ମାନବିକ ମୂଲ୍ୟବୋଧର ସଙ୍କଟ

ଡ. ସତ୍ୟନାରାୟଣ ମିଶ୍ର

ସଭ୍ୟତାର ପ୍ରାରମ୍ଭରୁ ମଣିଷ ସବୁ ସମୟରେ ବିଭିନ୍ନ ସଙ୍କଟ ମଧ୍ୟ ଦେଇ ଗତି କରି ଆସୁଅଛି। କେତେବେଳେ ମଣିଷ ସଙ୍କଟରୁ କିଛି ଶିକ୍ଷା କରୁଛି ତ ପୁଣି କେତେବେଳେ କିଛି ହରାଇ ବସୁଛି। ଯେତେବେଳେ ମଣିଷ କିଛି ଶିକ୍ଷା କରୁଛି, ସେତେବେଳେ ଉକ୍ତ ସଙ୍କଟର ମୁକାବିଲା ପାଇଁ ବା ତାହାର ବିକଳ୍ପ ପାଇଁ ନିଜକୁ ଉପଯୋଗ କରୁଅଛି। ଫଳରେ ସଙ୍କଟରୁ ମଣିଷ ମୁକ୍ତି ପାଉଛି। ମାତ୍ର ଯେତେବେଳେ ମଣିଷ କିଛି ହରାଇ ଦେଇଥାଏ ବା ସଙ୍କଟକୁ ପ୍ରତିରୋଧ କରି ନ ପାରି ପରାସ୍ତ ହୋଇଥାଏ ସେତେବେଳେ ସଙ୍କଟ ନିକଟରେ ଆତ୍ମସମର୍ପଣ କରିଥାଏ। ପରିଶେଷରେ ସଙ୍କଟର ବିରାଜମାନ ହୋଇଥାଏ ଓ ତାହା କାୟା ବିସ୍ତାର କରିଚାଲିଥାଏ, ଯାହା ଏକ ବିଡ଼ମ୍ବନା। ସୃଷ୍ଟିର ପ୍ରାରମ୍ଭରୁ ମଣିଷ ସଦାବେଳେ ଚାହିଁଥାଏ କିଛି ଶିକ୍ଷା କରିବ ବା ଜାଣିବ ଓ ତାହାର ଉପଯୋଗ କରି ଉନ୍ନତିର ଶୀର୍ଷରେ ପଦାର୍ପଣକରି ଏକ ଇତିହାସ ସୃଷ୍ଟି କରିବ। ଇତିହାସ ସୃଷ୍ଟି କରିବା ସହଜସାଧ୍ୟ ନୁହେଁ, ତଥାପି ମଣିଷ ନିଜର ସାଧନାର ପରାକାଷ୍ଠାରେ ଉପନୀତ ହୋଇ ଇତିହାସ ସୃଷ୍ଟି କରିଛି । ବର୍ତ୍ତମାନର ମଣିଷ ସମାଜ ଉକ୍ତ ଇତିହାସ ନିକଟରେ ଚିର ଋଣୀ ବୋଲି ସର୍ବସମ୍ମତରେ ମଣିଷକୁ ସ୍ବୀକାର କରିବାକୁ ପଡ଼ିବ। ବାସସ୍ଥାନ ନ ଥିବା ମଣିଷ ନିକଟରେ ଆଧୁନିକ ଜ୍ଞାନକୌଶଳର ସୁରମ୍ୟ ଅଟ୍ଟାଳିକା ପ୍ରସ୍ତୁତ, ଗଛର ବକଳ ପରିଧାନ କରୁଥିବା ବ୍ୟକ୍ତି ନିକଟରେ ବର୍ତ୍ତମାନ ରତ୍ନଖଚିତ ପୋଷାକର ମହଜୁଦ, ବଣ ଜଙ୍ଗଲରୁ ଖାଦ୍ୟ ଗ୍ରହଣ କରି ବା ବନ୍ୟପ୍ରାଣୀଙ୍କୁ ଶିକାର କରି କ୍ଷୁଧା ନିବାରଣ କରୁଥିବା ମଣିଷ ବର୍ତ୍ତମାନ ସୁସ୍ବାଦୁ ଖାଦ୍ୟର ସମ୍ଭାରରେ ନିଜେ ଆତ୍ମହରା। ହେଲେ ମଣିଷ ବର୍ତ୍ତମାନ ଟିକିଏ ଶାନ୍ତିରେ ସୁରମ୍ୟ ଅଟ୍ଟାଳିକାରେ ବାସ କରିପାରୁନାହିଁ, ଲଜ୍ଜା ନିବାରଣ ପରିବର୍ତ୍ତେ ଅନେକେ ଆପତ୍ତିଜନକ ପୋଷାକ ପରିଧାନ କରି ସଭ୍ୟତାର ମାନଦଣ୍ଡକୁ କଳୁଷିତ କରୁଛିି, ବିଭିନ୍ନ ପ୍ରକାର ଖାଦ୍ୟ ଥାଇ ମଧ୍ୟ ରୋଗାକ୍ରାନ୍ତ ହୋଇ ଉପଯୁକ୍ତ ଖାଦ୍ୟ ଆହାର କରିପାରୁନାହିଁ, ଯାହା ମଣିଷକୁ ଆହୁରି ସଙ୍କଟକୁ ଠେଲି ଦେବାରେ ଲାଗିଛି।
ବର୍ତ୍ତମାନ ମଣିଷ ଏକମାତ୍ର ବୃହତ୍‌ ସଙ୍କଟରେ ଜର୍ଜରିତ, ତାହା ହେଉଛି ‘ମଣିଷ ସଙ୍କଟ’। ମୂଲ୍ୟବୋଧଭିତ୍ତିକ ମାନବିକତାର ସଙ୍କଟ ଦେଖାଦେଇଛି। ବ୍ୟାବହାରିକ ଦୃଷ୍ଟିକୋଣ ତଥା ଆଦର୍ଶଗତ ବିଚାରଧାରାକୁ ବିଶ୍ଳେଷଣକଲେ ମଣିଷର ସ୍ଥିତି ଧରାପୃଷ୍ଠରେ ଏକ ଭିନ୍ନ ସ୍ଥାନ ଅଧିକାର କରିଥାଏ। ସେଥିପାଇଁ ମଣିଷ ସଙ୍କଟ ଏକ ବୃହତ୍‌ ତଥା ଜଟିଳ ସଙ୍କଟ ହୋଇ ଦଣ୍ଡାୟମାନ ହୋଇଛି। ବର୍ତ୍ତମାନ ମଣିଷ ହିଁ ମଣିଷକୁ ଖୋଜୁଛି । ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ହିସାବରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ପାଇଁ ମଣିଷ ନିକଟରେ କେତେକ ସଂଜ୍ଞା ନିହିତ କରିଛନ୍ତିି ସୃଷ୍ଟିର ନିୟନ୍ତ୍ରକ। ଉକ୍ତ ସଂଜ୍ଞାକୁ ବିଚାରକଲେ ମଣିଷ ନିର୍ଲୋଭ, ସ୍ବାର୍ଥ ତ୍ୟାଗୀ, ବିବେକୀ, ପରୋପକାରୀ, ସତ୍ୟବାନ୍‌, ନୀତିନିଷ୍ଠ, ବିଚାରବନ୍ତ, ବୁଦ୍ଧିଯୁକ୍ତ, ସହିଷ୍ଣୁ, ଧୈର୍ଯ୍ୟବାନ୍‌, ଅନ୍ୟର ମଙ୍ଗଳାଭିଳାଷୀ, ଅନ୍ୟର ଦୁଃଖରେ ଦୁଃଖୀ, ଦୟା, କରୁଣା ଓ ସହାନୁଭୂତି ଇତ୍ୟାଦିରେ ପରିପୂର୍ଣ୍ଣ ହୋଇ ଜୀବନର ଆଦର୍ଶକୁ ପ୍ରତିପାଦନ କରିବା ଉଚିତ। ଭଗବତ୍‌ ବିଶ୍ୱାସ ହେଉ ବା ବୈଜ୍ଞାନିକ ଦୃଷ୍ଟିକୋଣ, ଏହା ସର୍ବସମ୍ମତ ଯେ ମଣିଷର କର୍ତ୍ତବ୍ୟ ମଣିଷମାନଙ୍କ ପ୍ରତି ଓ ଅନ୍ୟ ପ୍ରାଣୀମାନଙ୍କ ପ୍ରତି ରହିବା ଉଚିତ। ମାତ୍ର ବର୍ତ୍ତମାନ ମଣିଷ ମଣିଷକୁ ଭୟ କରୁଛି, ବନ୍ୟପ୍ରାଣୀମାନେ ମଣିଷକୁ ଭୟ କରୁଛନ୍ତି। ପ୍ରକୃତି, ଜଳବାୟୁ, ପରିବେଶ ଆଦି ମଣିଷର ଉତ୍ପୀଡ଼ନରେ ଭୀତତ୍ରସ୍ତ। ସମାଜରେ ମଣିଷ ଦ୍ୱାରା ପ୍ରସ୍ତୁତ ହୋଇଥିବା ଶୃଙ୍ଖଳା ଭୂଲୁଣ୍ଠିତ ହୋଇ ବିଶୃଙ୍ଖଳାର ସମସ୍ତ ସୀମା ଉଲ୍ଲଂଘନ କରିଛି ମଣିଷ। ବର୍ତ୍ତମାନ ନିଜେ ନିଜକୁ ପରାସ୍ତକରି ପ୍ରମାଣିତ କରି ସାରିଲାଣି ମଣିଷର ପରିଚୟ। ଯେଉଁଠି ମଣିଷ ନିକଟରେ ମଣିଷପଣିଆ ସୁପ୍ତ, ସେଇଠି ପ୍ରକୃତ ମଣିଷର ଉପସ୍ଥିତି ଏକାନ୍ତ ଆବଶ୍ୟକ, ଯାହାଦ୍ୱାରା ମଣିଷ ସଙ୍କଟରୁ ତ୍ରାହି ମିଳିପାରିବ । ଶ୍ରେଷ୍ଠ ପ୍ରାଣୀ ହିସାବରେ ମଣିଷ ଯେତେବେଳେ ଜନ୍ମ ହୋଇଥାଏ, ସେତେବେଳେ ଅନ୍ତର୍ନିହିତ ଗୁଣାବଳୀରେ ପରିପୂର୍ଣ୍ଣ ଥାଏ। ମାତ୍ର ଉକ୍ତ ଅମୃତର ମଣିଷ ସନ୍ତାନ ବିଷଯୁକ୍ତ ଅମଣିଷ କାହିଁକି ଓ କିପରି ହୋଇଯାଏ, ଯଦ୍ଦ୍ବାରା ସୃଷ୍ଟି ହୋଇଥାଏ ଭଲ ମଣିଷର ସଙ୍କଟ। ଏହି ସଙ୍କଟ ମଧ୍ୟରେ ନିଜେ ପଥହରା ହୋଇ ନିଜ ପ୍ରଶ୍ନବାଣରେ ଜର୍ଜରିତ ହୋଇଥାଏ।
ମଣିଷର ଜୀବନ ଅବଧି ଶେଷ ହୋଇଯାଉଥିବା ବେଳେ ସେ ନିଜକୁ ପରାସ୍ତ ଅମଣିଷ ବୋଲି ସ୍ବୀକାର କରିଥାଏ। ଶ୍ରେଷ୍ଠ ଜୀବନର ଶ୍ରେଷ୍ଠତ୍ୱ ପ୍ରତିପାଦନରେ ଭୁଲ୍‌ର ପ୍ରାୟଶ୍ଚିତ୍ତ କରିବା ପାଇଁ ଉଦ୍ୟମ କରିଥାଏ। ମାତ୍ର ସେତେବେଳେ ଅମଣିଷର ବିଷଜ୍ୱାଳାରେ ମଣିଷ ନିଜେ ଲୀନ ହୋଇଯାଇଥାଏ । ଜ୍ଞାନର ଉତ୍କର୍ଷରେ ଚନ୍ଦ୍ରପୃଷ୍ଠରେ ପାଦ ଦେଇ ସେଠାରେ ବସତି ସ୍ଥାପନ କରିବା ପାଇଁ ପ୍ରୟାସ କରୁଥିବା ମଣିଷ ଆନନ୍ଦ ଓ ଗର୍ବରେ ନିମଜ୍ଜିତ ହେଉଥିବା ବେଳେ ତା’ ଦ୍ୱାରା ସମାଜର ନୈତିକ ମୂଲ୍ୟବୋଧର ଅବକ୍ଷୟ ହେଉଛି। ଚନ୍ଦ୍ରର ଶୀତଳ କିରଣକୁ ଆସ୍ବାଦନ କରୁଥିବା ମଣିଷ ଶୁଭ୍ର ଜ୍ୟୋତିରେ ଦୃଶ୍ୟମାନ ନ ହୋଇ ଅମାବାସ୍ୟାର ଘନ ଅନ୍ଧକାରରେ ନିଜକୁ ଲୀନ କରିଦେଉଛି କେବଳ ନିଜର ଅମଣିଷ ପ୍ରବୃତ୍ତି ପାଇଁ।
ମଣିଷକୁ ସୁଖ ଶାନ୍ତିରେ ରଖିବା ପାଇଁ ଈଶ୍ୱର ଏତେଗୁଡ଼ିଏ ବ୍ୟବସ୍ଥା କରିଥିବା ବେଳେ ନିଷ୍ଠୁର ମଣିଷ ଉକ୍ତ ବ୍ୟବସ୍ଥାକୁ ପଦାଘାତ କରି ନିଜର ଆଧିପତ୍ୟ ବିସ୍ତାରରେ ନିମଗ୍ନ। ଯେଉଁଥିପାଇଁ ଆଜି ସମାଜ ନିକଟରେ ପ୍ରକୃତ ମଣିଷ ସଙ୍କଟ, ଯାହା ମାନବିକ ମୂଲ୍ୟବୋଧର ସଙ୍କଟ ଭାବେ ଉପସ୍ଥିତ। ଉପଯୁକ୍ତ ନୀତି, ନିଷ୍ଠାବାନ୍‌ ତଥା ସତ୍ୟ ଧର୍ମ ନ୍ୟାୟର ଆଦର୍ଶରେ ମଣିଷ ଯଦି ଏ ଧରାପୃଷ୍ଠରେ ବିରାଜମାନ ନ ହେବେ, ତେବେ ଈଶ୍ୱର ସୃଷ୍ଟି ତଥା ଆମର ପୂର୍ବ ଯୁଗ ପୁରୁଷମାନଙ୍କର ନିଷ୍ଠାକୁ ଉପଯୁକ୍ତ ଦାୟାଦ ଭାବେ ପ୍ରତିପାଦନ କରିବା ପାଇଁ ସୁଯୋଗ୍ୟ ମଣିଷର କ୍ଷେତ୍ର ଅପୂରଣୀୟ ହୋଇ ରହିଯିବ। ବର୍ତ୍ତମାନ ମଣିଷ ନିକଟରେ ଯଥେଷ୍ଟ ଧନ ରହିଛି, ମାତ୍ର ମଣିଷ ପରିବାରରେ, ସମାଜରେ ବା ଦେଶରେ ଶାନ୍ତିରେ ବାସ କରିପାରୁନାହିଁ। କାରଣ ସ୍ବାର୍ଥ, ହିଂସା, ଅହଂକାର ଆଦି ମଣିଷକୁ ମଣିଷପଣିଆଠାରୁ ଦୂରେଇ ନେଇଯାଇଛି। ମାନବିକ ମୂଲ୍ୟବୋଧକୁ ମଣିଷ ବର୍ତ୍ତମାନ ହଜେଇ ଦେଇସାରିଲାଣି। ମଣିଷକୁ ମଣିଷ ସାହାଯ୍ୟ କରିବାକୁ କୁଣ୍ଠାବୋଧ। ରାସ୍ତାରେ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସାର ବନ୍ଦୋବସ୍ତ ବ୍ୟତିରେକେ ଫଟୋ ଉଠାଇବାରେ ବ୍ୟସ୍ତ ରହୁଛି। ଶଠତା, ପ୍ରବଞ୍ଚନା, ଲାଞ୍ଚ, ଦୁର୍ନୀତି ଆଦିରେ ମଣିଷ ଆକଣ୍ଠ ନିଶାସକ୍ତ। ତେଣୁ ବର୍ତ୍ତମାନର ସ୍ଥିତିରେ ଚିନ୍ତା, ଚରିତ୍ର ଓ ଚେତନାର ପରିବର୍ତ୍ତନର ଯଥେଷ୍ଟ ଆବଶ୍ୟକତା ରହିଛି, ଯେଉଁଥିରେ ମଣିଷର ମାନବିକ ମୂଲ୍ୟବୋଧ ସୃଷ୍ଟି ହେବ ଓ ମଣିଷ ସଙ୍କଟ ଦୂର ହେବ ।
ଅଭିଲେଖାଧିକାରୀ
ଜାତୀୟ ଅଭିଲେଖାଗାର, ଭାରତ ସରକାର
ଏମ୍‌-୭୯, ମଧୁସୂଦନ ନଗର, ଭୁବନେଶ୍ବର
ମୋ:୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri