କାହିଁ ବନ୍ଧୁତା

ଡା. ସୁରେନ୍ଦ୍ର ନାଥ ପତି

ବନ୍ଧୁତା ବା ଇଂଲିଶରେ ‘ଫ୍ରେଣ୍ଡ୍‌ଶିପ୍‌’ ଶବ୍ଦଟି ଉଚ୍ଚାରଣ କଲାମାତ୍ରେ, ଚକ୍ଷୁ ସମକ୍ଷରେ ଭାସିଉଠେ ଏକ ହସହସ ମୁଖ ଓ ସେହି ବ୍ୟକ୍ତିର ସ୍ନେହ, ସଦିଚ୍ଛା, ଶୁଭକାମନାର ହସ୍ତ ପ୍ରସାରଣ କରିବାର ଦୃଶ୍ୟଟିଏ। ଇଂଲିଶ ଡିକ୍‌ସନାରି ଅର୍ଥରେ ‘ଏକ ବ୍ୟକ୍ତି ଯାହାକୁ ସେ ଜାଣେ, ଭଲପାଏ ଓ ବିଶ୍ୱାସ କରେ’ ସେ ହିଁ ବନ୍ଧୁ। ପ୍ରତ୍ୟେକଙ୍କ ପାଇଁ ଏହା ଗ୍ରହଣୀୟ ହୋଇ ନ ପାରେ। ବହୁ ଲୋକ ଖୋଜନ୍ତି ସମାନ ପ୍ରକୃତି ହୋଇଥିବ, ସମାନ ଗୁଣ, ଲାଇକିଂ ଥିବ ଇତ୍ୟାଦି। ଗ୍ରୀକ୍‌ ଦାର୍ଶନିକ ଆରିଷ୍ଟୋଟଲ କହିଥିଲେ, ”ବନ୍ଧୁ କିଏ ?
ଯେଉଁଠି ଏକ ଆତ୍ମା, ଶରୀର ଦୁଇଟିରେ ବାସ କରୁଥାଏ।“ ଜଣେ ବ୍ୟକ୍ତି ତା’ର ବନ୍ଧୁ ସହ ମାନସିକ ଶାନ୍ତିରେ ରହିପାରେ, କିଛି କହିବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକତା ନ ଥାଏ, ଉପଯୁକ୍ତ ଶବ୍ଦ ଖୋଜିବାକୁ ପଡ଼େ ନାହିଁ, ସେ ବିନା ଦ୍ୱିଧାରେ ତା’ର ଅନ୍ତରର କଥା ବ୍ୟକ୍ତ କରିପାରେ। ତୁମ ନିଜଠାରୁ ସେ ତୁମକୁ ଭଲଭାବରେ ଚିହ୍ନେ, ତୁମର ମାନସିକ ଅବସ୍ଥା ସ୍ଥିର ନ ଥିଲାବେଳେ ସେ ପାଖରେ ଥାଇ ଆଶ୍ୱାସନା ଦିଏ, ମନୋବଳ ବଢ଼ାଏ। ଏ ବିଷୟରେ କୁହାଯାଇଛି, ”ତୁମେ ଦୁଇଜଣ ପରସ୍ପର ସଙ୍ଗେ କଳିକରି ଶୟନ କର, କିନ୍ତୁ ସକାଳେ ଭଲ ବୁଝାମଣା ନେଇ ଶଯ୍ୟା ତ୍ୟାଗ କର।“ ଏହା ପ୍ରକୃତ ବନ୍ଧୁତାର ଲକ୍ଷଣ। ପାରସ୍ପରିକ ସ୍ନେହମମତା, ବିଶ୍ୱସ୍ତତା, ସମ୍ମାନ, ଦୃଢ଼ ଆତ୍ମିକ ବନ୍ଧନ ହେଉଛି ବନ୍ଧୁତ୍ୱର ମୂଳଦୁଆ। ବନ୍ଧୁତ୍ୱ ଅନାଦି କାଳରୁ ମନୁଷ୍ୟ ଅନୁଭବରେ ଅଛି। ୨୭ ଏପ୍ରିଲ, ୨୦୧୧ରେ ଜାତିସଂଘ ସାଧାରଣ ପରିଷଦ ଜୁଲାଇ ୩୦କୁ ଅନ୍ତର୍ଜାତୀୟ ବନ୍ଧୁତା ଦବସ ଭାବେ ଘୋଷଣା କରିଥିଲା ଓ ସେବେଠାରୁ ଏହା ପାଳନ ହୋଇଆସୁଛି। ତେବେ ଭାରତ ସମେତ କେତେକ ଦେଶରେ ଜାତୀୟ ସ୍ତରରେ ଅଗଷ୍ଟ ପ୍ରଥମ ରବିବାରରେ ବନ୍ଧୁତା ଦିବସ ପାଳନ କରାଯାଉଛି।
ବନ୍ଧୁତ୍ୱ ଏକ ପାରସ୍ପରିକ ଗତିଶୀଳ ସମ୍ପର୍କ। ସମୟର ଗତି ସହ ଏହା ବଦଳୁଥାଏ। ଉଭୟ ପକ୍ଷର ଚେଷ୍ଟା, ଯତ୍ନ, ବୁଝାମଣାରେ ଏହା ବଜାୟ ରହେ, ଅଗ୍ରଗତି କରେ। ଶ୍ରୀକୃଷ୍ଣ ବାଲ୍ୟକାଳରେ ଗୋପାଳ ବାଳକଙ୍କ ସହ ବନ୍ଧୁ ଭାବରେ ଖେଳୁଥିଲେ, ଗାଈ ଚରାଉଥିଲେ, ପରସ୍ପରକୁ ଅନ୍ତରରୁ ଭଲ ପାଉଥିଲେ। ଗରିବ ସୁଦାମା ସହ ତାଙ୍କର ଅନ୍ତରର ବନ୍ଧୁତା ଥିଲା। ଯେଉଁ ବ୍ୟକ୍ତି ବାଲ୍ୟାବସ୍ଥାରେ ବନ୍ଧୁତ୍ୱ ସୃଷ୍ଟି କରିଥାଏ, ବୟସ୍କ ହେଲେ ସେ ଉତ୍ତମ ନାଗରିକଟିଏ ହୋଇ ବାହାରେ। ତା’ର ମାନସିକ ଦୃଢ଼ତା, ସମସ୍ୟା ସମାଧାନ କରିବାର ଦକ୍ଷତା ଅଧିକ ଦେଖାଯାଏ। ବୟସ ବଢ଼ିବା କ୍ରମେ ପିଲାଟିର ଚାକିରି, ବ୍ୟବସାୟ, ବିବାହ ସ୍ଥାନ ପରିବର୍ତ୍ତନ ଇତ୍ୟାଦି ଉପରେ ବନ୍ଧୁତ୍ୱର ବହୁ ପ୍ରଭାବ ଥାଏ। ପୂର୍ବରୁ ଥିବା ଅନ୍ତରଙ୍ଗ ବନ୍ଧୁଙ୍କୁ ତ୍ୟାଗକରି ନୂତନ ବନ୍ଧୁ ସେ ସୃଷ୍ଟି କରେ। ଆରିଷ୍ଟୋଟଲ ମତରେ, ବନ୍ଧୁତା ତିନି ପ୍ରକାରର। ଏହା ସବୁକାଳ ପାଇଁ ପ୍ରଯୁଜ୍ୟ। ପ୍ରଥମ- ଆବଶ୍ୟକତା ଯୋଗୁ ବନ୍ଧୁତା: ଯିଏ ତୁମକୁ ସାହାଯ୍ୟ କରେ, ସେବା ଯୋଗାଇଦିଏ, ତାକୁ ବନ୍ଧୁ କରାଯାଏ। ସେବା ବନ୍ଦ ହେଲେ ବନ୍ଧୁତା ବନ୍ଦ ହୋଇଯାଏ। ଏ ବନ୍ଧୁତା କ୍ଷଣସ୍ଥାୟୀ। ମଧ୍ୟବୟସ୍କ ବ୍ୟକ୍ତିଙ୍କଠାରେ ଏହା ଦେଖାଯାଏ। ଦ୍ୱିତୀୟ- ଆନନ୍ଦଦାୟକ ବନ୍ଧୁତ୍ୱ: ଏ ପ୍ରକାର ବନ୍ଧୁତା ଯୁବକ, ଯବୁତୀଙ୍କଠାରେ ଦେଖାଯାଏ। ପ୍ରେମ ସମ୍ପର୍କ ଗଢ଼ିଉଠେ। ହଠାତ୍‌ ଆସେ, ଆନନ୍ଦପ୍ରାପ୍ତି ସରିଗଲେ ଚାଲିଯାଏ। ତୃତୀୟ- ବନ୍ଧୁର ଉପକାର, ସୁଖ ପ୍ରଦାନ ପାଇଁ ବନ୍ଧୁତା: ଏହା ଦୀର୍ଘସ୍ଥାୟୀ ହୋଇଥାଏ। ପରସ୍ପରକୁ ବହୁଦିନ ଚିହ୍ନିଲା ପରେ ଓ ଦୁଃଖକଷ୍ଟର ସମୟ ଏକତ୍ର କାଟିଲା ପରେ ବିଶ୍ୱାସ, ଭଲପାଇବା ସୃଷ୍ଟି ହୁଏ। ସାମାଜିକ ସ୍ଥିତି, ପଦପଦବୀ, ଯୋଗ୍ୟତାର ଅଳଂକାର ଆବଶ୍ୟକ ହୁଏ ନାହିଁ। ବୟସ୍କ ବୃଦ୍ଧବ୍ୟକ୍ତି, ଅବସର ଗ୍ରହଣ କରିଥିବା ବ୍ୟକ୍ତି, ସାଂସାରିକ ଦାୟିତ୍ୱରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଏ ପ୍ରକାର ସମ୍ପର୍କ କ୍ରମେ ସୃଷ୍ଟି ହୁଏ। ସେମାନେ ପ୍ରାତଃଭ୍ରମଣ, ସାମାଜିକ ସଙ୍ଗଠନ, କ୍ଲବ୍‌, ମନ୍ଦିର ପ୍ରତିଷ୍ଠା ଆଦି କରି ସମୟ ବ୍ୟତୀତ କରିଥାନ୍ତି। ଶାରୀରିକ ସ୍ବାସ୍ଥ୍ୟ ଉତ୍ତମ ରହିବା ସହ ମାନସିକ ଅବସାଦ, ନିଃସଙ୍ଗତା ଦୂର ହୁଏ। ଆୟୁ ମଧ୍ୟ ବୃଦ୍ଧି ହୁଏ।
ଖୁବ୍‌ ନିକଟରେ ବସବାସ କରିବା, ପଡ଼ୋଶୀ ହେବା, ଏକତ୍ର ମିଳିତ ହେବା ପାଇଁ ସ୍ଥାନଟିଏ ମିଳିବା, ପରସ୍ପର ସହ ଏକାଧିକ ଥର ଦେଖାସାକ୍ଷାତ ହେବା ଦ୍ୱାରା ବନ୍ଧୁ ହେବାକୁ ଆଗ୍ରହ ସ୍ବତଃ ହୁଏ। ବାଟରେ କିମ୍ବା ପ୍ରାତଃ ଭ୍ରମଣରେ ହ୍ୟାଲୋ, ହାଏ କହୁ କହୁ ବି ବନ୍ଧୁତା ସୃଷ୍ଟି ହୋଇଥାଏ। କିଛି ଗୁପ୍ତ କଥା, ବ୍ୟକ୍ତିଗତ କଥା ଏକାନ୍ତରେ, ବିଶ୍ୱାସରେ କହିବା ପାଇଁ ପରିସ୍ଥିତି ଆସିଲେ ଗାଢ଼ ବନ୍ଧୁତା ହୁଏ।
ଉଭୟ ବନ୍ଧୁ କୌଣସି କାରଣରୁ ବହୁ ଦୂରରେ ବସବାସ କଲେ, ମନୋମାଳିନ୍ୟ ହେଲେ ପୁରୁଣା ବନ୍ଧୁତାକୁ ଭୁଲିଯାଆନ୍ତି। ବନ୍ଧୁତ୍ୱର ଜୟଗାନ କରି ବହୁ ମନୀଷୀ ଅତୀତରେ ବିଭିନ୍ନ ପ୍ରକାର କହିଛନ୍ତି। ୧. ଭଲ ବନ୍ଧୁ, ଭଲ ବହି, ଏକ ଜାଗ୍ରତ ବିବେକ; ଏହା ହିଁ ଆଦର୍ଶ ଜୀବନ- ମାର୍କ ଟ୍ବାଇନ। ୨. ଜଣେ ବନ୍ଧୁ ହେଉଛି ସିଏ, ଯିଏ ତୁମ ବିଷୟରେ ସବୁ ଜାଣି, ଭଲ ଓ ମନ୍ଦ ତଥାପି ତୁମକୁ ଭଲପାଏ- ଏଲବର୍ଟ ହୁବାର୍ଡ। ୩. ମୁଁ ମୋର ବନ୍ଧୁଙ୍କ ସହ ଅନ୍ଧାରରେ ଚାଲିବାକୁ ପସନ୍ଦ କରିବି, କିନ୍ତୁ ଏକାକୀ ଆଲୁଅରେ ଚାଲିବାକୁ ନୁହେଁ- ହେଲେନ୍‌ କେଲର।
ଆମ ଓଡ଼ିଆରେ ଅଛି- ”କାହିଁ ବନ୍ଧୁତା, କାହିଁ ପ୍ରେମ ସୁନ୍ଦର, ଯା’ର ପ୍ରାପତି ଲାଗି ଦେବତା ନର।“ ସ୍ବର୍ଗର ଦେବତାମାନେ କ୍ଷମତା କଳହରେ ବ୍ୟସ୍ତ ହୋଇ, ବନ୍ଧୁତ୍ୱର ସ୍ବାଦ ଆସ୍ବାଦନ କରିବା ପାଇଁ ଧରାପୃଷ୍ଠରେ ଜନ୍ମଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମନୁଷ୍ୟ ମଧ୍ୟରେ ହିଁ ପ୍ରେମ, ବନ୍ଧୁତା, ସୌହାର୍ଦ୍ଦ୍ୟ, ପ୍ରୀତି ଦେଖାଯାଏ।
ମୋ: ୯୪୩୭୪୯୪୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri