ସ୍ପଷ୍ଟ କୃଷି ନୀତି କେବେ

କିଛି ଦିନ ତଳେ ଜଣେ କୃଷକ ତାଙ୍କ କୋବି ବିଲରେ ଟ୍ରାକ୍ଟର ପୂରେଇ ଫସଲ ଉଜାଡି ଦେବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏଥିରୁ ଆମ ରାଜ୍ୟରେ କୃଷକ ଓ କୃଷିର ଅବସ୍ଥା ବିଷୟରେ କଳନା କରାଯାଇପାରେ। ତିରଟ ସମୟରେ କୃଷକଟିଏ ବଜାର ଦରର ମହଙ୍ଗା ମାଡ଼ର ଶିକାରହୋଇ ନିଜର କ୍ରୟ ଶକ୍ତି ହରାଏ ଆଉ ଅଧିକ ଅମଳ ସମୟରେ ବିଶେଷକରି ଶୀତଦିନରେ ଉପତ୍ାଦିତ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ନ ପାଇ ଅଭାବୀ ବିକ୍ରିର ଶିକାର ହୁଏ। ସେଥିପାଇଁ କେବେକେବେ ରାସ୍ତାରେ ଟ୍ରକ୍‌ ଟ୍ରକ୍‌ ବିଲାତି ଢଳା ହେବାର ଖବର ଅଥବା କୃଷକଟିଏ ନିଜ ଫସଲ ନିଜେ ଉଜାଡି ଦେବାର ଖବର ବା ବିଲରେ ବିଷପିଇ ଆତ୍ମହତ୍ୟା କରିବାର ଛାତିଥରା ଖବର ଶୁଣିବାକୁ ହୁଏ।
କୃଷକଟିଏ ବହୁ କଷ୍ଟରେ ସମବାୟ ସଂସ୍ଥାରୁ ହେଉ, କୌଣସି ମହାଜନ ପାଖରୁ ବା ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ନେଇ ଫସଲ ପାଇଁ ବିହନ କ୍ରୟ କରେ। ବେଳେ ବେଳେ ନକଲି ସରକାରୀ ବିହନର ଶିକାର ହୋଇ ହତାଶ ହୁଏ। କେବେ ଯଦି ବିହନ ଗଜା ହୁଏ ନିମ୍ନମାନର ବିହନ ପାଇଁ ଅମଳ ବି ଭଲ ଆସେନାହିଁ। ଫସଲ ଅମଳକ୍ଷମ ହେବା ପର୍ଯ୍ୟନ୍ତ ଚାଷ, ସାର, ମଜୁରି, ଜଳକର ଇତ୍ୟାଦି ପାଇଁ ସେ ଅନେକ ପଇସା ଖର୍ଚ୍ଚ କରେ। ଅଧିକାଂଶ ସମୟରେ ଅଭାବୀ ବିକ୍ରିର ଶିକାର ହୋଇ ଖର୍ଚ୍ଚ କରିଥିବା ମୂଳ ପଇସା ମଧ୍ୟ ଉଠାଇ ପାରେନାହିଁ।
ସାରା ଦୁନିଆକୁ ଆହାର ଯୋଗାଉଥିବା ଲୋକଟି ଭାଗ୍ୟରେ କ’ଣ ପାଇଁ ଏତେ ଦୁଃଖ ଲେଖା ହୋଇଥାଏ? ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ବିଭିନ୍ନ ସମୟରେ କୃଷକମାନଙ୍କର ବ୍ୟାଙ୍କ ଆକାଉଣ୍ଟ୍‌କୁ ସିଧାସଳଖ କୋଟି କୋଟି ଟଙ୍କା ଦିଆଯାଉଥିବାର ବିଜ୍ଞାପନ ପ୍ରସାରିତ ହେଉଛି। ହେଲେ କୃଷକର ବାସ୍ତବ ସ୍ଥିତି କ’ଣ? ଏମିତି ବି ରାଜ୍ୟ ସରକାର କିଛି ବର୍ଷ ହେବ କୃଷିକୁ ଗୁରୁତ୍ୱ ଦେଇ ସ୍ବତନ୍ତ୍ର କୃଷି ବଜେଟ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ବରାଦ ହୋଇଥିବା ଅର୍ଥ ଖର୍ଚ୍ଚ ନ ହୋଇ ପଡି ରହୁଛି। ଏଥିପାଇଁ କ’ଣ ସରକାରୀ କଳର ଉଦାସୀନତା ଦାୟୀ ନୁହେଁ କି?
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ଯୋଜନା କରି ବସିଯାଆନ୍ତି। ତା’ର ସଫଳ ରୂପାୟନ କେମିତି ହେବ, କୃଷକମାନଙ୍କର ପ୍ରକୃତ ଉନ୍ନତି କେମିତି ହେବ ସେ ବିଷୟରେ ବିଭାଗୀୟ ଅଧିକାରୀମାନେ କେବେବି ଯତ୍ନବାନ ନୁହନ୍ତି। ଆଳୁ ମିଶନକୁ ଉଦାହରଣ ଭାବେ ନିଆଯାଇପାରେ। ଆଳୁ ପାଇଁ ଓଡ଼ିଶା ସରକାର ସଦାବେଳେ ପଶ୍ଚିମବଙ୍ଗ, ପଞ୍ଜାବ ଓ ଉତ୍ତରପ୍ରଦେଶ ଉପରେ ନିର୍ଭରଶୀଳ। ଏଥିପାଇଁ ରାଜ୍ୟ ସରକାର ବାରମ୍ବାର ସମାଲୋଚିତ ହେବା ଫଳରେ ୨୦୧୫-୧୬ରେ ୩ବର୍ଷିଆ ଆଳୁ ମିଶନ ଯୋଜନା କରିଥିଲେ। ଲକ୍ଷ୍ୟ ଥିଲା ଯେ ଓଡ଼ିଶାର ବାର୍ଷିକ ଆବଶ୍ୟକ ପଡୁଥିବା ୧୨ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁର ଉପତ୍ାଦନ କରିବା ଓ ତା’ର ସଂରକ୍ଷଣ କରିବା। ସେଥିପାଇଁ ୧୧୨ଟି ନୂତନ ଶୀତଳଭଣ୍ଡାର ନିର୍ମାଣର ଯୋଜନା ମଧ୍ୟ କରାଯାଇଥିଲା। ମାତ୍ର ଏଇ ୩ବର୍ଷିଆ ଆଳୁ ମିଶନର ଅବଧି ଶେଷ ହୋଇ ୭ବର୍ଷ ବିତିଯାଇଥିଲେ ବି ମାତ୍ର ୪ଟି ଶୀତଳଭଣ୍ଡାର ନିର୍ମାଣ କରାଯାଇଛି। ଏପଟେ ସରକାର ଅଲଗା ରାଜ୍ୟରୁ ବାର୍ଷିକ ୧୩ଲକ୍ଷ ୨୦ହଜାର ମେଟ୍ରିକ୍‌ ଟନ୍‌ ଆଳୁ ଆମଦାନୀ କରୁଛନ୍ତି। ଇଏ ହେଲା ଆମ କୃଷି ନୀତି।
ସରକାରଙ୍କ ଯେଉଁ କେତୋଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି ତାହାର ସଂରକ୍ଷଣ କ୍ଷମତା ମାତ୍ର ୧୪୮୦ ମେଟ୍ରିକ୍‌ ଟନ୍‌ । ଚାଷୀଟିଏ ଅଭାବୀ ବିକ୍ରି ପାଇଁ ଇଏ କ’ଣ ଏକ କାରଣ ନୁହେଁ। ଓଡ଼ିଶା ଗୋଟିଏ କୃଷିପ୍ରଧାନ ରାଜ୍ୟ । ଶୀତଋତୁରେ ଏଠି ପ୍ରଚୁର ପରିମାଣର ଫୁଲକୋବି, ବନ୍ଧାକୋବି ଓ ଟମାଟୋ ଉପତ୍ାଦିତ ହୋଇଥାଏ। ଅଧିକ ଉପତ୍ାଦନର ସୁଯୋଗ ନେଇ ବେପାରୀମାନେ ଚାଷୀମାନଙ୍କ ସହିତ ମୂଲଚାଲ କରିଥାନ୍ତି। ଫଳରେ ଚାଷୀଟିଏ ନଷ୍ଟ ହୋଇଯିବା ଭୟରେ ଦି’ ପଇସା ପାଇବା ଆଶାରେ ଶସ୍ତାରେ ବିକ୍ରି କରିଥାଏ। ଯଦି ପାଖରେ ଶୀତଳ ଭଣ୍ଡାରଟିଏ ଥାଆନ୍ତା ବଜାର ଦର ଉଚ୍ଚା ରହିଥିବା ସମୟରେ ସେ ତା’ର ଉପତ୍ାଦିତ ଫସଲକୁ ଶୀତଳ ଭଣ୍ଡାରରୁ ବାହାର କରି ଉଚିତ ମୂଲ୍ୟରେ ବିକ୍ରି କରିପାରିଥାନ୍ତା। ଏଥିପାଇଁ ବେପାରୀଙ୍କୁ ଆଉ ଖୁସାମନ୍ତ କରିବାକୁ ପଡ଼ି ନଥାନ୍ତା।
ଚଳିତ ବର୍ଷ ପରି ୧୯୯୯ରେ ମଧ୍ୟ ଅନୁରୂପ ପରିସ୍ଥିତି ହୋଇଥିଲା। କୃଷକମାନେ ଅଭାବୀ ବିକ୍ରିର ଶିକାର ହୋଇ ଅମଳ ହେବାକୁ ଥିବା ଫସଲରେ ଗୋରୁ ଛାଡି ଦେଇଥିଲେ। ଯାହାକି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ସେଥିପାଇଁ ତତ୍କାଳୀନ କେନ୍ଦ୍ର ସରକାର ଶୀତଳ ଭଣ୍ଡାର ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ। ତା’ର ଫାଇଦା ବିଭିନ୍ନ ରାଜ୍ୟ ମଧ୍ୟ ନେଇଥିଲେ। ଏପରିକି ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଅଧିକାଂଶ ପଞ୍ଚାୟତରେ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲା, ଯାହାକି ଓଡ଼ିଶାର ମୋଟ ଶୀତଳ ଭଣ୍ଡାରଠାରୁ ଯଥେଷ୍ଟ ଅଧିକ। ବର୍ତ୍ତମାନ ରାଜ୍ୟ ସରକାର ୫ହଜାର ଟନ୍‌ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ପାଇଁ ଲୋଭନୀୟ ରିହାତି ଘୋଷଣା କରିଛନ୍ତି। ମାତ୍ର ସରକାରୀ ଘୋଷଣା ଆଉ ରିହାତି ଦେବାରେ ଟାଳଟୁଳ ନୀତି କାରଣରୁ ବେସରକାରୀ ସ୍ତରରେ କାୈଣସି ବ୍ୟକ୍ତିବିଶେଷ ଏଥିପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏଣେ କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ ସରକାର କରୁଥିବା ବ୍ୟୟବରାଦ ବିଭାଗୀୟ ଅଧିକାରୀମାନେ ଖର୍ଚ୍ଚ କରିପାରୁ ନାହାନ୍ତି। ତାହାହେଲେ କୃଷିର ଉନ୍ନତି ହେବ କିପରି? କେନ୍ଦ୍ର ହେଉ କିମ୍ବା ରାଜ୍ୟ ସରକାରଙ୍କ ଯୋଜନାରେ ଅଧିକାଂଶ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ମଝିରେ ମଝିରେ ଟଙ୍କା ଗଲେ କୃଷି ଆଉ କୃଷକର ଉନ୍ନତି ହେବା ସମ୍ଭବ କି? ଏହା କ’ଣ ଗୋଟିଏ କୃଷିପ୍ରଧାନ ଦେଶ ବା ରାଜ୍ୟର କୃଷକ ଉନ୍ନତିର ଗୋଟିଏ ସଫଳ ନୀତି?
ପଞ୍ଚାୟତ କଥା ଛାଡ଼। ବ୍ଲକ ସ୍ତରରେ ଗୋଟିଏ ଲେଖାଏ ଶୀତଳ ଭଣ୍ଡାର ନିର୍ମାଣ କଲେ କ’ଣ କ୍ଷତି ହୁଅନ୍ତା? ବରଂ କୃଷକଟିଏ କୃଷି ପ୍ରତି ଅଧିକ ଆଗ୍ରହୀ ହୋଇ ବଳକା ଅମଳକୁ ସଂରକ୍ଷଣ କରନ୍ତା ଆଉ ଉପଯୁକ୍ତ ବଜାର ମୂଲ୍ୟ ପାଆନ୍ତା। ଦୁଇ ମାସ କଷ୍ଟକରି ବଢ଼େଇ କୁଢ଼େଇ ଅମଳ ଯୋଗ୍ୟ ହେଉଥିବା ଫସଲକୁ କ’ଣ ପାଇଁ ଟ୍ରାକ୍ଟର ଚଢ଼େଇ ନଷ୍ଟ କରନ୍ତା! ଆମେ ଲକ୍ଷ ଲକ୍ଷ ଟଙ୍କା ଦରମା ପାଇଲେ କି ରୋଜଗାର କଲେ ବି ଆମର ଖାଦ୍ୟ ସୁନା, ରୁପା ହୋଇଯିବ ନାହିଁ। ସେଇ ଧାନ, ଚାଉଳ, ଗହମ, ମୁଗ, ବିରି ବା ପନିପରିବାରୁ ଉପତ୍ାଦିତ ଖାଦ୍ୟ ହିଁ ଗ୍ରହଣ କରିବା। ଆଉ ସେ ସବୁର ଉପତ୍ାଦକ ହେଉଛି କୃଷକ। ତେଣୁ କେବଳ ଘୋଷଣାରେ ନୁହେଁ କୃଷି ଆଉ କୃଷକର ପ୍ରକୃତ ଉନ୍ନତି ପାଇଁ ଯୋଜନା କରାଯାଉ। ବଜାର ଦର ଓ ସଂରକ୍ଷଣ ଉପରେ ବ୍ୟବସାୟୀ ଏବଂ କୃଷି ବିଶେଷଜ୍ଞମାନଙ୍କ ସହିତ ସରକାରୀ ସ୍ତରରେ ଆଲୋଚନା କରାଯାଇ ଉପଯୁକ୍ତ ବା ସ୍ପଷ୍ଟ କୃଷି ନୀତି ଗ୍ରହଣ କରାଯାଉ। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚିନ୍ତା କରିବା ଦରକାର।

  • ବିପ୍ଳବ

ମକୁନ୍ଦପୁର,ବାଙ୍କୀ
ମୋ-୯୪୩୭୪୬୮୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?