Posted inରାଜ୍ୟ

‘ବିକଶିତ ଭାରତ’ର ସଂକଳ୍ପକୁ ବାସ୍ତବରେ ପରିଣତ କରିବେ ମହିଳା

ପ୍ରାଚୀନ କାଳରୁ ଭାରତୀୟ ସମାଜରେ ମହିଳାମାନଙ୍କର ସ୍ଥାନ ଅନନ୍ୟ। ଆମେ ଏମିତି ଏକ ଦେଶରେ ବାସ କରୁଛୁ ‘ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ, ସେଠାରେ ଦେବତାମାନେ ବାସ କରନ୍ତି’ ବୋଲି ବିଶ୍ୱାସ କରାଯାଏ। ଅନ୍ୟ ଭାଷାରେ କହିଲେ, ”ଯେଉଁଠାରେ ନାରୀମାନଙ୍କୁ ସମ୍ମାନ କରାଯାଏ, ସେଠାରେ ଦେବତାମାନେ ବାସ କରନ୍ତି ଏବଂ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ କରାଯାଏ ନାହିଁ, ସେଠାରେ କରାଯାଇଥିବା ସମସ୍ତ ଭଲ କାମ ନିଷ୍ଫଳ ହୋଇଯାଏ“ – ଏହି ଆସ୍ଥା, ଚିନ୍ତନ ଏବଂ ବିଶ୍ୱାସ ପ୍ରତିଟି ଭାରତୀୟଙ୍କ ମାନସିକତାରେ ଗଭୀରଭାବେ ରେଖାଙ୍କିତ। ‘ଶତପଥ ବ୍ରାହ୍ମଣ’ରେ ଉଲ୍ଲେଖ ଅଛି ଯେ ଶ୍ରୀରାମଙ୍କ ଗୁରୁ ବଶିଷ୍ଠଙ୍କ ଗୁରୁକୁଳରେ, ତାଙ୍କର ମହାନ୍‌ ବିଦ୍ୱାନ ପତ୍ନୀ ଅରୁନ୍ଧତୀ ସଙ୍ଗୀତ ଏବଂ ପରିବେଶ ସଂରକ୍ଷଣ ଶିକ୍ଷା ପ୍ରଦାନ କରୁଥିଲେ। ଋଗବେଦରେ ମଧ୍ୟ ଗାର୍ଗୀ, ମୈତ୍ରେୟୀ, ଘୋଷା, ଅପଲା, ଲୋପାମୁଦ୍ରା ଏବଂ ରୋମାଶାନଙ୍କ ପରି ଅନେକ ମନ୍ତ୍ରଦ୍ରଷ୍ଟା ମହିଳା ଋଷିଙ୍କ ବିଷୟରେ ଉଲ୍ଲେଖ ଅଛି, ଯାହାଙ୍କର ବ୍ରହ୍ମ ଜ୍ଞାନରେ ସମଗ୍ର ଋଷି ସମ୍ପ୍ରଦାୟ ଉଲ୍ଲସିତ ଥିଲେ। କିନ୍ତୁ ଦୁଃଖର ବିଷୟ ଯେ ପରବର୍ତ୍ତୀ ସମୟରେ, ବିଶେଷକରି ମଧ୍ୟଯୁଗରେ ଆକ୍ରମଣକାରୀଙ୍କ ଶାସନ ଏବଂ ଏହା ପରବର୍ତ୍ତୀ ବିଦେଶୀଙ୍କ ଦାସତ୍ୱ ସମୟରେ ନାରୀ ଶିକ୍ଷାର ଏହି ଗୌରବମୟ ଏବଂ ସୁବର୍ଣ୍ଣ ପରମ୍ପରା ନଷ୍ଟ ହୋଇଗଲା। ସ୍ବାଧୀନତା ସଂଗ୍ରାମ ସମୟରେ ଏବଂ ସ୍ବାଧୀନତା ପରେ, ମହିଳାମାନେ ପୁଣିଥରେ ସମାଜରେ ସମ୍ମାନ ପାଇଲେ, ହେଲେ ସେମାନଙ୍କର ପ୍ରଗତି ଅନେକ ଦଶନ୍ଧି ଧରି ସ୍ଥାଣୁ ରହିଥିଲା। ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମରେ ଦାରିଦ୍ର୍ୟ ଏବଂ ନିରକ୍ଷରତା ଗୁରୁତର ପ୍ରତିବନ୍ଧକ ଭାବେ ଉଭା ହୋଇଥିଲା।
ଅନ୍ତର୍ଜାତୀୟ ମହିଳା ଦିବସର ଉଦ୍ଦେଶ୍ୟ ହେଉଛି ସାମାଜିକ, ଆର୍ଥିକ ଏବଂ ରାଜନୈତିକ ସମାନତା ହାସଲ କରିବା ପାଇଁ ମହିଳାମାନଙ୍କୁ ଉତ୍ସାହିତ କରିବା; ମହିଳାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇବା ଏବଂ ସମାଜରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଥିବା ଅସମାନତାକୁ ଦୂରକରି ସମାନତା ଆଣିବା।
ଭାରତୀୟ ସ୍ବାଧୀନତା ସଂଗ୍ରାମର ନାୟକ ମହାତ୍ମା ଗାନ୍ଧୀ ୨୩ ଡିସେମ୍ବର ୧୯୩୬ରେ ଅଖିଳ ଭାରତୀୟ ମହିଳା ସମ୍ମିଳନୀରେ ତାଙ୍କ ଭାଷଣରେ କହିଥିଲେ: ”ମହିଳା, ଯାହାଙ୍କୁ ଆମେ ଅବଳା, ଦୁର୍ବଳା କହୁ ସେମାନେ ସବଳା ହେଲେ ଯାଇ ସମସ୍ତ ଅସହାୟ ଶକ୍ତିଶାଳୀ ହୋଇଯିବେ।“ ସମାନ କ୍ରମରେ, ବାବା ସାହେବ ଭୀମରାଓ ଆମ୍ବେଦକର ମଧ୍ୟ ଏକ ଶକ୍ତିଶାଳୀ ଭାରତ ଗଠନରେ ମହିଳାଙ୍କ ଗୁରୁତ୍ୱକୁ ହୃଦ୍‌ବୋଧ କରି ଲେଖିଛନ୍ତି, ”ସାମାଜିକ ନ୍ୟାୟ ପାଇଁ ମହିଳା ସଶକ୍ତୀକରଣ ଆବଶ୍ୟକ, ତାହା ହେଲେ ହିଁ ସମାଜରେ ମହିଳାମାନଙ୍କର ଉନ୍ନତି ହୋଇପାରିବ“। ମହିଳାମାନଙ୍କର ଉନ୍ନତି ହେଲେ ହିଁ ସ୍ବାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ଗଣତାନ୍ତ୍ରିକ ଚିନ୍ତାଧାରା ସହିତ ସମାଜକୁ ପୁନଃନିର୍ମାଣ କରିବା ସମ୍ଭବ ହେବ।
୧୯୨୦ ମସିହା ଆଡ଼କୁ ସାରା ବିଶ୍ୱରେ ମହିଳାମାନେ ସେମାନଙ୍କର ସମାନ ନାଗରିକ ଅଧିକାର ପାଇଁ ଆନ୍ଦୋଳନ କରୁଥିଲେ, ଏହି ସମୟରେ ପ୍ରସିଦ୍ଧ ହିନ୍ଦୀ ଲେଖକ ମୁନ୍‌ସୀ ପ୍ରେମଚାନ୍ଦ ଲେଖିଥିଲେ ଯେ’ ଯଦି ଜଣେ ପୁରୁଷ ଜଣେ ମହିଳାଙ୍କ ଗୁଣ ଗ୍ରହଣ କରେ, ତେବେ ସେ ଦେବତା ହୋଇଯାଏ’। ରାଣୀ ଅହଲ୍ୟାବାଈ ହୋଲକରଙ୍କଠାରୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ପର୍ଯ୍ୟନ୍ତ, ରାଣୀ ଗୈଦିନଲିଉଙ୍କଠାରୁ ସାବିତ୍ରୀବାଈ ଫୁଲେଙ୍କ ଯାଏ, ମହିଳାମାନେ ସମାଜରେ ପରିବର୍ତ୍ତନର ମହାନ୍‌ ଉଦାହରଣ ସୃଷ୍ଟି କରିଛନ୍ତି। ବର୍ତ୍ତମାନର ଭାରତ ଏହି ମହାନ୍‌ ମହିଳାଙ୍କ ପ୍ରେରଣାଦାୟକ ଜୀବନର ଉପାଦାନଗୁଡ଼ିକୁ ଗ୍ରହଣ କରି ଆଗକୁ ବଢ଼ୁଛି।
ଏଥର ଆନ୍ତର୍ଜାତିକ ମହିଳା ଦିବସର ବିଷୟବସ୍ତୁ ହେଉଛି ‘ତ୍ୱରାନ୍ବିତ କାର୍ଯ୍ୟ’। ଏହା ମହିଳା ସଶକ୍ତୀକରଣ ପାଇଁ ଦ୍ରୁତ ଏବଂ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ବାର୍ତ୍ତା ଦେଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ, ଆମ ସରକାର ବିଭିନ୍ନ ନୀତି ଏବଂ ଯୋଜନା ମାଧ୍ୟମରେ ମହିଳାଙ୍କ ଉନ୍ନତି ଏବଂ ସଶକ୍ତୀକରଣ ପାଇଁ ଅନେକ ଦୃଢ଼ ପଦକ୍ଷେପ ନେଇଛନ୍ତି। ଏହି ନୀତିଗୁଡ଼ିକ ମହିଳାମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକ ସ୍ବାଧୀନତା, ସୁରକ୍ଷା ଏବଂ ରାଜନୈତିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଗତ ଦଶ ବର୍ଷ ମଧ୍ୟରେ ମହିଳା ସଶକ୍ତୀକରଣ ପାଇଁ ମୋଦୀ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନା ଏବେ ବାସ୍ତବତାରେ ପରିଣତ ହୋଇ ସୁଫଳ ପ୍ରଦାନ କରୁଛି।
ଗରିବ ପରିବାରର ମହିଳାଙ୍କୁ ମାଗଣା ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ ପ୍ରଦାନ କରିବା ହେଉ, ଅଥବା ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ‘ଉଜ୍ଜ୍ୱଳା ଯୋଜନା’, ଝିଅମାନଙ୍କ ଶିକ୍ଷା ଏବଂ ଭବିଷ୍ୟତରେ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ‘ସୁକନ୍ୟା ସମୃଦ୍ଧି ଯୋଜନା’ ପ୍ରଭୃତି ଆପଣାଇ ଭାରତ ସରକାର ମହିଳା ଓ ଝିଅମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି। ମାତୃତ୍ୱ ଲାଭ ଆଇନରେ ସଂଶୋଧନ କରି, ମହିଳା କର୍ମଚାରୀମାନଙ୍କୁ ଦିଆଯାଉଥିବା ମାତୃତ୍ୱ ଲାଭ ଛୁଟିର ଅବଧି ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ମୋଦୀ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମୁଦ୍ରା ଋଣ ଯୋଜନାରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରାଯାଇଥିବାରୁ ଆଜି ଏହି ଯୋଜନାର ୬୯% ହିତାଧିକାରୀ ମହିଳା ହୋଇପାରିଛନ୍ତି। ମହିଳାଙ୍କୁ ସ୍ବାବଲମ୍ବୀ କରିବା ଦିଗରେ, ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାର ଲକ୍ଷ୍ୟ ରଖିଛନ୍ତି ସରକାର। ଏହା ବ୍ୟତୀତ, ଷ୍ଟାଣ୍ଡ୍‌ ଅପ୍‌ ଇଣ୍ଡିଆ ଅଧୀନରେ, ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆବର୍ଗର ମହିଳାଙ୍କୁ ସ୍ବତନ୍ତ୍ର ଭାବେ ଋଣ ଦିଆଯାଉଛି। ଏପର୍ଯ୍ୟନ୍ତ ୫୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଋଣ ଏହିକ୍ରମରେ ମଞ୍ଜୁର କରାଯାଇଛି। ”ବେଟି ବଚାଓ – ବେଟି ପଢ଼ାଓ“ ଏବଂ ”ମିଶନ ଶକ୍ତି“ ଭଳି ଯୋଜନା ଏବଂ ”କନ୍ୟାରତ୍ନ ସହ ସେଲ୍ଫ“ ଭଳି ପଦକ୍ଷେପ ଆମର ଝିଅ ଏବଂ ଯୁବତୀମାନଙ୍କ ପାଇଁ ନୂତନ ଦିଗ ଖୋଲିଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଶକ୍ତୀକରଣ ଯୋଜନା ମାଧ୍ୟମରେ, ଗ୍ରାମୀଣ ଏବଂ ସହରାଞ୍ଚଳରେ ମହିଳା ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କର ଅଂଶଗ୍ରହଣ ବୃଦ୍ଧି କରିବାରେ ନୂତନ ରେକର୍ଡ ସୃଷ୍ଟି ହେଉଛି। ଆଜି ଭାରତର ମହିଳାମାନେ ଏକ ନୂତନ ଆର୍ଥିକ ଦିଗନ୍ତ ଆଡ଼କୁ ଅଗ୍ରସର ହେଉଛନ୍ତି।
ଶିକ୍ଷାକୁ ସଫଳତାର ଶିଡ଼ି ବୋଲି ବିବେଚନା କରାଯାଏ। ଏହି ପରିପ୍ରେକ୍ଷୀରେ, ମହାତ୍ମା ଗାନ୍ଧୀଙ୍କ ଏକ ଉକ୍ତି ଅନେକ ମହତ୍ତ୍ୱ ବହନ କରେ। ତାହା ହେଲା, ”ଯେତେବେଳେ ଜଣେ ପୁରୁଷ ଶିକ୍ଷିତ ହୁଏ, ଜଣେ ବ୍ୟକ୍ତି ଶିକ୍ଷିତ ହୁଏ କିନ୍ତୁ ଯେତେବେଳେ ଜଣେ ମହିଳା ଶିକ୍ଷିତ ହୁଏ, ଏକ ପରିବାର ଶିକ୍ଷିତ ହୁଏ“। ଏହି ନୀତିକୁ ଦୃଷ୍ଟିରେ ରଖି, ମୋଦୀ ସରକାରଙ୍କ ଶାସନରେ ଭାରତରେ ଉଚ୍ଚଶିକ୍ଷାରେ ମହିଳାମାନଙ୍କ ସ୍ଥିତି ସନ୍ତୋଷଜନକ ଭାବରେ ଉନ୍ନତ ହେଉଛି। ୨୦୧୪-୧୫ ପରଠାରୁ ଉଚ୍ଚଶିକ୍ଷାରେ ନାମଲେଖା ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି, ମହିଳା ନାମଲେଖା ୧.୫୭ କୋଟିରୁ ୨.୧୮ କୋଟିକୁ ବୃଦ୍ଧି ପାଇଛି।
‘ନାରୀ ଶକ୍ତି ବନ୍ଦନା ଆଇନ’ ମାଧ୍ୟମରେ ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିବାର ଅନନ୍ୟ କାର୍ଯ୍ୟ, ତିନି ତଲାକ ଆଇନ ଉଚ୍ଛେଦକରି ମୁସଲିମ ମହିଳାଙ୍କ ଅଧିକାରର ସୁରକ୍ଷା, ପୋଲିସ ବାହିନୀରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଁ ମହିଳା ସମିତି ଗଠନ, ଭାରତୀୟ ମହିଳା ବାଟାଲିୟନ ଗଠନ ହେଉ କିମ୍ବା ଶିକ୍ଷା ଏବଂ ଦକ୍ଷତା ବିକାଶରେ ମହିଳାମାନଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ନୂତନ ପ୍ରତିଷ୍ଠାନ ଏବଂ ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆମ ସରକାର ମହିଳାମାନଙ୍କର ନେତୃତ୍ୱମୂଳକ ଭୂମିକା ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ। କଳା, କ୍ରୀଡ଼ା, ଅଭିନୟ, ରାଜନୀତିଠାରୁ ଆରମ୍ଭ କରି ସରକାରୀ ଚାକିରି ଏବଂ ବୃତ୍ତିଗତ ଜଗତ ପର୍ଯ୍ୟନ୍ତ – ଭାରତୀୟ ମହିଳାମାନେ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କେବଳ ସେମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରୁନାହାନ୍ତି ବରଂ ଦକ୍ଷତାର ସହିତ ସେମାନଙ୍କର ଦାୟିତ୍ୱ ନିର୍ବାହ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଗଠନରେ ୪ ସ୍ତମ୍ଭ ଭିତରୁ ମହିଳାମାନେ ଗୋଟିଏ। ଅର୍ଥାତ୍‌ ମହିଳାଙ୍କ ବିକାଶ ବିନା ଭାରତର ବିକାଶ ଅସମ୍ଭବ। ‘ବିକଶିତ ଭାରତ’ର ସଂକଳ୍ପଗୁଡ଼ିକୁ ସାକାର କରିବାରେ ମହିଳାମାନେ ନିଃସନ୍ଦେହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହି ପରିସ୍ଥିତିରେ, ଆମକୁ ମହିଳାଙ୍କ ସାହସ ଏବଂ ଦକ୍ଷତାକୁ ବୁଝିବାକୁ ପଡ଼ିବ। ଏହି ଅନ୍ତର୍ଜାତୀୟ ମହିଳା ଦିବସରେ, ଆସନ୍ତୁ ଆମେ ମହିଳାମାନଙ୍କ ବିକାଶର ପଥ ପ୍ରଶସ୍ତ କରିବାକୁ ପ୍ରତିଜ୍ଞା ନେବା। ମହିଳାମାନଙ୍କର ସଶକ୍ତୀକରଣ ମାଧ୍ୟମରେ ହିଁ ଏକ ବିକଶିତ ଏବଂ ସଶକ୍ତ ଭାରତ ଗଠନର ଯାତ୍ରା ସଫଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?