କୋଟିଆ କାହାର

ଡ. ପ୍ରଫୁଲ୍ଲ କୁମାର ସାହୁ

ଦୀର୍ଘ ସାତ ଦଶନ୍ଧିଧରି କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ଭିତରେ ଲାଗିରହିଛି ସୀମା ବିବାଦ। ଓଡ଼ିଶା ପ୍ରଶାସନିକ ମାନଚିତ୍ରରେ କୋଟିଆ ପଞ୍ଚାୟତ କୋରାପୁଟ ଜିଲାର ପଟାଙ୍ଗି ବ୍ଲକ ଅଧୀନରେ ଥିଲେ ମଧ୍ୟ ତାକୁ ନିଜର ବୋଲି ଦାବି କରୁଛି ଆନ୍ଧ୍ର। କୋଟିଆ ଗ୍ରାମପଞ୍ଚାୟତ ୨୮ଟି ରାଜସ୍ବ ଗ୍ରାମ ମଧ୍ୟରୁ ୨୧ ଗ୍ରାମ ବିଜୟନଗରମ୍‌ ଜିଲାର ସାଲୁର ମଣ୍ଡଳ ଅନ୍ତର୍ଗତ ଫଗୁଣ ସିନେରୀ, ଫାଟୁ ସିନେରୀ ଓ ଗଞ୍ଜେଇପଦର ପଞ୍ଚାୟତ ଭିତରେ ରହିଛି ବୋଲି କହି ଛିଡ଼ା କରୁଛି ବିବାଦ। ପୂର୍ବରୁ ଷଡ଼ଯନ୍ତ୍ର କରି ଓଡ଼ିଶା ହାତରୁ ସେ ପାଚିପେଣ୍ଟା ଓ ଗୋରାମୁଠା ଆଦି ଅଞ୍ଚଳ ଛଡ଼େଇ ନେଇସାରିଛି ଏବଂ ସମାନ ଉପାୟରେ କୋଟିଆ ଦଖଲ ପାଇଁ କେତେବେଳେ ସେଠାରେ ପଞ୍ଚାୟତ ନିର୍ବାଚନ କରୁଛି ତ କେତେବେଳେ ଗାଆଁ ମୁଣ୍ଡରେ ଲାଗିଥିବା ଓଡ଼ିଆ ଭାଷାରେ ଲିଖିତ ନାମ ଫଳକକୁ କାଢ଼ିନେଇ ଲଗାଉଛି ତେଲୁଗୁ ଭାଷାର ନାମଫଳକ।
୧୯୩୬ରେ ସ୍ବତନ୍ତ୍ର ଉକତ୍ଳ ପ୍ରଦେଶ ଗଠନ ହେବା ସହିତ ଅବିଭାଜିତ ଜୟପୁର ଜମିଦାରୀ ଓ ତାହା ବାହାରେ ଥିବା ପଟାଙ୍ଗି ତାଲୁକକୁ ମିଶାଇ ଗଠନ ହେଲା କୋରାପୁଟ ଜିଲା। ଏହି ପ୍ରକ୍ରିୟାରେ ମାନ୍ଦ୍ରାଜ ପ୍ରେସିଡେନ୍‌ସିରୁ ଯେଉଁ ଗାଁଗୁଡ଼ିକ ଓଡ଼ିଶାକୁ ହସ୍ତାନ୍ତର ହେଲା, ତା’ର ଏକ ତାଲିକା ପ୍ରସ୍ତୁତ କରି ଓଡ଼ିଶା ସରକାରଙ୍କୁ ପ୍ରଦାନ କଲେ ଭାଇଜାଗ୍‌ ପାଟନାମ୍‌ର ଜିଲାପାଳ। ସେହି ତାଲିକାରେ ପାଚିପେଣ୍ଟା ଜମିଦାରୀ ଥିଲା ଏବଂ ୧୯୫୨ରେ ତାହା ଉଚ୍ଛେଦ ହେବା ପରେ ଓଡ଼ିଶାରେ ମିଶିଲା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା (୨୯ା୧୨ା୧୯୫୨) ବିଜ୍ଞପ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ନକ୍ସାରୁ ଆଶ୍ଚର୍ଯ୍ୟଜନକ ଭାବରେ ଉଭାନ ହୋଇଗଲା ପ୍ରାଚିପେଣ୍ଟା ଜମିଦାରୀ ଅନ୍ତର୍ଗତ ଗ୍ରାମସମୂହ। କେବଳ ପ୍ରାଚିପେଣ୍ଟା ନୁହଁ, ଜୟପୁର ଜମିଦାରୀ ଅଧୀନରେ ଥିବା ଗୋରାମୁଖାର ୧୩ଟି ଗାଁ ମଧ୍ୟ ନକ୍ସାରେ ସ୍ଥାନ ପାଇଲାନି, ଯେଉଁସବୁ ଗାଁର ଲୋକେ ଆଗ୍ରହର ସହିତ ଓଡ଼ିଶାରେ ମିଶିଥିଲେ ନିଜ ଓଡ଼ିଆତ୍ୱର ପରିଚୟ ନେଇ। ସେମାନଙ୍କ ଭାବାବେଗ ପ୍ରତି ସେତେବେଳେ ଓଡ଼ିଶା ସରକାର ଦୃଷ୍ଟି ନ ଦେବା କାରଣରୁ ସେ ସବୁ ଗ୍ରାମ ଏବେ ଆନ୍ଧ୍ର କବ୍‌ଜାରେ।
ଓଡ଼ିଶା ସ୍ବତନ୍ତ୍ର ହେବାର ଦୁଇ ଦଶନ୍ଧି ପରେ ଆନ୍ଧ୍ରପ୍ରଦେଶର ଜନ୍ମ। ମାନ୍ଦ୍ରାଜ ପ୍ରେସିଡେନ୍ସିରୁ ଅଲଗା ହୋଇ ତାହା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ପରେ ଚିହ୍ନଟ ହେଲା (୧୯୫୯ ବନ୍ଦୋବସ୍ତ) ଆନ୍ତଃରାଜ୍ୟ ସୀମା। ସେତେବେଳେ ମାନ୍ଦ୍ରାଜର ଅଧିକାରୀମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ଏହି ସୀମା ନିର୍ଦ୍ଧାରଣ କାର୍ଯ୍ୟରେ ଉପେକ୍ଷିତ ହୋଇଥିଲା ଓଡ଼ିଶାର ପ୍ରତ୍ୟକ୍ଷ ଭାଗୀଦାରି। ତେଣୁ ସୀମାରେ ଯେଉଁ ପଥର ପୋତାଗଲା ତା’ର ଅବସ୍ଥିତିକୁ ଠିକ୍‌ ଭାବରେ ତର୍ଜମା ନ କରିବା କାରଣରୁ ପଡ଼ିଲା ବିବାଦର ମୂଳଦୁଆ। ଏହି ଅବ୍ୟବସ୍ଥିତ ସୀମା ନିର୍ଦ୍ଧାରଣର ସୁଯୋଗ ନେଇ ଆନ୍ଧ୍ର ଅନୁପ୍ରବେଶ ପାଇଁ ପ୍ରୟାସ କରିବାରୁ ୧୯୬୮ରେ ଆରମ୍ଭ ହେଲା ବିବାଦ। ଆନ୍ଧ୍ରର ଏଭଳି ଅନୁପ୍ରବେଶକୁ ବିରୋଧ କରି ଉଚ୍ଚତ୍ତମ ନ୍ୟାୟାଳୟରେ ଆଶ୍ରୟ ନେବାକୁ ବାଧ୍ୟ ହେଲେ ଓଡ଼ିଶା ସରକାର। ମାମଲାର ଚୂଡ଼ାନ୍ତ ରାୟ ଅଦ୍ୟାବଧି ପ୍ରକାଶ ପାଇନି ସତ, ହେଲେ ସୀମାରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ବଳବତ୍ତର ରହିଛି ଉଚ୍ଚତ୍ତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ। ମାତ୍ର ଏହି ନିର୍ଦ୍ଦେଶକୁ ବେଖାତିର କରି କୋଟିଆ ଗ୍ରାମପୁଞ୍ଜ ଉପରେ ଦଖଲ ସାବ୍ୟସ୍ତ କରିବା ପାଇଁ ଆନ୍ଧ୍ର ପ୍ରୟୋଗ କରିଚାଲିଛି ନୂଆ ନୂଆ କୌଶଳ। ଦଲିଲ୍‌ ଦସ୍ତାବିଜ୍‌ ଓ ଅବସ୍ଥିତି ଦୃଷ୍ଟିରୁ କୋଟିଆ ହେଉଛି ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏହାର ବଡ଼ ପ୍ରମାଣ ହେଉଛି (କୋରାପୁଟ ଜିଲାର ପୂର୍ବତନ ଜିଲାପାଳ ଗଦାଧର ପରିଡ଼ାଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଆଧାରରେ) ୧୯୪୫ ରେ ପ୍ରକାଶ ପାଇଥିବା କୋରାପୁଟ ଜିଲାର ପ୍ରଥମ ଗେଜେଟିୟର ଓ ନକ୍ସା। ବିହାରର ପାଟଣାସ୍ଥିତ ସର୍ଭେ ଅଫିସ୍‌ରୁ ପ୍ରକାଶିତ ଏହି ନକ୍ସାରେ ଟର୍ନର ସାହେବଙ୍କ ଦ୍ୱାରା ନିର୍ମିତ (୧୮୭୩) ପଟାଙ୍ଗି-ତାଡ଼ିୱାଲସା ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ଓଡ଼ିଶା ସୀମା ଭିତରେ ରହିଛି ଏବଂ ତାଡ଼ିୱାଲସାଠାରୁ ପ୍ରାୟତଃ ୧୦କି.ମି. ଦୂରରେ ଅବସ୍ଥିତ ଆନ୍ତଃରାଜ୍ୟ ସୀମା। ଏହି ଅନୁସାରେ କେବଳ କୋଟିଆ ଗ୍ରାମପୁଞ୍ଜ ନୁହେଁ, ସାରକାହାଟ, ନନ୍ଦାହାଟ ଓ ତୋଡ଼ମହାଟ ସମେତ ଡାଙ୍କିନୀ, ଏଲେଙ୍ଗାୱାଲ୍‌ସା ଗ୍ରାମ ମଧ୍ୟ ଓଡ଼ିଶା ସୀମା ଭିତରେ ଅବସ୍ଥିତ। ସେଥିପାଇଁ ସେତେବେଳେ ଡାଙ୍କିନୀ ୟଲଙ୍ଗାୱାଲସା ଗ୍ରାମର ଜମି କିଣାବିକା ଜୟପୁର ରେଜିଷ୍ଟ୍ରେଶନ ଅଫିସରେ ହେଉଥିଲା, ଯାହାର ଏକ ନମୁନା ହେଉଛି ୨୪ା୦୪ା୧୯୫୬ରେ ସମ୍ପାଦିତ ହୋଇଥିବା ଦଲିଲ୍‌ ନଂ ୫୨/ ୧୯୫୬।
ସତୁରି ଦଶକରେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ସର୍ଭେ ଆଧାରରେ ସେଠାରେ ଅବସ୍ଥିତ ଦେଓମାଳି ଓ ଅନ୍ୟାନ୍ୟ ପାହାଡ଼ ତଳେ ରହିଛି ସୀସା, ଲୁହାପଥର, ବକ୍ସାଇଟ୍‌ ଓ ଅଭ୍ର ଆଦି ବହୁ ମୂଲ୍ୟବାନ ଖଣିଜ ସମ୍ପଦ। ସେଥିପାଇଁ କୋଟିଆ କନ୍ଧଙ୍କ ମନ ଜିଣିବା ପାଇଁ ସେଠାରେ ଆନ୍ଧ୍ର ଅଜାଡ଼ି ଦେଉଛି ଭଳିକି ଭଳି ଲୋଭନୀୟ ପ୍ରତିଶ୍ରୁତି। ମାତ୍ର ଏ ଦିଗରେ ଓଡ଼ିଶା ଆଦୌ ସଫଳ ହୋଇପାରିନି ବୋଲି କହିଲେ ଚଳେ। ଏକଦା ଟର୍ନର ସାହେବଙ୍କ ଦ୍ୱାରା ନିର୍ମିତ ପଟାଙ୍ଗି-ତାଡ଼ିୱାଲସା ଶଗଡ଼ ରାସ୍ତାରେ ଯାତାୟାତ କରୁଥିଲା ଶହଶହ ଶଗଡ଼। ସେଥିରେ ଉପକୂଳ ଅଞ୍ଚଳରୁ ଲୁଣ ଓ ଅନ୍ୟାନ୍ୟ ଜିନିଷ ଆସୁଥିଲା ଏବଂ ଜୟପୁରରୁ ବାହାରକୁ ଯାଉଥିଲା ସେଠାକାର ଉପତ୍ାଦିତ ଶସ୍ୟ ଓ ବନଜାତ ଦ୍ରବ୍ୟ। ମାତ୍ର ସୁଙ୍କି ଓ ସାଲୁର ଘାଟିରାସ୍ତା ନିର୍ମାଣ ପରେ ଏହି ଶଗଡ଼ ରାସ୍ତାଟି କ୍ରମଶଃ ଅବହେଳିତ ହୋଇପଡ଼ିଲା ଏବଂ ତା’ର ରକ୍ଷଣାବେକ୍ଷଣ ପ୍ରତି ଆଦୌ ଦୃଷ୍ଟି ଦେଲେନି ଓଡ଼ିଶା ସରକାର। ରାସ୍ତାଟି ଏଭଳି ପରିତ୍ୟକ୍ତ ହୋଇ ପଡ଼ିଲା ଯେ ବ୍ଲକ ଓ ତହସିଲ ଅଫିସକୁ ଯିବା ପାଇଁ ଆନ୍ଧ୍ର ପ୍ରଦେଶ ଦେଇ ଆସିଥିବା ସାଲୁର ରାସ୍ତା ଉପରେ ନିର୍ଭର କଲେ କୋଟିଆବାସୀ। ପଟାଙ୍ଗିରେ ପହଞ୍ଚତ୍ବା ପାଇଁ ୧୫ କି.ମି. ପରିବର୍ତ୍ତେ ବୁଲିବାକୁ ପଡ଼ିଲା ୬୯କି.ମି. ରାସ୍ତା। ଏହି ଅସୁବିଧା ପାଇଁ କୋଟିଆବାସୀ ବିକାକିଣା ପାଇଁ ପଟାଙ୍ଗି ପରିବର୍ତ୍ତେ ନିର୍ଭର କଲେ ସାଲୁର ହାଟ ଉପରେ। ବିକାଶ କଥା ଦେଖିଲେ ଏ ପର୍ଯ୍ୟନ୍ତ କୋଟିଆରେ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ହୋଇପାରିନି ଏବଂ ପ୍ରାଥମିକ ବିଦ୍ୟାଳୟରେ ପଢାଯାଉନି ଓଡ଼ିଆ। ସ୍ବାସ୍ଥ୍ୟ ସେବା ପାଇଁ ଆନ୍ଧ୍ରର ବିଶାଖାପାଟଣା ଉପରେ ନିର୍ଭର କରୁଛନ୍ତି କୋଟିଆର ଆଠହଜାର ଆଦିବାସୀ। କୋଟିଆ ପଞ୍ଚାୟତର ଅଧିକାଂଶ ଗାଆଁକୁ ସବୁଦିନିଆ ରାସ୍ତା ନାହିଁ ଏବଂ ସବୁ ଗାଆଁକୁ ଯୋଗେଇ ଦିଆଯାଇ ପାରିନି ପାନୀୟଜଳ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଏଠାରେ ଯେଉଁ ପରିମାଣରେ ଚାଉଳ, ଗହମ ଓ ଭତ୍ତା ଦିଆଯାଉଛି ତା’ଠାରୁ ଯଥେଷ୍ଟ ଅଧିକ ଦେଉଛି ଆନ୍ଧ୍ର ସରକାର। ଏଭଳି ଲୋଭ ଦେଖାଇ କେବଳ ଭୂମି ନୁହେଁ ଭାଷାକୁ ବି ଅକ୍ତିଆର କରିବା ପାଇଁ ଆନ୍ଧ୍ର ଆପଣାଇଛି ନୂଆ କୌଶଳ ା କୋରାପୁଟ ଜିଲାରେ ସରକାରୀ ସ୍କୁଲ ପରିଚାଳନାରେ ରାଜ୍ୟ ପ୍ରଶାସନର ବିଫଳତାର ସୁଯୋଗ ନେଇ କୋଟିଆରେ ଆରମ୍ଭ କରିଛି ପ୍ରୋତ୍ସାହନ ଭିତ୍ତିକ ଶିକ୍ଷାଦାନ କାର୍ଯ୍ୟକ୍ରମ ା ତେଲୁଗୁ ପାଠ୍ୟକ୍ରମ ପ୍ରତି ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରାଯାଉଛି, ଯେଉଁ କାର୍ଯ୍ୟକୁ ନିୟମିତ ତଦାରଖ କରୁଛନ୍ତି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ା ଆନ୍ଧ୍ରର ଏଭଳି ଷଡ଼ଯନ୍ତ୍ରକୁ ପ୍ରତିହତ କରିବାରେ ଓଡ଼ିଶା ସରକାରଙ୍କ ତତ୍ପରତା ନାହିଁ କହିଲେ ଚଳେ ା ଏକଥା କହିବାର କାରଣ କୋଟିଆ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପକୁ ଭୁବନେଶ୍ୱରରୁ ଉଦ୍‌ଘାଟନ କରିବା ପରିବର୍ତ୍ତେ କୋଟିଆବାସୀଙ୍କ ପାଖରେ ପହଞ୍ଚତ୍ବା ଦରକାର ା ଏଥିପାଇଁ କେବଳ ସରକାର ନୁହନ୍ତି, ଦଳଗତ ନିର୍ବିଶେଷରେ ସବୁ ରାଜନୈତିକ ଦଳ ତଥା ସାଢ଼େ ଚାରିକୋଟି ଓଡିଆଙ୍କ ସ୍ବର ଏକ ହେବା ଦରକାର। ତା’ ନ ହେଲେ ମାତୃଭୂମି ପ୍ରତି ବିଶ୍ୱାସଘାତକତାକୁ କେବେ ବି କ୍ଷମା ଦେବନି ଉତ୍ତରପୁରୁଷ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri