ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା ସୁରକ୍ଷିତ ରଖିବାର ଫଳପ୍ରଦ ଉପାୟ ହେଉଛି ‘ଇନ୍‌ ସିଟୁ’ ସଂରକ୍ଷଣ। ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ଜୈବମଣ୍ଡଳ, ପାରମ୍ପରିକ ସଂରକ୍ଷିତ ଜଙ୍ଗଲ ଓ ପବିତ୍ର ବନକୁ ଏହି ଶ୍ରେଣୀର ଉଦାହରଣ ଭାବେ ନିଆଯାଇପାରେ। ଏଥିମଧ୍ୟରୁ ପବିତ୍ର ବନ ଜଙ୍ଗଲ ସଂରକ୍ଷଣ ନିମନ୍ତେ ସର୍ବପ୍ରାଚୀନତମ ପନ୍ଥା। ୧୯୯୬ରେ ମିଳିତ ଜାତିସଂଘର ଶିକ୍ଷାଗତ, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ ୟୁନେସ୍କୋ ପବିତ୍ର ବନର ସଂଜ୍ଞା ନିରୂପଣ କରିବାକୁ ଯାଇ ଦର୍ଶାଇଛି ଯେ,ଏହା ଏକ ସୀମିତ ବନାଞ୍ଚଳ ବା ଜଙ୍ଗଲିଆ ଜାଗା, ଯାହା ଗୋଷ୍ଠୀଗତ ଉଦ୍ୟମରେ , ଗାଁ ନିକଟରେ ଶହ ଶହ ବର୍ଷ ତଳୁ ସଂରକ୍ଷିତ ବା ସୁରକ୍ଷିତ ରହି ଆସିଛି। ଛୋଟରୁ ବଡ଼ ବିଭିନ୍ନ ଆୟତନର ପବିତ୍ର ବନ ପଛରେ ସେଠିକାର ଅଧିବାସୀଙ୍କ ପରମ୍ପରାଗତ, ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଧାର୍ମିକ ଭାବନା ନିହିତ। କେତେକ ପବିତ୍ର ବନ ଜଳଛାୟା ଅଞ୍ଚଳ ଭାବେ କାମକରି ଚତୁଃପାର୍ଶ୍ୱରେ ଥିବା ବସତି ନିମନ୍ତେ ଜଳଉତ୍ସ ପାଲଟିଯାଏ।
ଜାତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ପ୍ରକାଶ ପାଉଥିବା ଦ୍ୱିବାର୍ଷିକ ସର୍ଭେ ରିପୋର୍ଟରେ ‘ପବିତ୍ର ବନ’ ଉପରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ। ଅନେକ ବୃହତ୍‌ ପବିତ୍ର ବନକୁ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବା ଗୋଷ୍ଠୀ ସଂରକ୍ଷିତ ଅଞ୍ଚଳ ଭାବେ ଦର୍ଶାଯାଇଛି। ସ୍ବାଧୀନ ଭାବେ ପରିବେଶ ଉପରେ କାର୍ଯ୍ୟ କରୁଥିବା କେତେକ ସଂସ୍ଥା ଏବଂ ଆଇୟୁସିଏନ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ଦ୍ୱାରା କରାଯାଇଥିବା ଆକଳନରେ ଭାରତରେ୧ ଲକ୍ଷରୁ ଦେଢ଼ ଲକ୍ଷ ପବିତ୍ର ବନ ରହିଥିବା ଦର୍ଶାଯାଇଛି; ଯାହା ବିଶ୍ୱର ଅନ୍ୟ ଦେଶ ତୁଳନାରେ ସର୍ବାଧିକ। କିନ୍ତୁ ବାସ୍ତବ ସର୍ଭେ କରାଯାଇ ବିଧିବଦ୍ଧ ନଥିପତ୍ର ଓ ମ୍ୟାପ୍‌ ପ୍ରସ୍ତୁତ କରାଯାଇଥିବା ପବିତ୍ର ବନର ସଂଖ୍ୟା ଦେଶରେ ମାତ୍ର ୧୩,୦୦୦ରୁ ୧୪,୦୦୦। ବିଶେଷତଃ ମହାରାଷ୍ଟ୍ର, କର୍ନାଟକ, କେରଳ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଦୃଷ୍ଟିଗୋଚର ହେଉଥିବା ପବିତ୍ର ବନ ମୁଖ୍ୟତଃ ମନ୍ଦିର, ଦେବାଳୟ, ତୀର୍ଥସ୍ଥାନ, ମଠ ଓ ଶ୍ମଶାନ ସହ ସମ୍ପୃକ୍ତ। ମହାରାଷ୍ଟ୍ରରେ ପବିତ୍ର ବନକୁ କୁହାଯାଏ ଦେବରାଇ ବା ଦେବଗୁଡ଼ି, ଔଷଧୀୟ ବୃକ୍ଷଲତା, ଗୁଳ୍ମର ସଂରକ୍ଷଣସ୍ଥଳୀ ଭାବେ ପରିଚିତ। ସ୍ଥାନୀୟ ଆକଳନ ଅନୁଯାୟୀ ଏଗୁଡିକର ସଂଖ୍ୟା ୨୮୦୦ରୁ ୩୦୦୦। ମୁଖ୍ୟତଃ ପୁଣେ ଓ ରତ୍ନଗିରି ଅଞ୍ଚଳରେ ଦେଖିବାକୁ ମିଳେ। ପଶ୍ଚିମଘାଟ ପର୍ବତମାଳାରେ ଅବସ୍ଥିତ ଏହି ପବିତ୍ର ବନ ସ୍ଥାନୀୟ ଦେବଦେବୀଙ୍କୁ ସମର୍ପିତ।
କର୍ନାଟକରେ ଥିବା ପବିତ୍ର ବନକୁ କୁହାଯାଏ ‘ଦେବରକାତୁ ଓ ଦେବରବନ’। ପ୍ରାୟ ୧୫୦୦ ସଂଖ୍ୟାର ଥିବା ଏହି ବନ ‘କୋଦବା’ ଓ କୁର୍ଗ ପାରମ୍ପରିକ ସମ୍ପ୍ରଦାୟ ଦ୍ୱାରା ସଂରକ୍ଷିତ। ପଶ୍ଚିମଘାଟ ପର୍ବତମାଳାରେ ଅବସ୍ଥିତ ଏହି ପବିତ୍ର ବନଗୁଡ଼ିକ ସାଧାରଣ ଭାବେ ବନ୍ୟପ୍ରାଣୀଙ୍କ ପାଇଁ ନିରୁପଦ୍ରବ ଆଶ୍ରୟସ୍ଥଳୀ। କେରଳରେ ପବିତ୍ର ବନକୁ କୁହାଯାଏ କାଭୁ , ସର୍ପକାଭୁ। ଏଗୁଡିକ ସର୍ପରାଜ ଓ ସ୍ଥାନୀୟ ଜଙ୍ଗଲ ଦେବୀଙ୍କୁ ସମର୍ପିତ। ସର୍ବୋପରି ପଶ୍ଚିମଘାଟ ପର୍ବତମାଳାରେ ଥିବା ଏହି ପବିତ୍ର ବନଗୁଡ଼ିକ ଜୈବବିବିଧତା ସମ୍ପନ୍ନ ଓ ଦୁଷ୍ପ୍ରାପ୍ୟ ବୃକ୍ଷରେ ପରିପୂର୍ଣ୍ଣ। ଏଠାରେ ଥିବା ‘ଥିମାୟା’ ପୂଜାପାଠ ପାଳିତ ହୁଏ। ପାଖାପାଖି ୨୦୦୦ରୁ ଅଧିକ ପବିତ୍ରବନ ଏଠାରେ ଚିହ୍ନଟ କରାଯାଇଛି। ହିମାଚଳ ପ୍ରଦେଶର ପବିତ୍ର ବନକୁ କୁହାଯାଏ ‘ଦେବବନ’। ସ୍ଥାନୀୟ ଆକଳନ ଅନୁସାରେ ଏହି ରାଜ୍ୟରେ ପ୍ରାୟ ୫୦୦୦ ପବିତ୍ର ବନ ରହିଛି। ତନ୍ମଧ୍ୟରୁ ଅନେକ ହିମାଳୟର ପାଦଦେଶରେ ଥିବା ଆଲପାଇନ୍‌ ପ୍ରାନ୍ତରରେ ଅବସ୍ଥିତ। ବିହାର ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ମଧ୍ୟଭାରତ ଅଞ୍ଚଳରେ ଅବସ୍ଥିତ ପବିତ୍ର ବନକୁ କୁହାଯାଏ ଶରଣ। ଛତିଶଗଡ଼ ଅଞ୍ଚଳର କେତେକ ସ୍ଥାନରେ କୁହାଯାଏ ମାତାଗୁଡ଼ି, ପଶ୍ଚିମବଙ୍ଗରେ ଥିବା ପ୍ରାୟ ୫୭୦ ପବିତ୍ର ବନକୁ କୁହାଯାଏ ଶୀତଳଥାନ।
ରାଜସ୍ଥାନର ବିଷ୍ଣୋୟୀ ସମ୍ପ୍ରଦାୟ ଦ୍ୱାରା ମରୁଭୂମିର ଶୁଷ୍କାଞ୍ଚଳରେ ସଂରକ୍ଷିତ ପବିତ୍ର ଦିନକୁ କୁହାଯାଏ ‘ଓରାଓଁ’। କେତେକ ସ୍ଥାନରେ ଏଗୁଡିକୁ କେଙ୍କରି କୁହାଯାଏ। ପାଖାପାଖି ୬୪୧ଟି ପବିତ୍ର ବନ ଏଠାରେ ରହିଛି। ମୁଖ୍ୟତଃ ଚାରଣଭୂମି, ମରୁଭୂମିରେ ଜଳଉତ୍ସ ଏବଂ କୃଷ୍ଣସାର ମୃଗଙ୍କ ଆବାସସ୍ଥଳୀ। ରାଜସ୍ଥାନର ‘ଓରାଓଁ’ ପବିତ୍ର ବନଗୁଡିକ ଚର୍ଚ୍ଚାରେ ରହିବାର ମୁଖ୍ୟ କାରଣ ହେଲା, ଗତବର୍ଷ ଡିସେମ୍ବରରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାଜସ୍ଥାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ‘ଓରାଓଁ’ଗୁଡ଼ିକର ସାଟେଲାଇଟ ଫଟୋଚିତ୍ର ଓ ଭିତ୍ତିଭୂମି ଚିହ୍ନଟକରି ବିଜ୍ଞପ୍ତି ପ୍ରକାଶ କରାଯାଉ। ସୁପ୍ରିମକୋର୍ଟ ଭାରତ ସରକାରଙ୍କ ‘ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ’ ମନ୍ତ୍ରଣାଳୟକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଥିବା ପୁରାତନ ପବିତ୍ର ବନଗୁଡ଼ିକର ସର୍ଭେକରି ତା’ର ସୁରକ୍ଷା ଓ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଅ। କାରଣ ସେଠାରେ ଥିବା ପ୍ରାକୃତିକ ବୃକ୍ଷଲତା ଓ ଜୈବବିବିଧତା ଯଥାସମ୍ଭବ ଅକ୍ଷୁଣ୍ଣ ବା ଅକ୍ଷତ ରହିଛି।
ଓଡ଼ିଶାରେ ପବିତ୍ର ବନକୁ କୁହାଯାଏ ‘ଜାହିରା’। କେତେକ ସ୍ଥାନରେ ଶାଳ ବା ପାଟ ବୋଲି ମଧ୍ୟ ନାମିତ କରାଯାଇଥାଏ। ବିଶେଷକରି ଆଦିମ ଜନଜାତି ବସବାସ କରୁଥିବା ଅଞ୍ଚଳରେ ସେମାନଙ୍କର ବିଶ୍ୱାସ, ରୀତିନୀତି ଓ ପରମ୍ପରାକୁ ନେଇ ପ୍ରତି ଗଁା ମୁଣ୍ଡରେ ପବିତ୍ର ବନ ରହିଥିବା ଦେଖାଯାଏ। ୨୦୨୬ ଏପ୍ରିଲରେ କରାଯାଇଥିବା ଏକ ଆକଳନ ମୁତାବକ ଓଡ଼ିଶାରେ ୨୧୬୬ଟି ପବିତ୍ର ବନ ବା ସାକ୍ରେଡ୍‌ ଗ୍ରୁଭ୍‌ସ ରହିଛି। ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ପଶ୍ଚିମାଞ୍ଚଳର ଆଦିବାସୀ ବହୁଳ ଜିଲାରେ ଏହା ଦେଖିବାକୁ ମିଳେ। ଓଡ଼ିଶାର ଉତ୍ତରରେ ଥିବା ମୟୂରଭଞ୍ଜ ଜିଲା ଓ ପାଖରେ ଥିବା କେନ୍ଦୁଝର ଜିଲାର କିଛି ଅଞ୍ଚଳରେ ଥିବା ପବିତ୍ର ବନକୁ କୁହାଯାଏ ଶରଣ ବା ଶାଳବଣି। ଓରାଓଁ, ମୁଣ୍ଡା, ଖଡ଼ିିଆ ଆଦି ଆଦିମ ଜନଜାତିଙ୍କ ଦ୍ୱାରା ଅକ୍ଷତ, ପ୍ରାକୃତିକ ଅବସ୍ଥାରେ ସଂରକ୍ଷିତ ଏହି ବନରେ ଗଛ କାଟିବା, ଗଛ ଉତାରିବା ବା ଜଙ୍ଗଲ ପଦାକରିବା ସେମାନଙ୍କର ଧାର୍ମିକ ବିଶ୍ୱାସ ଓ ପ୍ରଥା ଅନୁସାରେ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ। ଗୋରୁ, ଛେଳି ଏଠାରେ ଚରାଇବାକୁ ମଧ୍ୟ ବାରଣ କରାଯାଇଥାଏ। କୌଣସି କୌଣସିଠାରେ କେବଳ ମହୁ ସଂଗ୍ରହକରିବା, ଔଷଧୀୟ ଗୁଳ୍ମ ଓ ଝଡ଼ା ଡାଳପତ୍ର ସଂଗ୍ରହ କରିବାକୁ ଅନୁମତିି ଦିଆଯାଇଥାଏ। ଶାଳବଣିରେ ଆଦିବାସୀମାନେ ପରମ୍ପରାଗତ ପର୍ବପର୍ବାଣି ମନେଇଥାନ୍ତି। ଶାଳଗଛରେ ଫୁଲ ଫୁଟିବା ସମୟରେ ନାଚଗୀତ ଭରା ବାର୍ଷିକ ଉତ୍ସବ ଆଦିବାସୀମାନେ ପବିତ୍ର ବନରେ ପାଳନ କରନ୍ତି। ଏହି ପବିତ୍ର ପରମ୍ପରା ଆଦିବାସୀ ସମାଜକୁ ଏକ ସାଂସ୍କୃତିକ ଧରୋହରରେ ବାନ୍ଧି ରଖିଥାଏ। ଉତ୍ତରରେ କେନ୍ଦୁଝର ଏବଂ ଦକ୍ଷିଣରେ ଗଜପତି ଓ ରାୟଗଡ଼ା ଜିଲାର ଆଦିମ ଜନଜାତି ଭାତୁଡ଼ି, ଗୋଣ୍ଡ ଏବଂ ସଉରାମାନେ ସୁରକ୍ଷିତ ରଖିଥିବା ପବିତ୍ର ବନକୁ କୁହାଯାଏ ଶାଳ ବା ପାଟ। ଏହି ବନରେ ଅନେକ ପୁରାତନ ଗଛ ଯଥା ଶାଳ, ବର, ଅଶ୍ୱତ୍ଥ ଓ ବାଉଁଶ ମଧ୍ୟ ରହିଥାଏ। ଲେଖକ କିଛି ବର୍ଷ ତଳେ କୋରାପୁଟ ଜିଲାର ଦାମନଯୋଡ଼ି ନିକଟରେ ‘କଣ୍ଟା ବାଉଁଶୁଣୀ’ ନାମରେ ନାମିତ ଏକ ପବିତ୍ର ବନ ଦେଖିବାର ସୁଯୋଗ ପାଇଥିଲେ। ସେଠି କୌଣସି ଦେବୀ ପ୍ରତିମା ନ ଥିଲେ। କେବଳ ୨୦୦ ଫୁଟ ଉଚ୍ଚର କଣ୍ଟା ବାଉଁଶବୁଦାର ଘଞ୍ଚ ଜଙ୍ଗଲକୁ ସେଠାକର କନ୍ଧ, ଗଦବା ଆଦି ଜନଜାତି ପୂଜା କରୁଥିଲେ। ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାର କେତେକ ପବିତ୍ର ବନକୁ ‘ଦେମୁଲ’ କୁହାଯାଏ। ଭୂୟାଁ ଏବଂ ଓରାମ ଜନଜାତି ଗୋଷ୍ଠୀ ଦ୍ୱାରା ଏହି ପବିତ୍ର ବନକୁ ପୂଜା କରାଯାଇଥାଏ।
ବର୍ତ୍ତମାନ ଘଟୁଥିବା ଦ୍ରୁତ ସହରୀକରଣ, ରାସ୍ତାଘାଟ, ଭିତ୍ତିଭୂମି ନିର୍ମାଣ, ଅତ୍ୟଧିକ ଗୋଚାରଣ ଫଳରେ ପବିତ୍ର ବନଗୁଡ଼ିକ ସଙ୍କୁଚିତ ହେବାରେ ଲାଗିଛି। ଆନୁଷ୍ଠାନିକ ଭାବେ ପବିତ୍ର ବନର ସୁରକ୍ଷା ସଂଶୋଧିତ ବନ୍ୟପ୍ରାଣୀ ଆଇନ ୨୦୦୨ର ଧାରା ୩୭ ଅନୁସାରେ ଏଗୁଡ଼ିକୁ ଗୋଷ୍ଠୀ ଜଙ୍ଗଲ ଭାବେ ଘୋଷଣା କରାଯାଇପାରିବ। ସେହିପରି ଆଦିବାସୀମାନଙ୍କ ହିତ ପାଇଁ ପ୍ରଣୀତ ଜଙ୍ଗଲ ଅଧିକାର ଆଇନ, ୨୦୦୬ରେ ସ୍ଥାନୀୟ ଜନଜାତିଙ୍କୁ ପବିତ୍ର ବନଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇପାରେ।

ଡ. ବିଜୟ କେତନ ପଟ୍ଟନାୟକ
ପୂର୍ବତନ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ଓଡ଼ିଶା
ମୋ: ୯୪୩୭୦୦୦୯୦୪


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri