ଯୋଜନାର ଅପହରଣ

ଥରେ ଜଣେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏକ ଆଦିବାସୀ ଅଧ୍ୟୁଷିତ ଅଗମ୍ୟ ଇଲାକାକୁ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀମାନଙ୍କ ଆବେଦନ ଯାଞ୍ଚ କରିବାକୁ ପାଦରେ ଚାଲି ଚାଲି ପହଞ୍ଚିଗଲେ। ଉଦ୍ଦେଶ୍ୟ ଥାଏ, ଯଦି କିଏ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଥାନ୍ତି ତାଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଇବା ତଥା ଅଯୋଗ୍ୟଙ୍କୁ ବାଦ୍‌ଦେବା। ଯାଞ୍ଚ ଚାଲିଥିବା ବେଳେ ଜଣେ ଅଶୀତିତମ ବୃଦ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ଆଶାବାଡ଼ି ସାହାରାରେ ହାକିମଙ୍କ ଇଜଲାସରେ ନାମ ପଞ୍ଜୀକରଣ ସକାଶେ ଦରଖାସ୍ତଟିଏ ଧରି ଧାଡ଼ିରେ ହାଜର ହେଲେ। ହାକିମଙ୍କ ନଜର ପଡ଼ନ୍ତେ ପିଆଦାଙ୍କ ଦ୍ୱାରା ଡକାଇ ଆଣିଲେ ତାଙ୍କ କାମଟି ଆଗ ସାରିଦେବା ପାଇଁ। ଏହି ସମୟରେ ହଠାତ୍‌ ଜଣେ ବଳିଷ୍ଠ ଯୁବକ ବୃଦ୍ଧଙ୍କୁ ସେଠାରୁ ଏକରକମ ଟେକି ଟେକି ନେଇଗଲେ। କିଛି ସମୟ ଉତ୍ତାରୁ ସେ ଉକ୍ତ ଦରଖାସ୍ତଟିକୁ ଫେରାଇବା ପାଇଁ ଆସନ୍ତେ ହାକିମ ଅବାକ୍‌ ହୋଇ କାରଣ କ’ଣ ପଚାରିଲେ। ଯୁବକ ଉତ୍ତରଦେଲେ, ”ହଜୁର, ମୋ ବାପାକୁ କ’ଣ ରୋଜଗାରକରି ପୋଷିବାକୁ ମୁଁ ଅକ୍ଷମ ଯେ ସରକାର ପୋଷିବ? ମୋତେ ଜାତି ଭାଇ ନିକ୍କମା ଅକ୍କମା କହି ଟାପରା କରିବେନାଇଁ?“ ସେଦିନର ଏ ଘଟଣାଟି ଅତି ସାଧାରଣ ଜଣାପଡୁଥିଲେ ବି ଏହା ପଛରେ ଯେଉଁ ଅସାଧାରଣ କର୍ତ୍ତବ୍ୟବୋଧ ଛପିରହିଛି ,ତାହା ପୁଣି ଜଣେ ଗାଉଁଲି ଅଶିକ୍ଷିତ ଯୁବକ ମନରେ, ତାହା ଆଜିର ଅତି ଶିକ୍ଷିତ ସଭ୍ୟ ସମାଜରେ କାହିଁ? ଆଜି ଆମେ କେମିତି କଳେ ବଳେ କୌଶଳେ ବିଭିନ୍ନ ମାଗଣା ସରକାରୀ ଯୋଜନାରେ ନିଜକୁ ତଥା ନିଜ ପରିବାରକୁ ସାମିଲ କରିହେବ ସେଇ ଦୌଡ଼ରେ। ଚତୁର ମଣିଷଟି ନିଜର ବିବେକକୁ ଜଳାଞ୍ଜଳି ଦେଇ ବିଭିନ୍ନ ପ୍ରକାର ଅସାଧୁ ଉପାୟରେ ଗରିବଙ୍କ ସହାୟତାକୁ ଲୁଟିନେଉଛି। ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଦ୍ୟତମ ତଥ୍ୟ ଅନୁଯାୟୀ ଏକାଅଶୀ ହଜାର ଛଶହ ଚୌରାଅଶୀଟି ନିରୁତା ଅଣଧାନ ଜମିକୁ ଧାନଚାଷ କରିଥିବା ଦର୍ଶାଇ ଧାନବିକ୍ରି କରିବା ପାଇଁ ରବିଋତୁରେ ସରକାରଙ୍କ ପାଖରେ ପଞ୍ଜୀକରଣ କରାଯାଇଛି। ଆଉ ଯେତେବେଳେ ଉପଗ୍ରହ ସର୍ବେକ୍ଷଣ ମାଧ୍ୟମରେ ଚଞ୍ଚକତା ଧରାପଡ଼ିଯାଇଛି ସେତେବେଳେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଯାଇ ବିଭିନ୍ନ ବାହାନାର ଆଶ୍ରୟ ନେବା ଛଡ଼ା ଅନ୍ୟ ଗତି ବା କ’ଣ? ଥରେ ଭାବି ଦେଖନ୍ତୁ, ଅଜ୍ଞତାବଶତଃ କେହି କ’ଣ ଏପରି ଭୁଲ୍‌ କରିଥାଇପାରେ? ଯଦି ଧରା ନ ପଡ଼ିଥାନ୍ତେ ତା’ହେଲେ ଧାନ କୋଉଠୁ ଆଣିଥାନ୍ତେ ସେ କଥା ତାଙ୍କୁ ଜଣା। ଏ ତ ଭାତହାଣ୍ଡିରୁ ଗୋଟିଏ।
କିଛିଦିନ ତଳେ ଡେଲାଙ୍ଗ ଷ୍ଟେଶନ ପାଖ ରେଳଧାରଣା କଡ଼ରୁ ଗଦା ଗଦା ଖାଉଟି ପ୍ରମାଣପତ୍ର ଉଦ୍ଧାର କରାଯାଇଥିଲା। ତନଖି ପରେ ଏଗୁଡ଼ିକ ଭୂତକାର୍ଡ ବୋଲି ଜଣାପଡ଼ିଥିଲା। ଆଉ କେତେଜଣ ସହୃଦୟ ବ୍ୟକ୍ତି ମଧ୍ୟ ସଚ୍ଚୋଟପଣିଆ ଦେଖାଇବାକୁ ଯାଇ ହାତେଇଥିବା କାର୍ଡଗୁଡ଼ିକୁ ଭୟରେ ଫେରାଇଦେଇଥିଲେ। ସରକାରୀ ଚାକିରିରେ ଥିବା ଲୋକଟିଏ କିମ୍ବା ଲୋକ ପ୍ରତିନିଧିଟିଏ ନିଜ ନାମକୁ ଗରିବ ତାଲିକାରେ ଦରଜ କରାଇ ମାଗଣା ଆବାସ ଖଣ୍ଡିଏ ହାତେଇନେଇ ଭଡ଼ାରେ ଲଗାଇଦେଉଛି, ନ ହେଲେ ମାଗଣା ଚାଉଳକୁ ବଜାରରେ ବିକ୍ରିକରି ଦୁଇପଇସା ହାତଚିକ୍କଣ କରୁଛି। କୌତୂହଳର ବିଷୟ, ବାର୍ଦ୍ଧକ୍ୟଜନିତ ମୃତ୍ୟୁ ଲଭିଥିବା ବାପର ଶବକୁ ହରିଶ୍ଚନ୍ଦ୍ର ଯୋଜନାରେ ଦାହ ସଂସ୍କାର ସାରି ଆମେ ସ୍ଥାନୀୟ ସରପଞ୍ଚଙ୍କୁ ହାତଗୁଞ୍ଜା ଦେଉ ଏହାକୁ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ଦର୍ଶାଇଦେବା ପାଇଁ, ଯଦ୍ଦ୍ବାରା ଚଞ୍ଚକତାକରି ପୁଣି କିଛି ସହାୟତା ବ୍ଲକ୍‌ରୁ ହାତେଇହେବ! ହାତୀ ସୁରକ୍ଷା ବାଡ଼କୁ ଆମେ କାଟିଦେଉ କିମ୍ବା ଟ୍ରେଞ୍ଚକୁ ପୋତି ପକାଉ ଯଦ୍ଦ୍ବାରା କି ହାତୀ ଆସିଲେ କ୍ଷତିପୂରଣ ରାଶି ମିଳିବ। ନଦୀବନ୍ଧର ପଥର ପ୍ୟାକିଂକୁ ଖୋଳିଦେଲେ ଟ୍ରାକ୍ଟର ଅନାୟାସରେ ବାଲି ଚାଲାଣକରି ପଇସା ଦେବ ଆଉ ଏପଟେ ବନ୍ୟା ବେଳେ ଘଳିଆ ପଡ଼ି କିମ୍ବା ବନ୍ଧ ଭାଙ୍ଗି ଗାଆଁରେ ପାଣି ପଶିଲେ ବି କ୍ଷତିପୂରଣ ରାଶି ମିଳିବ। ଏହିପରି ସରକାରୀ ଯୋଜନାକୁ ଅପହରଣ କରିବା ପାଇଁ ଆମେ ବିଭିନ୍ନ କଳା କୌଶଳ ଆପଣେଇଥାଉ। ଆଗରୁ ଶୁଣୁଥିଲୁ ସରକାରୀ ବାବୁମାନେ ରାସ୍ତା ନ କରି, ପୋଖରୀ ନ ଖୋଳି କଣ୍ଟ୍ରାକ୍ଟରଙ୍କ ଜରିଆରେ ବିଲ୍‌ କରି ଅର୍ଥ ହଡ଼ପ କରିନେଉଥିଲେ। କିନ୍ତୁ ଏବେ ତ ଭୋଟଦାତାମାନେ ମଧ୍ୟ ଏ ବିଦ୍ୟାରେ ଧୁରନ୍ଧର। ଅତଏବ ନୂଆ ଯୋଜନାଟିଏ ପ୍ରଣୟନ ହେଲେ କେମିତି ତାକୁ ଅପହରଣ କରିହେବ ସେ ଜ୍ଞାନକୌଶଳ ମଧ୍ୟ ଆପେ ଆପେ ଆସିଯାଏ।

ଡ. ଚିନ୍ତାମଣି ପଣ୍ଡା
ପ୍ରାକ୍ତନ ଅଧ୍ୟକ୍ଷ, କୃଷି ମହାବିଦ୍ୟାଳୟ,ଭବାନୀପାଟଣା
ମୋ: ୮୧୪୪୦୬୬୦୧୬

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?