କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ ସମସ୍ତଙ୍କ ପାଇଁ ଅର୍ଥନୈତିକ ଓ ସାମାଜିକ ସ୍ୱାଧୀନତାରେ ରୂପାନ୍ତରିତ ହୋଇଛି କି ନାହିଁ ତାହା ପଚାରିବାର ସମୟ ଆସୁଛି। କୌଣସି ଆକର୍ଷଣୀୟ ନାରା, ସ୍ଲୋଗାନ ଏବଂ ପ୍ରଲୋଭନକାରୀ ପ୍ରତିଶ୍ରୁତିରୁ ଊର୍ଦ୍ଧ୍ୱରେ ରହିବା ଉଚିତ। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିକଶିତ ଭାରତ@୨୦୪୭’ର କଥା ପୁଣି ଉଠାଇଛନ୍ତି। ଏକ ‘ଶକ୍ତିର ସପ୍ତଧାରା’ଉତ୍ପାଦନ, କୃଷି ଓ ଖାଦ୍ୟ ସଂସ୍କରଣ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ଗତିଶକ୍ତି ଓ ଲଜିଷ୍ଟିକ୍ସ, ପ୍ରତିରକ୍ଷା, ସବୁଜ ଓ ନୀଳ ଅର୍ଥନୀତି କଥା କହିଛନ୍ତି। ଅବଶ୍ୟ ୨୦୨୩ ରୁ ୨୦୨୬ ପର୍ଯ୍ୟନ୍ତ, ଦେଶର ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତିକୁ ଚିହ୍ନିତ କରୁଥିବା ବିକଶିତ ଭାରତ@୨୦୪୭ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ପ୍ରଶ୍ନ ଉଠୁଛି: ଏହା ପୂର୍ୱରୁ କାହିଁକି ନୁହେଁ? ଭବିଷ୍ୟତ ବିଷୟରେ ସ୍ୱପ୍ନ ଦେଖିବାରେ କିଛି ଭୁଲ୍‌ ନାହିଁ। କିନ୍ତୁ ସ୍ୱପ୍ନ ଯେତେବେଳେ ଭ୍ରମରେ ପରିଣତ ହୁଏ ଏବଂ ବର୍ତ୍ତମାନର କଠୋର ବାସ୍ତବତାରୁ ଆମ ଦୃଷ୍ଟି ହଟାଇଦିଏ, ସେତେବେଳେ ତାହା ବିପଜ୍ଜନକ ହୋଇଥାଏ। ଭବିଷ୍ୟତକୁ ଆଜିର ବାସ୍ତବତା ଉପରେ ନିର୍ମାଣ କରାଯିବା ଉଚିତ, କେବଳ କଳ୍ପନାପ୍ରସୂତ ଚିନ୍ତାଧାରା ଉପରେ ନୁହେଁ। ତେଣୁ ଆମର ସ୍ୱପ୍ନ ମହତ୍ତ୍ୱାକାଂକ୍ଷୀ, ବାସ୍ତବବାଦୀ, ଦୂରଦୃଷ୍ଟିସମ୍ପନ୍ନ ହେବା ସହ ମାଟି ସହିତ ଯୋଡ଼ିହୋଇ ରହିବା ଉଚିତ ଏବଂ ସର୍ୱୋପରି ଶୋଷିତ ଓ ବଞ୍ଚିତ ବର୍ଗଙ୍କ ଜୀବନ ପ୍ରତି ସମ୍ୱେଦନଶୀଳ ହେବା ଆବଶ୍ୟକ।
ଜୀବନ ପରିବର୍ତ୍ତନଶୀଳ ଏବଂ କୋଭିଡ-୧୯ ମହାମାରୀ ଦେଖାଇଦେଲା ଯେ ପରିସ୍ଥିତି କେତେ ଶୀଘ୍ର ବଦଳିଯାଇପାରେ। ଆସନ୍ତାକାଲି କେତେ ଅନିଶ୍ଚିତ। ୧୯୨୩ ମସିହାରେ ପ୍ରକାଶିତ ତାଙ୍କ ପୁସ୍ତକ ‘ଏ ଟ୍ରାକ୍ଟ ଅନ୍‌ ମନିଟାରୀ ରିଫର୍ମ’ରେ ଜନ ମେନାର୍ଡ କେନ୍ସ ଲେଖିଥିଲେ , ‘ଦୀର୍ଘମିଆଦୀ ସମୟରେ ଆମେ ସମସ୍ତେ ମୃତ।’ତାଙ୍କର କହିବାର ଅର୍ଥ ଥିଲା ଯେ, ଦୀର୍ଘମିଆଦୀ ଅର୍ଥନୈତିକ ସଫଳତା ପାଇଁ ଅପେକ୍ଷା କରିବା ଦ୍ୱାରା ବର୍ତ୍ତମାନ କଷ୍ଟ ପାଉଥିବା ଲୋକଙ୍କୁ କୌଣସି ସାହାଯ୍ୟ ମିଳେନାହିଁ। ନୀତି ନିର୍ଦ୍ଧାରକମାନେ ସୁଦୂର ଭବିଷ୍ୟତର ପ୍ରତିଶ୍ରୁତି ଉପରେ ନିର୍ଭର ନ କରି ବର୍ତ୍ତମାନର ଅର୍ଥନୈତିକ ସମସ୍ୟାର ସମାଧାନ କରିବା ଉଚିତ। ଲୋକଙ୍କୁ ଆଜି ସହାୟତା, ନିଯୁକ୍ତି, ସୁରକ୍ଷା ଏବଂ ସୁଯୋଗ ଆବଶ୍ୟକ।
‘ବିକଶିତ ଭାରତ’ ଗଠନର ମାପଦଣ୍ଡ କ’ଣ ହେବ, ତାହା କେବେହେଲେ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇନାହିଁ। ବିଭିନ୍ନ ସରକାରୀ ବିବୃତି ଏବଂ ନୀତିଗତ ଆଲୋଚନାରୁ ଜଣାପଡ଼େ ଯେ, ଭାରତ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ହେବା ସହ ମୁଣ୍ଡପିଛା ଆୟ ପ୍ରାୟ ୧୮,୦୦୦ ଡଲାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏହା ଅବାସ୍ତବ ଲକ୍ଷ୍ୟ। ଯଦି ବି ବାସ୍ତବ କହୁ, ତେବେ ମୁଖ୍ୟ ପ୍ରଶ୍ନ ହେଉଛି, କେବଳ ବୃହତ ଜିଡିପି ଏବଂ ଉଚ୍ଚ ମୁଣ୍ଡପିଛା ଆୟକୁ ଭିତ୍ତିକରି ଏକ ଦେଶକୁ ବିକଶିତ କହିପାରିବା କି? ୨୦୨୪-୨୫ରେ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ କଥା କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଅର୍ଥନୀତି ଆକାର ମାତ୍ର ୩.୯୨ ଟ୍ରିଲିୟନ ଡଲାର। ଏହା ଭାରତର ଅର୍ଥନୈତିକ ଅଭିବୃଦ୍ଧିର ଗତି ଏବଂ ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ।
ବିଶ୍ୱ ବ୍ୟାଙ୍କ ଆମେରିକୀୟ ଡଲାରରେ ଆଟଲାସ ପଦ୍ଧତି ବ୍ୟବହାର କରି ଗଣନା କରାଯାଇଥିବା ମୁଣ୍ଡପିଛା ମୋଟ ଜାତୀୟ ଆୟ (ଜିଏନ୍‌ଆଇ) ଆଧାରରେ ଅର୍ଥବ୍ୟବସ୍ଥାଗୁଡ଼ିକର ବର୍ଗୀକରଣ କରେ। ପୂର୍ୱ କ୍ୟାଲେଣ୍ଡର ବର୍ଷର ମୁଣ୍ଡପିଛା ଜିଏନ୍‌ଆଇ ତଥ୍ୟ ବ୍ୟବହାର କରି ପ୍ରତିବର୍ଷ ଜୁଲାଇ ୧ରେ ଏହି ବର୍ଗୀକରଣ ଅପ୍‌ଡେଟ କରାଯାଏ। ଜୁଲାଇ ୧, ୨୦୨୬ ରୁ ଜୁନ୍‌ ୩୦, ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିବା ବର୍ତ୍ତମାନର ବର୍ଗୀକରଣ ପାଇଁ ୨୦୨୫ ମୁଣ୍ଡପିଛା ଜିଏନ୍‌ଆଇ ଆଧାରରେ ସୀମା ହେଉଛି: ୧,୧୭୫ ଡଲାର କିମ୍ୱା ତା’ଠାରୁ କମ୍‌ ମୁଣ୍ଡପିଛା ଜିଏନ୍‌ଆଇ ଥିବା ଅର୍ଥବ୍ୟବସ୍ଥାକୁ ନିମ୍ନ-ଆୟ; ୧,୧୭୬ ରୁ ୪,୬୩୫ ଡଲାର ମଧ୍ୟରେ ଥିବା ଅର୍ଥବ୍ୟବସ୍ଥାକୁ ନିମ୍ନ-ମଧ୍ୟମ-ଆୟ; ୪,୬୩୬ ରୁ ୧୪,୩୭୫ ଡଲାର ମଧ୍ୟରେ ଥିବା ଅର୍ଥବ୍ୟବସ୍ଥାକୁ ଉଚ୍ଚ-ମଧ୍ୟମ-ଆୟ; ଏବଂ ୧୪,୩୭୫ ଡଲାରରୁ ଅଧିକ ଥିବା ଅର୍ଥବ୍ୟବସ୍ଥାକୁ ଉଚ୍ଚ-ଆୟ ଗୋଷ୍ଠୀରେ ବର୍ଗୀକୃତ କରାଯାଇଛି। ନିମ୍ନ-ଆୟ ସ୍ଥିତିରୁ ଉପରକୁ ଉଠିବା ପରେ ଭାରତ ୨୦୦୭ରେ ବିଶ୍ୱ ବ୍ୟାଙ୍କର ନିମ୍ନ-ମଧ୍ୟମ-ଆୟ ବର୍ଗରେ ପ୍ରବେଶ କରିଥିଲା। ମୋଟ ଜିଡିପିରେ ବ୍ୟାପକ ଅଭିବୃଦ୍ଧି ସତ୍ତ୍ୱେ, ଭାରତ ସମାନ ବର୍ଗୀକରଣରେ ରହିଛି କାରଣ ଏହାର ମୁଣ୍ଡପିଛା ଜିଏନଆଇ ପ୍ରାୟ ୨,୫୦୦ ରୁ ୨,୭୦୦ ଡଲାର ମଧ୍ୟରେ ରହିଛି, ଯାହା ଉଚ୍ଚ-ମଧ୍ୟମ-ଆୟ ସୀମାଠାରୁ ଯଥେଷ୍ଟ କମ୍‌। ୨୦୪୭ରେ ଭାରତ ଏକ ବିକଶିତ ଅର୍ଥବ୍ୟବସ୍ଥା ହେବା କଷ୍ଟକର । ଏକ କଠିନ ପଥ।
୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ହାସଲ କରିବା ପାଇଁ ଡଲାର ମୂଲ୍ୟରେ ବାର୍ଷିକ ପ୍ରାୟ ୧୨% ଅଭିବୃଦ୍ଧି ଆବଶ୍ୟକ। କିନ୍ତୁ ଗତ ୧୨ ବର୍ଷ ମଧ୍ୟରେ ଡଲାର-ଆଧାରିତ ଜିଡିପିର ବାର୍ଷିକ ଚକ୍ରବୃଦ୍ଧି ହାର କେବଳ ୬% ପାଖାପାଖି ରହିଛି। ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ଉଚ୍ଚ-ଆୟ ସୀମା ପାର୍‌ କରିବା ପାଇଁ ଭାରତକୁ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ବାର୍ଷିକ ପ୍ରାୟ ୭.୮% ନିରନ୍ତର ବାସ୍ତବ ଜିଡିପି ଅଭିବୃଦ୍ଧି ଆବଶ୍ୟକ। କିନ୍ତୁ ୨୦୧୪ ରୁ ୨୦୨୪ ମଧ୍ୟରେ ହାରାହାରି ବାସ୍ତବ ଜିଡିପି ଅଭିବୃଦ୍ଧି ପ୍ରାୟ ୫.୯% ଥିଲା। ନୀତି ଆୟୋଗ ଉପାଧ୍ୟକ୍ଷ ଅଶୋକ ଲାହିରୀଙ୍କ ଅନୁଯାୟୀ, ୨୦୪୭ ସୁଦ୍ଧା ବିକଶିତ ଭାରତ ହାସଲ କରିବା ପାଇଁ ମୁଣ୍ଡପିଛା ଆୟକୁ ୧୮,୦୦୦ ଡଲାରକୁ ବୃଦ୍ଧି କରିବା ଆବଶ୍ୟକ ।
ଏଣୁ ୨୧ ବର୍ଷ ମଧ୍ୟରେ ବର୍ତ୍ତମାନର ଆମେରିକୀୟ ଡଲାରରେ ମୁଣ୍ଡପିଛା ଜିଡିପି ଅଭିବୃଦ୍ଧି ହାର ୯.୨୫% ଆବଶ୍ୟକ। ବର୍ତ୍ତମାନର ଏହା ୫.୨%ବାର୍ଷିକ ଚକ୍ରବୃଦ୍ଧି ହାରରେ ବୃଦ୍ଧି ପାଇଛି। ମୁଖ୍ୟ ପ୍ରଶ୍ନ ହେଉଛି: ଯଦି ଭାରତକୁ ଦଶନ୍ଧି ଦଶନ୍ଧି ଧରି ଉଚ୍ଚ ଅଭିବୃଦ୍ଧି ବଜାୟ ରଖିବାକୁ ପଡ଼ିବ, ତେବେ ଆବଶ୍ୟକ ଚାହିଦା, ପୁଞ୍ଜିନିବେଶ, ସଞ୍ଚୟ, ନିଯୁକ୍ତି ଏବଂ ଉତ୍ପାଦନଶୀଳତା ଅଭିବୃଦ୍ଧି କେମିତି ସମ୍ଭବ ହେବ ? ଉଚ୍ଚ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ଉତ୍ପାଦନଶୀଳ ପୁଞ୍ଜିନିବେଶ, ପର୍ଯ୍ୟାପ୍ତ ଘରୋଇ ସଞ୍ଚୟ, ନିଯୁକ୍ତି ସମ୍ପ୍ରସାରଣ ଏବଂ ଶ୍ରମ ଉତ୍ପାଦନଶୀଳତା ବୃଦ୍ଧି ଆବଶ୍ୟକ। ପୁନଶ୍ଚ ଯଦି ପର୍ଯ୍ୟାପ୍ତ ଚାହିଦା ନଥାଏ, ତେବେ କେବଳ ନୀତିଗତ ପ୍ରୋତ୍ସାହନ କିମ୍ୱା କର ରିହାତି ମାଧ୍ୟମରେ ଘରୋଇ ପୁଞ୍ଜିନିବେଶକୁ ବଜାୟ ରଖାଯାଇପାରିବ ନାହିଁ।
ପୁଞ୍ଜିନିବେଶ ଶେଷରେ ଭବିଷ୍ୟତର ଲାଭର ସମ୍ଭାବନା ଉପରେ ନିର୍ଭର କରେ ଏବଂ ଯେତେବେଳେ ସାଧାରଣ ଲୋକଙ୍କ କ୍ରୟଶକ୍ତି ଦୁର୍ୱଳ ଥାଏ ଏବଂ ବ୍ୟୟ ଓ ଚାହିଦା କମ୍‌ ଥାଏ, ସେତେବେଳେ ବ୍ୟବସାୟଗୁଡ଼ିକ ସେମାନଙ୍କ କ୍ଷମତା ସମ୍ପ୍ରସାରଣ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି। ବୃଦ୍ଧି ପାଉଥିବା କର୍ପୋରେଟ ସଞ୍ଚୟ ମଧ୍ୟ ସ୍ୱତଃପ୍ରବୃତ୍ତ ଭାବରେ ଉଚ୍ଚ ଉତ୍ପାଦନଶୀଳ ପୁଞ୍ଜିନିବେଶରେ ରୂପାନ୍ତରିତ ହୁଏ ନାହିଁ। ତେଣୁ ସମସ୍ୟା କେବଳ ପୁଞ୍ଜିର ନୁହେଁ ବରଂ ବ୍ୟାପକ କ୍ରୟଶକ୍ତିର ଅଭାବ ମଧ୍ୟ। ଭାରତକୁ ଏକ ସୁଦୃଢ଼ ନିଯୁକ୍ତି ସୃଷ୍ଟି ପ୍ରକ୍ରିୟାର ମଧ୍ୟ ଆବଶ୍ୟକତା ରହିଛି। ବୃଦ୍ଧି ପାଉଥିବା କାର୍ଯ୍ୟକ୍ଷମ ଜନସଂଖ୍ୟା କେବଳ ସେତେବେଳେ ଜନସଂଖ୍ୟାଗତ ଲାଭ (ଡେମୋଗ୍ରାଫିକ ଡିଭିଡେଣ୍ଡ)ରେ ପରିଣତ ହୁଏ ଯେତେବେଳେ ଲୋକମାନେ ଶ୍ରମ ବଜାରରେ ଭାଗ ନିଅନ୍ତି ଏବଂ ଉତ୍ପାଦନଶୀଳ ତଥା ପର୍ଯ୍ୟାପ୍ତ ବେତନପ୍ରାପ୍ତ ନିଯୁକ୍ତି ପାଆନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଅତ୍ୟାବଶ୍ୟକ ସେବା ସହଜରେ ଉପଲବ୍ଧ ହୁଏ ।
ତେଣୁ କେବଳ ଜାତୀୟ ରାଜପଥ, ଡିଜିଟାଲ ପ୍ଲାଟଫର୍ମ, ସେମିକଣ୍ଡକ୍ଟର ପ୍ଲାଣ୍ଟ, ପ୍ରତିରକ୍ଷା ଉତ୍ପାଦନ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମାଧ୍ୟମରେ ଏକ ବିକଶିତ ଭାରତ ଗଠନ କରାଯାଇପାରିବ ନାହିଁ। କିମ୍ୱା କୌଣସି ଦେଶକୁ କେବଳ ତା’ର ଅର୍ଥବ୍ୟବସ୍ଥାର ଆକାର, ସେଠାରେ ଥିବା କୋଟିପତିଙ୍କ ସଂଖ୍ୟା, ଷ୍ଟକ ମାର୍କେଟର ବୃଦ୍ଧି କିମ୍ୱା ପ୍ରଯୁକ୍ତିବିଦ୍ୟାର ସୂକ୍ଷ୍ମତା ଦ୍ୱାରା ଆକଳନ କରାଯାଇପାରିବ ନାହିଁ। ବିକାଶର ପ୍ରକୃତ ମାପଦଣ୍ଡ ହେଉଛି ଲୋକମାନଙ୍କ ପାଖରେ ସୁରକ୍ଷିତ ନିଯୁକ୍ତି, ପର୍ଯ୍ୟାପ୍ତ ପୋଷଣ, ଗୁଣାତ୍ମକ ଶିକ୍ଷା, ସୁଲଭ ସ୍ୱାସ୍ଥ୍ୟସେବା, ସମ୍ମାନଜନକ ବାସଗୃହ, ସାମାଜିକ ସୁରକ୍ଷା ଏବଂ ଗୋଟିଏ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଅଛି କି ନାହିଁ।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri