ଏକ୍‌ଜିଟ୍‌ କୁତୁକୁତୁ

ଫେବୃୟାରୀ ୧୦ରୁ ଆରମ୍ଭ ହୋଇଥିବା ୫ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ଭୋଟଗ୍ରହଣ ୭ ମାର୍ଚ୍ଚରେ ଶେଷ ହୋଇଛି। ଏହି ସମୟ ମଧ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରତ୍ୟେକ ଦଳ ବିଭିନ୍ନ ପ୍ରସଙ୍ଗ ଅବତାରଣା କରିଛନ୍ତି। ନେତାମାନଙ୍କ ଲଗାମଛଡ଼ା ମନ୍ତବ୍ୟ ଧର୍ମ ଓ ଜାତିଗତ ବିଦ୍ୱେଷ ସୃଷ୍ଟି କରିବା ସହ ବ୍ୟକ୍ତିଗତ ଚରିତ୍ରକୁ ନେଇ ମଧ୍ୟ ଆକ୍ଷେପ ଓ ପ୍ରତିଆକ୍ଷେପ ହୋଇଥିବା ଦେଖିବାକୁ ମିଳିଛି। ତେବେ ମାର୍ଚ୍ଚ ୧୦ ତାରିଖରେ କେଉଁ ଦଳ କେତେ ଆସନ ଅକ୍ତିଆର କରିବେ ତାହାର ଫଳାଫଳ ପ୍ରକାଶ ପାଇବ। କିନ୍ତୁ ତା’ ପୂର୍ବରୁ ୭ ମାର୍ଚ୍ଚରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ ବା ବୁଥ୍‌ଫେରନ୍ତା ମତ ପ୍ରକାଶ ପାଇଛି। ଉତ୍ତରପ୍ରଦେଶ ଓ ମଣିପୁରରେ ଭାଜପା, ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ଗୋଆ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଅଧିକ ଆସନ ପାଇବେ ବୋଲି ଅଧିକାଂଶ ଗଣମାଧ୍ୟମ କହୁଛନ୍ତି। ଆଉ କିଛି ମତ ରଖୁଛନ୍ତି ଯେ, ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର ପଲା ଭାଜପାଠାରୁ ଭାରି ରହିପାରେ। ଉଲ୍ଲେଖଯୋଗ୍ୟ ଯେ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ଭାଜପା ସରକାର ଚାଲିଥିବା ବେଳେ ପଞ୍ଜାବରେ କଂଗ୍ରେସ ଶାସନ କରୁଛି।
ଗତ ତିନି ଦଶନ୍ଧି ହେବ ନିର୍ବାଚନକୁ ନେଇ ଓପିନିୟନ୍‌ ଓ ଏକ୍‌ଜିଟ୍‌ ପୋଲ୍‌ ଧାରା ବହିଚାଲିଛି। ଭାରତରେ ପ୍ରଥମେ ପ୍ରଣୟ ରଏ ଓ ସ୍ବର୍ଗତ ବିନୋଦ ଦୁଆ ଶେଫୋଲୋଜିଷ୍ଟ ବା ଭୋଟ ଗଣତି ପୂର୍ବରୁ ଆକଳନକର୍ତ୍ତା ଭାବେ ପରିଚିତ ହୋଇଥିଲେ। ତେବେ ସମସ୍ତେ ଜାଣନ୍ତି ଯେ, ପ୍ରାକ୍‌-ନିର୍ବାଚନୀ ସର୍ଭେ କରାଯାଇ ଯେଉଁ ମତ ପ୍ରକାଶ ପାଇଥାଏ ତାହାକୁ ଓପିନିୟନ୍‌ ପୋଲ୍‌ କୁହାଯାଏ। ଅନ୍ୟପକ୍ଷରେ ଭୋଟ ଗ୍ରହଣର ଶେଷ ଦିନରେ ଏକ୍‌ଜିଟ୍‌ ପୋଲ୍‌ ବା ବୁଥ୍‌ଫେରନ୍ତା ଭୋଟରଙ୍କ ମତ ନିଆଯାଇ ଫଳ ପ୍ରକାଶ ପାଉଛି। ତେବେ ଗଣମାଧ୍ୟମ ଦ୍ୱାରା ଦିଆଯାଉଥିବା ସଂଖ୍ୟା କେତେକାଂଶରେ ଫଳାଫଳ ପାଖାପାଖି ହେଉଥିବା ବେଳେ ଅନେକାଂଶରେ ସମ୍ପୂର୍ଣ୍ଣ ଭିନ୍ନ ହେଉଥିବାର ଯଥେଷ୍ଟ ଦୃଷ୍ଟାନ୍ତ ମିଳିଛି। ଏହା ପଛରେ ଏକ ସହଜ କାରଣ ଥାଇପାରେ। ଖବରଦାତାମାନେ ଯେଉଁ ଭୋଟରଙ୍କ ମତ ନେବାକୁ ଚେଷ୍ଟା କରନ୍ତି, ତାଙ୍କର ପ୍ରକୃତ ପସନ୍ଦ ଜାଣିପାରନ୍ତି ନାହିଁ। ଆଜିର ଭାରତୀୟ ଭୋଟର ଅତ୍ୟନ୍ତ ଚତୁର ହୋଇପାରିଥିବାରୁ ସର୍ଭେ କରୁଥିବା ବ୍ୟକ୍ତି ଯେତେ ଚାଲାକ ହେଲେ ମଧ୍ୟ ସତ୍ୟ ଅନୁସନ୍ଧାନ କରି ଜାଣିବା କଷ୍ଟକର ହୋଇପଡ଼ୁଛି। ବହୁ ଅର୍ଥ ଖର୍ଚ୍ଚ କରି ବୁଥ୍‌ଫେରନ୍ତା ଭୋଟରଙ୍କ ମତକୁ ଗୋଟାଇ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏବେ ପାଠକ ବା ଦର୍ଶକଙ୍କୁ ତତ୍‌କ୍ଷଣାତ୍‌ ନିର୍ବାଚନ ଫଳ ଦେବାର ଯେଉଁ ବ୍ୟାକୁଳତା ପ୍ରକାଶ କରୁଛନ୍ତି ତାହା କୌତୂହଳ ମନେହୁଏ। ରାଜନୈତିକ ଦଳ ଦ୍ୱାରା ପ୍ରଭାବିତ ହୋଇ କେତେକ ଗଣମାଧ୍ୟମ ସଂସ୍ଥା ସେମାନଙ୍କ ସପକ୍ଷରେ ଫଳ ଦେଇଥାଆନ୍ତି। ଅର୍ଥାତ୍‌ ଏଭଳି ପୋଲ୍‌ ପକ୍ଷପାତ କରୁଥିବାର ଅନେକ ସମୟରେ ଅଭିଯୋଗ ହୋଇଥାଏ। ଅତୀତରେ ଏପରି ବିଭ୍ରାନ୍ତିକର ଆଗତୁରା ସମ୍ଭାବ୍ୟ ଫଳାଫଳକୁ ନେଇ ନିର୍ବାଚନ କମିଶନଙ୍କଠାରୁ ଆରମ୍ଭକରି ସର୍ବୋଚ୍ଚ ଅଦାଲତ ଯାଏ କଥା ଯାଇଛି। କୌତୂହଳର ବିଷୟ ଯେ, ଲୋକଙ୍କ ଜିଜ୍ଞାସାକୁ ଦେଖି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସ୍ଥିତିର ଫାଇଦା ନେଉଛନ୍ତି। ୧୦ ମାର୍ଚ୍ଚରେ ଉପରିଲିଖିତ ୫ଟି ରାଜ୍ୟର ଫଳ ବିଧିବଦ୍ଧ ଭାବେ ପ୍ରକାଶ ପାଇବ। ତେଣୁ ଦିନ ତିନିଟା ଅପେକ୍ଷା କରିବାକୁ କାହାର ଧୈର୍ଯ୍ୟ ଥିଲା ଭଳି ମନେ ହେଉନାହିଁ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ଭୋଟରଙ୍କ ମତାମତ ଦେବାର ଅଧିକାର ରହିଛି। ତେଣୁ ସେହି ମତକୁ ନିଷିଦ୍ଧ କରିବା ଅର୍ଥ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ବିରୋଧରେ ଯିବା। ସେହିଭଳି ଗଣମାଧ୍ୟମରେ ଏହାର ପ୍ରସାରଣ ଉପରେ ରୋକ ଲଗାଗଲେ ଗଣମାଧ୍ୟମର ସ୍ବାଧୀନତା ସଙ୍କୁଚିତ ହେବ ବୋଲି ଯୁକ୍ତି ବଢ଼ାଯାଉଛି।
ଏଠାରେ ଓପନିୟନ୍‌ ପୋଲ୍‌ର ନକାରାତ୍ମକ ଦିଗକୁ ଦେଖାଯାଉ। ଜଣେ ବ୍ୟକ୍ତି କାହାକୁ ଭୋଟ ଦେବେ ସେ ସ୍ଥିର କରିଥାଆନ୍ତି। କିନ୍ତୁ ଭୋଟ ଦେବା ପୂର୍ବରୁ ଅନ୍ୟମାନଙ୍କ ମତ ଜାଣିଗଲେ ସମ୍ପୃକ୍ତ ବ୍ୟକ୍ତି ହୁଏତ ତାଙ୍କ ମତ ପରିବର୍ତ୍ତନ କରିବାକୁ ଇଚ୍ଛା କରିପାରନ୍ତି। ସେଥିପାଇଁ ଓପିନିୟନ୍‌ ପୋଲ୍‌ ଉପରେ ଅନେକ ସମୟରେ ନିର୍ବାଚନ କମିଶନଙ୍କ ଭଳି ବୈଧାନିକ ସଂସ୍ଥାଗୁଡ଼ିକ ସାଧାରଣତଃ ତୀକ୍ଷ୍ଣ ନଜର ରଖିଥାଆନ୍ତି। କିନ୍ତୁ ଏବେ ତାହା ଦେଖିବାକୁ ମିଳୁନାହିଁ। ଦି ୟୁରୋପିଆନ୍‌ ସୋସାଇଟି ଫର୍‌ ଓପିନିୟନ୍‌ ଆଣ୍ଡ୍‌ ମାର୍କେଟ ରିସର୍ଚ୍ଚ (ଇଏସ୍‌ଓଏମ୍‌ଆର୍‌) ଏବଂ ଦି ଓ୍ବାର୍ଲଡ୍‌ ଆସୋସିଏଶନ୍‌ ଫର୍‌ ପବ୍ଲିକ୍‌ ଓପିନିୟନ୍‌ ରିସର୍ଚ୍ଚ (ଡବ୍ଲ୍ୟୁଏପିଓଆର୍‌) ଦ୍ୱାରା ଏ ଦିଗରେ କେତେକ ବୃତ୍ତିଗତ ଓ ନୈତିକ ମାର୍ଗଦର୍ଶିକା ଅନୁସରଣ କରିବାର ବ୍ୟବସ୍ଥା ରହିଛି। ଭାରତରେ ନିର୍ବାଚନ ସଂକ୍ରାନ୍ତ ମତାମତ ନେଇ ଉଠୁଥିବା ଉଦ୍‌ବେଗକୁ ପ୍ରତିହତ କରିବା ଲାଗି ପାଶ୍ଚାତ୍ୟ ପଦ୍ଧତି ଅନୁସରଣ କରାଯିବା ଦରକାର। କିନ୍ତୁ ଏଠାରେ ତାହା ସାଧାରଣରେ ହୋଇ ନ ଥାଏ।
ନିର୍ବାଚନରେ ଭୋଟରଙ୍କ ଆଦେଶ କାହା ପାଇଁ କ’ଣ ରହିଛି ସେହି ଜନାଦେଶକୁ ଜାଣିବା ଲାଗି ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ରହିବା ସ୍ବାଭାବିକ। ସେହି ଉତ୍ସୁକତା ବାସ୍ତବ ଫଳାଫଳ ପରେ ମେଣ୍ଟିଥାଏ। କିନ୍ତୁ ଅନ୍ତିମ ଫଳ ଆସିବା ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ମାଧ୍ୟମରେ ଲୋକଙ୍କୁ କୁତୁକୁତୁ କରିବାର ଏ ଯେଉଁ ଧାରା ଚାଲିଛି, ତାହାଦ୍ୱାରା ମତ ଗୋଟାଇଥିବା ଗଣମାଧ୍ୟମ ସଂସ୍ଥା ଛଡ଼ା ଆଉ କାହା ଉପକାରରେ ଆସୁଥିବ ବୁଝିହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri