ଚାଞ୍ଛି ନେବେ

କୋଭିଡ୍‌-୧୯ ଟିକାକରଣ ବିଷୟକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି। କେତେବେଳେ କୁହାଯାଉଛି ଟିକା ଆସିଲେ ପ୍ରଥମେ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଦିଆଯିବ। ପୁଣି କୁହାଗଲାଣି ସମସ୍ତେ ଟିକା ପାଇବେ ନାହିଁ। ପୃଥିବୀବ୍ୟାପୀ ଟିକାର ଦେଖାଦର୍ଶନ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ସମୟରେ ଟିକା ଆସିବ ବୋଲି କହୁଥିବା ସତ୍ତ୍ୱେ ସେଠାରେ ମଧ୍ୟ କୌଣସି ନିଶ୍ଚିତତା ନାହିଁ। କିନ୍ତୁ କଳ୍ପନାଜଳ୍ପନା ପ୍ରବଳ ମାତ୍ରାରେ ହେଉଛି। ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ସୂଚନା ଦିଆଯାଇଛି ଯେ କିଛି ସପ୍ତାହ ଭିତରେ ଏହା ଉପଲବ୍ଧ ହେବ। ଆଶ୍ଚର୍ଯ୍ୟ କଥା ହେଉଛି, ହରିୟାଣାର ମେଣ୍ଟ ସରକାରରେ ଥିବା ଭାଜପାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ କହିଛନ୍ତି ଯେ, ଟିକା ନେବା ପରେ ସେ କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଏବଂ ଭାରତ ବାୟୋଟେକ୍‌ ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କୋଭାକ୍ସିନ୍‌’ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ନଭେମ୍ବର ୨୦ରେ ଭିଜ୍‌ଙ୍କୁ ଟିକା ଦିଆଯାଇଥିଲା। ଏବେ ସେ କରୋନା ପଜିଟିଭ୍‌ ହୋଇଥିବାରୁ ଟିକା ଫଳପ୍ରଦ ହୋଇ ନ ଥିବା ପ୍ରମାଣିତ ହୋଇଛି। ଅର୍ଥାତ୍‌ ଗବେଷଣାକୁ ସମ୍ପୂର୍ଣ୍ଣ କରା ନ ଯାଇ ଖାମଖିଆଲ ଭାବେ ଲୋକଙ୍କ ଉପରେ ପରୀକ୍ଷଣ କରାଯାଉଥିବାରୁ ଏଭଳି ବ୍ୟତିକ୍ରମ ଦେଖାଦେଇଛି। ଅବଶ୍ୟ ସାଧାରଣ ନାଗରିକ ନିଶ୍ଚିତ ଭାବେ ଚାହିଁବେ ଯେ ଏହି ଟିକାର ବଦ୍‌ ଦିଗ ଜାଣିବା ସକାଶେ ସବୁ ରାଜନେତା ଯଥା ପ୍ରତ୍ୟେକ ରାଜ୍ୟର ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ଆଇଏଏସ୍‌, ଆଇପିଏସ୍‌ ଭଳି ଅଫିସରଙ୍କ ସମେତ ଖଣିମାଲିକ ଓ ଶିଳ୍ପପତିମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯାଉ। ତାହା ହେଲେ କୋଭିଡ୍‌-୧୯ ଟିକାର କାର୍ଯ୍ୟଦକ୍ଷତା ଜଣାପଡ଼ିବ। ଯଦି ଏହି ବଡ଼ବଡ଼ିଆ ସୁସ୍ଥ ରହିଗଲେ, ତେବେ ଅନ୍ୟ ସାଧାରଣ ନାଗରିକଙ୍କ ଉପରେ ତାହାର ପ୍ରୟୋଗ କରାଯିବା ଉଚିତ। ବର୍ତ୍ତମାନ ଫାଇଜର ଇଣ୍ଡିଆ ପ୍ରଥମ ଔଷଧ କମ୍ପାନୀ ଭାବେ ଭାରତର ଲୋକଙ୍କ ଉପରେ ଏହାକୁ ପ୍ରୟୋଗ କରିବା ସକାଶେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ)ର ଜରୁରିକାଳୀନ ଅନୁମତି ମାଗିଛି। ସ୍ମରଣ କରାଯାଇପାରେ ଯେ, ଫାଇଜର ଇଣ୍ଡିଆର ମୂଳ କମ୍ପାନୀ ‘ଫାଇଜର’ ଇତିମଧ୍ୟରେ ବ୍ରିଟେନ୍‌ ଓ ବାହାରିନ୍‌ଠାରୁ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ପାଇସାରିଛି। ତଥାପି ପାଶ୍ଚାତ୍ୟ ଦେଶରେ ଫାଇଜର ଟିକାର ବ୍ୟବହାର ଆଜି ପର୍ଯ୍ୟନ୍ତ ହୋଇନାହିଁ। ତା’ର ମୂଳ କାରଣ ବୁଝିବା କଷ୍ଟକର ନୁହେଁ। ଭାରତୀୟଙ୍କ ଉତ୍କଣ୍ଠା ସହିତ ସରକାରଙ୍କ ରାଜନୈତିକ ଲାଭ ଉଠାଇବାର ବ୍ୟାକୁଳତା ଯୋଗୁ ଫାଇଜର ଇଣ୍ଡିଆ ଆମ ଦେଶ ଉପରେ ପ୍ରଥମ ପରୀକ୍ଷା କରିବାକୁ ଚାହୁଁଛି। ଯଦି କିଛି ବଛା ଭାରତୀୟ ଏହି ଟିକା ନେବା ପରେ କୋଭିଡ୍‌-୧୯ରୁ ବର୍ତ୍ତିଯିବେ, ତେବେ ତାହାର ପ୍ରୟୋଗ ଆମେରିକା ଭଳି ଦେଶରେ ଆରମ୍ଭ ହେବ।
ଭାରତର ଭୌଗୋଳିକ ଓ ଜଳବାୟୁ ସ୍ଥିତି ଦେଖିଲେ ଫାଇଜର ଟିକାକୁ ସାଇତି ରଖିବା ପାଇଁ ବିଯୁକ୍ତ ୭୦ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ଦରକାର। ଦେଶବ୍ୟାପୀ ସେହି ତାପମାତ୍ରାରେ ଟିକା ପରିବହନ ଓ ଟିକାକରଣ କରିବା ଏକ ବଡ଼ ଆହ୍ବାନ। ଏଥିସହିତ ଏଠାରେ ଟିକାକରଣ ପ୍ରକ୍ରିୟାରେ ଜଡ଼ିତ ଥିବା ସିଡିର ତଳ ପାହାଚର ଲୋକମାନେ ପ୍ରାୟ ଅର୍ଦ୍ଧଶିକ୍ଷିତ ଓ ଅସଚେତନ ଥାଆନ୍ତି। ଅତୀତରେ ପୋଲିଓ ଟିକା ଦିଆଯିବା ବେଳେ ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁସରଣ କରାଯାଇ ନ ଥିବା ଯୋଗୁ ଅନେକ ଶିଶୁଙ୍କ ଜୀବନ ଯିବାର ପ୍ରମାଣ ରହିଛି। ତାହା କେବଳ ଶିଶୁଙ୍କ ଭିତରେ ସୀମିତ ଥିଲା। କୋଭିଡ୍‌-୧୯ ଲାଗି ଟିକା ନେବା ପାଇଁ ଦୁନିଆର ସବୁ ଲୋକ ହାଇଁପାଇଁ। ତେଣୁ ତାହାକୁ ସୁଗମ କରିବା କଦାପି ସହଜ ହେବ ନାହିଁ। ଜନସଂଖ୍ୟା ଦୃଷ୍ଟିରୁ ଭାରତୀୟ ବଜାରକୁ ଆଖିରେ ରଖି ବହୁରାଷ୍ଟ୍ରୀୟ ଔଷଧ କମ୍ପାନୀଗୁଡ଼ିକ ଏଠାରେ ବ୍ୟବସାୟ କରିବାକୁ ଚେଷ୍ଟା କରୁଛନ୍ତି।
ଏବେ କରୋନା ଟିକା ହୋଇଗଲାଣି ପୃଥିବୀର ସର୍ବବୃହତ୍‌ ବ୍ୟବସାୟ। ଭାରତ ଭଳି ଦେଶରେ କେନ୍ଦ୍ର ସମେତ ସବୁ ରାଜ୍ୟ ସରକାର ଲୋକଙ୍କ ପ୍ରିୟ ହେବା ପାଇଁ ଟିକାକୁ ବ୍ୟବହାର କରିବାର ପନ୍ଥା ଧରିଲେଣି। କୋଭାକ୍ସିନ୍‌ର ଭାଗ୍ୟ ଖରାପ ଯେ ଆରମ୍ଭରୁ ହରିୟାଣା ମନ୍ତ୍ରୀ ଅନିଲ ଭିଜ୍‌ଙ୍କ ଘଟଣାରେ ସେହି ଟିକାର ଅସଫଳତା ଧରାପଡ଼ିଗଲା। କିନ୍ତୁ ଫାଇଜର ଓ ଅନ୍ୟ ଟିକା କିଣିବା ପାଇଁ ରାଜ୍ୟ ସରକାରଗୁଡ଼ିକ ଧାଡ଼ିହୋଇ ଠିଆହେବା ସହିତ ନିଜର ଚାହିଦା ଅନୁଯାୟୀ ଆଗୁଆ ଅର୍ଥ ପଇଠ କରିବେ। ଉଦାହରଣ ସ୍ବରୂପ ଓଡ଼ିଶାର ଜନସଂଖ୍ୟା ସାଢ଼େ ୪ କୋଟି। ହୁଏତ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଦୁଇ କୋଟି ଲୋକଙ୍କ ପାଇଁ ଟିକା ମଗାଇ ପାରନ୍ତି। ଧରିନିଆଯାଉ ଟିକାର ପ୍ରତି ଡୋଜ୍‌ ପାଇଁ ୨ ହଜାର ଟଙ୍କା ଖର୍ଚ୍ଚ ହେବ। ତା’ହେଲେ ଆକଳନ କରାଯାଉ ୨ କୋଟି ଡୋଜ୍‌ ପାଇଁ କେତେ ଖର୍ଚ୍ଚ ହେବ। ସେହିଭଳି ସବୁ ରାଜ୍ୟ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ଚେଷ୍ଟା କରିବେ। ଏହାଦ୍ୱାରା ହାତଗଣତି ଔଷଧ କମ୍ପାନୀ ପାଉଥିବା ଟଙ୍କା ରଖିବା ପାଇଁ ଜାଗା ପାଇବେ ନାହିଁ। ଯଦି ହରିୟାଣା ମନ୍ତ୍ରୀଙ୍କ ଉଦାହରଣ ନିଆଯାଏ, ତେବେ ପ୍ରବଳ ମାତ୍ରାରେ ଅର୍ଥ ଖର୍ଚ୍ଚ କରାଯିବା ସତ୍ତ୍ୱେ ଲୋକଙ୍କୁ ସୁରକ୍ଷା ମିଳିବ ନାହିଁ। ଏହାଦ୍ୱାରା ଆକାଶଛୁଆଁ ଦୁର୍ନୀତି ନିଶ୍ଚିତ ହେବ, ଯାହାକୁ ପରବର୍ତ୍ତୀ ସମୟରେ ସମାଲୋଚନା କଲେ ମଧ୍ୟ ଜନସାଧାରଣ ସ୍ବୀକାର କରିବେ ନାହିଁ। ଅର୍ଥାତ୍‌ ଲୋକେ ମରନ୍ତୁ ବା ବଞ୍ଚନ୍ତୁ, ଭାରତର ସବୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ରାଜକୋଷକୁ ଚାଞ୍ଛି ନେବେ। ଏହି ଚାଞ୍ଛିବା ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri