ଏବେବି ଜଳୁଛି

ମଣିପୁର ଉଚ୍ଚ ନ୍ୟାୟାଳୟ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଏପ୍ରିଲ ତୃତୀୟ ସପ୍ତାହରୁ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଥିଲା। ୩ ମାସରୁ ଊର୍ଦ୍ଧ୍ୱ ହେବ ମେଇତି ଓ କୁକି ଆଦିବାସୀଙ୍କ ମଧ୍ୟରେ ଲାଗି ରହିଥିବା ଏହି ଜାତିଆଣ ହିଂସାରେ ବହୁ ଧନଜୀବନ କ୍ଷତି ହେଲାଣି। ଆଦିବାସୀ ମାନ୍ୟତା ଦେଇ ସଂଖ୍ୟାବହୁଳ ହିନ୍ଦୁ ଥିବା ମେଇତି ସମ୍ପ୍ରଦାୟର ଭୋଟ ହାତେଇବା ଲାଗି ଭାଜପାର ପ୍ରୟାସରୁ ଏହି ହିଂସାର ସୂତ୍ରପାତ ଘଟିଛି ବୋଲି କୁହାଯାଉଛି। କିନ୍ତୁ ତା’ସହିତ ଆହୁରି ଅନେକ ବିଷୟ ପଦାକୁ ଆସିଲାଣି। ଉଦାହରଣ ସ୍ବରୂପ, ପାହାଡ଼ ଅଞ୍ଚଳରେ ଜମି ମିଲାକାନା ଉପରେ ଅଧିକ ଚାପ ରହୁଛି। ଯାହା ହାତରେ ଜମି ରହିଲା ସେହି ଗୋଷ୍ଠୀ, ବିଶେଷକରି ଏକ ସୀମାନ୍ତ ରାଜ୍ୟରେ ଅତ୍ୟନ୍ତ ଧନୀ ଓ ପ୍ରଭାବଶାଳୀ ହୋଇପାରିବ। କୁହାଯାଉଛି ଯେ, ସୀମା ଆରପାରିରେ ଥିବା ବର୍ମା ଅଞ୍ଚଳରେ ନିଶା ଦ୍ରବ୍ୟର ବିରାଟକାୟ ବ୍ୟବସାୟ ଚାଇନା ସାହାଯ୍ୟରେ ଚାଲିଛି। ସେଥିପାଇଁ ମଣିପୁରରେ ମଧ୍ୟ ନିଶାଦ୍ରବ୍ୟ ବ୍ୟବସାୟରେ ସମ୍ପୃକ୍ତ ଲୋକଙ୍କର ପ୍ରଭାବ ଏବଂ ଧନ ଉଭୟ ବୃଦ୍ଧି ପାଉଛି। ସେଭଳି ଧନର ଆକର୍ଷଣକୁ ଦେଖି ଶାସକ ଦଳର ଲୋକମାନେ ଏଭଳି ବିପୁଳ ବ୍ୟବସାୟରୁ କୌଣସି ଲାଭ ପାଇ ପାରୁ ନ ଥିବା ହେତୁ ବ୍ୟସ୍ତହୋଇ ପଡିଛନ୍ତି।
ହିଂସା ମଧ୍ୟରେ କୁକି ମିଲିଟାଣ୍ଟ ଗୋଷ୍ଠୀର ଉଗ୍ରବାଦୀମାନେ ସକ୍ରିୟ ହୋଇଉଠିବା ଖବର ମଧ୍ୟ ସାମ୍ନାକୁ ଆସିଛି। ରାଜନୈତିକ ଫାଇଦା ପାଇଁ ମଣିପୁର ହିଂସା ଭିଆଇବା ଏବେ ଭାଜପା ଲାଗି ସମସ୍ୟା ହୋଇଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଣିପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ବି ସେଠାକାର ଭାଜପା ନେତୃତ୍ୱାଧୀନ ଏନ୍‌.ବୀରେନ ସିଂ ସରକାର ହିଂସାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଅନିଚ୍ଛୁକ। କେନ୍ଦ୍ର ସରକାର ପୂରା ନିଷ୍କ୍ରିୟ ହୋଇ ବସିପଡ଼ିଛି। ତାହାର ଉଦାହରଣ ଅତି ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି, ଯେତେବେଳେ କେନ୍ଦ୍ର ପଠାଇଥିବା ଆସାମ ରାଇଫଲ୍ସ ସଶସ୍ତ୍ର ବାହିନୀର ଅଫିସରଙ୍କ ସହିତ ମଣିପୁର ପୋଲିସ ଅଧିକାରୀମାନଙ୍କର ଜୋର୍‌ଦାର ଯୁକ୍ତିତର୍କର ବିଭିନ୍ନ ଭିଡିଓ ବାରମ୍ବାର ପଦାକୁ ଆସୁଛି। ଏଥିରୁ ବୁଝାପଡ଼ୁଛି ଯେ, ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ଭାବେ ଏକତରଫା କାର୍ଯ୍ୟ କରୁଛି, କାରଣ ସେଠାରେ ନିଯୁକ୍ତି ପାଇଥିବା ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ବାହ୍ୟ ହସ୍ତକ୍ଷେପ ପସନ୍ଦ କରୁନାହାନ୍ତି। ତେଣୁ ରାଜ୍ୟ ପୋଲିସର ସାହାଯ୍ୟ ଓ ସହଯୋଗ ହାସଲ କରିପାରୁ ନ ଥିବା କେନ୍ଦ୍ରୀୟ ବାହିନୀ ମଣିପୁରରେ ସମ୍ପୂର୍ଣ୍ଣ ଭାବେ ପଙ୍ଗୁ ହୋଇ ବସିପଡ଼ିଥିବେ ବୋଲି ବୁଝାପଡୁଛି।
ତେବେ ଘଟଣାଚକ୍ରରେ ମଣିପୁରରେ ଦୁଇ ମହିଳାଙ୍କୁ ନିର୍ଯାତନା ଦେଇ ରାସ୍ତାରେ ଉଲଗ୍ନକରି ଚଲାଇବାର ୨ ମାସ ପୂର୍ବର ଏକ ଭିଡିଓ ପ୍ରକାଶ ପାଇଲା ପରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଥିଲେ। ତା’ ପରେ ଭାଜପାର ନେତାମାନେ ପଶ୍ଚିମବଙ୍ଗ ଓ ଅନ୍ୟ କେତେକ ଅଣ ଭାଜପା ଶାସିତ ରାଜ୍ୟରେ ଘଟିଥିବା ମହିଳାଙ୍କ ପ୍ରତି ହିଂସାକୁ ଦର୍ଶାଇବା ପାଇଁ ବିଶେଷ ଭାବେ ଚିତ୍କାର କରିଥିଲେ। ତତ୍‌ସହିତ ମଣିପୁର ହିଂସା ଘଟଣାକୁ ଘୋଡାଇ ଦେବା ପାଇଁ ଏପାଖ ସେପାଖ କରାଇବାର ପ୍ରଚେଷ୍ଟା ପଛରେ ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ବୁଝାପଡ଼ୁଛି। ତେବେ ଭାରତର ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ପରେ ପୋଲିସ ଏହି ନିର୍ଯାତନା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ଆରମ୍ଭ କରିଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେହି ମୂଳ ଭିଡିଓକୁ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡିଥିବା ଲୋକକୁ ମଧ୍ୟ ପୋଲିସ ଗିରଫ କରିଛି। ବାସ୍ତବରେ ମଣିପୁର ଘଟଣାକୁ ଅଣଦେଖା କରିବା ଦ୍ୱାରା ପ୍ରକୃତ ମୃତ୍ୟୁସଂଖ୍ୟା ଓ ମହିଳା ନିର୍ଯାତନାର ସ୍ପଷ୍ଟ ଛବି ଏବେ ପ୍ରଶ୍ନ ଘେରରେ। ଅନ୍ୟପକ୍ଷରେ ହିଂସା ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ଇସ୍ତଫା ନାଟକ କରି ପରେ ଚୁପ ବସିଯିବା ସରକାରଙ୍କ ରାଜନୈତିକ ଫାଇଦାବାଦୀ ଉଦ୍ଦେଶ୍ୟର ଏକ ସଙ୍କେତ କହିଲେ ଅତ୍ୟୁକ୍ତି ହେବନାହିଁ। ଅଗଷ୍ଟ ୫ରେ ପୁନର୍ବାର ହିଂସା ଘଟି ୫ ଜଣଙ୍କ ମୃତ୍ୟୁ ଓ ୧୬ ଜଣ ଆହତ ହେବା ପରଦିନ ଅର୍ଥାତ୍‌ ଅଗଷ୍ଟ ୬ରେ ତାଙ୍କ ସରକାରକୁ ବାହ୍ୟ ସମର୍ଥନ ଦେଇଥିବା କୁକି ପିପୁଲ୍‌ସ ଆଲିଆନ୍ସ(କେପିଏ) ତା’ସମର୍ଥନ ପ୍ରତ୍ୟାହାର କରିନେଇଛି। ଉଲ୍ଲେଖନୀୟ ଯେ, ମାର୍ଚ୍ଚ ୨୦୨୨ ନିର୍ବାଚନରେ ମୋଟ ୬୦ଟି ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ଏକାକୀ ୩୨ଟି ବିଧାୟକ ଜିଣିଥିଲା। ସେହି ୩୨ଜଣଙ୍କ ମଧ୍ୟରୁ ଏବେ ୮ ଜଣ ବିଧାୟକ ଏବଂ ଭାଜପାର ସହଯୋଗୀ କେପିଏର ୨ ଜଣ ବିଧାୟକ ବିଦ୍ରୋହ କରି ଘୋଷଣା କରିଛନ୍ତି ଯେ, କୁକି ଏବଂ ଅନ୍ୟ ଆଦିବାସୀ ବସବାସ କରୁଥିବା ଅଞ୍ଚଳ ପାଇଁ ଏକ ଭିନ୍ନ ପ୍ରଶାସନିକ ବ୍ୟବସ୍ଥା ସୃଷ୍ଟି କରାଯାଉ। ଏହି ବିଧାୟକମାନଙ୍କର ଦାବି ସ୍ପଷ୍ଟ ଦର୍ଶାଉଛି ଯେ, ଭାଜପା ଏବଂ ତାହାର ସହଯୋଗୀଙ୍କ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଆରମ୍ଭ ହୋଇଗଲାଣି। କେପିଏ ଏବେ ତାହାର ସମର୍ଥନ ପ୍ରତ୍ୟାହାର କରି ନେଇଥିବାରୁ ଏହି ଅନ୍ତର୍ଦ୍ୱନ୍ଦ୍ୱ ସ୍ପଷ୍ଟ ହୋଇଛି। କେବଳ ଏତିକି ନୁହେଁ, ଜାତିଗତ ହିଂସା ସମ୍ପର୍କିତ ମାମଲାଗୁଡ଼ିକର ଯାଞ୍ଚ କରିବା ଲାଗି ଅଗଷ୍ଟ ୭ରେ ସୁପ୍ରିମ କୋର୍ଟ ମହାରାଷ୍ଟ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଦତ୍ତାତ୍ରେୟ ପଡସାଲଗିକରଙ୍କୁ ନିଯୁକ୍ତ କରିବା ପୋଲିସର କାର୍ଯ୍ୟକଳାପର ସନ୍ଦେହାମତ୍କ ଦିଗକୁ ସୂଚିତ କରୁଛି। ଏଥିସହିତ ସୁପ୍ରିମକୋର୍ଟ ସୋମବାର ହାଇକୋର୍ଟର ୩ ଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି, ଯାହାକି ମଣିପୁର ଯାଇ ପରିସ୍ଥିତି ଅନୁଧ୍ୟାନ କରିବେ। କୋର୍ଟ କହିଛନ୍ତି ଆଇନର ଶାସନ ଉପରେ ବିଶ୍ୱାସ ଓ ଭରସା ଫେରାଇ ଆଣିବାରେ ଏହା ଏକ ପଦକ୍ଷେପ। ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ସୁପ୍ରିମକୋର୍ଟ ଯେତିକି ବ୍ୟଗ୍ର ତାହା ସରକାରଙ୍କଠାରେ ଦେଖିବାକୁ ମିଳୁନାହିଁ। ତେବେ ଏନ୍‌ଡିଏ ମେଣ୍ଟରେ ଥିବା କେପିଏର ସମର୍ଥନ ପ୍ରତ୍ୟାହାର ସେଠାକାର ରାଜନୈତିକ ପାଣିପାଗ ପରିବର୍ତ୍ତନର ପ୍ରାରମ୍ଭିକ ସୂଚନା ବୋଲି କୁହାଯାଇପାରେ। ମଣିପୁର କ୍ଷେତ୍ରରେ ଜାତିଗତ ହିଂସା ଲାଗି ରହିଲେ ତାହା କେବଳ ସେହି ରାଜ୍ୟରେ ନୁହେଁ, ବରଂ ସମ୍ପୂର୍ଣ୍ଣ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବିଚ୍ଛିନତାବାଦୀଙ୍କୁ ପୁଣି ସକ୍ର୍ରିୟ ହେବା ଲାଗି ସୁଯୋଗ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri