ଯୋଜନାର ଅପହରଣ

ଥରେ ଜଣେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏକ ଆଦିବାସୀ ଅଧ୍ୟୁଷିତ ଅଗମ୍ୟ ଇଲାକାକୁ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀମାନଙ୍କ ଆବେଦନ ଯାଞ୍ଚ କରିବାକୁ ପାଦରେ ଚାଲି ଚାଲି ପହଞ୍ଚିଗଲେ। ଉଦ୍ଦେଶ୍ୟ ଥାଏ, ଯଦି କିଏ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଥାନ୍ତି ତାଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଇବା ତଥା ଅଯୋଗ୍ୟଙ୍କୁ ବାଦ୍‌ଦେବା। ଯାଞ୍ଚ ଚାଲିଥିବା ବେଳେ ଜଣେ ଅଶୀତିତମ ବୃଦ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ଆଶାବାଡ଼ି ସାହାରାରେ ହାକିମଙ୍କ ଇଜଲାସରେ ନାମ ପଞ୍ଜୀକରଣ ସକାଶେ ଦରଖାସ୍ତଟିଏ ଧରି ଧାଡ଼ିରେ ହାଜର ହେଲେ। ହାକିମଙ୍କ ନଜର ପଡ଼ନ୍ତେ ପିଆଦାଙ୍କ ଦ୍ୱାରା ଡକାଇ ଆଣିଲେ ତାଙ୍କ କାମଟି ଆଗ ସାରିଦେବା ପାଇଁ। ଏହି ସମୟରେ ହଠାତ୍‌ ଜଣେ ବଳିଷ୍ଠ ଯୁବକ ବୃଦ୍ଧଙ୍କୁ ସେଠାରୁ ଏକରକମ ଟେକି ଟେକି ନେଇଗଲେ। କିଛି ସମୟ ଉତ୍ତାରୁ ସେ ଉକ୍ତ ଦରଖାସ୍ତଟିକୁ ଫେରାଇବା ପାଇଁ ଆସନ୍ତେ ହାକିମ ଅବାକ୍‌ ହୋଇ କାରଣ କ’ଣ ପଚାରିଲେ। ଯୁବକ ଉତ୍ତରଦେଲେ, ”ହଜୁର, ମୋ ବାପାକୁ କ’ଣ ରୋଜଗାରକରି ପୋଷିବାକୁ ମୁଁ ଅକ୍ଷମ ଯେ ସରକାର ପୋଷିବ? ମୋତେ ଜାତି ଭାଇ ନିକ୍କମା ଅକ୍କମା କହି ଟାପରା କରିବେନାଇଁ?“ ସେଦିନର ଏ ଘଟଣାଟି ଅତି ସାଧାରଣ ଜଣାପଡୁଥିଲେ ବି ଏହା ପଛରେ ଯେଉଁ ଅସାଧାରଣ କର୍ତ୍ତବ୍ୟବୋଧ ଛପିରହିଛି ,ତାହା ପୁଣି ଜଣେ ଗାଉଁଲି ଅଶିକ୍ଷିତ ଯୁବକ ମନରେ, ତାହା ଆଜିର ଅତି ଶିକ୍ଷିତ ସଭ୍ୟ ସମାଜରେ କାହିଁ? ଆଜି ଆମେ କେମିତି କଳେ ବଳେ କୌଶଳେ ବିଭିନ୍ନ ମାଗଣା ସରକାରୀ ଯୋଜନାରେ ନିଜକୁ ତଥା ନିଜ ପରିବାରକୁ ସାମିଲ କରିହେବ ସେଇ ଦୌଡ଼ରେ। ଚତୁର ମଣିଷଟି ନିଜର ବିବେକକୁ ଜଳାଞ୍ଜଳି ଦେଇ ବିଭିନ୍ନ ପ୍ରକାର ଅସାଧୁ ଉପାୟରେ ଗରିବଙ୍କ ସହାୟତାକୁ ଲୁଟିନେଉଛି। ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଦ୍ୟତମ ତଥ୍ୟ ଅନୁଯାୟୀ ଏକାଅଶୀ ହଜାର ଛଶହ ଚୌରାଅଶୀଟି ନିରୁତା ଅଣଧାନ ଜମିକୁ ଧାନଚାଷ କରିଥିବା ଦର୍ଶାଇ ଧାନବିକ୍ରି କରିବା ପାଇଁ ରବିଋତୁରେ ସରକାରଙ୍କ ପାଖରେ ପଞ୍ଜୀକରଣ କରାଯାଇଛି। ଆଉ ଯେତେବେଳେ ଉପଗ୍ରହ ସର୍ବେକ୍ଷଣ ମାଧ୍ୟମରେ ଚଞ୍ଚକତା ଧରାପଡ଼ିଯାଇଛି ସେତେବେଳେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଯାଇ ବିଭିନ୍ନ ବାହାନାର ଆଶ୍ରୟ ନେବା ଛଡ଼ା ଅନ୍ୟ ଗତି ବା କ’ଣ? ଥରେ ଭାବି ଦେଖନ୍ତୁ, ଅଜ୍ଞତାବଶତଃ କେହି କ’ଣ ଏପରି ଭୁଲ୍‌ କରିଥାଇପାରେ? ଯଦି ଧରା ନ ପଡ଼ିଥାନ୍ତେ ତା’ହେଲେ ଧାନ କୋଉଠୁ ଆଣିଥାନ୍ତେ ସେ କଥା ତାଙ୍କୁ ଜଣା। ଏ ତ ଭାତହାଣ୍ଡିରୁ ଗୋଟିଏ।
କିଛିଦିନ ତଳେ ଡେଲାଙ୍ଗ ଷ୍ଟେଶନ ପାଖ ରେଳଧାରଣା କଡ଼ରୁ ଗଦା ଗଦା ଖାଉଟି ପ୍ରମାଣପତ୍ର ଉଦ୍ଧାର କରାଯାଇଥିଲା। ତନଖି ପରେ ଏଗୁଡ଼ିକ ଭୂତକାର୍ଡ ବୋଲି ଜଣାପଡ଼ିଥିଲା। ଆଉ କେତେଜଣ ସହୃଦୟ ବ୍ୟକ୍ତି ମଧ୍ୟ ସଚ୍ଚୋଟପଣିଆ ଦେଖାଇବାକୁ ଯାଇ ହାତେଇଥିବା କାର୍ଡଗୁଡ଼ିକୁ ଭୟରେ ଫେରାଇଦେଇଥିଲେ। ସରକାରୀ ଚାକିରିରେ ଥିବା ଲୋକଟିଏ କିମ୍ବା ଲୋକ ପ୍ରତିନିଧିଟିଏ ନିଜ ନାମକୁ ଗରିବ ତାଲିକାରେ ଦରଜ କରାଇ ମାଗଣା ଆବାସ ଖଣ୍ଡିଏ ହାତେଇନେଇ ଭଡ଼ାରେ ଲଗାଇଦେଉଛି, ନ ହେଲେ ମାଗଣା ଚାଉଳକୁ ବଜାରରେ ବିକ୍ରିକରି ଦୁଇପଇସା ହାତଚିକ୍କଣ କରୁଛି। କୌତୂହଳର ବିଷୟ, ବାର୍ଦ୍ଧକ୍ୟଜନିତ ମୃତ୍ୟୁ ଲଭିଥିବା ବାପର ଶବକୁ ହରିଶ୍ଚନ୍ଦ୍ର ଯୋଜନାରେ ଦାହ ସଂସ୍କାର ସାରି ଆମେ ସ୍ଥାନୀୟ ସରପଞ୍ଚଙ୍କୁ ହାତଗୁଞ୍ଜା ଦେଉ ଏହାକୁ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ଦର୍ଶାଇଦେବା ପାଇଁ, ଯଦ୍ଦ୍ବାରା ଚଞ୍ଚକତାକରି ପୁଣି କିଛି ସହାୟତା ବ୍ଲକ୍‌ରୁ ହାତେଇହେବ! ହାତୀ ସୁରକ୍ଷା ବାଡ଼କୁ ଆମେ କାଟିଦେଉ କିମ୍ବା ଟ୍ରେଞ୍ଚକୁ ପୋତି ପକାଉ ଯଦ୍ଦ୍ବାରା କି ହାତୀ ଆସିଲେ କ୍ଷତିପୂରଣ ରାଶି ମିଳିବ। ନଦୀବନ୍ଧର ପଥର ପ୍ୟାକିଂକୁ ଖୋଳିଦେଲେ ଟ୍ରାକ୍ଟର ଅନାୟାସରେ ବାଲି ଚାଲାଣକରି ପଇସା ଦେବ ଆଉ ଏପଟେ ବନ୍ୟା ବେଳେ ଘଳିଆ ପଡ଼ି କିମ୍ବା ବନ୍ଧ ଭାଙ୍ଗି ଗାଆଁରେ ପାଣି ପଶିଲେ ବି କ୍ଷତିପୂରଣ ରାଶି ମିଳିବ। ଏହିପରି ସରକାରୀ ଯୋଜନାକୁ ଅପହରଣ କରିବା ପାଇଁ ଆମେ ବିଭିନ୍ନ କଳା କୌଶଳ ଆପଣେଇଥାଉ। ଆଗରୁ ଶୁଣୁଥିଲୁ ସରକାରୀ ବାବୁମାନେ ରାସ୍ତା ନ କରି, ପୋଖରୀ ନ ଖୋଳି କଣ୍ଟ୍ରାକ୍ଟରଙ୍କ ଜରିଆରେ ବିଲ୍‌ କରି ଅର୍ଥ ହଡ଼ପ କରିନେଉଥିଲେ। କିନ୍ତୁ ଏବେ ତ ଭୋଟଦାତାମାନେ ମଧ୍ୟ ଏ ବିଦ୍ୟାରେ ଧୁରନ୍ଧର। ଅତଏବ ନୂଆ ଯୋଜନାଟିଏ ପ୍ରଣୟନ ହେଲେ କେମିତି ତାକୁ ଅପହରଣ କରିହେବ ସେ ଜ୍ଞାନକୌଶଳ ମଧ୍ୟ ଆପେ ଆପେ ଆସିଯାଏ।

ଡ. ଚିନ୍ତାମଣି ପଣ୍ଡା
ପ୍ରାକ୍ତନ ଅଧ୍ୟକ୍ଷ, କୃଷି ମହାବିଦ୍ୟାଳୟ,ଭବାନୀପାଟଣା
ମୋ: ୮୧୪୪୦୬୬୦୧୬

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri