ଏକ୍‌ଜିଟ୍‌ କୁତୁକୁତୁ

ଫେବୃୟାରୀ ୧୦ରୁ ଆରମ୍ଭ ହୋଇଥିବା ୫ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ଭୋଟଗ୍ରହଣ ୭ ମାର୍ଚ୍ଚରେ ଶେଷ ହୋଇଛି। ଏହି ସମୟ ମଧ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରତ୍ୟେକ ଦଳ ବିଭିନ୍ନ ପ୍ରସଙ୍ଗ ଅବତାରଣା କରିଛନ୍ତି। ନେତାମାନଙ୍କ ଲଗାମଛଡ଼ା ମନ୍ତବ୍ୟ ଧର୍ମ ଓ ଜାତିଗତ ବିଦ୍ୱେଷ ସୃଷ୍ଟି କରିବା ସହ ବ୍ୟକ୍ତିଗତ ଚରିତ୍ରକୁ ନେଇ ମଧ୍ୟ ଆକ୍ଷେପ ଓ ପ୍ରତିଆକ୍ଷେପ ହୋଇଥିବା ଦେଖିବାକୁ ମିଳିଛି। ତେବେ ମାର୍ଚ୍ଚ ୧୦ ତାରିଖରେ କେଉଁ ଦଳ କେତେ ଆସନ ଅକ୍ତିଆର କରିବେ ତାହାର ଫଳାଫଳ ପ୍ରକାଶ ପାଇବ। କିନ୍ତୁ ତା’ ପୂର୍ବରୁ ୭ ମାର୍ଚ୍ଚରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ ବା ବୁଥ୍‌ଫେରନ୍ତା ମତ ପ୍ରକାଶ ପାଇଛି। ଉତ୍ତରପ୍ରଦେଶ ଓ ମଣିପୁରରେ ଭାଜପା, ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ଗୋଆ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଅଧିକ ଆସନ ପାଇବେ ବୋଲି ଅଧିକାଂଶ ଗଣମାଧ୍ୟମ କହୁଛନ୍ତି। ଆଉ କିଛି ମତ ରଖୁଛନ୍ତି ଯେ, ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର ପଲା ଭାଜପାଠାରୁ ଭାରି ରହିପାରେ। ଉଲ୍ଲେଖଯୋଗ୍ୟ ଯେ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ଭାଜପା ସରକାର ଚାଲିଥିବା ବେଳେ ପଞ୍ଜାବରେ କଂଗ୍ରେସ ଶାସନ କରୁଛି।
ଗତ ତିନି ଦଶନ୍ଧି ହେବ ନିର୍ବାଚନକୁ ନେଇ ଓପିନିୟନ୍‌ ଓ ଏକ୍‌ଜିଟ୍‌ ପୋଲ୍‌ ଧାରା ବହିଚାଲିଛି। ଭାରତରେ ପ୍ରଥମେ ପ୍ରଣୟ ରଏ ଓ ସ୍ବର୍ଗତ ବିନୋଦ ଦୁଆ ଶେଫୋଲୋଜିଷ୍ଟ ବା ଭୋଟ ଗଣତି ପୂର୍ବରୁ ଆକଳନକର୍ତ୍ତା ଭାବେ ପରିଚିତ ହୋଇଥିଲେ। ତେବେ ସମସ୍ତେ ଜାଣନ୍ତି ଯେ, ପ୍ରାକ୍‌-ନିର୍ବାଚନୀ ସର୍ଭେ କରାଯାଇ ଯେଉଁ ମତ ପ୍ରକାଶ ପାଇଥାଏ ତାହାକୁ ଓପିନିୟନ୍‌ ପୋଲ୍‌ କୁହାଯାଏ। ଅନ୍ୟପକ୍ଷରେ ଭୋଟ ଗ୍ରହଣର ଶେଷ ଦିନରେ ଏକ୍‌ଜିଟ୍‌ ପୋଲ୍‌ ବା ବୁଥ୍‌ଫେରନ୍ତା ଭୋଟରଙ୍କ ମତ ନିଆଯାଇ ଫଳ ପ୍ରକାଶ ପାଉଛି। ତେବେ ଗଣମାଧ୍ୟମ ଦ୍ୱାରା ଦିଆଯାଉଥିବା ସଂଖ୍ୟା କେତେକାଂଶରେ ଫଳାଫଳ ପାଖାପାଖି ହେଉଥିବା ବେଳେ ଅନେକାଂଶରେ ସମ୍ପୂର୍ଣ୍ଣ ଭିନ୍ନ ହେଉଥିବାର ଯଥେଷ୍ଟ ଦୃଷ୍ଟାନ୍ତ ମିଳିଛି। ଏହା ପଛରେ ଏକ ସହଜ କାରଣ ଥାଇପାରେ। ଖବରଦାତାମାନେ ଯେଉଁ ଭୋଟରଙ୍କ ମତ ନେବାକୁ ଚେଷ୍ଟା କରନ୍ତି, ତାଙ୍କର ପ୍ରକୃତ ପସନ୍ଦ ଜାଣିପାରନ୍ତି ନାହିଁ। ଆଜିର ଭାରତୀୟ ଭୋଟର ଅତ୍ୟନ୍ତ ଚତୁର ହୋଇପାରିଥିବାରୁ ସର୍ଭେ କରୁଥିବା ବ୍ୟକ୍ତି ଯେତେ ଚାଲାକ ହେଲେ ମଧ୍ୟ ସତ୍ୟ ଅନୁସନ୍ଧାନ କରି ଜାଣିବା କଷ୍ଟକର ହୋଇପଡ଼ୁଛି। ବହୁ ଅର୍ଥ ଖର୍ଚ୍ଚ କରି ବୁଥ୍‌ଫେରନ୍ତା ଭୋଟରଙ୍କ ମତକୁ ଗୋଟାଇ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏବେ ପାଠକ ବା ଦର୍ଶକଙ୍କୁ ତତ୍‌କ୍ଷଣାତ୍‌ ନିର୍ବାଚନ ଫଳ ଦେବାର ଯେଉଁ ବ୍ୟାକୁଳତା ପ୍ରକାଶ କରୁଛନ୍ତି ତାହା କୌତୂହଳ ମନେହୁଏ। ରାଜନୈତିକ ଦଳ ଦ୍ୱାରା ପ୍ରଭାବିତ ହୋଇ କେତେକ ଗଣମାଧ୍ୟମ ସଂସ୍ଥା ସେମାନଙ୍କ ସପକ୍ଷରେ ଫଳ ଦେଇଥାଆନ୍ତି। ଅର୍ଥାତ୍‌ ଏଭଳି ପୋଲ୍‌ ପକ୍ଷପାତ କରୁଥିବାର ଅନେକ ସମୟରେ ଅଭିଯୋଗ ହୋଇଥାଏ। ଅତୀତରେ ଏପରି ବିଭ୍ରାନ୍ତିକର ଆଗତୁରା ସମ୍ଭାବ୍ୟ ଫଳାଫଳକୁ ନେଇ ନିର୍ବାଚନ କମିଶନଙ୍କଠାରୁ ଆରମ୍ଭକରି ସର୍ବୋଚ୍ଚ ଅଦାଲତ ଯାଏ କଥା ଯାଇଛି। କୌତୂହଳର ବିଷୟ ଯେ, ଲୋକଙ୍କ ଜିଜ୍ଞାସାକୁ ଦେଖି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସ୍ଥିତିର ଫାଇଦା ନେଉଛନ୍ତି। ୧୦ ମାର୍ଚ୍ଚରେ ଉପରିଲିଖିତ ୫ଟି ରାଜ୍ୟର ଫଳ ବିଧିବଦ୍ଧ ଭାବେ ପ୍ରକାଶ ପାଇବ। ତେଣୁ ଦିନ ତିନିଟା ଅପେକ୍ଷା କରିବାକୁ କାହାର ଧୈର୍ଯ୍ୟ ଥିଲା ଭଳି ମନେ ହେଉନାହିଁ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ଭୋଟରଙ୍କ ମତାମତ ଦେବାର ଅଧିକାର ରହିଛି। ତେଣୁ ସେହି ମତକୁ ନିଷିଦ୍ଧ କରିବା ଅର୍ଥ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ବିରୋଧରେ ଯିବା। ସେହିଭଳି ଗଣମାଧ୍ୟମରେ ଏହାର ପ୍ରସାରଣ ଉପରେ ରୋକ ଲଗାଗଲେ ଗଣମାଧ୍ୟମର ସ୍ବାଧୀନତା ସଙ୍କୁଚିତ ହେବ ବୋଲି ଯୁକ୍ତି ବଢ଼ାଯାଉଛି।
ଏଠାରେ ଓପନିୟନ୍‌ ପୋଲ୍‌ର ନକାରାତ୍ମକ ଦିଗକୁ ଦେଖାଯାଉ। ଜଣେ ବ୍ୟକ୍ତି କାହାକୁ ଭୋଟ ଦେବେ ସେ ସ୍ଥିର କରିଥାଆନ୍ତି। କିନ୍ତୁ ଭୋଟ ଦେବା ପୂର୍ବରୁ ଅନ୍ୟମାନଙ୍କ ମତ ଜାଣିଗଲେ ସମ୍ପୃକ୍ତ ବ୍ୟକ୍ତି ହୁଏତ ତାଙ୍କ ମତ ପରିବର୍ତ୍ତନ କରିବାକୁ ଇଚ୍ଛା କରିପାରନ୍ତି। ସେଥିପାଇଁ ଓପିନିୟନ୍‌ ପୋଲ୍‌ ଉପରେ ଅନେକ ସମୟରେ ନିର୍ବାଚନ କମିଶନଙ୍କ ଭଳି ବୈଧାନିକ ସଂସ୍ଥାଗୁଡ଼ିକ ସାଧାରଣତଃ ତୀକ୍ଷ୍ଣ ନଜର ରଖିଥାଆନ୍ତି। କିନ୍ତୁ ଏବେ ତାହା ଦେଖିବାକୁ ମିଳୁନାହିଁ। ଦି ୟୁରୋପିଆନ୍‌ ସୋସାଇଟି ଫର୍‌ ଓପିନିୟନ୍‌ ଆଣ୍ଡ୍‌ ମାର୍କେଟ ରିସର୍ଚ୍ଚ (ଇଏସ୍‌ଓଏମ୍‌ଆର୍‌) ଏବଂ ଦି ଓ୍ବାର୍ଲଡ୍‌ ଆସୋସିଏଶନ୍‌ ଫର୍‌ ପବ୍ଲିକ୍‌ ଓପିନିୟନ୍‌ ରିସର୍ଚ୍ଚ (ଡବ୍ଲ୍ୟୁଏପିଓଆର୍‌) ଦ୍ୱାରା ଏ ଦିଗରେ କେତେକ ବୃତ୍ତିଗତ ଓ ନୈତିକ ମାର୍ଗଦର୍ଶିକା ଅନୁସରଣ କରିବାର ବ୍ୟବସ୍ଥା ରହିଛି। ଭାରତରେ ନିର୍ବାଚନ ସଂକ୍ରାନ୍ତ ମତାମତ ନେଇ ଉଠୁଥିବା ଉଦ୍‌ବେଗକୁ ପ୍ରତିହତ କରିବା ଲାଗି ପାଶ୍ଚାତ୍ୟ ପଦ୍ଧତି ଅନୁସରଣ କରାଯିବା ଦରକାର। କିନ୍ତୁ ଏଠାରେ ତାହା ସାଧାରଣରେ ହୋଇ ନ ଥାଏ।
ନିର୍ବାଚନରେ ଭୋଟରଙ୍କ ଆଦେଶ କାହା ପାଇଁ କ’ଣ ରହିଛି ସେହି ଜନାଦେଶକୁ ଜାଣିବା ଲାଗି ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ରହିବା ସ୍ବାଭାବିକ। ସେହି ଉତ୍ସୁକତା ବାସ୍ତବ ଫଳାଫଳ ପରେ ମେଣ୍ଟିଥାଏ। କିନ୍ତୁ ଅନ୍ତିମ ଫଳ ଆସିବା ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ମାଧ୍ୟମରେ ଲୋକଙ୍କୁ କୁତୁକୁତୁ କରିବାର ଏ ଯେଉଁ ଧାରା ଚାଲିଛି, ତାହାଦ୍ୱାରା ମତ ଗୋଟାଇଥିବା ଗଣମାଧ୍ୟମ ସଂସ୍ଥା ଛଡ଼ା ଆଉ କାହା ଉପକାରରେ ଆସୁଥିବ ବୁଝିହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri