ସ୍କନ୍ଧଂ ନ ବାଧତେ ରାଜନ୍‌

ଭୋଜରାଜଙ୍କର ଅଶୁଦ୍ଧ ସଂସ୍କୃତ ଶୁଣି ତାଙ୍କ ସବାରି ବୋହୁଥିବା ଲୋକଟି ପ୍ରତିକ୍ରିୟା ପ୍ରକାଶ କରି କହିଥିଲା ”ସ୍କନ୍ଧଂ ନ ବାଧତେ ରାଜନ ତବ ‘ବାଧତି’ ବାଧତେ“। ଅର୍ଥାତ୍‌, ସବାରି ବୋହିବା କାମରେ ଅନଭ୍ୟସ୍ତ ଥିବା ହେତୁ ଲୋକଟିର କାନ୍ଧରେ କଷ୍ଟ ହେଉଥିଲେ ବି ସେ ସୂଚାଇ ଦେଲା ଯେ ଏ କଷ୍ଟକୁ ବଳିପଡୁଛି ରାଜାଙ୍କର (ଅଜ୍ଞତା ଜନିତ) ଭୁଲ୍‌ ସଂସ୍କୃତ ପ୍ରୟୋଗ। ଏହାପରେ ରାଜାଙ୍କର ପ୍ରତିକ୍ରିୟା ବିଷୟରେ ସୂଚନା ନ ଥିଲେ ବି ଅନ୍ତତଃ ଏ କଥା ସ୍ଥିର ଯେ ନିଜର ଭୁଲ୍‌ ଜାଣିପାରିଥିଲେ ସେ ଲଜ୍ଜିତ ହୋଇଥିବେ ଏବଂ ତାକୁ ସୁଧାରିବାର ପ୍ରୟାସ କରିଥିବେ। ଏଥିରୁ ଆମମାନଙ୍କ ପାଇଁ ଅନ୍ତତଃ ଏତିକି ଶିକ୍ଷା ହେବା ଉଚିତ ବୋଲି ଆଶା କରାଯାଇପାରେ ଯେ ଆମେ କୌଣସି ଭୁଲ୍‌ କଲେ ବା ଆମଦ୍ବାରା କିଛି ଅନିଚ୍ଛାକୃତ ଭୁଲ୍‌ ହୋଇଗଲେ, ସେ ବିଷୟରେ ଆମକୁ କେହି ସୂଚିତ କଲେ ଏହାକୁ ଆମ ଅହଂକାର ଉପରେ ପ୍ରହାର ବୋଲି ବିଚାର ନ କରି ଆମେ ତାକୁ ସ୍ବୀକାର କରି ସଂଶୋଧନ କରିନେବା ଉଚିତ। ଏବଂ ଆମ ଭୁଲ୍‌କୁ ବିଭିନ୍ନ ବାହାନା ଦେଖେଇ ଠିକ୍‌ ବୋଲି ସାବ୍ୟସ୍ତ କରିବାକୁ ଚେଷ୍ଟା କରିବା ଅନୁଚିତ। କିନ୍ତୁ ସମସ୍ୟା ହେଲା କେଉଁଟା ଠିକ୍‌ କେଉଁଟା ଭୁଲ୍‌ ତା’ ନିର୍ଦ୍ଧାରଣ କରିବା ପାଇଁ କୌଣସି ସ୍ଥିର ମାନଦଣ୍ଡ ନାହିଁ। ସାଧାରଣ ସାମାଜିକ ଗ୍ରହଣଶୀଳତା ଦୃଷ୍ଟିରୁ କୌଣସି ଘଟଣାକୁ ଠିକ୍‌ ବା ଭୁଲ୍‌ ବୋଲି ବିଚାର କଲେ ବି ଅନେକେ ଯୁକ୍ତି କରନ୍ତି ଯେ, ଏସବୁ ବିଚାର ଆପେକ୍ଷିକ ହୋଇଥିବାରୁ ସେମାନେ କିଛି ଭୁଲ୍‌ କରିଛନ୍ତି ବୋଲି କହିବା ହିଁ ଭୁଲ୍‌। ତା’ ଛଡା, ନିଜ କାର୍ଯ୍ୟକୁ ଭୁଲ୍‌ ବୋଲି ଅନୁଭବ କରୁଥିଲେ ବି ସେମାନେ ଅନ୍ୟମାନଙ୍କ ଭୁଲ୍‌ ବିଷୟରେ ବିଷୋଦ୍‌ଗାର କରି ନିଜ କାର୍ଯ୍ୟକୁ ଠିକ୍‌ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥାଆନ୍ତି।
ସେଦିନ ମାଛ କିଣିବା ବେଳେ ପାଖରେ ଛିଡ଼ା ହୋଇଥିବା ଭଦ୍ରଲୋକ ଜଣକ ଗୁଡ଼ାଏ ମାଛକୁ ହାତରେ ଏପଟ ସେପଟ କରି ପରୀକ୍ଷା କରିସାରି ସେ ଆଇଁଷ ହାତଟାକୁ ମାଛ ଦୋକାନୀର ଚାଳିଆରେ ବନ୍ଧା ହୋଇଥିବା ଆମ ଜାତୀୟ ପତାକାରେ ପୋଛି ପରିଷ୍କାର କରୁଥିବା ଦେଖି ମୁଁ ତାଙ୍କୁ ବାରଣ କଲି। ତ୍ରିରଙ୍ଗା ପତାକାକୁ ଏମିତି ଅସମ୍ମାନ ନ କରିବା ବିଷୟରେ ଏକ ଭାଷଣ ବି ଦେଲି। ଧୈର୍ଯ୍ୟର ସହ ମୋତେ ଶୁଣିସାରି ଭଦ୍ରଲୋକ ଜଣକ କହିଲେ, ”ଆଜ୍ଞା, ଏଭଳି ଭାବରେ ତ୍ରିରଙ୍ଗା ଉଡ଼େଇବା ଦ୍ବାରା କାହା ଭିତରେ କେଉଁଭଳି ଭାବରେ ଦେଶପ୍ରେମ ଜାଗ୍ରତ ହେଲା ମତେ ବୁଝାନ୍ତୁ ତ! ପତାକା ଉଡ଼େଇବା ବାହାନାରେ ସେ ଲୋକଟା ସେଠି କେମିତି ଟୁଇନ ୱାନ ବ୍ୟବସ୍ଥା କରିଛି ଦେଖନ୍ତୁ। ଗୋଟେ ବାଡିରେ ପତାକା ବାନ୍ଧି ତା’ ବାଇକରେ ଖୋଷିଛି; ପୁଣି ତାକୁ କାଢ଼ି ସେଇଥିରେ ତା’ ଗାଡିଟା ବି ପୋଛୁଚି। ଏ ମାଛ ଦୋକାନୀ ଏ ପତାକାରେ ଆଇଁଷ ହାତ ପୋଛି ପୋଛି ୟାକୁ କଳା ପକେଇ ସାରିଲାଣି। ସେଥିରେ ଆପଣଙ୍କର କିଛି ଅସୁବିଧା ହେଲାନି, ଅଥଚ ମୁଁ କ’ଣ ଟିକେ ହାତ ପୋଛିଦେଲି ଯେ ବେଦ ଅଶୁଦ୍ଧ ହୋଇଗଲା ଭଳିଆ ଆପଣ ମୋତେ ଭାଷଣ ଶୁଣଉଛନ୍ତି!“
ପତାକା ଉଡ଼େଇବାର ମହତ୍ତର ଭାବନାକୁ ଯେଉଁଭଳି ଭାବରେ ଅପମାନିତ କରାଯାଉଥିଲା ତା’ ଖୁବ୍‌ କଷ୍ଟଦାୟକ। ଭଦ୍ରଲୋକ ଜଣକ ସେ ମାଛ ଦୋକାନୀ ବିଷୟରେ ମୋତେ କହୁଥିଲା ବେଳେ ଦୋକାନୀଟି ତାଙ୍କୁ ସେଇକ୍ଷଣି ମାରି ପକେଇଲା ଭଳିଆ ଯେମିତି ରାଗିକରି ଚାହିଁଥାଏ, ମୁଁ ତାକୁ କିଛି ଉପଦେଶ ଦେବାକୁ ସାହସ କଲିନି। ବାଇକବାଲା ବି ସତକୁ ସତ ପତାକାରେ ସିଟ୍‌ ପୋଛି ତାକୁ ଜାକିଜୁକି ଧରି ଚାଲିଗଲା। ଏ ଦୃଶ୍ୟ ଦେଖି ମୁଁ ଅପ୍ରସ୍ତୁତ ହୋଇଗଲି। ଭଦ୍ରଲୋକ ଜଣକ ଗାରଡ଼େଇ ହୋଇ ମୋତେ ଚାହିଁଲେ। ସେ ଅନ୍ୟମାନଙ୍କ ଗର୍ହିତ କାର୍ଯ୍ୟର ଉଦାହରଣ ଦେଇ ନିଜ ଭୁଲ୍‌କୁ ଠିକ୍‌ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି ଜାଣି ବି ମୁଁ ତାଙ୍କ ସହ ଆଉ ଯୁକ୍ତି କରିବାକୁ ଉଚିତ ମଣିଲିନି। କାରଣ, ଅଧିକାଂଶ ଲୋକ ନିଜ ଭୁଲ୍‌ ସ୍ବୀକାର କରିବା ତ ଦୂର କଥା, ସେ ବିଷୟରେ ତାଙ୍କୁ କେହି ସୂଚିତ କଲେ ବରଦାସ୍ତ କରିପାରନ୍ତିନି। ତାଙ୍କ ଅହଂକାର ଉପରେ ନିର୍ମମ ପ୍ରହାର ହେଲା ଭଳିଆ ଅନୁଭବ କରି ଭୟଙ୍କର ଭାବରେ ପ୍ରତିକ୍ରିୟାଶୀଳ ହୋଇପଡ଼ନ୍ତି। ନିଜ ଭୁଲ୍‌ କଦବା କେମିତି ହୃଦୟଙ୍ଗମ କଲେ ବି ଅନ୍ୟମାନଙ୍କ ନଜରରେ କାଳେ ଛୋଟ ପ୍ରମାଣିତ ହୋଇଯିବେ ସେଇ ଭୟରେ ବିଭିନ୍ନ ବାହାନାରେ ଅନ୍ୟର ଭୁଲ୍‌ ଦେଖେଇ ନିଜେ ଖସିଯିବାକୁ ଚେଷ୍ଟା କରନ୍ତି।
ସେଦିନ ଗୋଟେ ସାହିତ୍ୟ ସଭାରେ ମଞ୍ଚ ମଣ୍ଡନ କରିଥିବା ଅତିଥି ମହୋଦୟ ବିରକ୍ତି ଓ କ୍ଷୋଭର ସହ ଆୟୋଜକଙ୍କର ଏକ ଛୋଟ ଅଥଚ ଗୁରୁତର ଭୁଲ୍‌ ଭାବରେ ଏକ ବନାନଗତ ତ୍ରୁଟିକୁ ଦର୍ଶାଇଲେ। ନିମନ୍ତ୍ରଣ ପତ୍ରରେ ଛପା ଯାଇଥିବା ‘ମୁଖ୍ୟଅତିଥି’ର ବନାନରେ ‘ମୂ’ ଅର୍ଥାତ୍‌ ‘ମ’ରେ ହ୍ରସଉକାର ପରିବର୍ତ୍ତେ ଦୀର୍ଘଉକାର ଛପା ଯାଇଥିଲା, ଯାହାକୁ ସେ ‘ମୁଖ୍ୟଅତିଥି’ ନ କହି ‘ମୂର୍ଖଅତିଥି’ ଭାବରେ ବ୍ୟାଖ୍ୟା କଲେ। କହିବା ବାହୁଲ୍ୟ ଯେ ଆୟୋଜକମାନେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର କର୍ମକର୍ତ୍ତା ଥିଲେ, ଯିଏ ସବୁ ବନାନଗତ ତ୍ରୁଟି ସଂଶୋଧନ କରିବା ଦିଗରେ ଯତ୍ନଶୀଳ ହୋଇଥାନ୍ତେ ବୋଲି ଆଶା କରାଯାଉଥିଲା। ଅବଶ୍ୟ ସେମାନେ ସେଇ କ୍ଷଣି ଅତିଥିଙ୍କ ସାମ୍ନାରେ କ୍ଷମା ମାଗିନେଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ପ୍ରତିକ୍ରିୟା ଆଶ୍ଚର୍ଯ୍ୟଜନକ ଥିଲା। ସଭା ଶେଷ ହେବା ମାତ୍ରେ ଆୟୋଜକ ବନ୍ଧୁ ଜଣେ ମୁହଁ ଫଣଫଣ କରି ଆସି କହିଲେ, ‘ ହୁଁ! ଏତେ ବଡ଼ ସଭାର ଆୟୋଜନ କରି ତାଙ୍କୁ ଅତିଥି କରି ଡାକିଲୁ, ସେଇଟା ଦେଖାଗଲାନି, ଅଥଚ ଗୋଟେ ବନାନ ଭୁଲ୍‌ରେ ତାଙ୍କର ସବୁ ଓଲଟପାଲଟ ହୋଇଗଲା!’ ମୁଁ ବନ୍ଧୁଙ୍କୁ ବୁଝେଇବାକୁ ଯାଇ କହିଲି, ‘ଠିକ୍‌ ଯେ, ହେଲେ ସେମାନଙ୍କ ଭୁଲ୍‌ ଦେଖେଇବା ଦ୍ବାରା ଆମ ଭୁଲ୍‌ କ’ଣ ଠିକ୍‌ ସାବ୍ୟସ୍ତ ହୋଇଯିବ?’ ବନ୍ଧୁ ଚୋଟ ମାରିଲା ଭଳି ଚଟ୍‌ କରି ବୁଲିପଡ଼ି କହିଲେ, ‘ଆମର ଭୁଲ୍‌ ବାହାର କରିବା ପାଇଁ ନୈତିକତା କାହାର ଅଛି? ଆମ ଭୁଲ୍‌ଟା ଭୁଲ୍‌ ନୁହଁ। ‘ଅଧିକ ଯୁକ୍ତି କରି ନ ପାରି ମୁଁ କେବଳ କହିଲି’ ସ୍କନ୍ଧଂ ନ ବାଧତେ ରାଜନ ତବ ବାଧତି ବାଧତେ।’ ସେ କିଛି ବୁଝି ନ ପାରି ଖାଲି ହସିଦେଲେ ଏବଂ ସେ ନ ବୁଝି ବି ହସିଥିବା ଦେଖି ମୁଁ ହସିଦେଇ ଚାଲିଆସିଲି।

  • ହରେକୃଷ୍ଣ ଦାସ
    ଅଧ୍ୟାପକ, ଇଂଲିଶ ବିଭାଗ
    ନିଆଳି କଲେଜ, ନିଆଳି, କଟକ
    ମୋ: ୯୮୬୧୩୪୫୬୫୮

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri