କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ମୁତାବକ ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ଦଶ ଲକ୍ଷ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି। ଅର୍ଥାତ୍‌ ପ୍ରତି ଦିନ ୩୦୦୦ ଲୋକ ଆତ୍ମହତ୍ୟା କାରଣରୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଯେତେ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି, ତାହାର କୋଡ଼ିଏ ଗୁଣ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଅର୍ଥାତ୍‌ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଥିଲା ବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛି। ଭାରତ ବର୍ଷରେ ଆତ୍ମହତ୍ୟା ଏକ ଗମ୍ଭୀର ସାମାଜିକ ଓ ସ୍ବାସ୍ଥ୍ୟଗତ ସମସ୍ୟା ରୂପରେ ପରିଗଣିତ ହୋଇଛି।
ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ସଦ୍ୟତମ (୨୦୨୨) ରିପୋର୍ଟ ଅନୁସାରେ ଗତ ବର୍ଷ ପାଖାପାଖି ଏକ ଲକ୍ଷ ଏକସ୍ତରି ହଜାର ଲୋକ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି। ଓଡିଶାରେ ୨୦୨୨ ମସିହାରେ ମୋଟ ୬୧୪୦ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି। ଆମ ରାଜ୍ୟର ଆତ୍ମହତ୍ୟା ହାର (୧୩.୩) ଜାତୀୟ ହାର (୧୨.୪) ଠାରୁ ଅଧିକ। ପୂର୍ବ ବର୍ଷ ତୁଳନାରେ ୨୦୨୨ ମସିହାରେ ଆମ ରାଜ୍ୟରେ ଆତ୍ମହତ୍ୟା ସଂଖ୍ୟା ୮.୭% ବୃଦ୍ଧି ପାଇଛି।
ଏନ୍‌ସିଆର୍‌ବିର ଏହି ରିପୋର୍ଟ ଅନୁସାରେ ଭାରତରେ ଆତ୍ମହତ୍ୟାର ପ୍ରମୁଖ କାରଣ ଗୁଡ଼ିକ ହେଲା ପାରିବାରିକ କଳହ (୩୧.୭%), ବିଭିନ୍ନ ରୋଗ (ମାନସିକ ରୋଗ, ବିଭିନ୍ନ ଦୁରାରୋଗ୍ୟ) (୧୮.୪%), ବିଭିନ୍ନ ନିଶାଦ୍ରବ୍ୟ ସେବନ(୬.୮%), ବୈବାହିକ ସମ୍ପର୍କରେ ତିକ୍ତତା (୪.୮%), ପ୍ରେମ ସମ୍ପର୍କରେ ବିଫଳତା(୪.୫%), ଆର୍ଥିକ ସଙ୍କଟ(୪.୧%), ବେରୋଜଗାରି(୧.୯%), ପରୀକ୍ଷାରେ ଖରାପ ପ୍ରଦର୍ଶନ, ଚାକିରିଜନିତ ସମସ୍ୟା ଓ ଆତ୍ମୀୟ ଲୋକର ହଠାତ ମୃତ୍ୟୁ ଆଦି।
ଏନ୍‌ସିଆର୍‌ବିର ରିପୋର୍ଟ ଅନୁସାରେ ୨୦୨୨ ମସିହାରେ ୧୩,୦୪୪ ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ଏହି ସଂଖ୍ୟା ଗତ କିଛିବର୍ଷ ହେବ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ଆତ୍ମହତ୍ୟାର ହାର ଗତ ୩ ବର୍ଷ ଭିତରେ ଦୁଇ ପ୍ରତିଶତ ବଢିଥିବା ବେଳେ ଛାତ୍ର ଆତ୍ମହତ୍ୟାର ହାର ଚାରି ପ୍ରତିଶତ ବଢିଛି। ପରସ୍ପର ମଧ୍ୟରେ ଅତ୍ୟଧିକ ପ୍ରତିଦ୍ୱନ୍ଦିତାମୂଳକ ମନୋଭାବ ନେଇ ପାଠ ପଢିବା, ପରୀକ୍ଷାରେ ଅଧିକ ମାର୍କ ରଖିବା, ର଼୍ୟାଙ୍କ ରଖିବାର ଚେଷ୍ଟା ମଧ୍ୟରେ ପିଲାମାନେ ମାନସିକ ଚାପଗ୍ରସ୍ତ ହେଉଛନ୍ତି। ପୂର୍ବ ଅପେକ୍ଷା ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ବର୍ତ୍ତମାନ ସଫଳତା ହାସଲ କରିବା ପିଲାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହେଉଛି। ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ବହୁ ପରିମାଣରେ ବୃଦ୍ଧି ପାଇଛି। ଅନେକ ସମୟରେ ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଅଭିଭାବକ ମାନଙ୍କର ଅତ୍ୟଧିକ ଚାପ ଯୋଗୁ ପିଲାମାନେ ମାନସିକ ଦୁଶ୍ଚିନ୍ତାର ସମ୍ମୁଖୀନ ହେଉଛନ୍ତି। ସେଥି ମଧ୍ୟରୁ କିଛି ଛାତ୍ରୀଛାତ୍ର ନିଜ ମନର ଭାବନା ଓ ଆବେଗକୁ ଠିକ୍‌ ଭାବରେ ନିୟନ୍ତ୍ରଣ କରିପାରୁ ନାହାନ୍ତି, ଯାହା ଫଳରେ ସେମାନେ ଆତ୍ମହତ୍ୟା କରୁଛନ୍ତି।
ତେବେ ପ୍ରଶ୍ନ ଉଠୁଛି ଆତ୍ମହତ୍ୟାର ସଂଖ୍ୟା ଆମ ସମାଜରେ କାହିଁକି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାର ଅନେକ କାରଣ ଅଛି। ଏଥି ମଧ୍ୟରୁ ପ୍ରଥମ କାରଣ ହେଲା ଆମର ସାମାଜିକ ସ୍ଥିତିରେ ପରିବର୍ତ୍ତନ। ଗତ କିଛିବର୍ଷ ହେଲା ସମାଜରେ ଆମର ବଞ୍ଚିବାର ଶୈଳୀରେ ପରିବର୍ତ୍ତନ ଆସିଛି। ସହର ହେଉ ବା ଗାଁ ହେଉ ସବୁଠାରେ ପାରମ୍ପରିକ ଜୀବନଶୈଳୀ ଠାରୁ ଲୋକେ ଦୂରେଇ ଯାଇ ଆଧୁନିକ ଜୀବନଶୈଳୀକୁ ଆପଣାଇ ସାରିଲେଣି। ଆଧୁନିକ ଭାରତୀୟ ସମାଜରେ ଯୌଥ ପରିବାରର ପରମ୍ପରା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଲାଣି। ପରିବାରର ସଦସ୍ୟମାନେ ପରସ୍ପରର ନିକଟତର ହୋଇପାରୁ ନାହାନ୍ତି। ନିଜ ମନର ଭାବର ଆଦାନ ପ୍ରଦାନ କରିପାରୁ ନାହାନ୍ତି। ଆଗରୁ ଯେତେବେଳେ ଜୀବନରେ କୌଣସି ସମସ୍ୟା ଆସୁଥିଲା, ସେତେବେଳେ ଆମ ପରିବାରର ଲୋକମାନେ ଏ ସବୁ ସମସ୍ୟାର ସମାଧାନରେ ଅନେକ ସାହାଯ୍ୟ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ସହଯୋଗ ମିଳି ପାରୁନି, ଯାହାଫଳରେ ଜୀବନରେ କୌଣସି ସମସ୍ୟା ଦେଖାଦେଲେ ବ୍ୟକ୍ତି ଯଦି ତାହାର ଏକୁଟିଆ ସମାଧାନ କରି ପାରୁନାହିଁ, ତେବେ ସେ ମାନସିକ ରୂପରେ ଚାପଗ୍ରସ୍ତ ହୋଇଯାଉଛି। ଯେଉଁମାନେ ଏହି ମାନସିକ ଚାପର ଠିକ ମୁକାବିଲା କରି ପାରୁନାହାନ୍ତି, ସେମାନେ ଆତ୍ମହତ୍ୟାର ଉଦ୍ୟମ କରୁଛନ୍ତି। ଲୋକମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସହନଶୀଳତା ଓ ଧୈର୍ଯ୍ୟ ଧରିବାର କ୍ଷମତା କମି ଆସିଲାଣି। ଯାହାଫଳରେ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଅତି ଛୋଟ ଛୋଟ କଥାରେ ତିକ୍ତତା ଓ ପାରିବାରିକ କଳହ ସୃଷ୍ଟି ହେଉଛି, ଯାହା କି ଆତ୍ମହତ୍ୟାର ଅନ୍ୟ ଏକ ପ୍ରମୁଖ କାରଣ।
ଆତ୍ମହତ୍ୟାକୁ ରୋକିବାକୁ ହେଲେ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ପ୍ରତ୍ୟେକ ବ୍ୟକ୍ତି ନିଜ ମଧ୍ୟରେ ଆତ୍ମବିଶ୍ୱାସ ଓ ଆତ୍ମସଞ୍ଜମତ୍ତା ବଢ଼ାଇବା ଉଚିତ। ଏହା ଛଡ଼ା ସକାରାତ୍ମକ ମନୋଭାବ ନେଇ ସମସ୍ତ କାମ କରିବା ଦରକାର। ଜୀବନରେ ଦେଖା ଦେଉଥିବା ଅସୁବିଧା ଗୁଡ଼ିକୁ ସମାଧାନ କରିବାର କୌଶଳ ଶିଖନ୍ତୁ। ସମାଜରେ ଅନ୍ୟମାନଙ୍କ ସହିତ ଖାପ ଖୁଆଇ ଚଳିବା ଶିଖନ୍ତୁ। ସହନଶୀଳତା ଓ ଧୈର୍ଯ୍ୟ ଧରି ସବୁ କାମ କରିବାର କୌଶଳ ବୃଦ୍ଧି କରନ୍ତୁ।
ଯଦି ନିଜ ପରିବାର କିମ୍ବା ନିଜର କୌଣସି ନିକଟତର ବ୍ୟକ୍ତିଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଦେଖା ଯାଉ ଥାଏ, ତେବେ ତାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ବ୍ୟକ୍ତିକୁ ସାହାଯ୍ୟ ଓ ସହଯୋଗ କରିବାର ଗୁରୁ ଦାୟିତ୍ୱ ପରିବାର ଉପରେ ନ୍ୟସ୍ତ ଥାଏ। ତାଙ୍କୁ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଅନ୍ତୁ। ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ, ତାଙ୍କ ମନର ଭାବନା ଓ ସମସ୍ୟା ସମ୍ବନ୍ଧରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ତାଙ୍କୁ ସକାରାତ୍ମକ କାମ କରିବା ପାଇଁ ଉତ୍ସାହିତ କରନ୍ତୁ। ତାଙ୍କ ବ୍ୟବହାର ଉପରେ ନଜର ରଖନ୍ତୁ। ତାଙ୍କୁ ଗୋଟିଏ ବି ମୁହୂର୍ତ୍ତ ପାଇଁ ଏକୁଟିଆ ଛାଡ଼ନ୍ତୁ ନାହିଁ।
ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦେଶରେ ଆତ୍ମହତ୍ୟାର ହାର କମ୍‌ କରିବା ପାଇଁ ୨୦୨୨ରେ ଜାତୀୟ ଆତ୍ମହତ୍ୟା ନିରୋଧକ ରଣକୌଶଳ (ନ୍ୟାଶନାଲ ସୁଇସାଇଡ ପ୍ରିଭେନ୍‌ସନ ଷ୍ଟ୍ରାଟେଜି) ଗଠନ କରାଯାଇଛି। ଏହାର ଲକ୍ଷ୍ୟ ରହିଛି ୨୦୩୦ ସୁଦ୍ଧା ଦେଶରେ ଆତ୍ମହତ୍ୟାଜନିତ ମୃତ୍ୟୁକୁ ୧୦ ପ୍ରତିଶତ କମ୍‌ କରିବା। ଏଥିନିମନ୍ତେ ଭାରତର ସବୁ ଜିଲାରେ ଜିଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଆତ୍ମହତ୍ୟା ନିରୋଧକ ସେବାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସେବାର ଲକ୍ଷ୍ୟ ରହିଛି ଲୋକମାନଙ୍କ ମଧ୍ୟରେ ଆତ୍ମହତ୍ୟା ସମ୍ବନ୍ଧରେ ସଚେତନତା ବଢ଼ାଇବା, ମାନସିକ ଚାପର ମୁକାବିଲା କରିବା ପାଇଁ ଉପଯୁକ୍ତ ତାଲିମ ଦେବା। ଏଥିସହିତ ଯୁବତୀ ଯୁବକ, ମହିଳା ଓ କୃଷକମାନେ ଜୀବନର ବିଭିନ୍ନ କଠିନ ପରିସ୍ଥିତିରେ କିଭଳି ଖାପ ଖୁଆଇ ଚଳିପାରିବେ ସେ ସମ୍ବନ୍ଧରେ ସେମାନଙ୍କୁ ତାଲିମ ଦେବା।
ଜନସଚେତନତା ଓ ଜନ ଜାଗରଣ ସୃଷ୍ଟି କରିବା ଜରୁରୀ। ଏହାହେଲେ ଆତ୍ମହତ୍ୟାକୁ ପ୍ରତିରୋଧ କରିବା ସମ୍ଭବ ହୋଇପାରିବ। ଏହାଛଡ଼ା ସ୍ବାସ୍ଥ୍ୟସେବା, ସମାଜସେବା, ଗଣମାଧ୍ୟମର ବିଭିନ୍ନ ସଂସ୍ଥାମାନେ ଆତ୍ମହତ୍ୟା ସମ୍ବନ୍ଧରେ ଜନସାଧାରଣଙ୍କୁ ଠିକ ସୂଚନା ଦେବା ଜରୁରୀ। ଏହା ଦ୍ୱାରା ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟାକୁ ଅନେକାଂଶରେ ହ୍ରାସ କରାଯାଇପାରିବ।

ଡ. ସତ୍ୟକାମ ମହାପାତ୍ର
ମାନସିକ ରୋଗ ବିଶେଷଜ୍ଞ,
କଟକ, ମୋ:୮୪୫୬୯୧୫୫୦୬

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?