ଆମେ ଯାହା କରନ୍ତେ

ବ୍ରଜମୋହନ ମିଶ୍ର

 

ଏ ସଂସାର କେବଳ ବିରାଟ ନୁହଁ, ଏହା ସୁନ୍ଦର ପୁଣି ଆନନ୍ଦମୟ। ଏହା ପ୍ରକାଶ କରି ଭକ୍ତକବି ମଧୁସୂଦନ ଆମ ଆଖି ଖୋଲି ଦେବା ସହ ହୃଦୟ ଭେଦିଛନ୍ତି। ବିରାଟତା ସହ ସୌନ୍ଦର୍ଯ୍ୟ ଓ ଆନନ୍ଦ ଏତେ କୋଳାକୋଳି ହୋଇ ଯାଇଛନ୍ତି ଯେ ଗୋଟାକଠାରୁ ଆରଟିକୁ ଅଲଗାଦେଖି ହେବ ନାହିଁ କି ଅନୁଭବ କରିହେବ ନାହିଁ। ଏ ଅବିଚ୍ଛେଦ୍ୟ ତିନି ପ୍ରସ୍ଥ ସମସ୍ତଙ୍କ ସମକ୍ଷରେ ବେଶ୍‌ ଖୋଲାମେଲା। ପୁଣି ଏଗୁଡ଼ିକୁ ନେଇ ସମସ୍ତେ ନିତିଦିନ ବଞ୍ଚୁଛନ୍ତି। ଏଗୁଡ଼ିକ ସମସ୍ତଙ୍କ ଜୀବନ ଧାରଣର ପୋଷକ ରୂପେ କ୍ରିୟା ସମ୍ପାଦନ କରୁଛନ୍ତି ନିଃଶବ୍ଦରେ ଓ ନିର୍ବିଶେଷରେ। ଯେଉଁଠି ଘଞ୍ଚ ବନରାଜି ମାଇଲ ମାଇଲ ଧରି ଲମ୍ବି ଯାଉଛି, ସେଇଠି କେଉଁ ଜାଗାରେ ହୁଏତ କୁଳୁକୁଳୁ କରି ଝରଣାଟିଏ ବହିଯାଉଛି ତ କେଉଁ ଗହଳ ଗଛ ଉପରେ ଚଢ଼େଇମାନେ ବସି କିଚିରିମିଚିରି ହେଉଛନ୍ତି। ଏହା ଏକାଧାରରେ ସୁନ୍ଦର, ତେଣୁ ଆନନ୍ଦଦାୟୀ। ଆନନ୍ଦାଳୟ ସୌନ୍ଦର୍ଯ୍ୟ ସହ ବିରାଟତାର ଏଇ ନିବିଡ଼ ସମ୍ପର୍କ ଆମ୍ଭମାନଙ୍କୁ ବିସ୍ମିତ, ବିହ୍ବଳିତ ଓ ବିଗଳିତ କରନ୍ତା। ସେହି ଶକ୍ତି ସେମାନଙ୍କ ପାଖରେ ନିତ୍ୟ ବିଦ୍ୟମାନ ଥିଲେ ସୁଦ୍ଧା ଆମେ ବୁଦ୍ଧିମାନ୍‌ ମତିହୀନମାନେ ସେ ଦିଗରେ କେବେ ଆଗ୍ରହୀ ହୋଇ ନଥାଉ। ଜୀବନ ସଂଗ୍ରାମ ନାଁରେ ଆମେ ଚେତାଶୂନ୍ୟ ହୋଇ ଏଡ଼େ ଜୋର୍‌ରେ ଆମର ଖଣ୍ଡାଟିମାନ ବୁଲାଉ ଯେ ଆଉ କିଛିକୁ ମନ କରୁନାହିଁ। ହେଲେ ଜୀବନ ସଂଗ୍ରାମ ଭିତରକୁ ତ ଆମେ କେବେ ପଶୁନା। ସତରେ ଜୀବନ ପାଇଁ ସଂଗ୍ରାମ ଅବଶ୍ୟ କରଣୀୟ। ତାହା ପୁଣି ଭିତର ସଂଗ୍ରାମ ଓ ବାହାର ସଂଗ୍ରାମ। ଭିତର ସଂଗ୍ରାମ ବାହାର ସଂଗ୍ରାମ ଅପେକ୍ଷା ଅଧିକ ଶକ୍ତିଶାଳୀ, ଅଧିକ ଏକନିଷ୍ଠ, ଅଧିକ ଶ୍ରଦ୍ଧାମୟ ହେବା କଥା। ସେଇ ସଂଗ୍ରାମ କରିବାକୁ ହେଲେ ଆମକୁ ତା’ ସହ ଯଥେଷ୍ଟ ପରିଚିତ ହେବା ଏକାନ୍ତ ଆବଶ୍ୟକ।
ବାହାର ଓ ଭିତର- ଏ ଦୁଇଟି ଅଲଗା ପୁଣି ଅଭିନ୍ନ। ଅଲଗା ଏଇଥିପାଇଁ ଯେ ‘ବାହାର’ ଆଖିକୁ ଦେଖାଯାଏ, ‘ଭିତର’ଟି ନୁହଁ। ଦେଖା ନ ଯାଉଛି ବୋଲି ତାହାକୁ ଆମେ ଅସ୍ବୀକାର କରିବା କିମ୍ବା ଅବହେଳା କରିବା ଠିକ୍‌ ନୁହଁ। ମୋତେ ନିର୍ବାଚନରେ ଅଂଶ ଗ୍ରହଣ କରି ଜିତିବାକୁ ହେବ- ଏ ବାହାର କଥା- ଏହା ବେଶ୍‌ ପ୍ରତ୍ୟକ୍ଷ। ସେଥିପାଇଁ ମୁଁ କେତେ ମାତ୍ରାରେ ସକ୍ରିୟ, ସଜାଗ ଓ ସଶସ୍ତ୍ର। ସେହିପରି ମୋତେ ଏ ମହିମାମୟ ସଂସାରରେ ‘ପରୀକ୍ଷିତ ଜୀବନ’ଟିଏ ଧାରଣ କରିବାକୁ ହେବ। ତା’ ନହେଲେ ହୁଏତ ଖାଇ ପିଇ ଚଉକସରେ ମୁଁ ଦିନଯାମିନୀ କ୍ଷେପିପାରେ, କିନ୍ତୁ ମୋର ଏ ସଂସାର ସହ ଆମତ୍ୀୟତା ଆସିବ ନାହିଁ। କାରଣ ସଂସାରରେ ଥାଇ ମଧ୍ୟ ମୁଁ ସଂସାରର ହୋଇନଥିବି। ସଂସାରର ହେବାକୁ ମୁଁ ସଂସାରକୁ ଆସିଛି- ଏଇ ବିଶ୍ୱାସର ଚେର ମୋ ଭିତରେ ଖୁବ୍‌ ମାଡ଼ିଯିବ। ତାହା ଯେତେ ଭିତରକୁ ଭେଦୁଥିବ ମୁଁ ସେତେ ସଂସାରର ପାରାୟଣ କରିବାକୁ ଉତ୍ସାହୀ ହୋଇ ଉଠୁଥିବି। ସେଥିପାଇଁ ମୋତେ ସଂସାରପରାୟଣ ହେବାକୁ ପଡ଼ିବ। ଏଇ ଅବବୋଧକୁ ଗଣ୍ଠିଧନ କରି ମୁଁ ମୋ ଭିତର ସଂଗ୍ରାମ ଆରମ୍ଭ କରିବି। ଭିତର ସଂଗ୍ରାମ ଅର୍ଥ ମୋ ଭିତରେ ସଦା ପ୍ରସ୍ତୁତ ଏକ ସୀମାବଦ୍ଧ, ଅଶ୍ରଦ୍ଧାଳୁ ଏବଂ ଅବୈଷ୍ଣବ ଅପଶକ୍ତି ସହ ସତ୍ୟାଗ୍ରହ। ଏଠାରେ ସଂଗ୍ରାମ ସତ୍ୟାଗ୍ରହ ପର୍ଯ୍ୟାୟର। ସତ୍ୟାଗ୍ରହରେ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରାଯାଏନା, ତା’ ସହ ପୁଣି ତା’ ପାଇଁ ସଂଗ୍ରାମ କରାଯାଏ। ତା’ ଭିତରେ ଉଦ୍ଦେଶ୍ୟ ଥାଏ ଅନ୍ୟାୟର, ଅସତ୍ୟର, ଦୁରାଗ୍ରହର ରୂପାନ୍ତର ଆଉ ଏ ରୂପାନ୍ତର ଆକ୍ରୋଶରେ ନୁହେଁ ଆମତ୍ଶକ୍ତିରେ ସମ୍ଭବ।
ଯେଉଁ ବିକଳ ବାସନାଗୁଡ଼ା ବ୍ୟକ୍ତିକୁ ଭାରି ହନ୍ତସନ୍ତ କରନ୍ତି, ସେଗୁଡ଼ିକ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରି ନୁହଁ, ସେଗୁଡ଼ିକ ସହ ପ୍ରେମପୂର୍ଣ୍ଣ କଥାବାର୍ତ୍ତା କରି ସେଗୁଡ଼ିକୁ ଅକ୍ତିଆରକୁ ଆଣିବା। ଅଧିକାର କରିବାକୁ ଛଟପଟ ହେଉଥିବା ସେଇ ଅତୃପ୍ତ ଅଶନି ସହ ସ୍ନେହରେ କଥାବାର୍ତ୍ତା କରି, ‘ଅଧିକାର’ ଯେ ଅଳ୍ପ, ଅଳୀକ ତାହା ବୁଝାଇ ଦେବା। କାହାକୁ ବା କିଛି ଅଧିକାର କରିବାରେ ଅଧିକ ଅତୃପ୍ତି, ଅଧିକ ଅସନ୍ତୋଷ ଜନ୍ମ ନେଇଥାଏ, ଏ ତତ୍ତ୍ୱଟି ସହ ସେହି ଅଶାନ୍ତକୁ ପରିଚିତ କରାଇଦେବା। କେତେ କେତେ ପ୍ରକାରେ କେତେ କେତେ ଲୋକ ରାଜ୍ୟ ଅଧିକାର କରିଛନ୍ତି। ଫଳରେ ସେମାନେ କ୍ଷମତାଶୀଳ ହୋଇ ଅଧିକ ଅତୃପ୍ତ ହୋଇଛନ୍ତି। ସେମାନେ ନା ହୋଇ ପାରିଛନ୍ତି ସଂଘର, ନା ଧର୍ମର, ନା ହୋଇ ପାରିଛନ୍ତି ବୁଦ୍ଧର। ବୁଦ୍ଧ, ସଂଘ, ଧର୍ମ- ହେଉଛନ୍ତି ସୀମାହୀନତା ଆଉ ଶ୍ରଦ୍ଧାମୟତା। ଅଧିକାର ଲାଳସୀ ପ୍ରପଞ୍ଚ ସତ୍ତା ଅଧିକାର ଦ୍ୱାରା ଅନେକ ସଂଗ୍ରହ କରିପାରେ। ତା’ ଫଳରେ ସେ ସୀମାବଦ୍ଧ ଓ ଶ୍ରଦ୍ଧାଶୂନ୍ୟ ହୋଇଥାଏ। ଅଧିକାର ଏକ ଅସ୍ବାଭାବିକ ଓ ଅଶିଷ୍ଟ ପ୍ରାପ୍ତି। ଏପରି ପ୍ରାପ୍ତି ସଦା ଉତ୍ତେଜକ, ଉନ୍ମାଦକ। ତେଣୁ ଭାରି ଉପତ୍ୀଡ଼କ ଓ ଉଚ୍ଛୃଙ୍ଖଳ। ବସ୍ତୁ ଅଧିକାର କରି ବ୍ୟକ୍ତି ଆଗେଇ ପାରେନାହିଁ କି ଆଗକୁ ଦେଖେନାହିଁ କି ଆଗକୁ ମନ କରେନାହିଁ। ତା’ର ସକଳ ସଂକ୍ରାନ୍ତିର ଦ୍ୱାର ବନ୍ଦ ହୋଇଯାଏ। ଏହି ‘ଅଧିକାର’ ବାସନାକୁ ଆମେ ଅନୁକ୍ଷଣ ବିଭିନ୍ନ ରୂପରେ ଦେଖିପାରିବା।
କିଛି ‘ଅଧିକାର’ କରିବାକୁ ସଂସାର ବିରାଟ, ସୁନ୍ଦର ଏବଂ ଆନନ୍ଦମୟ ହୋଇନାହିଁ। ତା’ର ଏପରି ଅଭିବ୍ୟକ୍ତି ମଧ୍ୟରେ ଯେଉଁ ସାତ୍ତ୍ୱିକ ସନ୍ଦର୍ଭ ଫୁଟିଉଠେ, ତାହା ହେଉଛି ଏକ ପୂର୍ଣ୍ଣପ୍ରାଣତା, ଯାହା ‘ସବୁ’ ସହ ଗୁନ୍ଥି ହୋଇଯିବାକୁ ଚାହେଁ। ପକ୍ଷାନ୍ତରେ ଆମେ ମନୁପୁତ୍ର/ପୁତ୍ରୀମାନେ ସଂସାରଯାକର ସବୁକୁ ଅଧିକାର କରିବାକୁ ଅନବରତ ଦୌଡ଼ୁଛୁ। ଏହାର ସକାଶେ ସଂଗ୍ରାମ। ଏହି ‘ଅଧିକାରପ୍ରବଣତା’ ପାଖରେ ସଖାଟିଏ ପରି ବସି, ହସିହସି ଯୁକ୍ତିବାଢ଼ି ତା’ର ଆଣ୍ଟ ଭାଙ୍ଗିବା ହେଉଛି ଭିତର ସଂଗ୍ରାମର ଲକ୍ଷଣ। ତାହା ହିଁ ଜୀବନ ସଂଗ୍ରାମର ମୂଳ କଥା ଓ ସାର କଥା। ଆମର ସର୍ବବିଧ ପ୍ରଗତି ତାରି ଉପରେ ଏକାନ୍ତ ଭାବେ ନିର୍ଭର କରେ। ସଂସାରକୁ ଦିନଦିନ ଦେଖୁଥିଲେ ମଧ୍ୟ ତା’ର ଉଦାରତା, ନିର୍ବିକାରତା ଏବଂ ଅପରିଗ୍ରହତା ପ୍ରତି ଆମେ କାହିଁକି ଏତେ ଅମନୋଯୋଗୀ? ସଂସାରକୁ ସତରେ ଆମେ ଦେଖୁଛୁ ତ? ମନେହୁଏ, ଆମେ ସଂସାରରେ ଜୀବନ ସଂଗ୍ରାମ ନାଁରେ ନିଜ ପାଇଁ ଯେଉଁ ବନ୍ଧନ ସୃଷ୍ଟି କରୁଛୁ, ତାହା ଫଳରେ ସଂସାରକୁ ସତରେ ଦେଖିପାରୁନାହୁଁ। ଆଉ ତା’ ସହ ମିତ୍ରତା ସ୍ଥାପନ କରିବା ତ ସୁଦୂର ପରାହତ। ଆମର ଆଖି ସଂସାରଯାକର ଦ୍ରବ୍ୟ ଉପରେ ନିବଦ୍ଧ ହୋଇ ବନ୍ଦୀ ଥିବାରୁ ସଂସାରର ଆହ୍ବାନ ‘ଶୁଣିବାରେ’ ଏହା ଆମେ ଅସମର୍ଥ ହେଉଛେ। ଏ ଅସାମର୍ଥ୍ୟ ବର୍ଜନ କରିବାର ସାମର୍ଥ୍ୟ ମଧ୍ୟ ଆମ ପାଖରେ ରହିଛି। ତାକୁ ଆଧ୍ୟାମତ୍ିକ ଭାଷାରେ ‘ଆସ୍ପୃହା’ ବୋଲି କୁହାଯାଇଛି। ଖୁବ୍‌ ପ୍ରସନ୍ନ ଭାବରେ, କୌଣସି ନୀଚ କି ନିମ୍ନକୁ ମନ ନ କରି ବିରାଟକୁ ବାଞ୍ଛିବା ଓ ସେଥିପାଇଁ ପ୍ରାର୍ଥନାମୟ ହେବା- ଯେଉଁ ବିରାଟ ଏକାଧାରରେ ସୁନ୍ଦର ଓ ଆନନ୍ଦମୟ। ହେଲେ ଭିତର ସଂଗ୍ରାମ ବ୍ୟତିରେକେ ଏହା କେବେ ସମ୍ଭବ ନୁହଁ। ଉପରଟା ତ ଖୁବ୍‌ ଅଳ୍ପରେ ସନ୍ତୁଷ୍ଟ ହୋଇଯାଏ। କିନ୍ତୁ ଭିତର, ‘ଅଳ୍ପ’ର ସ୍ବରୂପ ଜାଣିଥିବାରୁ ଏଥିରେ ଲାଖିଯାଏ ନାହିଁ। ତାହା ଅଗ୍ରଗାମୀ ହୋଇ ଅନଳ୍ପର ଆବାହନ କରେ। ଫଳରେ ‘ଅଳ୍ପ’ ବି ରୂପାନ୍ତରିତ ହୋଇ ‘ଅନଳ୍ପ’ ହେବାର ଆଧ୍ୟାମତ୍ିକତା ଲାଭକରେ।
ଅନେକ ପ୍ରକାରେ ବଞ୍ଚୁଥିବା ଆମ୍ଭେମାନେ ଭିତର (କେନ୍ଦ୍ର) ବଞ୍ଚତ୍ବା ଉପରେ ଭାରି ଜୋର୍‌ ଦେବା। ତେଣୁ ଭିତର ଆଡ଼ୁ ବଞ୍ଚତ୍ବା। ତାହା ହେଲେ ସଂସାର ତତ୍ତ୍ୱ ସହ ଆମ ବଞ୍ଚତ୍ବା ଯୁକ୍ତ ହୋଇପାରିବ। ଫଳରେ ଆମ ଜୀବନ ଯାହା ଗଭୀର ଭାବରେ ଆବଶ୍ୟକ କରେ, ତାହା ଆମକୁ ଅବଶ୍ୟ ମିଳିବ। ଆମ ଜୀବନ ଗତିଶୀଳ ଏବଂ ଗରିମାମୟ ହୋଇଯିବ। ସଂସାରକୁ ଚାହିଁ ପୁଣି ନିଜ ଭିତରକୁ ଶୁଣି ଆମେ ଏଇ ବୈଜ୍ଞାନିକ ପରୀକ୍ଷଣ କରିବାକୁ ସମ୍ମତ ହେବା। ଫଳରେ ଆମର ଏଠାକୁ ଆସିବା, ଏଠାରେ ରହିବା ପୁଣି ଏଠାରୁ ଚାଲିଥିବାରେ ଆଦୌ ଅମେଳ କି ଅସଙ୍ଗତି ରହିବ ନାହିଁ। ସେତେବେଳେ ଆମେ ଭିନ୍ନ ଏକ ‘ବିବାହ’ର ପ୍ରତିଭୂ ହୋଇଯିବା।
ଭଦ୍ରକ, ମୋ: ୮୦୧୮୦୮୭୮୩୧


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?