ବୟସ୍କଙ୍କୁ ହତାଦର କାହିଁକି

ଇବ୍ରାର ଖାଁ

 

ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା, ଦୁର୍ଘଟଣା ସଂଘଟିତ ହେଉଛି। ସେହିସବୁ ଘଟଣା ମଧ୍ୟରେ ଚିନ୍ତାଜନକ ହେଉଛି ବୟସ୍କମାନଙ୍କ ପ୍ରତି ବଢ଼ିଚାଲିଥିତ୍ବା ହତାଦର। ଯେକୌଣସି ମଣିଷ ସେ ଗରିବ ହେଉ କିମ୍ବା ଧନୀ, ଜୀବନରେ ବାଲ୍ୟ, କୈଶୋର, ଯୌବନ ଅବସ୍ଥାକୁ ଅତିକ୍ରମକରି ଯେତେବେଳେ ବୃଦ୍ଧାବସ୍ଥାରେ ଉପନୀତ ହୁଏ ସେତେବେଳେ ସେ ଅନ୍ୟମାନଙ୍କଠାରୁ ସାହାଯ୍ୟ, ସହଯୋଗ, ସହାନୁଭୂତି, ସ୍ନେହ, ଶ୍ରଦ୍ଧା, ସେବା, ଯତ୍ନ ପାଇବାର ଅଭିଳାଷ ପୋଷଣ କରିଥାଏ। କାରଣ ସେ ଦୃଢ଼ ନିଶ୍ଚିତ ଥାଏ, ଯେଉଁମାନଙ୍କୁ ପାଳି ପୋଷି ମଣିଷ ପରି ଗଢ଼ିବା ପାଇଁ ସମସ୍ତ ଶକ୍ତି, ସାମର୍ଥ୍ୟକୁ ନିଶେଷ କରିଦେଇଛି ସେମାନେ କେବେହେଲେ ତାକୁ ଅବହେଳା କିମ୍ବା ହତାଦର କରିବେ ନାହିଁ। ପୁଅବୋହୂ, ଝିଅଜ୍ୱାଇଁ, ନାତିନାତୁଣୀମାନଙ୍କ ଗହଣରେ ତା’ର ଅବଶିଷ୍ଟ ଜୀବନ ସୁଖ, ଶାନ୍ତିରେ କଟିଯିବ। କିନ୍ତୁ ବୃଦ୍ଧାବସ୍ଥାରେ ନିଜ ରକ୍ତ ସମ୍ପର୍କୀୟମାନଙ୍କଠାରୁ ଯେତେବେଳେ ହତାଦରର ଶିକାର ହୁଏ ତା’ ଜୀବନର ସବୁ ସ୍ବପ୍ନ କ୍ଷଣିକରେ ଚୂର୍‌ମାର ହୋଇଯାଏ ଏବଂ ଶେଷରେ ସେ ନିଜ ଅନ୍ତର୍ଦାହରେ ଜଳି ଜଳି ଜିଅନ୍ତା ଶବରେ ପରିଣତ ହୁଏ। ଏହାହିଁ ଆଜି ପାରିବାରିକ ଜୀବନରେ ବୟସ୍କମାନଙ୍କ ଦୁର୍ଗତିର ବାସ୍ତବ ଚିତ୍ର ।
ଆବହମାନ କାଳରୁ ସମାଜରେ ଯୌଥ ପରିବାରର ପ୍ରଚଳନ ଥିଲା। ପରିବାର ଭିତରେ ସମସ୍ତେ ସମସ୍ତଙ୍କ ସୁଖଦୁଃଖର ସହଭାଗୀ ହେବା ସହ ଗୋଟିଏ ମନ ଆଉ ଏକ ପ୍ରାଣ ହୋଇ ଚଳୁଥିବାରୁ ପାରିବାରିକ ଜୀବନରେ ସୁଖ, ଶାନ୍ତି, ସଦ୍‌ଭାବନା ଉଦ୍ରେକ ହେବା ସହିତ ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା, ଦୟା, ପ୍ରେମ, ଭକ୍ତି ଓ ଅନୁରକ୍ତି ଭଳି ମାନବୀୟ ଗୁଣସବୁ ପରିସ୍ପୁଟ ହେଉଥିଲା। ଘରର ପ୍ରତ୍ୟେକ ସଦସ୍ୟ ନିଷ୍କାମ ଭାବନାରେ ଅଭିମନ୍ତ୍ରିତ ହୋଇ ପରିବାର ପ୍ରତି ସମର୍ପିତ ରହୁଥିବାରୁ ଯୌଥ ପରିବାରରେ ଆନନ୍ଦ ଅନୁଭୂତ ହେଉଥିଲା। ଭୌତିକ ସୁଖ ପଛରେ ଧାଉଁଥିବା ଆଜିର ମଣିଷ ସ୍ବାର୍ଥସିଦ୍ଧି ପାଇଁ କ୍ରମେ ପରିବାରଠାରୁ ଦୂରେଇ ଯାଉଥିବାରୁ ଯୌଥ ପରିବାରଗୁଡ଼ିକର ଅସ୍ତିତ୍ୱ ଲୋପପାଇବାକୁ ବସିଲାଣି । ତେବେ ଅଣୁ ପରିବାର ଭିତରେ ସଙ୍କୁଚିତ ହୋଇ ରହିଯାଉଥିବା ମଣିଷ ଛଳନାତ୍ମକ ଜୀବନଶୈଳୀକୁ ଆବୋରି ନେଉଥିବାରୁ ସାମାଜିକ ଜୀବନରେ ଯେଉଁ ସଂଘାତ ସୃଷ୍ଟି ହେଉଛି ତାହାହିଁ ଗୁରୁଜନମାନେ ଉପେକ୍ଷିତ ହେବାର ମୂଳକାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।
ମାତାପିତା ସଂସାରର ସବୁଠାରୁ ମହାର୍ଘ୍ୟ ବ୍ୟକ୍ତିତ୍ୱ। କୁହାଯାଏ ମା’ବାପାଙ୍କ ପାଦତଳେ ସ୍ବର୍ଗ ରହିଛି। ମାତାପିତାଙ୍କୁ ଭକ୍ତି ସହକାରେ ସେମାନଙ୍କ ସେବାଯତ୍ନ କଲେ ସନ୍ତାନମାନଙ୍କ ଜୀବନ ସାର୍ଥକ ହୁଏ। ସନ୍ତାନର ମଙ୍ଗଳ ପାଇଁ ସବୁ କିଛିକୁ ତ୍ୟାଗ କରିବାର ଦୃଢ଼ ସଂକଳ୍ପ କେବଳ ମାତାପିତାମାନେ ହିଁ ନେଇପାରନ୍ତି। ରୋଗବୈରାଗ ହେଉ କିମ୍ବା ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ପିଲାର ବ୍ୟାକୁଳତା ମାତାପିତାଙ୍କ ହୃଦୟରେ ଯେଉଁ ବେଦନାର ଉଦ୍‌ବେଳନ ସୃଷ୍ଟିକରେ ତାହା ଭାଷାରେ ବ୍ୟକ୍ତ କରାଯାଇ ନ ପାରେ। ସନ୍ତାନମାନଙ୍କ ସୁଖରେ ହିଁ ସେମାନଙ୍କ ସୁଖ ନିହିତ ଥାଏ। ଭୋକ ଉପାସରେ ରହି ପେଟ ପିଠିରୁ କାଟି ପିଲାର ଭବିଷ୍ୟତ ଜୀବନକୁ ଉଜ୍ଜ୍ୱଳମୟ କରି ଗଢ଼ି ତୋଳିବାକୁ ପ୍ରତ୍ୟେକ ମାତାପିତା ଜୀବନର ଏକମାତ୍ର ମୂଳଲକ୍ଷ୍ୟ ରୂପେ ବିବେଚନା କରିଥାନ୍ତି। ଯେଉଁମାନେ ମାତାପିତାଙ୍କ ସେବା ଯତ୍ନକୁ ପରମଧର୍ମ ଓ ମହାନ୍‌ କର୍ତ୍ତବ୍ୟ ବୋଲି ବିବେଚନା କରନ୍ତି ସେମାନଙ୍କର ଇହକାଳ ଏବଂ ପରକାଳ ଉଭୟ ସାର୍ଥକ ହୋଇଥାଏ। ଏହା ପ୍ରତ୍ୟେକ ଧର୍ମର ଧର୍ମଗ୍ରନ୍ଥଗୁଡ଼ିକରେ ଉଳ୍ଲେଖ କରାଯାଇଛି।
ଆଜି ସମାଜରେ ଘଟୁଛି କ’ଣ? ପାଠ ପଢ଼ି ରୋଜଗାରକ୍ଷମ ହୋଇଥିବା ଅନେକ ପୁଅଙ୍କର ମା, ବାପାଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଯାଉଛି। ବାହାହେଲା ପରେ ମାତା ଓ ପିତା ସେମାନଙ୍କୁ ବୋଝ ସଦୃଶ ପ୍ରତୀୟମାନ ହେଉଛନ୍ତି। ନିଜ ସୁଖ, ସ୍ବାଚ୍ଛନ୍ଦ୍ୟ ପାଇଁ ମାତାପିତାଙ୍କଠାରୁ ଦୂରେଇଯାଇ ସହରୀ ଜୀବନକୁ ଆପଣେଇ ନେଉଛନ୍ତି। ଗଁା ଭିଟାମାଟିରେ ପଡ଼ିରହିଥିବା ବାପାମା’ ତଥାପି ସେମାନଙ୍କର ଶୁଭ ମନାସିବାରେ କେବେ କାର୍ପଣ୍ୟ କରନ୍ତି ନାହିଁ। ଲୋକଦେଖାଣିଆକୁ ସେବା ଯତ୍ନର ଦ୍ୱାହିଦେଇ ବୃଦ୍ଧ ମାତାପିତାଙ୍କୁ ନିଜ ପାଖରେ ସହରରେ ରଖିଲେ ମଧ୍ୟ ସେମାନଙ୍କର ସକଳ ସୁଖ ଧୀରେ ଧୀରେ ମଉଳିଯାଏ। ଘରର ଯାବତୀୟ କାର୍ଯ୍ୟ ସେହି ବୃଦ୍ଧ ଦମ୍ପତିଙ୍କୁ କରିବାକୁ ପଡୁଥିଲେ ମଧ୍ୟ ପ୍ରତିବାଦ କରିବା ତ ଦୂରର କଥା ସେମାନେ ଭଲରେ ଦୁଇପଦ କଥା ହେବାର ଅଧିକାର ପାଆନ୍ତି ନାହିଁ। ବୃଦ୍ଧ ଦମ୍ପତିଙ୍କ ମଧ୍ୟରୁ ଜଣେ ଯଦି ଆରପାରିକୁ ଚାଲିଯାଏ ତେବେ ଆଉ ଜଣକ ଜୀବନ ଆହୁରି ଦୁର୍ବିଷହ ହୋଇଉଠେ। ପୁଅ ସବୁ ଦେଖି ସବୁ ଜାଣି ମଧ୍ୟ ନିଜ ଧର୍ମପତ୍ନୀକୁ ଆକଟ କରିବା ପରିବର୍ତ୍ତେ ଓଲଟା ଅଭିଯୋଗ କରେ ତୁମ ପାଇଁ ଘରେ ସବୁବେଳେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେଉଛି। ସୋସାଇଟିରେ ଆମର ତ ପୁଣି ମାନ ସମ୍ମାନ ଅଛି। ଅଜାଗା ଘା’ କାହାକୁ ଦେଖେଇ ହୁଏନି କି ଦେଖି ହୁଏନି ପରି ଅବସ୍ଥାରେ ପଡ଼ି କେବଳ ହନ୍ତସନ୍ତ ହେବା ଛଡ଼ା ଆଉ କିଛି କରିବାର ଉପାୟ ନ ଥାଏ। ତଥାପି ପୁଅର କାଳେ ଅମଙ୍ଗଳ ହେବ ସେଥିପାଇଁ ମାତାପିତାଙ୍କ ମୁହଁରୁ କେବେ କୌଣସି ଅପଶବ୍ଦ ଉଚ୍ଚାରିତ ହୋଇ ନ ଥାଏ। ରୋଜଗାରିଆ ପାଠୁଆ ପୁଅ ଏଡ଼େ ଅବିବେକୀ ହୋଇଯାଉଛି କେମିତି? ପିଲାମାନଙ୍କ ପ୍ରତିପୋଷଣରେ ମା’ବାପାଙ୍କର ଭୁଲ୍‌ ରହିଲା କେଉଁଠି? ଏହିପରି ଅନେକ ଅସମାହିତ ପ୍ରଶ୍ନର ଉତ୍ତର କର୍ମସଂସ୍ଥାନରେ ନିୟୋଜିତ ଯୁବପିଢ଼ିଠାରୁ ପାଇବାକୁ ଆଜିର ସମାଜ ଅପେକ୍ଷା ରଖେ।
ରୋଜଗାରକ୍ଷମ ଶିକ୍ଷିତ ମଣିଷ ଆଜି ଭୁଲିଯାଉଛି ସମୟଚକ୍ରରେ ସେ ଦିନେ ଏହିପରି ବୃଦ୍ଧାବସ୍ଥାକୁ ପ୍ରାପ୍ତ ହେବ ଏବଂ ସେତେବେଳେ ତା’ର ପିଲାମାନେ ମଧ୍ୟ ତା’ ପ୍ରତି ଠିକ୍‌ ଏହିପରି ବ୍ୟବହାର ପ୍ରଦର୍ଶନ କରିବାକୁ ତିଳେ ହେଲେ କୁଣ୍ଠବୋଧ କରିବେ ନାହିଁ। ଉଧାର ସେରକ କେବେହେଲେ ତିନିପା ହୋଇ ନ ଥାଏ। ସେତେବେଳେ ନିଜ କଲାକର୍ମକୁ ନେଇ ଅନୁତାପ କଲେ ମଧ୍ୟ କେହି ଆଖିରୁ ଲୁହ ପୋଛିବାକୁ ପାଖରେ ନ ଥିବେ। ତେଣୁ ବେଳହୁଁ ସାଧୁ ସାବଧାନ ହେବା ଆବଶ୍ୟକ। ଦୁନିଆରେ ଯାହାର ବାପାମା’ ନାହାନ୍ତି, ସେମାନେ ଅଭାଗା ନିଶ୍ଚୟ। ଆଉ ଯେଉଁମାନଙ୍କର ପିତାମାତା ଅଛନ୍ତି ସେମାନେ ନିଜକୁ ଭାଗ୍ୟବାନ୍‌ ମନେକରିବା ଉଚିତ। କାରଣ ସେମାନଙ୍କ ପାଖରେ ଚଳନ୍ତି ଠାକୁର ଅଛନ୍ତି। ପିତାମାତାଙ୍କ ଆତ୍ମସନ୍ତୋଷରେ ହିଁ ବିଭୁ କୃପା ପ୍ରାପ୍ତ ହୁଏ- ଏହା ସମସ୍ତଙ୍କର ଧ୍ୟେୟ ହେବା ଉଚିତ।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା
ମୋ: ୯୩୩୭୬୦୧୭୦୫


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?