ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା ଅଭିଯୋଗକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ନିର୍ଯାତନା ସହି ନପାରି ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ନିର୍ଯାତନା ଦେଉଥିବା ଶାଶୁ ଓ ବଡ଼ଯାଆଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ଗ୍ରାମର ଜଣେ ବିଧବା ମହିଳାଙ୍କୁ ତାଙ୍କ ବଡ଼ଯାଆ, ଶାଶୁ ଓ ଦେଢ଼ଶୁର ମିଶି ଦୀର୍ଘଦିନ ଧରି ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ମହିଳା ପୁଲିସକୁ ମଧ୍ୟ ଜଣାଇଥିଲେ। ତେବେ ଏଥିରୁ କୌଣସି ସୁଫଳ ମିଳିନଥିବା ସେ ଅଭିଯୋଗ କରିଛନ୍ତି।
ରବିବାର ବିଧବା ମହିଳାଙ୍କୁ ତାଙ୍କ ବଡ଼ଯାଆ ଓ ଶାଶୁ ମିଶି ମାଡ଼ ମାରିବା ସହ ଘରୁ ବାହାର କରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ କାନ୍ଦ ଶୁଣି ଆଖପାଖର ମହିଳାମାନେ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ। ପରେ ସେମାନେ ଠେଙ୍ଗା ଓ ବାଡ଼ି ଧରି ସମ୍ପୃକ୍ତ ବଡ଼ଯାଆ ଓ ତାଙ୍କ ଶାଶୁଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି।
ଏହି ଘଟଣାର ଭିଡିଓ କେହି ଜଣେ ମୋବାଇଲରେ ରେକର୍ଡ କରିଥିବା ବେଳେ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, ଘଟଣାଟି ଆନନ୍ଦପୁର ଥାନା ଅଧୀନ ଅଞ୍ଚଳରେ ଘଟିଥିବା ନେଇ ଆଲୋଚନା ହେଉଛି।

