
ନୂଆପଡ଼ା,୨୦ା୬ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ସାରାବଙ୍ଗ ପଞ୍ଚାୟତ ଲାଞ୍ଜିମାର ଗାଁରେ ଶୁକ୍ରବାର ଟ୍ରାକ୍ଟର ଚକା ତଳେ ଚାପିହୋଇ ୯ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ପୁରନ ସାହୁଙ୍କ ପୁଅ ବିକି ସାହୁ। ସୂଚନା ଅନୁଯାୟୀ ଅପରାହ୍ନ ୩ଟା ସମୟରେ ଲାଞ୍ଜିମାର ଗାଁରୁ ଏକ ଟ୍ରାକ୍ଟର ସାରାବଙ୍ଗ ଗାଁକୁ ରାସାୟନିକ ସାର ଆଣିବା ପାଇଁ ଯାଉଥିଲା। ୩ଜଣ ବାଳକ ଟ୍ରାକ୍ଟର ଡାଲାରେ ବସିଥିବା ବେଳେ ବିକି ଡ୍ରାଇଭର ନିକଟ ଇଞ୍ଜିନରେ ବସିଥିଲେ। ଗାଁରୁ କିଛିଦୂର ଯିବା ପରେ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱ ଚାଷ ଜମିକୁ ଓଲଟି ପଡିଥିଲା ା ଟ୍ରଲିରେ ବସିଥିବା ବାଳକମାନେ ଚାଷ ଜମିରେ ଛିଟିକି ପଡିଥିବାବେଳେ ଇଞ୍ଜିନରେ ବସିଥିବା ବିକି ଚକାତଳେ ପଡି ଯାଇ ଚାପି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସଦର ଥାନା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଜବତ କରିଛି। ହେଲେ ଚାଳକ ଫେରାର ହୋଇଯାଇଛନ୍ତି। ଅନ୍ୟ ୩ ବାଳକ ସୁସ୍ଥ ଥିବା ଜଣାପଡିଛି।