ଟିକାକରଣର ଶ୍ରେୟ କାହାକୁ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିକଟରେ ରାଜ୍ୟର କିଛି ଟିକାକରଣ କେନ୍ଦ୍ରରେ ଭାଜପା କର୍ମୀମାନେ ପଶି ସେଠାରେ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଓ ବ୍ୟାନରକୁ ଚିରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା କଟ୍‌ଆଉଟ୍‌ ଲଗାଇବାର ଦୁର୍ଭାଗ୍ୟଜନକ ଘଟଣା ସାମ୍‌ନାକୁ ଆସିଛି। ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ଲାଗିଲାନି, ତା’ରି ପ୍ରତିବାଦରେ ଭାଜପା କର୍ମୀମାନେ ସେପରି କରିବା ଜଣାପଡ଼ିଛି। ତେବେ ରାଜନୈତିକ ସ୍ବାର୍ଥ ପାଇଁ ଟିକାକରଣର ଶ୍ରେୟ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟର ଶାସକ ଦଳ ମଧ୍ୟରେ ଚାଲିଥିବା ଏଭଳି କୁତ୍ସିତ ପ୍ରତିଯୋଗିତା କୋଭିଡ୍‌ ଟିକାକରଣର କାର୍ଯ୍ୟକ୍ରମକୁ ରାଜନୈତିକ ଲଢ଼େଇର ଆଖଡ଼ାରେ ପରିଣତ କରିଦେଇଛି।
ପ୍ରଥମରୁ ହିଁ କେନ୍ଦ୍ର ସରକାର ଟିକାକରଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନେବା ପରିବର୍ତ୍ତେ ସବୁ ଏହାର ରାଜନୈତିକ ଶ୍ରେୟ ନିଜେ ନେବାକୁ ଚେଷ୍ଟା କରି ଆସିଛନ୍ତି। ଭାଜପା ପକ୍ଷରୁ ଦେଶ ସାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ହିଁ ଏହି ଟିକା ସମ୍ଭବ ହୋଇଛି ବୋଲି ପ୍ରଚାର କରାଯିବା ସହ କିଛି ନେତା କୋଭିଡ୍‌ ଟିକାକୁ ‘ମୋଦି ଟିକା’ ବୋଲି ବି କହିବାକୁ ପଛେଇ ନାହାନ୍ତି। ନିକଟରେ ଦେଶର ସବୁ ବିଶ୍ୱବିଦ୍ୟାଳୟରେ ମୋଦିଙ୍କ ଫଟୋ ଥାଇ ଟିକାକରଣର ବ୍ୟାନର ଲଗାଇବାକୁ ଇତି ମଧ୍ୟରେ ୟୁଜିସି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି କ୍ରମରେ ସବୁଠାରୁ ଖରାପ ପରମ୍ପରା ସୃଷ୍ଟି ହୋଇଛି, ଯେତେବେଳେ କେନ୍ଦ୍ର ସରକାର ଟିକାକରଣ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରଖିଲେ।
ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେବାକୁ ସରକାରଙ୍କ ଏଭଳି ପଦକ୍ଷେପ ରାଜନୈତିକ ବିବାଦ ସୃଷ୍ଟି କରିବା ସ୍ବାଭାବିକ ଥିଲା। ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିବାର ପ୍ରତିବାଦରେ ସାର୍ଟିଫିକେଟ୍‌ ନେବାକୁ କିଛି ବୁଦ୍ଧିଜୀବୀ ମନା କରିଥିବା ବେଳେ ସୋସିଆଲ ମିଡିଆରେ ଟିକା ସାର୍ଟିଫିକେଟ୍‌ ପରି କୋଭିଡ୍‌ ମୃତକଙ୍କ ମୃତ୍ୟୁ ସାର୍ଟିଫିକେଟ୍‌ରେ ବି ମୋଦିଙ୍କ ଫଟୋ ଲଗାଯାଉ ବୋଲି ଅନେକେ କଟାକ୍ଷ କଲେ। ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ମମତା ବାନାର୍ଜୀଙ୍କ ଅଭିଯୋଗ ପରେ ନିର୍ବାଚନ କମିଶନ ସାମୟିକ ଭାବେ ମୋଦିଙ୍କ ଫଟୋ ଲଗାଇବା ଉପରେ ସାମୟିକ ରୋକ୍‌ ଲଗାଇଥିଲେ। ବିରୋଧୀ ଦଳ ଶାସିତ ଅନ୍ୟ ରାଜ୍ୟ ସରକାର ମଧ୍ୟ ଏନେଇ ନିଜର ଅସନ୍ତୋଷ ପ୍ରକାଶ କରିବା ସହିତ ଟିକାକରଣର ଶ୍ରେୟ ନିଜେ ନେବାକୁ ବି ଚାହିଁଲେ। ଯେତେବେଳେ କେନ୍ଦ୍ର ସରକାର ରାଜ୍ୟ ଉପରେ ଟିକାକରଣର ଭାରକୁ ଲଦିଲେ, ସେତେବେଳେ ରାଜ୍ୟ ସରକାର ଏହାର ଶ୍ରେୟ ନେବାକୁ ସୁଯୋଗ ପାଇଗଲେ। ଏହି କ୍ରମରେ ଓଡ଼ିଶା ସରକାର ମଧ୍ୟ ରାଜ୍ୟର ସମସ୍ତ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସମ୍ବଳିତ ପୋଷ୍ଟର ଓ କଟ୍‌ଆଉଟ୍‌ ସବୁ ଛାଇ କରିଦେଇ ଏହି ବିବାଦକୁ ଆଉ ପାଦେ ଆଗକୁ ବଢ଼େଇଲେ।
ଏଠାରେ ପ୍ରଶ୍ନ ଉଠେ, ଟିକାକରଣର ଶ୍ରେୟ ରାଜନୈତିକ ନେତାଙ୍କୁ ଦେବା କେତେଦୂର ଯଥାର୍ଥ? ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍‌ ଟିକାକରଣ ଜୋରସୋରରେ ଚାଲିଥିବା ବେଳେ ଭାରତକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶରେ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି ଟିକାକରଣର ଶ୍ରେୟ ନେବାକୁ ଏଭଳି ଚେଷ୍ଟା କରିବା ଦେଖାଯାଇନି। ଏପରି କି ଆମ ଦେଶରେ ବି ଟିକାକରଣକୁ ନେଇ ଏଭଳି ବିବାଦ କେବେ ଦେଖାଯାଇ ନ ଥିଲା। ଦଶକ ଦଶକ ଧରି ଦେଶରେ ବିଭିନ୍ନ ରୋଗର ସଫଳ ଟିକାକରଣ ଚାଲିଥିଲେ ମଧ୍ୟ କୌଣସି ସରକାର ତା’ର ରାଜନୀତୀକରଣ କରିବାକୁ ଉଦ୍ୟମ କରି ନ ଥିଲେ। ଅନେକ ଶତାବ୍ଦୀ ଧରି ବସନ୍ତ ରୋଗ ଭାରତର ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ହୋଇ ରହିଥିଲା, ଯେଉଁଥିରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ ପ୍ରାଣ ହରାଉଥିଲେ। ଷାଠିଏ ଦଶକ ସୁଦ୍ଧା ବିଶ୍ୱର ୬୦% ବସନ୍ତ ରୋଗୀ ଭାରତରେ ଥିଲେ। କିନ୍ତୁ ୧୯୭୧-୭୫ ମଧ୍ୟରେ ତତ୍କାଳୀନ ସରକାର ଏହାର ନିରାକରଣ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସହାୟତାରେ ଏକ ବଡ଼ ଧରଣର ଟିକାକରଣ ଅଭିଯାନ ଚଳାଇବା ଫଳରେ ଦେଶରୁ ବସନ୍ତ ରୋଗ ସମ୍ପୂର୍ଣ୍ଣ ରୂପେ ମୂଳୋପତ୍ାଟିତ ହୋଇପାରିଥିଲା। ଏହି ଅଭିଯାନର ସଫଳତା ହିଁ ପରବର୍ତ୍ତୀ ଅବସ୍ଥାରେ ଦେଶରେ ଅନେକ ରୋଗର ଟିକାର ବିକାଶ ଓ ଗବେଷଣା କରିବାକୁ ଉତ୍ସାହିତ କରିଥିଲା। ଭାରତ ସରକାର ଜନସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ଦେଶରେ ସ୍ବାସ୍ଥ୍ୟସେବାର ଭିତ୍ତିଭୂମିକୁ ବିକଶିତ କରିବା ଆରମ୍ଭ କରିଥିଲେ।
ସେହିପରି ୧୯୯୦ ସୁଦ୍ଧା ଭାରତ ଏକ ପୋଲିଓ ଅଧ୍ୟୁଷିତ ଦେଶରେ ପରିଣତ ହୋଇଥିଲା। ପ୍ରତିଦିନ ୫୦୦-୧୦୦୦ ଶିଶୁ ପୋଲିଓ ଦ୍ୱାରା ଆକ୍ରାନ୍ତ ହୋଇ ଅକର୍ମଣ୍ୟର ଶିକାର ହେଉଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ପୋଲିଓ ଉନ୍ମୁଳନ ଅଭିଯାନ ଅନ୍ତର୍ଗତ ଦେଶବ୍ୟାପୀ ଯେଉଁ ଟିକାକରଣ ଅଭିଯାନ ନିଆଗଲା, ତା’ରି ଫଳସ୍ବରୂପ ୨୦୧୧ ସୁଦ୍ଧା ଭାରତ ସମ୍ପୂର୍ଣ୍ଣ ପୋଲିଓମୁକ୍ତ ହୋଇପାରିଥିଲା। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଦୁଇ ଦୁଇଟି ମାରାତ୍ମକ ବ୍ୟାଧିର ସଂପୂର୍ଣ୍ଣ ଉନ୍ମୁଳନ ପାଇଁ ହୋଇଥିବା ଉପରୋକ୍ତ ବିଶାଳକାୟ ଟିକାକରଣ ଅଭିଯାନ ସଫଳ ହେବା ସତ୍ତ୍ୱେ ଅତୀତରେ କୌଣସି ବି ସରକାର ଏହାର ରାଜନୀତୀକରଣ କରିବାକୁ ଚେଷ୍ଟା କରି ନ ଥିଲେ। ଟିକାକରଣ କେନ୍ଦ୍ରରେ କୌଣସି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କର ସାମାନ୍ୟ ଫଟୋଟିଏ ବି ଦେଖିବାକୁ ମିଳି ନ ଥିଲା। ବରଂ ଅଙ୍ଗନୱାଡି କର୍ମୀ ଓ ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଟିକାକରଣ କରୁଥିଲେ। ଆଜି କୋଭିଡ୍‌ ବିରୋଧରେ ଟିକାକରଣ ଅଭିଯାନରେ ଯୋଗାଡ଼ କରି ରେକର୍ଡ ସୃଷ୍ଟି କରିବା ନାଁରେ ସରକାର ଗୋଟିଏ ଦିନ ପାଇଁ ୮୦ ଲକ୍ଷ ଲୋକଙ୍କୁ ଟିକା ଲଗାଇ ରେକର୍ଡ କରିବାର ଦାବି କରିଛନ୍ତି। କିନ୍ତୁ ମନମୋହନ ସିଂଙ୍କ ସରକାର ସମୟରେ ପଲ୍‌ସ ପୋଲିଓ ଅଭିଯାନରେ ଗୋଟିଏ ଦିନରେ ୧୭ କୋଟି ଶିଶୁଙ୍କୁ ପୋଲିଓ ଟିକା ଦେଇ ବିଶ୍ୱରେ ଟିକାଦାନରେ ରେକର୍ଡ ସୃଷ୍ଟି କରିିଥିଲେ ମଧ୍ୟ ଏଭଳି ଆତ୍ମପ୍ରଚାର କରି ନ ଥିଲେ।
କୋଭିଡ୍‌ ମହାମାରୀର ପରିଚାଳନା ଏବଂ ଠିକ୍‌ ସମୟରେ ଟିକାକରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କେନ୍ଦ୍ର ସରକାର ନିଜର ଅପାରଗତାକୁ ଲୁଚେଇବା ପାଇଁ ଏବେ ଟିକାକରଣକୁ ବ୍ୟବହାର କରିବା ଦେଖାଯାଇଛି। ରାଜନୈତିକ ଶ୍ରେୟ ନେବା ପାଇଁ ଟିକାକରଣ ପରି ଏକ ଜନସ୍ବାସ୍ଥ୍ୟ ଅଭିଯାନର ରାଜନୀତୀକରଣ କରାଯାଇଛି। ଟିକାକରଣ ଜରିଆରେ କୋଭିଡ୍‌ ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ମୁଖ୍ୟ ଉଦ୍ଦେଶ୍ୟ ହେବା ବଦଳରେ ନିଜର ଭାବମୂର୍ତ୍ତିକୁ ବଢ଼ାଇବା ସରକାରଙ୍କ ପ୍ରମୁଖ ଉଦ୍ଦେଶ୍ୟ ହେବା ଦେଖିବାକୁ ମିଳିଛି; ଯାହାର ଭୁଲ୍‌ ଟିକାନୀତି ଏବଂ ଆପରାଧିକ ଅବହେଳା ଲାଗି ଟିକାକରଣରେ ଅହେତୁକ ବିଳମ୍ବ ହେଲା ଏବଂ କରୋନାର ଦ୍ୱିତୀୟ ଢେଉରେ ଦେଶରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଲେ ତଥା ଅନେକେ ପ୍ରାଣ ହରାଇଲେ, ତାଙ୍କରି ଫଟୋକୁ ଟିକା ସାର୍ଟିଫିକେଟ୍‌ରେ ରଖିବା ଅନାବଶ୍ୟକ ତଥା ଅଯୌକ୍ତିକ ମନେହୁଏ।
ଏଠାରେ ପ୍ରଶ୍ନ ଉଠେ, ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କ ଅବଦାନ କ’ଣ? ଭାଜପାର ନେତାମାନେ ବାରମ୍ବାର ଦାବି କରୁଛନ୍ତି ଯେ, ଦିଲ୍ଲୀରୁ ମୋଦି ଟିକା ପଠାଉଛନ୍ତି। କ’ଣ ପ୍ରଧାନମନ୍ତ୍ରୀ ନିଜ ପକେଟରୁ ବା ତାଙ୍କ ଦଳ ନିଜ ପାଣ୍ଠିରୁ ଏହି ଟିକାକରଣ ପାଇଁ ଅର୍ଥ ପ୍ରଦାନ କରୁଛନ୍ତି? କେବଳ ଭାରତ ନୁହେଁ, ସାରା ବିଶ୍ୱର ସରକାର ନିଜର ନାଗରିକମାନଙ୍କୁ ମାଗଣାରେ ଟିକାକରଣ କରୁଛନ୍ତି। ଭାରତରେ ସମସ୍ତଙ୍କୁ ମାଗଣାରେ ଟିକା ଦେବା ପାଇଁ ସରକାର ଗତ ବଜେଟ୍‌ରେ ୩୫,୦୦୦କୋଟି ବ୍ୟୟବରାଦ କରିଛନ୍ତି; ଯାହା କି ଜନଗଣଙ୍କଠାରୁ ନିଆଯାଉଥିବା ଟିକସ । କେବଳ ସେତିକି ନୁହେଁ, ଲୋକଙ୍କୁ ମାଗଣାରେ ଟିକାଦାନ କରିବାର ଯୁକ୍ତି ଦର୍ଶାଇ ଗତ କିଛି ମାସ ଧରି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧିକରି ଚାଲିଛନ୍ତି। ଅତଏବ ଜନଗଣଙ୍କ ଟିକସ ଅର୍ଥରେ ଚାଲିଥିବା ଟିକାକରଣର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ସାର୍ଟିଫିକେଟ୍‌ରେ ବି ତାଙ୍କର ଫଟୋ ରଖିବା ଆଦୌ ଯୁକ୍ତିସଙ୍ଗତ ହେଉନି। ବରଂ ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିବାକୁ ଯାଉଛି।
ଦେଶରୁ ଅନେକ ଭୟଙ୍କର ରୋଗକୁ ନିରାକରଣ କରିବାରେ ଭାରତର ଏକ ଲମ୍ବା ଓ ସଫଳତାର ଇତିହାସ ରହିଛି। ଗତ ସତୁରି ବର୍ଷ ମଧ୍ୟରେ ଦେଶରେ ଟିକାର ବିକାଶ ଓ ଗବେଷଣା ପାଇଁ ନୀତିଗତ ଭାବେ ଗୁରୁତ୍ୱ ଦିଆଯିବା ଫଳରେ ଆଜି ଭାରତ ଟିକା ଉପତ୍ାଦନରେ ଆତ୍ମନିର୍ଭରଶୀଳ ହେବା ସହ ବିଶ୍ୱର ଅନେକ ଦେଶକୁ ଟିକା ରପ୍ତାନି କରିପାରୁଛି। ତେବେ ଆମର ଟିକା କାର୍ଯ୍ୟକ୍ରମ ଦେଶର ସାମୂହିକ ଉଦ୍ୟମ ଏବଂ ବିଶ୍ୱସ୍ତରରେ ମାନବିକ ପ୍ରୟାସର ଫଳଶ୍ରୁତି ବୋଲି କୁହାଯାଇପାରେ। ଆଜି ଭାରତରେ ଉପତ୍ାଦିତ କୋଭିଡ୍‌ର ଦୁଇଟି ଟିକା ମଧ୍ୟରୁ କୋଭାକ୍ସିନ୍‌ ଭାରତରେ ବିକଶିତ ହୋଇଥିବା ବେଳେ କୋଭିସିଲ୍ଡ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ହୋଇଛି। ଅତଏବ ଭାରତ ସମେତ ବିଶ୍ୱରେ ବିକଶିତ ସମସ୍ତ କୋଭିଡ୍‌ ଟିକାର ଶ୍ରେୟଟି କୌଣସି ନିର୍ଦ୍ଦିଷ୍ଟ ଦେଶ ବଦଳରେ ସାରା ବିଶ୍ୱର ବୈଜ୍ଞାନିକମାନଙ୍କୁ ଯିବ; ଯେଉଁମାନେ ସର୍ବପ୍ରଥମେ କୋଭିଡ୍‌ ଭୂତାଣୁକୁ ଚିହ୍ନଟ କରିଛନ୍ତି, ତା’ର ଜିନୋମ୍‌ ସିକ୍ୱେନ୍ସକୁ ଉଜାଗର କରିଛନ୍ତି ଏବଂ ଶେଷରେ ଗବେଷଣା ଜରିଆରେ ଟିକାକୁ ବହୁତ କମ୍‌ ସମୟରେ ବିକଶିତ କରିପାରିଛନ୍ତି। ଏହା ବ୍ୟତୀତ ଯେଉଁ ସଂସ୍ଥାମାନେ ରେକର୍ଡ ସମୟରେ ଏହାର ଉପତ୍ାଦନ କରି କୋଟି କୋଟି ଲୋକଙ୍କ ପାଇଁ ଉପଲବ୍ଧ କରାଇପାରିଲେ ଏବଂ ସେହି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଯେଉଁମାନେ କୋଟି କୋଟି ଲୋକଙ୍କୁ ଟିକା ଲଗାଇ ଟିକାକରଣ ଅଭିଯାନକୁ ଶେଷରେ ସଫଳ କରିବାରେ ପ୍ରମୁଖ ଭୂମିକା ନେଲେ, ସେମାନେ ବି ଏହି ଶ୍ରେୟର ଅଧିକାରୀ ଅଟନ୍ତି।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri