କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଗତ ରବିବାର କେସିଙ୍ଗାସ୍ଥିତ ଋଷି ସାହା ଭବନରେ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ସଭାପତି କାହ୍ନୁ ଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡିର ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡ. ଦାଶରଥି ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଗାଳ୍ପିକା ଯାଜ୍ଞସେନୀ ସାହା, ସଭାପତି, ଚେତାବନୀ ସାହିତ୍ୟ ସଂସଦ ମୁଖ୍ୟଅତିଥି ଏବଂ ସସ୍ମିତା ଆଚାର୍ଯ୍ୟ ଓ ‘ପେଞ୍ଜୋରାଣୀ’ ପତ୍ରିକାର ସମ୍ପାଦିକା ତଥା କବି ସଞ୍ଜିତା ପ୍ରଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ମୁଖ୍ୟବକ୍ତା ଡ. ଦାଶରଥି ଆଚାର୍ଯ୍ୟ ଓଡ଼ିଆ ଭାଷା ଓ ସାହିତ୍ୟ ଜଗତରେ କଳାହାଣ୍ଡିର ଶ୍ରେଷ୍ଠ ଅବଦାନ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ଯାଜ୍ଞସେନୀ ସାହା ସାହିତ୍ୟ ଓ ସୃଷ୍ଟି ମଧ୍ୟରେ ଥିବା ସମ୍ପର୍କ ଉପରେ ଆଲୋଚନା କରିଥିଲେ।
ପ୍ରାରମ୍ଭରେ ଯୁବଶିଳ୍ପୀ ପ୍ରତାପ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶାଶ୍ୱତ ଦଣ୍ଡିଆ ଓ ଯେମନ୍ତ ସାହୁ ମଞ୍ଚ ପରିଚାଳନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। କେସିଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘ଅ’ ପତ୍ରିକାର ବାର୍ଷିକ ମୁଖପତ୍ର ଉନ୍ମୋଚିତ ହୋଇଥିଲା। ‘ଅ’ ପତ୍ରିକାର ସମ୍ପାଦକ ବିଶ୍ୱନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସେହିଭଳି ଦ୍ୱିତୀୟ ଅଧିବେଶନରେ ବରିଷ୍ଠ ସାହିତ୍ୟିକ ପଦ୍ମଲୋଚନ ମିଶ୍ର, ବୈଷ୍ଣବ ସାହା, ପଲ୍ଲବୀ ଦାସ ଓ ସଂଯୁକ୍ତା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ପରିଶେଷରେ ‘ଅ’ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

