ଭାରତରେ ନାରୀ ସୁରକ୍ଷା

ବୈକୁଣ୍ଠନାଥ ମିଶ୍ର

ଥମ୍‌ସନ୍‌ ରଏଟର୍ସ ଫାଉଣ୍ଡେଶନ ପକ୍ଷରୁ ୨୦୧୯ରେ ୫୫୦ ଜଣ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ଭାରତ ନାରୀମାନଙ୍କ ପାଇଁ ଏକ ଅସୁରକ୍ଷିତ ଦେଶ। ଭାରତୀୟ ନାରୀ ସମ୍ମୁଖୀନ ହେଉଥିବା ଯୌନ ଅତ୍ୟାଚାରକୁ ଭିତ୍ତିକରି ବିଦେଶୀ ବିଶେଷଜ୍ଞମାନେ ଏତାଦୃଶ ମତ ଦେଇଛନ୍ତି। କିନ୍ତୁ ଭାରତୀୟ ବିଶେଷଜ୍ଞମାନେ ଏହି ମତକୁ ସର୍ବାନ୍ତକରଣରେ ଗ୍ରହଣ କରିପାରିନାହାନ୍ତି। କାରଣ ତୁଳନାତ୍ମକ ଭାବେ ନିରୀକ୍ଷଣ କଲେ ଜଣାଯାଏ, ବିଶ୍ୱର ଅନ୍ୟାନ୍ୟ ଦେଶରେ ବିଶେଷକରି ୟୁରୋପୀୟ ଦେଶ ସମୂହରେ ନାରୀମାନଙ୍କ କ୍ଷେତ୍ରରେ ଘଟୁଥିବା ଯୌନ ବ୍ୟଭିଚାର ଅତ୍ୟନ୍ତ ଉଦ୍‌ବେଗଜନକ। ନାରୀ ସୁରକ୍ଷା ଓ ଅଧିକାର ଉପରେ କାର୍ଯ୍ୟ କରୁଥିବା ଅନ୍ୟ ଏକ ବୈଶ୍ୱିକ ଅନୁଷ୍ଠାନର ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତି ଏକ ଲକ୍ଷରେ ୧.୮ ପ୍ରତିଶତ ମହିଳା ବଳାତ୍କାରର ଶିକାର ହେଉଥିବାବେଳେ ଜର୍ମାନୀରେ ଏହା ୯.୪, ଇଂଲଣ୍ଡରେ ୧୭, ନରୱେରେ ୧୯.୨, ଆମେରିକାରେ ୨୭.୪ ଓ ସୁଇଡେନ ଯାହା ବିଶ୍ୱରେ ଏକ ପ୍ରଗତିଶୀଳ ରାଷ୍ଟ୍ର ସେଠାରେ ଏହା ସର୍ବାଧିକ ଅର୍ଥାତ ଏକ ଲକ୍ଷରେ ୬୩.୫ ପ୍ରତିଶତ ମହିଳା ଯୌନ ଶୋଷଣର ଶିକାର ହେଉଛନ୍ତି। ଏସବୁ ସତ୍ତ୍ୱେ ଭାରତକୁ ନାରୀ ଅସୁରକ୍ଷିତ ଦେଶର କାଳିମା ଲେପନର ତାପର୍ଯ୍ୟ କ’ଣ?
ବିଦେଶୀ ଗଣମାଧ୍ୟମଗୁଡ଼ିକର ଅଭିଯୋଗ ହେଲା ଭାରତରେ ସଂଘଟିତ ନାରୀ ନିର୍ଯାତନାର କିୟଦଂଶମାତ୍ର ପୋଲିସରେ ଅଭିଯୋଗ କରାଯାଉଛି। ଅଧିକାଂଶ ପୀଡ଼ିତା ସାରାଜୀବନ ଆତ୍ମଗ୍ଳାନିଜନିତ ଅସହ୍ୟ ବେଦନାରେ କାଳାତିପାତ କରନ୍ତି। ବିଶ୍ୱରେ ୧୯୩ଟି ରାଷ୍ଟ୍ରରେ ରଏଟର୍ସ ଫାଉଣ୍ଡେଶନ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ କୁହାଯାଇଛି, ଆଫଗାନିସ୍ତାନ, କଙ୍ଗୋ, ପାକିସ୍ତାନ ଓ ଆଫ୍ରିକୀୟ ଦେଶ ତଳକୁ ଭାରତରେ ମହିଳା ସୁରକ୍ଷା ସ୍ଥିତି ଅତ୍ୟନ୍ତ ଶଙ୍କାକୁଳ। ତେବେ ଯେଉଁମାନେ ଭାରତକୁ ନିନ୍ଦିତ କରୁଛନ୍ତିି ସେମାନଙ୍କ ନଜରକୁ ନିଜ ଦେଶ ସ୍ଥିତି ନ ଆସିବା ଆଶ୍ଚର୍ଯ୍ୟର କଥା। ବିଦେଶୀ ଗଣମାଧ୍ୟମ ଅନୁଯାୟୀ ୨୦୦୭ରୁ ୨୦୨୦ମଧ୍ୟରେ ଭାରତରେ ନାରୀ ଅସଦାଚରଣ ଉଦ୍‌ବେଗଜନକ ଭାବେ ବୃଦ୍ଧିପାଇଛି। କିନ୍ତୁ ଉକ୍ତ ସମୟ ମଧ୍ୟରେ ଇଂଲଣ୍ଡରେ ପ୍ରତି ଘଣ୍ଟାରେ ୧୧ଜଣ ବିଭିନ୍ନ ବୟସର ନାରୀ ବଳାତ୍କାରିତା ହେଉଛନ୍ତିି ଓ ବର୍ଷକୁ ୮୫ହଜାରରୁ ଊଦ୍ଧର୍‌ବ ନାରୀ ଓ ପ୍ରାୟ ୧୨ହଜାର ପୁରୁଷ ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ୟୁରୋପ ଓ ଆମେରିକୀୟ ଦେଶଗୁଡ଼ିକରେ ୧୫ବର୍ଷ ବା ତଦୂଦ୍ଧର୍‌ବ ମହିଳାଙ୍କ ମଧ୍ୟରୁ ପ୍ରତି ତିନିଜଣରେ ଜଣେ ପାଶବିକତାକୁ ସାମ୍‌ନା କରୁଛନ୍ତିି। ସମଗ୍ର ବିଶ୍ୱ ଯେତେବେଳେ ପାଶବିକତାରେ କବଳିତ, ସେତେବେଳେ କେବଳ ଭାରତକୁ ନିନ୍ଦିତ କରାଯିବାର ପ୍ରୟାସ ନିଶ୍ଚିତଭାବେ ଚିନ୍ତାଜନକ।
ଭାରତୀୟ ନାରୀ ଅପେକ୍ଷାକୃତ ଭାବେ ଅଧିକ ସୁରକ୍ଷିତ ହେଲେ ମଧ୍ୟ ଜନସଂଖ୍ୟାର ବିଶାଳତା ଦୃଷ୍ଟିରୁ ଏହା ସେପରି ସନ୍ତୋଷଜନକ ନୁହେଁ। ଭାରତରେ ନାରୀ ନିର୍ଯାତନା ବୃଦ୍ଧିର କାରଣ ନିର୍ଣ୍ଣୟ ପାଇଁ ଅନେକ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇପାରେ। ପ୍ରଥମତଃ ଭାରତୀୟ ନାରୀ ଅତ୍ୟାଧୁନିକତାର ବଶବର୍ତ୍ତୀ ହୋଇ କ୍ରମେ ପାଶ୍ଚାତ୍ୟ ଚଳଣିକୁ ଆପଣାଇ ନେଉଛି। ଫଳରେ ଦୀର୍ଘଦିନରୁ ପ୍ରଚଳିତ ଧାର୍ମିକ ପରମ୍ପରା ଆଧ୍ୟାତ୍ମିକ ଭାବନାଠାରୁ ଦୂରେଇଯାଉଛି। ନିଷ୍ଠାପରତାର ସହ ଓଷାବ୍ରତ ପାଳନ ଆଉ ପୂର୍ବପରି ଦୃଶ୍ୟମାନ ହେଉନାହିଁ। ଶାଶୁମାନେ ଆଚରୁଥିବା ପୁଣ୍ୟପର୍ବଗୁଡ଼ିକ କୁସଂସ୍କାରର ଆଖ୍ୟାଦେଇ ବୋହୂମାନେ ସେଥିତ୍ରୁ ନିବୃତ୍ତ ରହୁଛନ୍ତିି। ଅପରନ୍ତୁ ଅବିବାହିତ ଯୁବତୀ ଯୁବକଙ୍କ ଅଣଅନୁମୋଦିତ ସହାବସ୍ଥାନ, ପୁରୁଷବନ୍ଧୁ ସହ ପ୍ରାକ୍‌ ବୈବାହିକ ଯୌନ ସମ୍ପର୍କ ସ୍ଥାପନ, ନାରୀପୁରୁଷ ନିର୍ବିଶେଷରେ ମଦ୍ୟପାନ, ଉଚ୍ଛୃଙ୍ଖଳ ଜୀବନଚର୍ଯ୍ୟା, ଭୟଶୂନ୍ୟ ବାତାବରଣ, ମାତାପିତାଙ୍କର ପିଲାମାନଙ୍କର ସ୍ବେଚ୍ଛାଚାରିତାକୁ ଅନ୍ଧ ଅନୁମୋଦନ, ନୈତିକତାବିହୀନ ବ୍ୟବସାୟିକ ଶିକ୍ଷା ଇତ୍ୟାଦି ନାରୀ ପାଇଁ ବିଶ୍‌ୃଙ୍ଖଳା ଆଚରଣ ନିମିତ୍ତ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି।
କେବଳ ନାରୀ ମୁଣ୍ଡରେ ସମସ୍ତ ଦୋଷ ଲଦିଦେଇ ଆମେ କେବେ ନିଜକୁ ଦୋଷମୁକ୍ତ କରିପାରିବା ନାହିଁ। ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଆମ ସମାଜ ପୁରୁଷକୈନ୍ଦ୍ରିକ ମନୋଭାବକୁ ପରିହାର କରିପାରିନାହିଁ। ସହରାଞ୍ଚଳ କଥା ଭିନ୍ନ; ମାତ୍ର ଗ୍ରାମାଞ୍ଚଳ ଯେଉଁଠି ସମୁଦାୟ ଜନସଂଖ୍ୟାର ୮୪ପ୍ରତିଶତ ଲୋକ ବାସକରନ୍ତି, ସେଠାରେ କନ୍ୟା ସନ୍ତାନକୁ ସେତିକି ପ୍ରାଧାନ୍ୟ ଦିଆଯାଉନାହିଁ, ଯେତିକି ପୁତ୍ରସନ୍ତାନକୁ ଦିଆଯାଉଛି। ଗୋଟିଏ ପରିବାରର ସଦସ୍ୟ ହୋଇ ପୁଅ ପାଇଁ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଉଥିଲେ ମଧ୍ୟ ଝିଅଟି ପ୍ରାୟତଃ ସେସବୁରୁ ବଞ୍ଚତ୍ତ। ପୁଅଟିକୁ ଉଚ୍ଚଶିକ୍ଷା ପାଇଁ ଦୂର ସହରକୁ ନିର୍ବିଘ୍ନରେ ପ୍ରେରଣ କରାଯାଉଥିଲେ ମଧ୍ୟ କନ୍ୟା ସନ୍ତାନକୁ ସାଧାରଣ ଶିକ୍ଷାରେ ସୀମିତ ରହିବାକୁ ହେଉଛି। ମାତାପିତା କନ୍ୟା ସୁରକ୍ଷା ବାବଦରେ ନିଶ୍ଚିନ୍ତ ହୋଇପାରୁନାହାନ୍ତି। ପୁରୁଷର ଅସଭ୍ୟ ଦୃଷ୍ଟି ବୟସ ନିର୍ବିଶେଷରେ ପ୍ରତ୍ୟେକ ନାରୀ ଉପରେ ପଡୁଛି। ଏଥିପାଇଁ ପୁରୁଷର ମଦ୍ୟପାନଜନିତ ମାନସିକ ବିକାରକୁ ଦାୟୀ କରାଯାଇପାରେ। ଜଣେ ନିଶାସକ୍ତ ନ ହେଲେ କୋମଳମତି ଶିଶୁକନ୍ୟା ହେଉ ଅବା ବୟସର ଅପରାହ୍ନରେ ଉପନୀତ ବୃଦ୍ଧା ପ୍ରତି ପାଶବିକ ଆଚରଣ କରିପାରିବ ନାହିଁ। ଦିବ୍ୟଜନନୀ ଶ୍ରମା କୁହନ୍ତି- ‘ଯେଉଁ ମଣିଷ ବିବେକ ଦ୍ୱାରା ପରିଚାଳିତ ନ ହୋଇ ଆଉ କିଛି ଦ୍ୱାରା ପରିଚାଳିତ ହୁଏ ସେ ଅନ୍ୟାନ୍ୟ ପ୍ରାଣୀଙ୍କ ଅପେକ୍ଷା ଏକ ନିକୃଷ୍ଟତର ଜନ୍ତୁରେ ପରିଣତ ହୁଏ। ଏପରି ଆଚରଣ କରୁଥିବା ବ୍ୟକ୍ତି ଆଦୌ ମଣିଷ ପଦବାଚ୍ୟ ନୁହେଁ।’ ନିଶାସକ୍ତ ବ୍ୟକ୍ତି ବିବେକଶୂନ୍ୟ। ତା’ ମସ୍ତିଷ୍କ କେବଳ ଗୁଡ଼ିଏ ନକାରାତ୍ମକ ଭାବନାର ଗନ୍ତାଘର। ଖାଲି ବଳାତ୍କାର ନୁହେଁ, ହତ୍ୟା, ଲୁଣ୍ଠନ, ଠକାମି ଭଳି ଅସାମାଜିକ ପ୍ରବୃତ୍ତି ତା’ ମଧ୍ୟରେ ସ୍ଥାନ ପାଏ। ସମ୍ପ୍ରତି ଆମ ରାଜ୍ୟରେ ଏଭଳି ଏକ ଘଟଣା ଘଟିଛି, ଯାହା ସଭ୍ୟ ସମାଜ ପ୍ରତି ଏକ ନିଷ୍ଠୁର ଉପହାସ। ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଫେଲ୍‌; କିନ୍ତୁ ପ୍ରେମଜାଲରେ ଫସାଇ ବିବାହ କରିଛି ୧୭ଜଣ ଉଚ୍ଚଶିକ୍ଷିତା ନାରୀଙ୍କୁ। ନିଜେ ଜଣେ ଡାକ୍ତର ବୋଲି ମିଥ୍ୟା ପରିଚୟ ଦେଇ ଖାଲି ବିବାହ କରିନାହିଁ ; ଲୁଣ୍ଠନ କରିଛି ଲକ୍ଷ ଲକ୍ଷ ଟଙ୍କା। ମହିଳାମାନଙ୍କର ଦୁର୍ଭାଗ୍ୟ ଯେ ଉଚ୍ଚଶିକ୍ଷିତା ହୋଇ ମଧ୍ୟ ମୂର୍ଖଟାକୁ ପ୍ରଥମରୁ ଚିହ୍ନିପାରିଲେ ନାହିଁ କିପରି? ୧୭ଜଣ ମହିଳାଙ୍କ ମଧ୍ୟରେ ଦୁଇଜଣ ଡାକ୍ତର ମଧ୍ୟ ଅଛନ୍ତିି। ରଏଟର୍ସ ଫାଉଣ୍ଡେଶନର ଅନ୍ୟତମ ଅଭିଯୋଗ ହେଲା ଯେ ଭାରତୀୟ ନାରୀ କେବଳ ଯାୈନ ଉପତ୍ୀଡ଼ିତା ନୁହନ୍ତି, ବିଦେଶାଗତ ନାରୀ ମଧ୍ୟ ଭାରତରେ ସୁରକ୍ଷିତ ନୁହନ୍ତି।
ରଏଟର୍ସ ଫାଉଣ୍ଡେଶନ ସଂସ୍ଥା ଦ୍ୱାରା ପ୍ରଦତ୍ତ ରିପୋର୍ଟ ଉପରେ ଭରତ ସରକାର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତିି ଭାରତକୁ ବିଶ୍ୱ ଦରବାରରେ ନିନ୍ଦିତ କରିବାର ଏହା ଏକ ହୀନ ଚକ୍ରାନ୍ତ। ଭାରତ ସରକାର ମହିଳା ଅଧିକାର ଓ ସୁରକ୍ଷା ଉପରେ ଯଥେଷ୍ଟ ଧ୍ୟାନ ଦେଉଛନ୍ତି। ୯ବର୍ଷ ବୟସର ବାଳିକା ବିବାହ ଶୂନ ହୋଇଛି। ୨୦୦୫-୦୬ ରୁ ୧୫ରୁ ୧୮ବର୍ଷୀୟା ବାଳିକା ମାତୃତ୍ୱ ୧୬ପ୍ରତିଶତରୁ ହ୍ରାସ ପାଇ ୨୦୧୫-୧୬ରେ ୭. ୯ ପ୍ରତିଶତ ଓ ବର୍ତ୍ତମାନ ମାତ୍ର ୪.୫ ପ୍ରତିଶତରେ ସୀମିତ ଅଛି। ଆମେରିକାରେ ପ୍ରଖ୍ୟାତ ଖବରକାଗଜ ‘ନ୍ୟୁୟର୍କ ଟାଇମ୍‌ସ’ ସମ୍ପାଦକୀୟ ପୃଷ୍ଠା ଲେଖିଥିଲା ପରକୀୟା ପ୍ରୀତିର ମାନେ କିଛି ନାହିଁ (ଦେୟାର ଇଜ୍‌ ନୋ ମିନିଂ ଅଫ ଅଦର ମ୍ୟାନସ ୱାଇଫ୍‌)। କିଛି ମହିଳା ପାଦେ ଆଗେଇ ଆସି ଦାବି କରନ୍ତି ‘ମୋ ଦେହ ହିଁ ମୋର ଅଧିକାର’ (ମାଇଁ ବଡି ଇଜ୍‌ ମାଇଁ ରାଇଟ୍‌)। ଭାରତରେ ଏପରି ସ୍ବର ଏବେଯାଏ ଶୁଣାଯାଇନାହିଁ। ତେଣୁ ବିଦେଶୀ ସଂସ୍ଥାମାନେ ଭାରତୀୟ ନାରୀ ଉପରେ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି, ତାହା ଗ୍ରହଣଯୋଗ୍ୟ ନୁହେଁ। ସ୍ତ୍ରୀ ଅଦଳବଦଳ (ୱାଇଫ୍‌ ସ୍ବାପିଙ୍ଗ୍‌) ଭଳି ଘୃଣ୍ୟରୀତି ଭାରତୀୟ ଚଳଣି ମଧ୍ୟକୁ ଏପର୍ଯ୍ୟନ୍ତ ପ୍ରବେଶ କରିନାହିଁ। ତେଣୁ ଭାରତୀୟ ନାରୀର ସାମାଜିକ ସ୍ଥିତି ଅତ୍ୟନ୍ତ ସୁଦଢ଼। ୨୦୧୫ ମର୍ଯ୍ୟାଦା ତା’ର ଆତ୍ମାର ଅବିନଶ୍ୱର ଓ ଶାଶ୍ୱତ ନାରୀତ୍ୱର ଅଂଶ ବିଶେଷ। ନାରୀ ସୁରକ୍ଷାର ପ୍ରବକ୍ତା ଜ୍ଞନପୀଠ ବିଜୟିନୀ ଡ. ପ୍ରତିଭା ରାୟଙ୍କ ମତରେ ନାରୀ ତା’ର ଅଧିକାର ଓ ଭୂମିକା ସମ୍ବନ୍ଧରେ ଅଧିକ ସଚେତନ ହେବାର ସମୟ ଉପଗତ।
ବିଶ୍ୱର ସ୍ଥିତିକୁ ତୁଳନାତ୍ମକ ଭାବେ ବିଚାର କଲେ ଭାରତରେ ନାରୀ ନିର୍ଯାତନା ଅତ୍ୟନ୍ତ ନଗଣ୍ୟ। ତଥାପି ଏଥିରେ ଆଶ୍ୱସ୍ତ ନ ହୋଇ ଏହାର ବିଲୋପ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଶୂନ୍ୟ ସହନଶୀଳତା ନୀତି ଆପଣେଇବା ଆବଶ୍ୟକ। ନାରୀ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ କରୁଥିବା କୌଣସି ବ୍ୟକ୍ତିକୁ ଦଳମତ ନିର୍ବିଶେଷରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନର ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ।
ସିଦ୍ଧଳ, ଜଗତସିଂହପୁର
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri