ଗ୍ରାଣ୍ଡ୍‌ ପ୍ରାଇଜ୍‌ ବିଜେତା

ସାମ୍ବାଦିକତା ସରକାରଙ୍କ ଦ୍ୱାରା ନିର୍ଣ୍ଣୟ ହେବା ଉଚିତ ନୁହେଁ ଓ ସାମ୍ବାଦିକମାନେ ସରକାରଙ୍କଠାରୁ ପୁରସ୍କାର ଗ୍ରହଣ କରିବା ଅନୁଚିତ। କାରଣ ସେମାନେ ସରକାରଙ୍କ ଉପରେ ଲେଖିଥାଆନ୍ତି ଓ ବିଭିନ୍ନ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ସ୍ଥାନିତ କରିଥାଆନ୍ତି। ପ୍ରଖ୍ୟାତ ସାମ୍ବାଦିକ ପି. ସାଇନାଥ ଏହା କହିବା ସହ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପୁରସ୍କାରକୁ ସେ ଗ୍ରହଣ କରି ନ ଥିବା ପ୍ରକାଶ କରିଛନ୍ତି। କିନ୍ତୁ ନିଜ ବୃତ୍ତି ପ୍ରତି ଏକନିଷ୍ଠତା ଯୋଗୁ ସେ ଦେଶ ଓ ବିଦେଶରୁ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ନିକଟରେ ଜାପାନ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଫୁକୁଓକା ‘ଗ୍ରାଣ୍ଡ୍‌ ପ୍ରାଇଜ୍‌’ ୨୦୨୧ ତାଙ୍କୁ ମିଳିବା ପରେ ସେ ତାହାକୁ ନିଜ ଦ୍ୱାରା ପରିଚାଳିତ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ‘ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ’ (ପିଏଆର୍‌ଆଇ) ଏବଂ ଗ୍ରାମୀଣ ଭାରତ ଉପରେ ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କୁ ଉତ୍ସର୍ଗ କରିଛନ୍ତି। ପୁରସ୍କାର ଗ୍ରହଣ କରିବା ଅବସରରେ ସେ କହିଛନ୍ତି ଯେ, ଏହି ବାବଦକୁ ମିଳିଥିବା ୫ ମିଲିୟନ୍‌ ୟେନ୍‌ (୩୩ ଲକ୍ଷ ଟଙ୍କା) କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ସାହାଯ୍ୟ କରିବା ଲାଗି ପାଣ୍ଠି ଗଢ଼ିବା ସହ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଦଳିତ ଓ ଆଦିବାସୀ ବର୍ଗର ଖବରଦାତାଙ୍କୁ ଫେଲୋଶିପ୍‌ ଦେବାରେ ବିନିଯୋଗ କରିବେ। ଉଲ୍ଲେଖଯୋଗ୍ୟ ଯେ, ସିଟି ଅଫ୍‌ ଫୁକୁଓକା ଓ ଫୁକୁଓକା ସିଟି ଇଣ୍ଟରନ୍ୟାଶନାଲ ଦ୍ୱାରା ପ୍ରତିଷ୍ଠିତ ଫୁକୁଓକା ପୁରସ୍କାର ଏସୀୟ ସଂସ୍କୃତିକୁ ସାଇତି ରଖିବା ସହ ନୂତନତ୍ୱ ଆଣୁଥିବା ବ୍ୟକ୍ତି କିମ୍ବା ସଙ୍ଗଠନକୁ ପ୍ରଦାନ କରାଯାଇଥାଏ। ତିନିଟି କ୍ଷେତ୍ର ଯଥା-ଗ୍ରାଣ୍ଡ୍‌ ପ୍ରାଇଜ୍‌, ଏକାଡେମିକ୍‌ ଏବଂ ଆର୍ଟ ଆଣ୍ଡ୍‌ କଲ୍‌ଚରରେ ଏହା ପ୍ରତିବର୍ଷ ପ୍ରଦାନ କରାଯାଇଆସୁଛି। ଗ୍ରାମୀଣ ଭାରତରେ ନାଗରିକ ସହଯୋଗ ସ୍ଥାପନା ଦିଗରେ ତାଙ୍କ ଲେଖା ଓ ବିବରଣୀ ଏକ ନୂତନ ଶୈଳୀର ଜ୍ଞାନ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସାଇନାଥ ‘ଗ୍ରାଣ୍ଡ୍‌ ପ୍ରାଇଜ୍‌’ ପାଇଛନ୍ତି। ବିଗତ ୩୦ ବର୍ଷରେ ୧୧୫ ଜଣ ବ୍ୟକ୍ତି ଫୁକୁଓକା ପୁରସ୍କାର ପାଇଥିବା ବେଳେ ଭାରତରୁ ୧୧ ଜଣ ଏହା ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି-ଭାରତର ବିଶିଷ୍ଟ ଐତିହାସିକ ରୋମିଲା ଥାପର, ପ୍ରସିଦ୍ଧ ସରୋଦ ବାଦକ ଅମଜଦ୍‌ ଅଲ୍ଲୀ ଖାନ୍‌ ଓ ସଙ୍ଗୀତଜ୍ଞ ଏ.ଆର୍‌. ରହେମାନ୍‌ ।
ପାଲାଗୁମ୍ମି ସାଇନାଥ ୧୯୫୭ରେ ମାଡ୍ରାସରେ ଏକ ତେଲୁଗୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ରାଜନେତା ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଭି.ଭି. ଗିରିଙ୍କ ନାତି ହୋଇଥିଲେ ମଧ୍ୟ ସେ ସ୍ବକୀୟ ପ୍ରତିଭାରେ ଦୀପ୍ତିମନ୍ତ। ଚେନ୍ନାଇର ଲୟଲା କଲେଜରୁ ପଢ଼ିବା ପରେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ସେ ଇତିହାସରେ ଡିଗ୍ରୀ ଅର୍ଜନ କରିଥିଲେ। ବୃତ୍ତିଗତ ଜୀବନ ୧୯୮୦ରେ ସେ ୟୁନାଇଟେଡ୍‌ ନ୍ୟୁଜ୍‌ ଅଫ୍‌ ଇଣ୍ଡିଆରୁ ଆରମ୍ଭ କରିଥିଲେ। ପରେ ଭାରତର ପ୍ରମୁଖ ସାପ୍ତାହିକ ପତ୍ରିକା ‘ବ୍ଲିଜ୍‌’ରେ କାମ କରିଥିଲେ। ଏଥିରେ ବିଦେଶ ବ୍ୟାପାର ସମ୍ପାଦକ ଓ ପରେ ଏହାର ଉପ-ସମ୍ପାଦକ ଭାବେ ୧୦ ବର୍ଷ କାର୍ଯ୍ୟ କରିଥିଲେ। ତେବେ ସେ ‘ଦି ହିନ୍ଦୁ’ର ଗ୍ରାମୀଣ ବ୍ୟାପାର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ ଭାରତୀୟ ସାମ୍ବାଦିକତାରେ ଏକ ନୂଆ ଧାରା ସୃଷ୍ଟି କରିଥିଲେ। ତା’ ପରେ ପ୍ରମୁଖ ଗଣମାଧ୍ୟମ ଗ୍ରାମାଞ୍ଚଳ, କୃଷି ଓ ଆର୍ଥିକ ଅସ୍ବଚ୍ଛଳ ବର୍ଗଙ୍କ ବିଷୟରେ ଖବରମାନ ପ୍ରକାଶ କରିଚାଲିଲେ। ଏକଦା ସାଇନାଥଙ୍କ ବ୍ୟକ୍ତିତ୍ୱ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ନୋବେଲ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ ତାଙ୍କୁ ଦୁର୍ଭିକ୍ଷ ଓ କ୍ଷୁଧା ଦିଗରେ କାର୍ଯ୍ୟ କରୁଥିବା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବିଶେଷଜ୍ଞ ବୋଲି ଅଭିହିତ କରିଥିଲେ। ସାମ୍ବାଦିକ ଭାବେ ଗ୍ରାମୀଣ ଭାରତର ଅଭାବ ବିଷୟରେ ଫିଲ୍ଡ ରିପୋର୍ଟିଂ କରି ସାଉଁଟିଥିବା ଅନୁଭୂତି ଆଧାରରେ ରଚିତ ତାଙ୍କ ପୁସ୍ତକ ‘ଏଭ୍ରିବଡି ଲଭ୍‌ସ ଏ ଗୁଡ୍‌ ଡ୍ରାଉଟ୍‌’ ସାମ୍ବାଦିକତା କ୍ଷେତ୍ରରେ ମାଇଲ୍‌ଷ୍ଟୋନ୍‌ ପ୍ରତିଷ୍ଠା କରିପାରିଛି। ଭାରତର ୫ଟି ରାଜ୍ୟର ୧୦ ଜିଲାର ଗ୍ରାମାଞ୍ଚଳରୁ ଖବର ସଂଗ୍ରହ କରିବା ଲାଗି ପ୍ରାୟ ୧ ଲକ୍ଷ କିଲୋମିଟର ଅତିକ୍ରମ କରିବା ସକାଶେ ୧୬ ପ୍ରକାର ପରିବହନ ମାଧ୍ୟମ ଉପରେ ଭରସା କରିଥିଲେ। ଏପରି କି ୫ ହଜାର କିଲୋମିଟର ପାଦରେ ଚାଲିଚାଲି ସେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଉପରେ ରିପୋର୍ଟିଂ କରିଛନ୍ତି। ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଓଡ଼ିଶା ଭଳି ରାଜ୍ୟର କୃଷି ଓ କୃଷକଙ୍କ ବିଷୟରେ ଅନେକ ଗବେଷଣା କରିଛନ୍ତି। ତାଙ୍କ ଲେଖାଗୁଡ଼ିକ ଅନେକ ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଥିଲେ ମଧ୍ୟ ପ୍ରଶାସନିକ ହସ୍ତକ୍ଷେପ ପରେ ତାହା ଲୋକଙ୍କ ମଙ୍ଗଳରେ ଆସିବା ନିଶ୍ଚିତ ଉତ୍ସାହଜନକ ହୋଇପାରିଛି।
୧୯୯୫ରେ ସାମ୍ବାଦିକତା ପାଇଁ ସେ ପ୍ରଥମ ଭାରତୀୟ ଭାବେ ୟୁରୋପୀୟ କମିଶନ ଲୋରେଞ୍ଜୋ ନାଟାଲି ପୁରସ୍କାର ପାଇଥିଲେ। ୨୦୦୦ରେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଗ୍ଲୋବାଲ୍‌ ହ୍ୟୁମାନ୍‌ ରାଇଟ୍ସ ଜର୍ନାଲିଜମ୍‌ ପ୍ରାଇଜ୍‌ ଓ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ବୋର୍ମା ପୁରସ୍କାର ହାସଲ କରିଥିଲେ। ଏହା ପରେ ମଧ୍ୟ ସେ କେତେକ ଅନ୍ତର୍ଜାତୀୟ ସମ୍ମାନ ପାଇଥିଲେ। ହେଲେ ୨୦୦୭ରେ ସାମ୍ବାଦିକତା, ସାହିତ୍ୟ ଓ ସୃଜନଶୀଳ ଯୋଗାଯୋଗ କଳା ସକାଶେ ସେ ରମନ୍‌ ମାଗସେସେ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଥିଲେ। ସାଇନାଥ ଗ୍ରାମୀଣ ଭାରତ ଉପରେ ରିପୋର୍ଟିଂ କରି ଅନେକ ପ୍ରଶଂସିତ ହୋଇଛନ୍ତି। ତେବେ ସାଇନାଥଙ୍କ ଜୀବନୀ ଓ କ୍ୟାରିୟର ଉପରେ କାନାଡାର ଫିଲ୍ମ ନିର୍ମାତା ଜୋ ମୌଲିନ୍ସ ‘ଏ ଟ୍ରାଇବ୍‌ ଅଫ୍‌ ହିଜ୍‌ ଓଅନ୍‌’ ଶୀର୍ଷକ ପ୍ରାମାଣିକ ଚିତ୍ର ନିର୍ମାଣ କରିବା ନିଶ୍ଚିତ ଭାବେ ତାଙ୍କ ସୁଉଚ୍ଚ ବ୍ୟକ୍ତିତ୍ୱର ପରିଚୟ ଦେଉଛି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri