ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଯୌତୁକ ନିର୍ଯ୍ୟାତନା କାରଣରୁ ମାନସିକ ଭାରସାମ୍ୟ ହରାଇ ଗତ ମେ ୧୮ ତାରିଖରେ କୀଟନାଶକ ଖାଇ ଆତ୍ମହତ୍ୟା କରିଥିଲେ।ଘଟଣାର ୫ ମାସ ପରେ ଦିଗପହଣ୍ଡି ପୋଲିସ ଉଷାରାଣୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀ ଗୋଳନ୍ଥରା ଥାନା ବିଶ୍ଵନାଥପୁର ଗ୍ରାମର ଉଦୟନାଥ ମହାରଣାଙ୍କ ବଡ଼ପୁଅ ପ୍ରଶାନ୍ତ କୁମାର ମହାରଣା(୩୨)ଙ୍କୁ ଶୁକ୍ରବାର ଅପରାହ୍ନ ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ. ୨୧୬/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ପ୍ରଶାନ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଉଷାରାଣୀ ଗତ ୨୦୨୦ ଡିସେମ୍ବର ୮ ରେ ଗୋଳନ୍ଥରା ଥାନା ବିଶ୍ଵନାଥପୁର ଗ୍ରାମର ଉଦୟନାଥ ମହାରଣାଙ୍କ ବଡ଼ପୁଅ ପ୍ରଶାନ୍ତଙ୍କୁ ବିବାହ କରିଥିଲେ।
ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବୀ ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ବିବାହର କିଛିଦିନ ହସଖୁସି ରେ କଟିବା ପରେ ଉଭୟଙ୍କ ଔରସ ରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପରେ ଅଧିକା ଯୌତୁକ ପାଇଁ ଉଷାରାଣୀଙ୍କୁ ସ୍ବାମୀ,ଶାଶୁ,ଶ୍ବଶୁର,ଦିଅର,ନଣନ୍ଦ,ନଣନ୍ଦେଇ,ଦେଢ଼ଶାଶୁ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ଗତ ୨୦୨୧ ଜୁନ ୧୬ ତାରିଖରେ ଉଷାରାଣୀ ବାପଘର ଦିଗପହଣ୍ଡି ଚାଲି ଆସିଥିଲେ। ଶ୍ବଶୁର ଘରୁ ଆସିବା ଦିନଠାରୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ତାଙ୍କୁ ଫୋନ କରି ଗାଳି ଗୁଲଜ କରି ଧମକ ଦେଉଥିଲେ। ଗତ ମେ ୧୮ ତାରିଖ ସକାଳେ ଉଷାରାଣୀ ତାଙ୍କ ସ୍ବାମୀଙ୍କ ସହ ଫୋନ ରେ କଥା ହୋଇ ତାଙ୍କୁ ପାଖକୁ ନେବାକୁ ଅନୁରୋଧ କରିଥିଲେ। ସ୍ବାମୀ ପ୍ରଶାନ୍ତ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଗୋଳନ୍ଥରା ଆସିଲେ ସେ ଆତ୍ମହତ୍ୟା କରିଦେବି ବୋଲି ଉଷାରାଣୀଙ୍କୁ କହିଥିଲେ। ଏଥିରେ ଅପମାନିତ ହୋଇ ସେ ମାନସିକ ଭାରସାମ୍ୟ ହରାଇ ଘଟଣା ଦିନ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଘରେ କେହି ନଥିବା ବେଳେ ଉଷାରାଣୀ କୌଣସି କୀଟନାଶକ ଖାଇ ଦେଇଥିଲେ।ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଅପରାହ୍ନ ପ୍ରାୟ ୨ ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଉଷାରାଣୀଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରିଥିଲେ।ପୋଲିସ ଟିମ୍ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ବ୍ରହ୍ମପୁର ଅତିରିକ୍ତ ତହସିଲଦାର ପ୍ରିୟଙ୍କା ମହେଶ୍ୱରୀଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯିବା ସହ ଭୁବନେଶ୍ୱର ସ୍ଥିତ ରାଜ୍ୟ ଫରେନ୍ସିକ ଲାବ୍ରୋଟରୀକୁ ପରୀକ୍ଷା ନିମନ୍ତେ ଭିସେରା ପଠାଯାଇଥିଲା।

