ପ୍ୟୋଙ୍ଗୟାଙ୍ଗ,୧।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ଦେଶର ଆଣବିକ ଅସ୍ତ୍ରଶସ୍ତ୍ରର ସମ୍ପ୍ରସାରଣ ଏବଂ ଏକ ନୂତନ ତଥା ଅଧିକ ଶକ୍ତିଶାଳୀ ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ରର ବିକାଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର କୋରିଆ ୨୦୨୩ ବର୍ଷ ରବିବାର ସକାଳେ ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷା ସହିତ ଆରମ୍ଭ କରଛି। ସରକାରୀ କୋରିଆ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି (କେସିଏନଏ) ଅନୁଯାୟୀ କିମ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିବାର ଆବଶ୍ୟକତା ରହିଛି।
ସେ ଦେଶର ଆଣବିକ ଅସ୍ତ୍ରଶସ୍ତ୍ରରେ ଦ୍ରୁତ ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କେସିଏନଏ କହିଛି ଯେ ଦ୍ରୁତ ପ୍ରତିଶୋଧ ପରମାଣୁ ଆକ୍ରମଣକୁ ଲକ୍ଷ୍ୟ କରି କିମ୍ ଅନ୍ୟ ଏକ ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ବ୍ୟବସ୍ଥାର ବିକାଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଦକ୍ଷିଣ କୋରିଆର ସୈନ୍ୟବାହିନୀ କହିଛନ୍ତି ଯେ ଉତ୍ତର କୋରିଆ ରବିବାର ସକାଳେ କେନ୍ଦ୍ରୀୟ ଅଞ୍ଚଳରେ କ୍ଷେପଣାସ୍ତ୍ର ପରୀକ୍ଷା କରିଛି।
ଜଏଣ୍ଟ ଚିଫ୍ ଅଫ ଷ୍ଟାଫ୍ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ର ପ୍ରାୟ ୪୦୦ କିଲୋମିଟର ଦୂର ଯାତ୍ରା କରିଥିଲା ଏବଂ ପରେ କୋରିଆ ଉପଦ୍ୱୀପ ଏବଂ ଜାପାନ ମଧ୍ୟରେ ପାଣିରେ ପଡ଼ିଯାଇଥିଲା। ଏହା କୋରିଆ ଉପଦ୍ୱୀପର ଶାନ୍ତି ଏବଂ ନିରାପତ୍ତାକୁ କ୍ଷତି ପହଞ୍ଚାଇପାରେ ବୋଲି ସେ କହିଛନ୍ତି।