ୍ବାଧୀନତା ସଂଗ୍ରାମର ରକ୍ତାକ୍ତ କବିତା। ଭଦ୍ରକ ଜିଲାର ବାସୁଦେବପୁରଠାରୁ ୧୬ କି.ମି. ଦୂରରେ ଅବସ୍ଥିତ ରକ୍ତତୀର୍ଥ ଇରମ ଥିଲା ମୁକ୍ତି ଆନ୍ଦୋଳନର ଏକ ପ୍ରୟୋଗଶାଳା। ଗାଁର ଗୋଟିଏ ପାର୍ଶ୍ୱରେ ବଙ୍ଗୋପସାଗର ଓ ଅନ୍ୟ ୩ ପାର୍ଶ୍ୱକୁ ବେଢ଼ି ବହିଯାଇଛି ଗମେଇ ଓ କାଂଶବାଂଶ ନଦୀର ଜଳଧାରା। ସେଥିପାଇଁ ଇରମ ଗାଁକୁ ସହସା ପ୍ରବେଶ କରିପାରୁ ନ ଥିଲା ପୋଲିସ ଫୌଜ। ସଂଗ୍ରାମୀମାନଙ୍କ ସଭାସମିତି ନିମନ୍ତେ ଗାଁରେ ଥିଲା ଏକ ବିରାଟ ମେଳଣ ପଡ଼ିଆ। ଭାରତ ଛାଡ଼ ଆନ୍ଦୋଳନ ବେଳକୁ କବି ବାଞ୍ଛାନିଧି ମହାନ୍ତି ନ ଥିଲେ ସତ, କିନ୍ତୁ ତାଙ୍କ କବିତ୍ୱ ଓ ସାଙ୍ଗଠନିକ ଦକ୍ଷତା ଯୋଗୁ ଏକ ସଂଗ୍ରାମୀ ତିଆରି କାରଖାନାରେ ପରିଣତ ହୋଇସାରିଥିଲା ଇରମ ମାଟି। ଭାରତ ଛାଡ଼ ଆନ୍ଦୋଳନର ୨୧ବର୍ଷ ପୂର୍ବରୁ (୧୪.୬.୧୯୨୧) ଉକତ୍ଳମଣି ଗୋପବନ୍ଧୁଙ୍କୁ ମୁଗ୍ଧ କରିଥିଲା ଇରମବାସୀଙ୍କ ଦେଶପ୍ରେମ। ତେଣୁ ଇରମ ସଭାରେ ସେ ଗାଇଥିଲେ – ‘ଦେଶାମତ୍ବୋଧର ଚାରୁ ଗନ୍ତାଘର, ଇରମ ସୁରମ୍ୟ ଜାତୀୟ ନଗର’। ଭାରତ ଛାଡ଼ ଆନ୍ଦୋଳନ ବେଳେ ସେହି ଜାତୀୟନଗର ଇରମ ରଚିଲା ବଳିଦାନର ଏକ ବିରଳ ଇତିହାସ।
ଘଟଣା ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କ ସ୍ବର୍ଣ୍ଣିମ ଆଭାରେ ରକ୍ତାକ୍ତ ହୋଇ ଉଠିଥିଲା ଇରମ ମେଳନ ପଡ଼ିଆ। ସେଠାରେ ଅନୁଷ୍ଠିତ ସଭାରେ ସମ୍ମିଳିତ ହୋଇଥିଲେ ପ୍ରାୟ ୬ହଜାର ସତ୍ୟାଗ୍ରହୀ। ସଭାକାର୍ଯ୍ୟ ଖୁବ୍‌ ଗମ୍ଭୀର ହୋଇ ଉଠିଥିବା ବେଳେ ହଠାତ୍‌ ଜମିଦାର ଉଆସ ଆଡ଼ୁ ମାଡ଼ି ଆସିଲା ପୋଲିସ ବାହିନୀ। ପୋଲିସର ଉପସ୍ଥିତି ଦେଖି ଉତ୍ତେଜନାମୟ ହୋଇ ଉଠିଲା ବାତାବରଣ। ସଭାସ୍ଥଳ ଛାଡ଼ି ଚାଲିଯିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ଦେଲେ ଡିଏସ୍‌ପି କୁଞ୍ଜବିହାରୀ ମହାନ୍ତି। ମାତ୍ର ସତ୍ୟାଗ୍ରହୀମାନେ ସ୍ଥାନ ଛାଡ଼ିବା ପରିବର୍ତ୍ତେ ଆରମ୍ଭ କରିଦେଲେ ନାରାବାଜି। ‘ଗୁଳି ଗୋଳାସେ ନେହିଁ ଡରେଙ୍ଗେ, ଲାଠି ମାଡ଼ରେ ନେହି ଡରଙ୍ଗେ, ଭାରତ ମାତାକୀ ଜୟ, ମହାମତ୍ା ଗାନ୍ଧିକୀ ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଲା ମେଳନ ପଡ଼ିଆ। ଲୋକଙ୍କୁ ଘଉଡ଼ାଇବା ପାଇଁ ଡିଏସ୍‌ପିଙ୍କ ନିର୍ଦ୍ଦେଶରେ ଗର୍ଜି ଉଠିଲା ପୋଲିସର ରକ୍ତମୁଖା ବନ୍ଧୁକ। ଘଟଣାସ୍ଥଳରେ ୨୮ଜଣ ଟଳି ପଡ଼ିବା ସହିତ ଗୁରୁତର ଭାବେ ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ପ୍ରାୟ ୫୬ ଜଣରୁ ଅଧିକ ନିରସ୍ତ୍ର ମଣିଷ। ନିହତ ମାନଙ୍କ ମଧ୍ୟରେ ଥିଲେ ବିଜୁଳି ଦାସ ନାମକ ଜଣେ ୧୫ ବର୍ଷର ବାଳକ ଏବଂ ସ୍ବାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକମାତ୍ର ମହିଳା ଶହୀଦ ପରୀ ବେୱା। ମୃତ ଓ ଆହତ ମାନଙ୍କ ରକ୍ତରେ ଲାଲ ହୋଇଗଲା ଇରମ ମେଳନ ପଡ଼ିଆ। ସନ୍ଧ୍ୟାର ଆଚ୍ଛନ୍ନ ଅନ୍ଧକାର ଭିତରେ ଛାତିକୁ ବିଦାରି ପକାଉଥିଲା ଆହତମାନଙ୍କ ଆର୍ତ୍ତଚିକତ୍ାର। ପବନ ବେଗରେ ଚାରିଆଡ଼କୁ ବ୍ୟାପିଗଲା ଏ ପୈଶାଚିକ ନରସଂହାର ବାର୍ତ୍ତା। ଅତ୍ୟନ୍ତ ହୃଦୟ ବିଦାରକ ଥିଲା ଲୁହ ଲହୁର ଏ ଅଭାବନୀୟ ଦୃଶ୍ୟ। ପଞ୍ଜାବର ଜାଲିଆନାୱାଲାବାଗ୍‌ ପରେ ଇଏ ହେଉଛି ବଳିଦାନର ଦ୍ୱିତୀୟ ସ୍ଥଳ, ଯେଉଁଠି ପରାଧୀନତାର ଶୃଙ୍ଖଳରୁ ଦେଶକୁ ମୁକ୍ତ କରିବା ପାଇଁ ଗୋଟିଏ ଦିନରେ ପୋଲିସ ଗୁଳିରେ ଆମତ୍ବଳି ଦେଇଛନ୍ତି ୨୯ଜଣ ଦେଶପ୍ରେମୀ। ଆଜି ବି ସେ ସ୍ମୃତିପୀଠରେ ପାଦଦେଲେ ହୃଦୟର ନିଭୃତତମ ପ୍ରଦେଶରୁ ବାହାରିଆସେ ନୀରବ ଶ୍ରଦ୍ଧାଞ୍ଜଳିର।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?