
ଦିଗପହଣ୍ଡି,୨୦।୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଶନିବାର ସକାଳେ ସ୍ଥାନୀୟ ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏନଏସି ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣେ ମହିଳା ଓ ୪/୫ ଦିନ ପୂର୍ବରୁ ଜନ୍ମ ହୋଇଥିବା ତାଙ୍କ ନବଜାତକ ଶିଶୁକନ୍ୟାଙ୍କ ସମେତ ୩ ବର୍ଷ ବୟସର ଶିଶୁ କନ୍ୟାଙ୍କୁ ସିଡିପିିଓ ପୁଷ୍ପାଞ୍ଜଳି ଶତପଥୀଙ୍କୁ ହସ୍ତାନ୍ତର କରିଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ଏବଂ ଅନ୍ୟ କର୍ମଚାରୀ ବୃନ୍ଦ ଗୁରୁବାର ରାତିରେ ପରିମଳ ବ୍ୟବସ୍ଥା ତଦାରଖ କରୁଥିବା ବେଳେ ବସଷ୍ଟାଣ୍ଡରେ ଉକ୍ତ ନିଃସହାୟ ମହିଳାଙ୍କୁ ଠାବ କରିଥିଲେ। ମହିଳାଙ୍କ ପାଖରେ ନବଜାତକ ଶିଶୁକନ୍ୟା ଏବଂ ପ୍ରାୟ ୩ ବର୍ଷ ବୟସର ଶିଶୁକନ୍ୟା ଥିଲେ। ଖବରପାଇ ଦିଗପହଣ୍ଡି ସହରର କିଛି ନିଃସନ୍ତାନ ବ୍ୟକ୍ତି ଉକ୍ତ ନବଜାତକ ଶିଶୁକନ୍ୟାଙ୍କୁ ନେଇ ପୋଷ୍ୟକନ୍ୟା ଭାବେ ଲାଳନ ପାଳନ ପାଇଁ ଚେଷ୍ଟା କରିଥିଲେ। ଏହା ଜାଣିପାରି ଉପସ୍ଥିତ ଏନଏସି କର୍ମଚାରୀ ବୃନ୍ଦ ସେମାନଙ୍କୁ ସେଠାରୁ ଘଉଡାଇଥିଲେ। ଉପସ୍ଥିତ କାର୍ଯ୍ୟ ନିର୍ବାହୀ ଅଧିକାରୀତାଙ୍କୁ ଖାଦ୍ୟ ପାନୀୟ ଏବଂ ବେଡସିଟ ପ୍ରଭୃତି ଦେଇ ଯାତ୍ରୀ ପ୍ରତୀକ୍ଷାଳୟରେ କର୍ମଚାରୀଙ୍କ କଡା ହେଫାଜତରେ ସୁରକ୍ଷିତ ଅବସ୍ଥାରେ ରଖିଥିଲେ । ସକାଳେ ଏନଏସି କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ସତ୍ୟନାରାୟଣ ଦାସଙ୍କ ସହ ଜଣେ ମହିଳା କର୍ମଚାରୀ ନିର୍ବାହୀ ଅଧିକାରୀଙ୍କ ଗାଡ଼ିରେ ଉଦ୍ଧାର କରାଯାଇଥିବା ମହିଳା ଜଣକ କହିବା ପ୍ରକାରେ ତାଙ୍କ ବାପଘର ଗାଁ କେ.ନୂଆଗାଁ ଥାନା ନୂଆପଡ଼ା ନିକଟସ୍ଥ କୃପାସିନ୍ଧୁପୁରକୁ ନିଆଯାଇଥିଲା। ସେଠାରେ ତାଙ୍କ ପରିବାରର କୌଣସି ବ୍ୟକ୍ତି ରହୁନଥିବା ଗାଁ ଲୋକେ ଜଣାଇଥିଲେ। ଉଦ୍ଧାର ମହିଳା ଓ ଉଭୟ ଶିଶୁକନ୍ୟାଙ୍କ ସମ୍ପର୍କରେ ସିଡିପିଓ ବିଡିଓ ଅନାମିକା ପାଣ୍ଡେଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ଥିବା ୱାନଷ୍ଟପ ସେଣ୍ଟରରେ ଛଡାଯାଇଥିବା ଜଣାପଡ଼ିଛି।