ଏବେବି ଜଳୁଛି

ମଣିପୁର ଉଚ୍ଚ ନ୍ୟାୟାଳୟ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଏପ୍ରିଲ ତୃତୀୟ ସପ୍ତାହରୁ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଥିଲା। ୩ ମାସରୁ ଊର୍ଦ୍ଧ୍ୱ ହେବ ମେଇତି ଓ କୁକି ଆଦିବାସୀଙ୍କ ମଧ୍ୟରେ ଲାଗି ରହିଥିବା ଏହି ଜାତିଆଣ ହିଂସାରେ ବହୁ ଧନଜୀବନ କ୍ଷତି ହେଲାଣି। ଆଦିବାସୀ ମାନ୍ୟତା ଦେଇ ସଂଖ୍ୟାବହୁଳ ହିନ୍ଦୁ ଥିବା ମେଇତି ସମ୍ପ୍ରଦାୟର ଭୋଟ ହାତେଇବା ଲାଗି ଭାଜପାର ପ୍ରୟାସରୁ ଏହି ହିଂସାର ସୂତ୍ରପାତ ଘଟିଛି ବୋଲି କୁହାଯାଉଛି। କିନ୍ତୁ ତା’ସହିତ ଆହୁରି ଅନେକ ବିଷୟ ପଦାକୁ ଆସିଲାଣି। ଉଦାହରଣ ସ୍ବରୂପ, ପାହାଡ଼ ଅଞ୍ଚଳରେ ଜମି ମିଲାକାନା ଉପରେ ଅଧିକ ଚାପ ରହୁଛି। ଯାହା ହାତରେ ଜମି ରହିଲା ସେହି ଗୋଷ୍ଠୀ, ବିଶେଷକରି ଏକ ସୀମାନ୍ତ ରାଜ୍ୟରେ ଅତ୍ୟନ୍ତ ଧନୀ ଓ ପ୍ରଭାବଶାଳୀ ହୋଇପାରିବ। କୁହାଯାଉଛି ଯେ, ସୀମା ଆରପାରିରେ ଥିବା ବର୍ମା ଅଞ୍ଚଳରେ ନିଶା ଦ୍ରବ୍ୟର ବିରାଟକାୟ ବ୍ୟବସାୟ ଚାଇନା ସାହାଯ୍ୟରେ ଚାଲିଛି। ସେଥିପାଇଁ ମଣିପୁରରେ ମଧ୍ୟ ନିଶାଦ୍ରବ୍ୟ ବ୍ୟବସାୟରେ ସମ୍ପୃକ୍ତ ଲୋକଙ୍କର ପ୍ରଭାବ ଏବଂ ଧନ ଉଭୟ ବୃଦ୍ଧି ପାଉଛି। ସେଭଳି ଧନର ଆକର୍ଷଣକୁ ଦେଖି ଶାସକ ଦଳର ଲୋକମାନେ ଏଭଳି ବିପୁଳ ବ୍ୟବସାୟରୁ କୌଣସି ଲାଭ ପାଇ ପାରୁ ନ ଥିବା ହେତୁ ବ୍ୟସ୍ତହୋଇ ପଡିଛନ୍ତି।
ହିଂସା ମଧ୍ୟରେ କୁକି ମିଲିଟାଣ୍ଟ ଗୋଷ୍ଠୀର ଉଗ୍ରବାଦୀମାନେ ସକ୍ରିୟ ହୋଇଉଠିବା ଖବର ମଧ୍ୟ ସାମ୍ନାକୁ ଆସିଛି। ରାଜନୈତିକ ଫାଇଦା ପାଇଁ ମଣିପୁର ହିଂସା ଭିଆଇବା ଏବେ ଭାଜପା ଲାଗି ସମସ୍ୟା ହୋଇଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଣିପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ବି ସେଠାକାର ଭାଜପା ନେତୃତ୍ୱାଧୀନ ଏନ୍‌.ବୀରେନ ସିଂ ସରକାର ହିଂସାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଅନିଚ୍ଛୁକ। କେନ୍ଦ୍ର ସରକାର ପୂରା ନିଷ୍କ୍ରିୟ ହୋଇ ବସିପଡ଼ିଛି। ତାହାର ଉଦାହରଣ ଅତି ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି, ଯେତେବେଳେ କେନ୍ଦ୍ର ପଠାଇଥିବା ଆସାମ ରାଇଫଲ୍ସ ସଶସ୍ତ୍ର ବାହିନୀର ଅଫିସରଙ୍କ ସହିତ ମଣିପୁର ପୋଲିସ ଅଧିକାରୀମାନଙ୍କର ଜୋର୍‌ଦାର ଯୁକ୍ତିତର୍କର ବିଭିନ୍ନ ଭିଡିଓ ବାରମ୍ବାର ପଦାକୁ ଆସୁଛି। ଏଥିରୁ ବୁଝାପଡ଼ୁଛି ଯେ, ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ଭାବେ ଏକତରଫା କାର୍ଯ୍ୟ କରୁଛି, କାରଣ ସେଠାରେ ନିଯୁକ୍ତି ପାଇଥିବା ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ବାହ୍ୟ ହସ୍ତକ୍ଷେପ ପସନ୍ଦ କରୁନାହାନ୍ତି। ତେଣୁ ରାଜ୍ୟ ପୋଲିସର ସାହାଯ୍ୟ ଓ ସହଯୋଗ ହାସଲ କରିପାରୁ ନ ଥିବା କେନ୍ଦ୍ରୀୟ ବାହିନୀ ମଣିପୁରରେ ସମ୍ପୂର୍ଣ୍ଣ ଭାବେ ପଙ୍ଗୁ ହୋଇ ବସିପଡ଼ିଥିବେ ବୋଲି ବୁଝାପଡୁଛି।
ତେବେ ଘଟଣାଚକ୍ରରେ ମଣିପୁରରେ ଦୁଇ ମହିଳାଙ୍କୁ ନିର୍ଯାତନା ଦେଇ ରାସ୍ତାରେ ଉଲଗ୍ନକରି ଚଲାଇବାର ୨ ମାସ ପୂର୍ବର ଏକ ଭିଡିଓ ପ୍ରକାଶ ପାଇଲା ପରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଥିଲେ। ତା’ ପରେ ଭାଜପାର ନେତାମାନେ ପଶ୍ଚିମବଙ୍ଗ ଓ ଅନ୍ୟ କେତେକ ଅଣ ଭାଜପା ଶାସିତ ରାଜ୍ୟରେ ଘଟିଥିବା ମହିଳାଙ୍କ ପ୍ରତି ହିଂସାକୁ ଦର୍ଶାଇବା ପାଇଁ ବିଶେଷ ଭାବେ ଚିତ୍କାର କରିଥିଲେ। ତତ୍‌ସହିତ ମଣିପୁର ହିଂସା ଘଟଣାକୁ ଘୋଡାଇ ଦେବା ପାଇଁ ଏପାଖ ସେପାଖ କରାଇବାର ପ୍ରଚେଷ୍ଟା ପଛରେ ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ବୁଝାପଡ଼ୁଛି। ତେବେ ଭାରତର ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ପରେ ପୋଲିସ ଏହି ନିର୍ଯାତନା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ଆରମ୍ଭ କରିଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେହି ମୂଳ ଭିଡିଓକୁ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡିଥିବା ଲୋକକୁ ମଧ୍ୟ ପୋଲିସ ଗିରଫ କରିଛି। ବାସ୍ତବରେ ମଣିପୁର ଘଟଣାକୁ ଅଣଦେଖା କରିବା ଦ୍ୱାରା ପ୍ରକୃତ ମୃତ୍ୟୁସଂଖ୍ୟା ଓ ମହିଳା ନିର୍ଯାତନାର ସ୍ପଷ୍ଟ ଛବି ଏବେ ପ୍ରଶ୍ନ ଘେରରେ। ଅନ୍ୟପକ୍ଷରେ ହିଂସା ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ଇସ୍ତଫା ନାଟକ କରି ପରେ ଚୁପ ବସିଯିବା ସରକାରଙ୍କ ରାଜନୈତିକ ଫାଇଦାବାଦୀ ଉଦ୍ଦେଶ୍ୟର ଏକ ସଙ୍କେତ କହିଲେ ଅତ୍ୟୁକ୍ତି ହେବନାହିଁ। ଅଗଷ୍ଟ ୫ରେ ପୁନର୍ବାର ହିଂସା ଘଟି ୫ ଜଣଙ୍କ ମୃତ୍ୟୁ ଓ ୧୬ ଜଣ ଆହତ ହେବା ପରଦିନ ଅର୍ଥାତ୍‌ ଅଗଷ୍ଟ ୬ରେ ତାଙ୍କ ସରକାରକୁ ବାହ୍ୟ ସମର୍ଥନ ଦେଇଥିବା କୁକି ପିପୁଲ୍‌ସ ଆଲିଆନ୍ସ(କେପିଏ) ତା’ସମର୍ଥନ ପ୍ରତ୍ୟାହାର କରିନେଇଛି। ଉଲ୍ଲେଖନୀୟ ଯେ, ମାର୍ଚ୍ଚ ୨୦୨୨ ନିର୍ବାଚନରେ ମୋଟ ୬୦ଟି ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ଏକାକୀ ୩୨ଟି ବିଧାୟକ ଜିଣିଥିଲା। ସେହି ୩୨ଜଣଙ୍କ ମଧ୍ୟରୁ ଏବେ ୮ ଜଣ ବିଧାୟକ ଏବଂ ଭାଜପାର ସହଯୋଗୀ କେପିଏର ୨ ଜଣ ବିଧାୟକ ବିଦ୍ରୋହ କରି ଘୋଷଣା କରିଛନ୍ତି ଯେ, କୁକି ଏବଂ ଅନ୍ୟ ଆଦିବାସୀ ବସବାସ କରୁଥିବା ଅଞ୍ଚଳ ପାଇଁ ଏକ ଭିନ୍ନ ପ୍ରଶାସନିକ ବ୍ୟବସ୍ଥା ସୃଷ୍ଟି କରାଯାଉ। ଏହି ବିଧାୟକମାନଙ୍କର ଦାବି ସ୍ପଷ୍ଟ ଦର୍ଶାଉଛି ଯେ, ଭାଜପା ଏବଂ ତାହାର ସହଯୋଗୀଙ୍କ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଆରମ୍ଭ ହୋଇଗଲାଣି। କେପିଏ ଏବେ ତାହାର ସମର୍ଥନ ପ୍ରତ୍ୟାହାର କରି ନେଇଥିବାରୁ ଏହି ଅନ୍ତର୍ଦ୍ୱନ୍ଦ୍ୱ ସ୍ପଷ୍ଟ ହୋଇଛି। କେବଳ ଏତିକି ନୁହେଁ, ଜାତିଗତ ହିଂସା ସମ୍ପର୍କିତ ମାମଲାଗୁଡ଼ିକର ଯାଞ୍ଚ କରିବା ଲାଗି ଅଗଷ୍ଟ ୭ରେ ସୁପ୍ରିମ କୋର୍ଟ ମହାରାଷ୍ଟ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଦତ୍ତାତ୍ରେୟ ପଡସାଲଗିକରଙ୍କୁ ନିଯୁକ୍ତ କରିବା ପୋଲିସର କାର୍ଯ୍ୟକଳାପର ସନ୍ଦେହାମତ୍କ ଦିଗକୁ ସୂଚିତ କରୁଛି। ଏଥିସହିତ ସୁପ୍ରିମକୋର୍ଟ ସୋମବାର ହାଇକୋର୍ଟର ୩ ଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି, ଯାହାକି ମଣିପୁର ଯାଇ ପରିସ୍ଥିତି ଅନୁଧ୍ୟାନ କରିବେ। କୋର୍ଟ କହିଛନ୍ତି ଆଇନର ଶାସନ ଉପରେ ବିଶ୍ୱାସ ଓ ଭରସା ଫେରାଇ ଆଣିବାରେ ଏହା ଏକ ପଦକ୍ଷେପ। ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ସୁପ୍ରିମକୋର୍ଟ ଯେତିକି ବ୍ୟଗ୍ର ତାହା ସରକାରଙ୍କଠାରେ ଦେଖିବାକୁ ମିଳୁନାହିଁ। ତେବେ ଏନ୍‌ଡିଏ ମେଣ୍ଟରେ ଥିବା କେପିଏର ସମର୍ଥନ ପ୍ରତ୍ୟାହାର ସେଠାକାର ରାଜନୈତିକ ପାଣିପାଗ ପରିବର୍ତ୍ତନର ପ୍ରାରମ୍ଭିକ ସୂଚନା ବୋଲି କୁହାଯାଇପାରେ। ମଣିପୁର କ୍ଷେତ୍ରରେ ଜାତିଗତ ହିଂସା ଲାଗି ରହିଲେ ତାହା କେବଳ ସେହି ରାଜ୍ୟରେ ନୁହେଁ, ବରଂ ସମ୍ପୂର୍ଣ୍ଣ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବିଚ୍ଛିନତାବାଦୀଙ୍କୁ ପୁଣି ସକ୍ର୍ରିୟ ହେବା ଲାଗି ସୁଯୋଗ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?