କାହିଁକି ହାରୁଛି ସୁପରପାୱାର

ଲଳିତେନ୍ଦୁ ପଲାଉରୀ

ଆମେରିକା ବିଶ୍ବର ସର୍ବ ଶକ୍ତିମାନ ସୁପରପାୱାର । ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନ ଉପରେ ପରମାଣୁ ବୋମା ନିକ୍ଷେପ କରିଥିବା ଦେଶ ଆମେରିକା। ବିନା ନିୟନ୍ତ୍ରଣରେ ବିଭିନ୍ନ ଦେଶର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ଖେଳାଇବାରେ ଅଭ୍ୟାସ ରଖୁଥିବା ଦେଶ ମଧ୍ୟ ଆମେରିକା। ବିଶ୍ବ ଅର୍ଥନୀତିକୁ ଡଲାର ନିୟନ୍ତ୍ରିତ ଅର୍ଥନୀତିରେ ପରିଣତ କରିଥିବା ଦେଶ ମଧ୍ୟ ଆମେରିକା। ତେବେ ବିଶ୍ବରେ ଏତେ ସବୁ କ୍ଷମତା ଓ ଦକ୍ଷତା ରଖୁଥିବା ଆମେରିକା ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ପରେ ଆଉ କୌଣସି ଯୁଦ୍ଧ ଜିତିପାରୁନି କାହିଁକି ? ବିଶ୍ବରୁ ଆତଙ୍କବାଦ ବିଲୋପ ନାଁରେ ଆମେରିକା ନେଇଥିବା ବିଭିନ୍ନ ମିଶନ ମଧ୍ୟ ଫେଲ୍‌ ମାରୁଛି। ଏକଚ୍ଛତ୍ରବାଦ ଶାସନର ମୂଳୋତ୍ପାଟନ ପାଇଁ ଇରାକ, ଇଜିପ୍ଟ, ଆଫଗାନିସ୍ତାନ ଭଳି ଦେଶ ଉପରେ ଆକ୍ରମଣ କରି ବିଫଳ ହୋଇଛି ଆମେରିକା; ଯାହାର ଏକ ସଦ୍ୟ ଉଦାହରଣ ଦୀର୍ଘ ୨୦ବର୍ଷ କାଳ ଆଫଗାନିସ୍ତାନକୁ ନିୟନ୍ତ୍ରଣରେ ରଖିଥିବା ଆମେରିକାର ମିଶନ ଫେଲ୍‌ ମାରିଛି। ପୁଣି ସେହି ବର୍ବର ତାଲିବାନୀଙ୍କ ହାତକୁ ଚାଲିଯାଇଛି ଆଫଗାନିସ୍ତାନର ଭାଗ୍ୟ। ଏପରି କି ଶୀତଳ ଯୁଦ୍ଧ ବେଳେ ସୋଭିଏତ୍‌ ରୁଷ୍‌ର ଆଧିପତ୍ୟ ହ୍ରାସ ପାଇଁ ପ୍ରୟାସ ହେଉ କିମ୍ବା ୧୯୯୧ରେ ଚକ୍ରାନ୍ତ କରି ସୋଭିଏତ୍‌ ସଂଘକୁ ଖଣ୍ଡ ଖଣ୍ଡ କରିବା ପଛରେ ଆମେରିକାର ଚକ୍ରାନ୍ତ ଥିବା ବିଶ୍ବବାସୀ ଜାଣିଛନ୍ତି। ତେବେ ଏସବୁ ଭିତରେ ମନକୁ ପ୍ରଶ୍ନ ଆସୁଛି ନିରୀହ ଆଫ୍‌ଗାନବାସୀଙ୍କୁ ନ୍ୟାୟ ଦେବା ନାଁରେ ଦୀର୍ଘ ୨୦ ବର୍ଷ ଧରି ସେଠାରେ ଆମେରିକା କରୁଥିଲା କ’ଣ? ଆଫଗାନିସ୍ତାନକୁ ଆତଙ୍କୀ ନିପାତର ଗବେଷଣା କେନ୍ଦ୍ର କରିଥିବା ଆମେରିକା ଶେଷରେ ନିଜ ରଣନୀତିରେ ବିଫଳ ହୋଇ ସେହି ଆତଙ୍କବାଦୀ ତାଲିବାନୀଙ୍କ ସହ ବୁଝାମଣା କଲା କାହିଁକି?
କେହି କେହି ଆମେରିକାର ଏହି ବିଫଳ ଆଫଗାନ ନୀତିକୁ ୧୯୫୫ରୁ ୧୯୭୫ ପର୍ଯ୍ୟନ୍ତ ଆମେରିକା ସାହାଯ୍ୟରେ ଲଢ଼ାଯାଇଥିବା ନର୍ଥ ଭିଏତ୍‌ନାମ ଓ ସାଉଥ୍‌ ଭିଏତ୍‌ନାମ ଯୁଦ୍ଧର ବିଫଳତା ସହ ତୁଳନା କରୁଛନ୍ତି। ୧୯୬୦ ଦଶକରେ ସୋଭିଏତ୍‌ ସଂଘ ଓ ଚାଇନା ସମର୍ଥିତ ନର୍ଥ ଭିଏତ୍‌ନାମର କମ୍ୟୁନିଷ୍ଟି ଶାସନକୁ ମାତ୍‌ ଦେବାକୁ ସାଉଥ୍‌ ଭିଏତ୍‌ନାମ ସହ ମିଶି ଯୁଦ୍ଧ ଲଢ଼ି ଥିଲା ଆମେରିକା। ଶେଷରେ ଗେରିଲା ଯୁଦ୍ଧରେ ପାରଙ୍ଗମ ନର୍ଥ ଭିଏତ୍‌ନାମୀ ସୈନିକ ବହୁ ସଂଖ୍ୟାରେ ଆମେରିକୀୟ ସୈନ୍ୟଙ୍କୁ ହତ୍ୟା କରିଥିଲେ। ଆମେରିକା ବାଧ୍ୟ ହୋଇ ଭିଏତ୍‌ନାମ ଯୁଦ୍ଧରୁ ଓହରି ଯାଇଥିଲା; ଯାହା କି ବର୍ତ୍ତମାନର ଆଫଗାନିସ୍ତାନ ପରିସ୍ଥିତି ସହ ମଧ୍ୟ କିଛିଟା ସାମଞ୍ଜସ୍ୟ ରଖୁଛି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆମେରିକାର ଲକ୍ଷ୍ୟ ଥିଲା ଦକ୍ଷିଣ ପୂର୍ବ ଏସିଆରେ କମ୍ୟୁନିଷ୍ଟ ଶାସନ ଉପରେ ରୋକ୍‌ ଲଗାଇବା। ତେଣୁ ଆମେରିକା ସାଉଥ୍‌ ଭିଏତ୍‌ନାମକୁ ସମର୍ଥନ ଜଣାଇ ନର୍ଥ ଭିଏତ୍‌ନାମ ବା କମ୍ୟୁନିଷ୍ଟ ଶାସିତ ନର୍ଥ ଭିଏତ୍‌ନାମ ଉପରେ ଆକ୍ରମଣ ପାଇଁ ବିଭିନ୍ନ ଷଡ଼ଯନ୍ତ୍ର ମାନ ରଚିଥିଲା। ଶେଷରେ ୧୯୭୩ରେ ଆମେରିକା ରାଷ୍ଟ୍ରପତି ପ୍ୟାରିସ ଆକର୍ଡରେ ହସ୍ତାକ୍ଷର କରିବାକୁ ବାଧ୍ୟ ହୋଇଥିଲେ। ୧୯୬୮ରେ ଆମେରିକାର ରାଷ୍ଟ୍ରପତି ରିଚାର୍ଡ ନିକ୍‌ସନ ତାଙ୍କର ନିର୍ବାଚନୀ ପ୍ରଚାରରେ ଭିଏତ୍‌ନାମ ଯୁଦ୍ଧକୁ ଆମେରିକାର ଭୁଲ୍‌ ରଣନୀତି ବୋଲି ଦର୍ଶାଇଥିଲେ। ଶେଷରେ ନିକ୍ସନ ଆମେରିକା ନିର୍ବାଚନ ବିଜୟ ହେଲେ ଓ ଆମେରିକା ଭିଏତ୍‌ନାମରୁ ସୈନ୍ୟ ଅପସାରଣ କଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଭିଏତ୍‌ନାମ ଯୁଦ୍ଧରେ ଆମେରିକାର ପ୍ରଥମ ପରାଜୟ ବୋଲି ମଧ୍ୟ ଏହାକୁ ବିବେଚନା କରାଗଲା।
ବିଂଶ ଶତାବ୍ଦୀର ଶେଷ ଭାଗରେ କୁଏତ୍‌କୁ ଇରାକ୍‌ କବଳରୁ ମୁକ୍ତ କରିବାକୁ ଗଲ୍ଫ ୱାର ଲଢ଼ିଲା ଆମେରିକା। ଏହି ଯୁଦ୍ଧର ମୂଳ ଉଦ୍ଦେଶ୍ୟ ଥିଲା ଇରାକ୍‌କୁ ପରାଜିତ କରି ଗଲ୍ଫ ଅଫ ଆଡେନ୍‌ ଅଞ୍ଚଳର ପ୍ରଚୁର ତୈଳ ଭଣ୍ଡାରକୁ କରାୟତ୍ତ କରିବା। ଗଲ୍ପ ୱାର ପରେ ପରେ ୨୦୦୧ ସେପ୍ଟେମ୍ବର ୧୧ ନ୍ୟୁୟର୍କର ବିଶ୍ବ ବାଣିଜ୍ୟ କେନ୍ଦ୍ର ଓ ପେଣ୍ଟାଗନ ଉପରେ ଅଲକାଏଦା ଆତଙ୍କବାଦୀ ସଂଗଠନ ଆକ୍ରମଣ କଲା; ଯାହା କି ଆମେରିକାର ଆତ୍ମବଡ଼ିମାଙ୍କୁ ଭାଙ୍ଗି ଚୂରମାର କରିଦେଲା। ଏହି ଆକ୍ରମଣକୁ ଆମେରିକା ଉପରେ ପ୍ରତିଶୋଧାତ୍ମକ ଆକ୍ରମଣ ବୋଲି ଆତଙ୍କୀ ସଂଗଠନ ସେମାନଙ୍କ ବିବୃତିରେ କହିଥିଲେ। ଶେଷରେ ଅଲକାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ଙ୍କୁ ପାକିସ୍ତାନ ସୀମାରୁ ଧରି ଆମେରିକା ହତ୍ୟା କରିଥିଲା। କିନ୍ତୁ ବିଶ୍ବରେ ଆତଙ୍କୀ ନିପାତ ଅଭିଯାନ ଶେଷ ହେବା ବଦଳରେ ଏହା ଆରବ ରାଷ୍ଟ୍ର ସମୂହ, ପାକିସ୍ତାନ, ଆଫଗାନିସ୍ତାନ ଓ ଭାରତ ପର୍ଯ୍ୟନ୍ତ ଶାଖାପ୍ରଶାଖା ମେଲାଇ ସାରିଥିଲା।
ଇରାକ୍‌ର ଅଥରିଟେରିଆନ ଶାସକ ସଦ୍ଦାମ ହୁସେନଙ୍କୁ ଶାସନରୁ ହଟାଇବାକୁ ୨୦୦୩ରେ ଆମେରିକା ଲଢ଼ିଲା ଇରାକ୍‌ ବିରୋଧରେ ଯୁଦ୍ଧ। ଇରାକ୍‌ ଗୁପ୍ତ ଭାବେ ତିଆରି କରୁଥିବା ମାନବ ବିଧ୍ବଂସୀ ଅସ୍ତ୍ରକୁ ନଷ୍ଟ କରିବା ଆମେରିକାର ମୂଳଲକ୍ଷ୍ୟ ଥିଲା। ଆମେରିକା ନିକଟରେ ଆତ୍ମସମର୍ପଣ ନ କରି ବଙ୍କର ଭିତରେ ଆତ୍ମଗୋପନ କରିଥିବା ଏକଚ୍ଛତ୍ରବାଦୀ ସଦ୍ଦାମ ହୁସେନଙ୍କୁ ବଙ୍କର ଭିତରୁ ଟାଣିଆଣି ଫାଶୀ ଖୁଣ୍ଟରେ ଝୁଲାଇଥିଲା ଆମେରିକା। ତେବେ ଇରାକ୍‌ ଯୁଦ୍ଧକୁ କେହି କେହି ସୁପରପାୱାର ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍‌ଙ୍କ ନିର୍ବାଚନ ବିଜୟ ପାଇଁ ଚାଲ୍‌ ବା ଆତ୍ମବଡ଼ିମାର ଯୁଦ୍ଧ ବୋଲି ସମାଲୋଚନା କଲେ। ତେଣୁ ଭିଏତ୍‌ନାମ ଯୁଦ୍ଧଠାରୁ ଆରମ୍ଭ କରି ଇରାକ୍‌ ଯୁଦ୍ଧ ଓ ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନରେ ଆତଙ୍କୀ ସଫା ନାଁରେ ଆମେରିକାର ଏହି ଲମ୍ବା ଲଢ଼େଇରେ ଆମେରିକାବାସୀଙ୍କ କ’ଣ ସ୍ବାର୍ଥ ନିହିତ ଥିଲା ବୋଲି ବାରମ୍ବାର ପ୍ରଶ୍ନ ଉଠୁଛି। ଏପରି କି ଆମେରିକା ଅର୍ଥନୀତିର ସିଂହ ଭାଗ ଅର୍ଥ ଓ ଋଣ କରି ଆମେରିକା ଅନ୍ୟ ଦେଶରେ ଯୁଦ୍ଧ ଲଢ଼ିବାରେ ଖର୍ଚ୍ଚ କରିଛି। ସବୁଠି ଅସଫଳ ହୋଇଛି ଆମେରିକା।
୧୯୯୬ରୁ ୨୦୦୧ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନୀମାନେ ଯେଉଁ ବର୍ବର ଶାସନ କରିଥିଲେ ତାହା ପୁଣି ସେଠାରେ କଡ଼ ଲେଉଟାଇବା ଆରମ୍ଭ କଲାଣି। ତେଣୁ ତାଲିବାନୀଙ୍କୁ ଆଫଗାନିସ୍ତାନ ଉପହାର ଦେଇ ଆମେରିକା ଚୁପ ବସିଯିବା ଆମେରିକାର ଆଉ ଏକ ବିଫଳ ରଣନୀତି ନିଶ୍ଚୟ। କାରଣ ଆଫଗାନିସ୍ତାନର ବାସ୍ତବ ସମସ୍ୟା ବୁଝିବାରେ ଆମେରିକା ବିଫଳ ହୋଇଛି। ୨୦୧୨ରେ ଅଲକାଏଦା ମୁଖ୍ୟ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ଙ୍କୁ ହତ୍ୟା କଲା ପରେ ଆମେରିକା ଆଫଗାନିସ୍ତାନରେ କାହିଁକି ୨୦୨୧ ପର୍ଯ୍ୟନ୍ତ ରହିଥିଲା ତାହା ଏବେ ବଡ଼ ପ୍ରଶ୍ନ। ଏତେଦିନ ଆମେରିକା ଆଫଗାନିସ୍ତାନରେ ରହି ଆଫଗାନବାସୀଙ୍କ ପାଇଁ ଜଣେ ବଳିଷ୍ଠ ନେତା ସୃଷ୍ଟି କରିପାରିଲାନି । ଏପରି କି ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ ଚାଇନାର ଉହାନ ବୋଲି ଅନେକ ବିଶେଷଜ୍ଞ କହିବା ପରେ ମଧ୍ୟ ଆମେରିକା ଚାଇନା ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇପାରୁନି। ବିଶ୍ବରେ ସୁପର ପାୱାର ବୋଲି ଡିଣ୍ଡିମ ପିଟୁଥିବା ଆମେରିକା ଆତଙ୍କବାଦ ବିଲୋପ ନାଁରେ ଅନ୍ୟଦେଶରେ ଯୁଦ୍ଧ ଲଢ଼ିବା ହେଉ କିମ୍ବା ଗଣତନ୍ତ୍ର ଓ ଲୋକତନ୍ତ୍ର ସ୍ଥାପନ ନାଁରେ ଛୋଟଛୋଟ ଦେଶକୁ ବରବାଦ କରିବା ତା’ର ଗୋଟିଏ ଗୋଟିଏ ଭୁଲ୍‌ ରଣନୀତି ନିଶ୍ଚୟ।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ, ମୋ.-୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri