ଛତ୍ରପୁର, ୨୯/୧୧ (ଦିଲୀପ ସାମଲ): ଏକାଠି ବସି ମଦ୍ୟପାନ କରୁଥିବା ବେଳେ ସାମାନ୍ୟ ବଚସାରୁ ଘଟିଲା ରକ୍ତାକ୍ତ ସଂଘର୍ଷ। ଶେଷରେ ଏହା ହତ୍ୟାକାଣ୍ଡର ରୂପ ନେଇଛି। ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବିରିଡ଼ିଗଡ଼ ଅଞ୍ଚଳରେ ମୁରଲୀ ନାମକ ଜଣେ ଯୁବକଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ କିଛି ଯୁବକ ଏକାଠି ବସି ମଦ୍ୟପାନ କରୁଥିବା ସମୟରେ କୌଣସି ଏକ କଥାକୁ ନେଇ ମୁରଲୀ ଓ ଶେଖର ଦାସଙ୍କ ମଧ୍ୟରେ ବଚସା ହୋଇଥିଲା। କ୍ରମେ ଏହି ବଚସା ଉଗ୍ର ରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶେଖର ଏକ ଲୁହା ରଡ୍ରେ ମୁରଲୀଙ୍କ ମୁଣ୍ଡକୁ ନିର୍ଧୁମ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ମୁରଲୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ସମ୍ପର୍କରେ ଖବର ପାଇ ରମ୍ଭା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶେଖର ଦାସଙ୍କୁ ଧରିବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ବିଭିନ୍ନ ବୈଜ୍ଞାନିକ ପ୍ରମାଣ ସଂଗ୍ରହ କରିଛି। ତେବେ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

