ଗ୍ରାଣ୍ଡ୍‌ ପ୍ରାଇଜ୍‌ ବିଜେତା

ସାମ୍ବାଦିକତା ସରକାରଙ୍କ ଦ୍ୱାରା ନିର୍ଣ୍ଣୟ ହେବା ଉଚିତ ନୁହେଁ ଓ ସାମ୍ବାଦିକମାନେ ସରକାରଙ୍କଠାରୁ ପୁରସ୍କାର ଗ୍ରହଣ କରିବା ଅନୁଚିତ। କାରଣ ସେମାନେ ସରକାରଙ୍କ ଉପରେ ଲେଖିଥାଆନ୍ତି ଓ ବିଭିନ୍ନ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ସ୍ଥାନିତ କରିଥାଆନ୍ତି। ପ୍ରଖ୍ୟାତ ସାମ୍ବାଦିକ ପି. ସାଇନାଥ ଏହା କହିବା ସହ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପୁରସ୍କାରକୁ ସେ ଗ୍ରହଣ କରି ନ ଥିବା ପ୍ରକାଶ କରିଛନ୍ତି। କିନ୍ତୁ ନିଜ ବୃତ୍ତି ପ୍ରତି ଏକନିଷ୍ଠତା ଯୋଗୁ ସେ ଦେଶ ଓ ବିଦେଶରୁ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ନିକଟରେ ଜାପାନ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଫୁକୁଓକା ‘ଗ୍ରାଣ୍ଡ୍‌ ପ୍ରାଇଜ୍‌’ ୨୦୨୧ ତାଙ୍କୁ ମିଳିବା ପରେ ସେ ତାହାକୁ ନିଜ ଦ୍ୱାରା ପରିଚାଳିତ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ‘ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ’ (ପିଏଆର୍‌ଆଇ) ଏବଂ ଗ୍ରାମୀଣ ଭାରତ ଉପରେ ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କୁ ଉତ୍ସର୍ଗ କରିଛନ୍ତି। ପୁରସ୍କାର ଗ୍ରହଣ କରିବା ଅବସରରେ ସେ କହିଛନ୍ତି ଯେ, ଏହି ବାବଦକୁ ମିଳିଥିବା ୫ ମିଲିୟନ୍‌ ୟେନ୍‌ (୩୩ ଲକ୍ଷ ଟଙ୍କା) କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ସାହାଯ୍ୟ କରିବା ଲାଗି ପାଣ୍ଠି ଗଢ଼ିବା ସହ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଦଳିତ ଓ ଆଦିବାସୀ ବର୍ଗର ଖବରଦାତାଙ୍କୁ ଫେଲୋଶିପ୍‌ ଦେବାରେ ବିନିଯୋଗ କରିବେ। ଉଲ୍ଲେଖଯୋଗ୍ୟ ଯେ, ସିଟି ଅଫ୍‌ ଫୁକୁଓକା ଓ ଫୁକୁଓକା ସିଟି ଇଣ୍ଟରନ୍ୟାଶନାଲ ଦ୍ୱାରା ପ୍ରତିଷ୍ଠିତ ଫୁକୁଓକା ପୁରସ୍କାର ଏସୀୟ ସଂସ୍କୃତିକୁ ସାଇତି ରଖିବା ସହ ନୂତନତ୍ୱ ଆଣୁଥିବା ବ୍ୟକ୍ତି କିମ୍ବା ସଙ୍ଗଠନକୁ ପ୍ରଦାନ କରାଯାଇଥାଏ। ତିନିଟି କ୍ଷେତ୍ର ଯଥା-ଗ୍ରାଣ୍ଡ୍‌ ପ୍ରାଇଜ୍‌, ଏକାଡେମିକ୍‌ ଏବଂ ଆର୍ଟ ଆଣ୍ଡ୍‌ କଲ୍‌ଚରରେ ଏହା ପ୍ରତିବର୍ଷ ପ୍ରଦାନ କରାଯାଇଆସୁଛି। ଗ୍ରାମୀଣ ଭାରତରେ ନାଗରିକ ସହଯୋଗ ସ୍ଥାପନା ଦିଗରେ ତାଙ୍କ ଲେଖା ଓ ବିବରଣୀ ଏକ ନୂତନ ଶୈଳୀର ଜ୍ଞାନ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସାଇନାଥ ‘ଗ୍ରାଣ୍ଡ୍‌ ପ୍ରାଇଜ୍‌’ ପାଇଛନ୍ତି। ବିଗତ ୩୦ ବର୍ଷରେ ୧୧୫ ଜଣ ବ୍ୟକ୍ତି ଫୁକୁଓକା ପୁରସ୍କାର ପାଇଥିବା ବେଳେ ଭାରତରୁ ୧୧ ଜଣ ଏହା ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି-ଭାରତର ବିଶିଷ୍ଟ ଐତିହାସିକ ରୋମିଲା ଥାପର, ପ୍ରସିଦ୍ଧ ସରୋଦ ବାଦକ ଅମଜଦ୍‌ ଅଲ୍ଲୀ ଖାନ୍‌ ଓ ସଙ୍ଗୀତଜ୍ଞ ଏ.ଆର୍‌. ରହେମାନ୍‌ ।
ପାଲାଗୁମ୍ମି ସାଇନାଥ ୧୯୫୭ରେ ମାଡ୍ରାସରେ ଏକ ତେଲୁଗୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ରାଜନେତା ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଭି.ଭି. ଗିରିଙ୍କ ନାତି ହୋଇଥିଲେ ମଧ୍ୟ ସେ ସ୍ବକୀୟ ପ୍ରତିଭାରେ ଦୀପ୍ତିମନ୍ତ। ଚେନ୍ନାଇର ଲୟଲା କଲେଜରୁ ପଢ଼ିବା ପରେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ସେ ଇତିହାସରେ ଡିଗ୍ରୀ ଅର୍ଜନ କରିଥିଲେ। ବୃତ୍ତିଗତ ଜୀବନ ୧୯୮୦ରେ ସେ ୟୁନାଇଟେଡ୍‌ ନ୍ୟୁଜ୍‌ ଅଫ୍‌ ଇଣ୍ଡିଆରୁ ଆରମ୍ଭ କରିଥିଲେ। ପରେ ଭାରତର ପ୍ରମୁଖ ସାପ୍ତାହିକ ପତ୍ରିକା ‘ବ୍ଲିଜ୍‌’ରେ କାମ କରିଥିଲେ। ଏଥିରେ ବିଦେଶ ବ୍ୟାପାର ସମ୍ପାଦକ ଓ ପରେ ଏହାର ଉପ-ସମ୍ପାଦକ ଭାବେ ୧୦ ବର୍ଷ କାର୍ଯ୍ୟ କରିଥିଲେ। ତେବେ ସେ ‘ଦି ହିନ୍ଦୁ’ର ଗ୍ରାମୀଣ ବ୍ୟାପାର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ ଭାରତୀୟ ସାମ୍ବାଦିକତାରେ ଏକ ନୂଆ ଧାରା ସୃଷ୍ଟି କରିଥିଲେ। ତା’ ପରେ ପ୍ରମୁଖ ଗଣମାଧ୍ୟମ ଗ୍ରାମାଞ୍ଚଳ, କୃଷି ଓ ଆର୍ଥିକ ଅସ୍ବଚ୍ଛଳ ବର୍ଗଙ୍କ ବିଷୟରେ ଖବରମାନ ପ୍ରକାଶ କରିଚାଲିଲେ। ଏକଦା ସାଇନାଥଙ୍କ ବ୍ୟକ୍ତିତ୍ୱ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ନୋବେଲ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ ତାଙ୍କୁ ଦୁର୍ଭିକ୍ଷ ଓ କ୍ଷୁଧା ଦିଗରେ କାର୍ଯ୍ୟ କରୁଥିବା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବିଶେଷଜ୍ଞ ବୋଲି ଅଭିହିତ କରିଥିଲେ। ସାମ୍ବାଦିକ ଭାବେ ଗ୍ରାମୀଣ ଭାରତର ଅଭାବ ବିଷୟରେ ଫିଲ୍ଡ ରିପୋର୍ଟିଂ କରି ସାଉଁଟିଥିବା ଅନୁଭୂତି ଆଧାରରେ ରଚିତ ତାଙ୍କ ପୁସ୍ତକ ‘ଏଭ୍ରିବଡି ଲଭ୍‌ସ ଏ ଗୁଡ୍‌ ଡ୍ରାଉଟ୍‌’ ସାମ୍ବାଦିକତା କ୍ଷେତ୍ରରେ ମାଇଲ୍‌ଷ୍ଟୋନ୍‌ ପ୍ରତିଷ୍ଠା କରିପାରିଛି। ଭାରତର ୫ଟି ରାଜ୍ୟର ୧୦ ଜିଲାର ଗ୍ରାମାଞ୍ଚଳରୁ ଖବର ସଂଗ୍ରହ କରିବା ଲାଗି ପ୍ରାୟ ୧ ଲକ୍ଷ କିଲୋମିଟର ଅତିକ୍ରମ କରିବା ସକାଶେ ୧୬ ପ୍ରକାର ପରିବହନ ମାଧ୍ୟମ ଉପରେ ଭରସା କରିଥିଲେ। ଏପରି କି ୫ ହଜାର କିଲୋମିଟର ପାଦରେ ଚାଲିଚାଲି ସେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଉପରେ ରିପୋର୍ଟିଂ କରିଛନ୍ତି। ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଓଡ଼ିଶା ଭଳି ରାଜ୍ୟର କୃଷି ଓ କୃଷକଙ୍କ ବିଷୟରେ ଅନେକ ଗବେଷଣା କରିଛନ୍ତି। ତାଙ୍କ ଲେଖାଗୁଡ଼ିକ ଅନେକ ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଥିଲେ ମଧ୍ୟ ପ୍ରଶାସନିକ ହସ୍ତକ୍ଷେପ ପରେ ତାହା ଲୋକଙ୍କ ମଙ୍ଗଳରେ ଆସିବା ନିଶ୍ଚିତ ଉତ୍ସାହଜନକ ହୋଇପାରିଛି।
୧୯୯୫ରେ ସାମ୍ବାଦିକତା ପାଇଁ ସେ ପ୍ରଥମ ଭାରତୀୟ ଭାବେ ୟୁରୋପୀୟ କମିଶନ ଲୋରେଞ୍ଜୋ ନାଟାଲି ପୁରସ୍କାର ପାଇଥିଲେ। ୨୦୦୦ରେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଗ୍ଲୋବାଲ୍‌ ହ୍ୟୁମାନ୍‌ ରାଇଟ୍ସ ଜର୍ନାଲିଜମ୍‌ ପ୍ରାଇଜ୍‌ ଓ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ବୋର୍ମା ପୁରସ୍କାର ହାସଲ କରିଥିଲେ। ଏହା ପରେ ମଧ୍ୟ ସେ କେତେକ ଅନ୍ତର୍ଜାତୀୟ ସମ୍ମାନ ପାଇଥିଲେ। ହେଲେ ୨୦୦୭ରେ ସାମ୍ବାଦିକତା, ସାହିତ୍ୟ ଓ ସୃଜନଶୀଳ ଯୋଗାଯୋଗ କଳା ସକାଶେ ସେ ରମନ୍‌ ମାଗସେସେ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଥିଲେ। ସାଇନାଥ ଗ୍ରାମୀଣ ଭାରତ ଉପରେ ରିପୋର୍ଟିଂ କରି ଅନେକ ପ୍ରଶଂସିତ ହୋଇଛନ୍ତି। ତେବେ ସାଇନାଥଙ୍କ ଜୀବନୀ ଓ କ୍ୟାରିୟର ଉପରେ କାନାଡାର ଫିଲ୍ମ ନିର୍ମାତା ଜୋ ମୌଲିନ୍ସ ‘ଏ ଟ୍ରାଇବ୍‌ ଅଫ୍‌ ହିଜ୍‌ ଓଅନ୍‌’ ଶୀର୍ଷକ ପ୍ରାମାଣିକ ଚିତ୍ର ନିର୍ମାଣ କରିବା ନିଶ୍ଚିତ ଭାବେ ତାଙ୍କ ସୁଉଚ୍ଚ ବ୍ୟକ୍ତିତ୍ୱର ପରିଚୟ ଦେଉଛି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri