
ଘରଦ୍ୱାର, ରାସ୍ତାଘାଟ, ମାଟିପଥର, ଗଛଲତା, ପାହାଡ଼ପର୍ବତ, ନଦୀଝରଣା, ମଣିଷ, ପଶୁପକ୍ଷୀ ଓ ଜୀବାଣୁଭୂତାଣୁ – ଏମାନଙ୍କୁ ନେଇ ଆମ ‘ପରିବେଶ’ ଗଠିତ। କିନ୍ତୁ ପରିବେଶ କହିଲେ ଆମେ ବୁଝୁ ବାୟୁ-ପାଣି-ମାଟି (ବା-ପା-ମା)। ପିତାମାତା ଆମକୁ ଜନ୍ମ ଦିଅନ୍ତି, କିନ୍ତୁ ବାୟୁ-ପାଣି-ମାଟି ଆମକୁ ଜୀବନ ଦିଏ। ପରିବେଶର ପ୍ରାକୃତିକ ସମ୍ପଦ ଆମର ମୌଳିକ ଆବଶ୍ୟକତାକୁ ପୂରଣ କରେ। ପରିବେଶ ଆମର ସ୍ବାସ୍ଥ୍ୟ। ପରିବେଶକୁ ସୁସ୍ଥ ରଖିବା ସକାଶେ ୧୯୭୪ ମସିହାରୁ ସାରା ପୃଥିବୀରେ ମିଳିତ ଜାତିସଂଘ ତରଫରୁ ପ୍ରତି ବର୍ଷ ଜୁନ୍ ୫ ତାରିଖକୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି। ୧୯୯୭ ପରେ ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସ ଆୟୋଜନ କରୁଛି କୋରିଆ। ଏଥର ପ୍ଲାଷ୍ଟିକ୍ ପ୍ରଦୂଷଣକୁ ବନ୍ଦ କରିବା ଦିଗରେ ଗୁରୁତ୍ୱ ଦିଆଯାଇଛି। ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି ‘ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁଶନ’ ଅର୍ଥାତ୍ ପ୍ଲାଷ୍ଟିକ୍ ପ୍ରଦୂଷଣ ବନ୍ଦ କର।
ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍ ଦିନେ ଆମକୁ ଆନନ୍ଦ ଦେଇଥିଲା। ଆଜି କିନ୍ତୁ ଏହାର ଅତିରକ୍ତ ଓ ଅବିବେକୀ ବ୍ୟବହାର ପରିବେଶକୁ ନଷ୍ଟ କରିବା ସହ ଜୀବଜଗତ ପାଇଁ ଜହର ପ୍ରମାଣିତ ହୋଇଛି। ନାଳନର୍ଦ୍ଦମାରେ ପ୍ଲାଷ୍ଟିକ୍ ଜମୁଛି। ପ୍ରତିବର୍ଷ ୧୧୦ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ସମୁଦ୍ରରେ ମିଶୁଛି। ପବନରେ ମିଶୁଛି ପ୍ଲାଷ୍ଟିକ୍ ଗୁଣ୍ଡ ଓ ବିଷାକ୍ତ ଧୂଆଁ। ତେଣୁ ବାୟୁ-ପାଣି-ମାଟି ଆଜି ବ୍ୟବହାର ଅନୁପଯୋଗୀ। ସୂକ୍ଷ୍ମ ପ୍ଲାଷ୍ଟିକ୍ ଖାଦ୍ୟପାନୀୟ ମାଧ୍ୟମରେ ଶରୀରରେ ପ୍ରବେଶ କରି ମାରାତ୍ମକ ରୋଗ ସୃଷ୍ଟି କରୁଛି। ତେଣୁ ଏ ବର୍ଷର ବାର୍ତ୍ତା ଜନସାଧାରଣଙ୍କୁ ପ୍ଲାଷ୍ଟିକ୍ ପ୍ରଦୂଷଣର ମାରାତ୍ମକ ଭୟାବହତା, ପ୍ଲାଷ୍ଟିକ୍ ବର୍ଜନ, ପରିବେଶଗ୍ରାହୀ ଓ ବିଘଟନକ୍ଷମ ପ୍ଲାଷ୍ଟିକ୍ ବ୍ୟବହାର, ପ୍ଲାଷ୍ଟିକ୍ ଆବର୍ଜନାର ପୁନଃଚକ୍ରୀକରଣ, କାଗଜ କିମ୍ବା କପଡା ଥଳି ବ୍ୟବହାର ସମ୍ପର୍କରେ ସତର୍କ କରିବ। ସମୁଦାୟ ପୃଥିବୀକୁ ପ୍ଲାଷ୍ଟିକ୍-ମୁକ୍ତ ଗ୍ରହରେ ପରିବର୍ତ୍ତନ କରିବା ଦିଗରେ ଉତ୍ସାହିତ କରିବ।
-ଡ. କମଳାକାନ୍ତ ଜେନା,
ଓଇଏସ୍ (ଏ), ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ