ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ

 

 

ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ ଉତ୍ସବମୁଖର ହୋଇଉଠିଛି। ଏହି ନିର୍ବାଚନରେ ଦେଶର ପ୍ରାୟ ୯୭ କୋଟି ଭୋଟର ୧୦.୫ ଲକ୍ଷ ଭୋଟଦାନ କେନ୍ଦ୍ରରେ ନିଜର ଭୋଟ ଦେବେ। ସମ୍ପ୍ରତି ସବୁଠି ଲୋକମାନଙ୍କର ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ହେଉଛି ନିର୍ବାଚନ। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ନିର୍ବାଚନରେ ଲୋକମାନଙ୍କର ବାସ୍ତବ ଭୂମିକା କ’ଣ ହେବ। ଲୋକମାନେ କ’ଣ ନିର୍ବାଚନର ଅଗ୍ରଭାଗରେ ଅଛନ୍ତି। କଥାରେ ଅଛି ଗଣତନ୍ତ୍ର ଲୋକଙ୍କର, ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ। କିନ୍ତୁ ଆଜିର ଗଣତନ୍ତ୍ର କେତେ ମାତ୍ରାରେ ଲୋକଙ୍କର, ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ, ଏହା ଏକ ମୁକ୍ତ ସମୀକ୍ଷା ଆବଶ୍ୟକ କରେ। ଏହା ସତ୍ୟ ଯେ, ଗଣତନ୍ତ୍ରକୁ ମଜଭୁତ କରିବା ଦିଗରେ ଲୋକମାନଙ୍କର ଏକ ବଳିଷ୍ଠ ଭୂମିକା ରହିଛି। ଗଣତନ୍ତ୍ର ପ୍ରତିଷ୍ଠାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ନିର୍ବାଚନ ତଥା ଭୋଟ ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ଲୋକମାନଙ୍କ ସମସ୍ୟା, ପ୍ରସଙ୍ଗ ଓ ଭାବନାକୁ କ’ଣ ମୁକ୍ତ ଭାବେ ଗୁରୁତ୍ୱ ଦିଆଯାଉଛି? ଏହାର ଏକମାତ୍ର ଉତ୍ତର ହେବ, ଗଣତନ୍ତ୍ରର ସାଇନ୍‌ବୋର୍ଡକୁ ବଞ୍ଚେଇରଖିବା ପାଇଁ ଲୋକମାନଙ୍କୁ ଭୋଟିଂ ମେଶିନର ସୁଇଚ୍‌ ଟିପୁଥିବା ଓ ଆଙ୍ଗୁଠିରେ କାଳି ମାରୁଥିବା ଭୋଟର ଭାବେ କେବଳ ବ୍ୟବହାର କରାଯାଉଛି।
ଦଳଗୁଡ଼ିକ ଦ୍ୱାରା ଟିକେଟ ବଣ୍ଟନ ପରେ ଏବେ ଗାଁ ଗହଳିରେ ନେତାଙ୍କ ଭିଡ଼ । କିଏ ଦଳିତ ଘରେ ଖାଉଛି ତ କିଏ ଗାଁ ଲୋକଙ୍କ ଅଷ୍ଟମ ପ୍ରହରୀରେ ନାଚୁଛି। କେଉଁ ନେତା ବୁଲି ବୁଲି ମନ୍ଦିରରେ ପୂଜା କରୁଛନ୍ତି ତ କିଏ ଗାଁ କ୍ରିକେଟ ଟୁର୍ନାମେଣ୍ଟରେ ଅତିଥି ହେଉଛନ୍ତି। ସମସ୍ତଙ୍କର କେବଳ ଗୋଟିଏ ଲକ୍ଷ୍ୟ, ଲୋକଙ୍କୁ କଳେ ବଳେ କୌଶଳେ ପ୍ରଭାବିତ କରି ଭୋଟ ହାସଲ କରିବା। ଆମେ ଜାଣିଛେ, ଭୋଟ ସରିଯିବା ପରେ ନେତାମାନଙ୍କୁ ଖୋଜିଲେ ଗାଁରେ ଦେଖିବାକୁ ମିଳିବ ନାହିଁ । ସେଥିପାଇଁ ଏହି ଭୋଟ ସମୟ ହିଁ ସାଧାରଣ ଲୋକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ। ସାଧାରଣ ଲୋକମାନେ ନିଷ୍ପତ୍ତି ନେବା ଉଚିତ, ସେମାନେ ନିଜର ସମସ୍ୟା ତଥା ପ୍ରସଙ୍ଗ ଆଦିକୁ ଦୃଷ୍ଟିରେ ରଖି ବିବେକାନୁମୋଦିତ ଭାବେ ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେବେ ନା ଟଙ୍କା ମୋହରେ ପଡ଼ି ନିଜ ଭୋଟକୁ ବିକ୍ରିକରିବେ! ଉଭୟର ଫଳ କେବଳ ଲୋକମାନଙ୍କୁ ଭୋଗିବାକୁ ପଡ଼ିବ। ଏବେ ଉପଯୁକ୍ତ ସମୟ ଆସିଛି, ଲୋକମାନେ ନିଜକୁ ଦଳର ବା ନେତାଙ୍କର ଅନ୍ଧ ଅନୁସରଣକାରୀ ବୋଲି ପ୍ରମାଣ କରିବେ ନା ନିଜ ବିବେକ ବୁଦ୍ଧି ଖଟେଇ ଉପଯୁକ୍ତ ପ୍ରାର୍ଥୀକୁ ଚୟନ କରିବେ। ଏ ସମୟ ଚାଲିଗଲେ ୫ବର୍ଷ ଯାଏ ଲୋକଙ୍କ ପାଖରେ ଆଉ କିଛି ନ ଥିବ। ଅସଲ ଗଣତନ୍ତ୍ରକୁ ପ୍ରତିଷ୍ଠା କରିବାର ଗୁରୁଦାୟିତ୍ୱ ଲୋକଙ୍କ ହାତରେ।
ସମ୍ପ୍ରତି ନିର୍ବାଚନୀ ପ୍ରକ୍ରିୟାରେ ଲୋକମାନଙ୍କ ଭୂମିକା ଗୌଣ ହେବାରେ ଲାଗୁଛି। ରାଜନୈତିକ ଦଳଗୁଡ଼ିକ ସାଧାରଣ ଲୋକମାନଙ୍କୁ ଗୁରୁତ୍ୱ ଦେଉନାହାନ୍ତି। ସେମାନଙ୍କ ପାଇଁ ଭୋଟ ରାଜନୀତି ଏକ ପରିଚାଳନା (ମ୍ୟାନେଜ୍‌ମେଣ୍ଟ)ର ଖେଳ ହୋଇଯାଇଛି। ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ, ଚରିତ୍ର ଓ ବିଚାର ଅପେକ୍ଷା କେମିତି ଭୋଟ ରାଜନୀତିକୁ ପରିଚାଳନାକରି ଲୋକଙ୍କୁ ଭୁଆଁ ବୁଲେଇ ଭୋଟକୁ କେନ୍ଦ୍ରୀକରଣ କରିହେବ ତାହା ମୁଖ୍ୟ ହୋଇଯାଇଛି। ଉପଯୁକ୍ତ ପ୍ରାର୍ଥୀ ଅପେକ୍ଷା ଭୋଟ ହାତେଇବା ପାଇଁ ରଣନୀତି ଅଧିକ ଜରୁରୀ ବୋଲି ରାଜନୈତିକ ଦଳଗୁଡ଼ିକ ଅନୁଭବ କରୁଛନ୍ତି ଓ ସେହି ହିସାବରେ ଗୋଟି ଚାଳନା କରୁଛନ୍ତି। ଏହା ଗଣତନ୍ତ୍ର ପାଇଁ ବିପଦର ବିଷୟ। ନିର୍ବାଚନ ସମୟରେ ସାଧାରଣ ଲୋକମାନଙ୍କ ସମସ୍ୟା ଓ ପ୍ରସଙ୍ଗ ଅପେକ୍ଷା ପ୍ରଶାନ୍ତ କିଶୋରଙ୍କ ପରି ନିର୍ବାଚନ ରଣନୀତିକାର ତଥା ମ୍ୟାନେଜ୍‌ମେଣ୍ଟ ଗୁରୁମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ସେମାନେ ରାଜନୈତିକ ଦଳଗୁଡ଼ିକ ପାଇଁ ନିର୍ବାଚନ ଜିତିବାର ରାସ୍ତା ତିଆରି କରୁଛନ୍ତି। ସେଥିପାଇଁ କେତେବେଳେ ସେମାନେ ଲୋକଙ୍କୁ ଆକର୍ଷିତ କରିବା ପରି ସ୍ଲୋଗାନ ତିଆରି କରୁଛନ୍ତିି ତ କେତେବେଳେ ଜାତି, ଧର୍ମ ଆଦିକୁ ନେଇ ଲୋକଙ୍କୁ ଭାଗ କରିବାର ଯୋଜନା କରୁଛନ୍ତି। ଗଣମାଧ୍ୟମଗୁଡ଼ିକ ନିର୍ବାଚନ ପାଇଁ ଯୋଜନାବଦ୍ଧ ଭାବେ ନେତାମାନଙ୍କର ଭାବମୂର୍ତ୍ତି, ଛଦ୍ମ ନାୟକ ତଥା ବିକାଶ ପୁରୁଷ ତିଆରି କରୁଛନ୍ତି। ଅନ୍ୟ ଅର୍ଥରେ କହିଲେ, ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କୁ ଭୁଆଁ ବୁଲେଇ ଭୋଟ ହାତେଇବାର କୌଶଳ କରୁଛନ୍ତି ଓ ସଫଳ ହେଉଛନ୍ତି। ଚଳିତ ନିର୍ବାଚନରେ ଏହା ତୀବ୍ର ହେଉଛି। ତେଣୁ ଏହି ନିର୍ବାଚନରେ ଲୋକମାନେ ନିର୍ବାଚନ ରଣନୀତିକାରଙ୍କ ଯୋଜନା, ଗଣମାଧ୍ୟମର ମିଛି ପ୍ରଚାର, ପ୍ରାୟୋଜିତ କୃତ୍ରିମ ପ୍ରସଙ୍ଗ ଆଦିରେ ଭଳି ନ ଯାଇ ରାଜନୈତିକ ଦଳଗୁଡ଼ିକୁ ଠିକ୍‌ ଶିକ୍ଷା ଦେବା ଉଚିତ। ଏହି ସୁଯୋଗ ଛାଡ଼ିଦେଲେ ଭବିଷ୍ୟତରେ ନିର୍ବାଚନରେ ଲୋକମାନଙ୍କ ଭୂମିକା ଅଧିକରୁ ଅଧିକ ଗୌଣ ହୋଇଚାଲିବ।
ଚଳିତ ନିର୍ବାଚନ ସମୟରେ ରେକର୍ଡ ସଂଖ୍ୟକ ପ୍ରାର୍ଥୀଙ୍କର ଦଳଡିଆଁ ଘଟଣା ଦେଖିବାକୁ ମିଳୁଛି। ଦିନେ ଖବର ଦେଖିବା ବନ୍ଦ କରିଦେଲେ ଜାଣି ହେବନି, କିଏ କେଉଁ ଦଳରେ ଅଛନ୍ତି। ଆଜି ଯିଏ ଗୋଟିଏ ଦଳରେ ଅଛି, ତାକୁ ଟିକେଟ ନ ମିଳିଲେ ସେ ଆଉ ଗୋଟିଏ ଦଳକୁ ଡେଇଁ ପଡ଼ୁଛି। ଏହି ଦଳଡିଆଁ ପଛରେ କୌଣସି ବିଚାର କି ଜନସେବାର ଉଦ୍ଦେଶ୍ୟ ନାହିଁ । ଉଦ୍ଦେଶ୍ୟ ହେଉଛି ଯେକୌଣସି ମତେ ଟିକେଟ ହାତେଇବା ଓ ନିର୍ବାଚନରେ ଅବତୀର୍ଣ୍ଣ ହେବା। ଯଦି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀମାନଙ୍କ ପାଇଁ ସାଧାରଣ ଲୋକମାନଙ୍କ ମତ ବା ଭାବନା ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତା, ତେବେ ଦଳ ଡେଇଁବା ପୂର୍ବରୁ ସେମାନେ ଦୁଇଥର ଭାବନ୍ତେ। ଲୋକମାନେ ଚିନ୍ତା କରିବା ଉଚିତ, ସେମାନେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ପାଇଁ କେବଳ ସୁଇଚ୍‌ ଟିପି କାଳି ମାରୁଥିବା ଆଙ୍ଗୁଠି ହେବେ ନା ପ୍ରକୃତ ଅର୍ଥରେ ବିଚାର କରୁଥିବା, ବିବେକର ବ୍ୟବହାର କରୁଥିବା ଭୋଟର ହେବେ।
ପ୍ରତ୍ୟେକ ଲୋକ ନିଜ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଜୀବନ ସାରା ପରିଶ୍ରମ କରୁଛନ୍ତି। କିନ୍ତୁ ଅସଲ ଭବିଷ୍ୟତର ସୁରକ୍ଷା କରିବା କାମ ବେଳକୁ ତଥା ଭୋଟ ଦେବା ବେଳକୁ ଲୋକମାନେ କେବଳ ତୁରନ୍ତ ଲାଭ ମୋହରେ ଭୋଟଦାନ ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ଅବହେଳା କରୁଛନ୍ତି। ସମ୍ପ୍ରତି ରାଜନୈତିକ ଦଳଗୁଡ଼ିକ ଗରିବ, ବେକାରି, ଚାଷୀ ଆତ୍ମହତ୍ୟା ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଉ ନିର୍ବାଚନ ଲଢ଼ୁନାହାନ୍ତି। ଶିକ୍ଷା, ସ୍ବାସ୍ଥ୍ୟସେବା ଆଦି ଉନ୍ନତି କରିବାର ପ୍ରତିଶ୍ରୁତି ଉପରେ ଆଜିକାଲି ଆଉ ନିର୍ବାଚନ ଲଢ଼ାଯାଉନାହିଁ । କେବଳ ବିଭିନ୍ନ ପ୍ରକାର ଅପ୍ରସଙ୍ଗ ଉଠେଇ ଲୋକଙ୍କ ଭାବାବେଗକୁ ଆନ୍ଦୋଳିତ କରି ଭୋଟ ଧ୍ରୁବୀକରଣର ରାଜନୀତି କରାଯାଉଛି। ରାଜନୈତିକ ଦଳଗୁଡ଼ିକ ଯେନତେନ ପ୍ରକାରେ ଭୋଟ ଜିତିବା ପାଇଁ ଏମିତି କୌଶଳ କରୁଛନ୍ତି, କିନ୍ତୁ ସାଧାରଣ ଲୋକମାନେ ନିଜ ସମସ୍ୟା, ଭବିଷ୍ୟତର ସୁରକ୍ଷା, ପ୍ରାର୍ଥୀଙ୍କ ଚରିତ୍ର, ବ୍ୟକ୍ତିତ୍ୱ ଆଦିକୁ ଲକ୍ଷ୍ୟ କରି ବିବେକାନୁମୋଦିତ ଭାବେ ଭୋଟ ପ୍ରଦାନକରି ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ଆଗେଇ ଆସିବା ଉଚିତ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri