ଆମେ ଭାରତୀୟ ନା ଇଣ୍ଡିଆନ୍‌

ଡ. ଭବାନୀ ଶଙ୍କର ଦାଶ

 

ଆଗକୁ ଆସୁଅଛି ଅସଲ ନିର୍ବାଚନ ମହାସମର। ଏମିତିକା କେତେ ନିର୍ବାଚନ ଯାଇଛି। ସେଥିରେ କେତେ ଭେଳିକି ଦେଖିବାକୁ ମିଳେ ନିର୍ବାଚନ ସରିବାଯାଏ। ନିର୍ବାଚନ ପରେ ନାଟକର ଅଙ୍କ ଓ ଦୃଶ୍ୟ ବଦଳିଯିବ ଆଉ ଗୋଟେ ନିର୍ବାଚନ ଯାଏ। ଏଇ ପାଲା ତ ଚାଲିଛି ୭୫ବର୍ଷ ହେଲା ଏଠି। ସ୍ବାଧୀନତା ପ୍ରାପ୍ତି ପରେ ଭାରତରେ ଯଦି କୌଣସି ଭେଦଭାବ ଉତ୍କଟରୂପ ଧାରଣ କରିଥାଏ ତାହା ହେଲା ନେତା ଜନତାର ଭେଦଭାବ। ଆପାତତଃ ନବେ ଦଶକ ପରେ ରାଜନୀତିରୁ ଦେଶସେବକ ସଂଜ୍ଞା କମିଆସିଲା। ରାଜନୀତି ଏକ ଉତ୍ତମ ବ୍ୟବସାୟ ବୋଲି ଏକ ଅବବୋଧ ଜାଗିଉଠିଲା। ଏ ଜାଗରଣ ଆରମ୍ଭ ହୋଇଥିଲା ନେତାଙ୍କଠାରୁ। ଫଳତଃ ନିଜେ ନ ମରୁଣୁ ନିଜ ଆତ୍ମୀୟସ୍ବଜନ ଥଇଥାନ ପ୍ରତିଯୋଗିତା ଚାଲିଲା ରାଜନୀତିରେ। ଅର୍ଥ ଓ ବାହୁବଳ ଗୁରୁତ୍ୱବହନ କଲା। ଭୋଟର କିଣାବିକା ପ୍ରକ୍ରିୟା ଖୁଲମଖୁଲା ଚାଲିଲା। ଚାଲିଲା ବିଭିନ୍ନ ସରକାରୀ ସହାୟତା ଓ ସଂରକ୍ଷଣ ନାଁରେ ଭୋଟର ବିଭାଜନ ତଥା ଆକୃଷ୍ଟୀକରଣ। ଏଇ ଭୋଟ ରାଜନୀତି ସକାଶେ ନେତା ହେବାର ପ୍ରତିଯୋଗିତା ବା ଦଳୀୟ ଟିକେଟ ହାତେଇବାର ପାରିବାପଣିଆକୁ ଲକ୍ଷ୍ୟ କଲେ ପ୍ରଚ୍ଛନ୍ନ ଭାବେ ଆତ୍ମଗୋପନ କରିଥିବା ଦେଶ ସେବକର ବେଶ ପୋଷାକ ଭିତରେ ସ୍ବାର୍ଥପର ମଣିଷଟାକୁ ଭେଟିହୁଏ। ଯିଏ ଜନତାଙ୍କୁ ୫ ବର୍ଷ କାଳ ପାଳଗଦା ବୋଲି ମନେକରନ୍ତି। ପାଳଗଦା ଉପରେ ଛିଡା ହୋଇ ନିଜକୁ ଡେଙ୍ଗା ଏଣୁ ନେତା ବୋଲି ଅଘୋଷିତ ଘୋଷଣା କରିଚାଲନ୍ତି। ପ୍ରତି ୫ ବର୍ଷରେ ଥରେ ବାହୁ ଓ ଅର୍ଥ ବଳରେ ନିଜକୁ ନେତା ବୋଲି ସାବ୍ୟସ୍ତ କରି ଜୀବନ ତମାମ ସୁବିଧାସବୁ ହାତେଇଚାଲନ୍ତି। ରାଜନୈତିକ ଫନ୍ଦିଫିକରର ଚାପରେ ଅତିଷ୍ଠ ସାଧାରଣ ଜନତା ନିଜକୁ ସ୍ବାଧୀନ ବୋଲି ତଣ୍ଟି ଫଟାଇ କହିପାରେନା। କାରଣ ଶାସନ ଦଣ୍ଡ ଇଂରେଜ ଧଳା ହାତରୁ ଭାରତୀୟ କଳା ହାତକୁ କେବଳ ଆସିଛି ସିନା ଶାସନରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେଇ ପୁରୁଣା ପାଠର ପୁନଃପୌନିକତା। ସେଇ ଇଂରେଜ କାଇଦାରେ ଶାସନ ଚାଲିଛି। ନାମଟା ଖାଲି ଗଣତନ୍ତ୍ର ହୋଇଗଲେ ଗଣଶକ୍ତି ବୃଦ୍ଧି ପାଏ ନାହିଁ। ଗଣକୁ କା କରି ବ୍ରିଟିଶ ଚାଲାକି ପଣିଆ ଆମ ଏଠିକା ରାଜନୀତିରେ ଯାହା ଚାଲିଛି ତା’ର ପ୍ରକୃଷ୍ଟ ନମୁନା ଭୋଟ ସାଉଁଟା।
ସବୁଠୁ ବଡ଼ କଥାହେଲା ଆମ ଦେଶର ଅନ୍ୟ ସମସ୍ତ ପଦପଦବୀ ପାଇଁ ପରୀକ୍ଷା କରାଯାଏ, ବୟସ ସୀମା ଓ ଯୋଗ୍ୟତା ମପାଯାଏ। ମାତ୍ର ନେତାଗିରି ପାଇଁ ତ କିଛି ଦରକାର ନାହିଁ। ସରକାରୀ ଚାକିରିଆର ଅବସର ବୟସ ସ୍ଥିର ହୋଇଛି। ନେତା କିନ୍ତୁ ମଲାଯାଏ ଗଣତନ୍ତ୍ରପାଇଁ ଆବଶ୍ୟକ। ଶିକ୍ଷା, ଦୀକ୍ଷା, ଅଭିଜ୍ଞତା, ବିଦ୍‌ବତ୍ତା ଇତ୍ୟାଦି କିଛି ଦକରାର ନାହିଁ ନେତାଗିରି ପାଇଁ। ଦରକାର ପୁଳା ପୁଳା ଅର୍ଥ। ଅର୍ଥ ବିନିମୟରେ ଥରେ ସେ ଚୌକିରେ ବସି ଗଲାପରେ ପୁନର୍ବାର ସେ ଚୌକି ପାଇଁ ବ୍ୟବସାୟିକଭିତ୍ତିରେ ପୁଞ୍ଜି ଖଟାଇ ଆଗାମୀ କାଲିକୁ ସୁରକ୍ଷିତ କରିରଖନ୍ତି। ଦରକାର ହେଲେ ନିଜ ଆତ୍ମଜ ବା ଆତ୍ମୀୟଙ୍କୁ ମୁକରିର କରେଇ ଦିଅନ୍ତି ଏଇ ନେତା ବ୍ୟବସାୟରେ। ସ୍ବାଧୀନତା ପରେ ଏଇ ଅପସତ୍ୟତାକୁ ବ୍ୟାପକ କରିଦିଆଗଲା। ଫଳତଃ ଯିଏ ନେତା ହେଲେ ସିଏ ନିଜପାଇଁ ଭତ୍ତା ଓ ଅବସର ଭତ୍ତା ବି ବ୍ୟବସ୍ଥା କରିନେଲେ। ଜନସେବା ଆଉ ନେତାର ଆଦର୍ଶ ନ ହୋଇ ଆପଣା ସେବା ହେଲା ମୁଖ୍ୟ। ଦେଶ ବିଭାଜନ ସିନା ଥରେ ହୋଇଥିଲା ଏବେ ନିର୍ବାଚନ ନାଁରେ ଜନତା ବିଭାଜନ ବାରମ୍ବାର ହେଉଛି। ସତରେ ଇଂରେଜ ଜାତି ଭାରି ଚତୁର। ଏମିତି କାଇଦା, କୌଶଳ କରି ସ୍ବାଧୀନତା ଧରେଇଦେଲେ ଯେ ଆମେ ଅଖା ଧୋଉଛୁ ଗୁଣ ଗାଉଛୁ। ସେଇ ଦିନଠୁ ଆମେ ଭାରତୀୟମାନେ ଦି ଭାଗ। ବିଲାତି ଭାରତୀୟ ଅର୍ଥାତ୍‌ ଇଣ୍ଡିଆନ୍‌ ଓ ସାଦା ଭାରତୀୟ ହୋଇଗଲୁ। ଏବେ ଆମ ଦେଶରେ ଏଇ ଇଣ୍ଡିଆନ୍‌ମାନେ ନେତା ଓ ଭାରତୀୟମାନେ ଜନତା। ୭୫ବର୍ଷ ହେଲା ଭାରତୀୟମାନେ ଭୋଟ ଦେଲେ ଇଣ୍ଡିଆନ୍‌ମାନେ ନେତା ହୋଇ ଶାସନ କରନ୍ତି। ଭାରତୀୟମାନଙ୍କଠୁ ଭୋଟତକ କୌଶଳକରି ଅସୁଲ କରାଯାଏ। ଏଣୁ ଏଇ ଦେଶୀ ଇଂରେଜମାନଙ୍କଠୁ ମୁକ୍ତି ପାଇଁ ଆଉଗୋଟେ ମୁକ୍ତି ସଂଗ୍ରାମ ଦରକାର। ଇଣ୍ଡିଆନ୍‌ ଭଳି ପରାଧୀନତାରୁ ଭାରତୀୟର ମୁକ୍ତି। କାରଣ ଏଇ ଇଣ୍ଡିଆନ୍‌ ନେତାମାନେ ଭାରତୀୟ ଶିକ୍ଷା, ସଂସ୍କୃତି, ଧର୍ମ ଓ ପରମ୍ପରାପ୍ରତି ସମ୍ବେଦନଶୀଳ ନ ହୋଇ ବିଲାତି କୋଳରେ ଲାଳିତପାଳିତ ହେଉଛନ୍ତି ସ୍ବାଧୀନତାପ୍ରାପ୍ତି ପରଠୁ। ଫଳତଃ ଭାରତୀୟ ସମାଜ ଜୀବନ ବିପର୍ଯ୍ୟସ୍ତ ହୋଇପଡିଲା ଅସଭ୍ୟତା ଓ ଅପସଂସ୍କୃତିର ପ୍ରଭାବରେ। ସୃଷ୍ଟି ହେଲା ବିବିଧ ସାମାଜିକ ସମସ୍ୟା। ଆମ ଧର୍ମ ଆମସଂସ୍କାର ଥିଲା ଆମ ପରିଚୟ। ଏବେ ତାହା ଭୂଲୁଣ୍ଠିତ। ଭାରତୀୟଙ୍କ ପାଖରେ ମହାନ୍‌ ଭାରତୀୟତା ଆଉ ନାହିଁ।
ଏବେ ଗୋଟେ ସାଧାରଣ କଥାକୁ ଲକ୍ଷ୍ୟ କରାଯାଉ। ଭାରତରେ ଯେବେ ନିର୍ବାଚନ ହୁଏ ତାହା ହୁଏ ଫେବୃୟାରୀଠୁ ମେ’ ମାସ ମଧ୍ୟରେ। ଏଇ ସମୟଟା ବି ସ୍ଥିର ହୋଇଛି ସ୍କୁଲ,କଲେଜ ପିଲାଙ୍କ ପରୀକ୍ଷା ପାଇଁ। ଏଇଟା ବି ନେତାଙ୍କ ପରୀକ୍ଷାର ବେଳ। ଏମିତି କେମିତି ହେଲା। ଛକ ବଜାର, ରାସ୍ତାଘାଟ, ଗଳିକନ୍ଦି ସବୁଠି ଚାଲିଥିବ ନିର୍ବାଚନୀ ବାଦୀପାଲା, ମାରପିଟ ହୋହଲ୍ଲା। ସେଥିରେ ପୁଣି ନିର୍ବାଚନୀ ଗୀତ, ଜୟଜୟକାର୍‌, ଜିନ୍ଦାବାଦ। ୟା ଭିତରେ ପିଲାଙ୍କ ପରୀକ୍ଷା ପ୍ରସ୍ତୁତିକୁ ଦେଖିଲେ ସହଜରେ ଗୋଟେ କଥା ଠଉରେଇ ହୁଏ। ତାହା ହେଲା ବିଲାତି କାଇଦାରେ ତିଆରି ଭାରତୀୟ ମେଧାମେଧ ନିର୍ବାଚନୀ ମହାଯଜ୍ଞ। ୭୫ ବର୍ଷ ପରେ ମଧ୍ୟ ଭାରତୀୟ ଚେତନା ଜାଗ୍ରତ ହୋଇନାହିଁ କିମ୍ବା ଏଥିରେ ପରିବର୍ତ୍ତନ ହୋଇ ନାହିଁ। ଇଂରେଜମାନେ ଚାହିଁଥିଲେ ଏ ମାଟିରେ କେବଳ କିରାଣି ତିଆରି ହୁଅନ୍ତୁ ବୋଲି। ତେଣୁ ବୋଧେ ସମାନ ସମୟରେ ପରୀକ୍ଷା ଓ ନିର୍ବାଚନ ଧାରା ଚାଲିଛି। ଭାରତୀୟ ପ୍ରଜ୍ଞା ମାରଣର ବୋଧେ ଏହା ଅନ୍ୟତମ ଉପାୟ। ଅନ୍ୟପଟେ ଆମ ପରିବାର, ସମାଜ, ସଂସ୍କୃତି, ଧର୍ମ, ପରମ୍ପରାର ଅଖଣ୍ଡ ଦୀପଟି ପଶ୍ଚିମା ପବନ ମାଡ଼ରେ ଲିଭିଲିଭି ଆସିଲାଣି। ଆଧୁନିକ ବା ପ୍ରଗତିଶୀଳ ବା ବିକାଶଶୀଳ ରାଷ୍ଟ୍ର ହେବାପାଇଁ ଆମ ବଂଶଧରମାନେ ଉନ୍ମୁଖ। ମୋଟାମୋଟି ଭାବେ ଆମେ ଗାଁବାଲାଏ ଯାହା ଜାଣୁ ଏଠି ଆଉ କେହି ଭାରତୀୟ ହେବାକୁ ଚାହାନ୍ତିନି। ସମସ୍ତେ ଚାହାନ୍ତି ଇଣ୍ଡିଆନ୍‌ ହେବାକୁ। ଆହୁରି ଅଧିକ ହେବ। କାରଣ ଆମେ ଆମ ମୁତାବକ ଆମ ସମ୍ବିଧାନ ଗଢିନାହୁଁ। ଆମେରିକା ଓ ଇଂଲଣ୍ଡର ପ୍ରତିଛାୟାରେ ଏହା ଗଠିତ। ତଦନୁସାରେ ଆମ ୨୦୧୯ର ସଧାରଣ ନିର୍ବାଚନ,ଗତ ବର୍ଷ ସରିଥିବା ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନକୁ ଲକ୍ଷ୍ୟ କଲେ ଦୁଃଖଲାଗେ। କାରଣ ଏ ନିର୍ବାଚନ ଭାରତୀୟ ଗଣତନ୍ତ୍ରର ୭୫ବର୍ଷର ପରିପକ୍ୱତାକୁ ନୁହେଁ ବରଂ ପଙ୍କିଳତାକୁ ପ୍ରକାଶ କରୁଥିଲା। ନିଜ ସ୍ବାର୍ଥ ପାଇଁ ଏ ଦଳରୁ ସେ ଦଳକୁ ଡେଇଁବା, ନିଜ ପୁତ୍ର ପୌତ୍ରାଦିଙ୍କୁ ରାଜନୈତିକ ଥଇଥାନ କରିବା ପାଇଁ ଅତି ନିମ୍ନ ସ୍ତରକୁ ଖସିଯିବା, କାଲି ଯାହାକୁ ଶଁବାଳୁଆ କହୁଥିଲେ ତାକୁ ଆଜି ପ୍ରଜାପତି କହି କାନ୍ଧରେ ବସାଇବା ଇତ୍ୟାଦି ଦୃଶ୍ୟ ଦେଖିଲେ ନିଜକୁ ପ୍ରଶ୍ନ କରିବାକୁ ଇଚ୍ଛାହୁଏ-ଆମେ ଭାରତୀୟ ତ? ଯେଉଁ ଭାରତୀୟ ଦିନେ ସତ୍ୟ ପାଳନ ଲାଗି ରାଜସିଂହାସନ ତ୍ୟାଗ କରି ବନବାସକୁ ଆପଣେଇ ନେଇଥିଲା, ପ୍ରଜାସୁଖ ଯାହାଙ୍କ ସୁଖ ଓ ମୁଖ୍ୟଧର୍ମ ଥିଲା, ଯାହାଙ୍କ ଶାସନ ଧାରା ସ୍ମରଣ କରି ଭାରତୀୟ ମୁକ୍ତି ସଂଗ୍ରାମ ରାମରାଜ୍ୟର ସ୍ବପ୍ନ ଦେଖିଥିଲା, ଇଏ କ’ଣ ସେଇ ରାମରାଜ୍ୟ -ଯେଉଁଠି ନେତାଙ୍କ ଆଦର୍ଶ ତ୍ୟାଗ ନୁହେଁ ଭୋଗ। ଅବଶ୍ୟ ଯାଗ, ଯୋଗ ଓ ତ୍ୟାଗର ମାଟି ଭାରତରେ ତ ଏବେ ଭୋଗ ଓ ରୋଗର ରାଜୁତି। ଅବଶ୍ୟ ଏଇ ଭୋଗ ପ୍ରବଣତା ରୋଗରେ ଇଣ୍ଡିଆନ୍‌ମାନେ ଯେତେ ଆକ୍ରାନ୍ତ ଭାରତୀୟମାନେ ସେତେ ନୁହନ୍ତି। ନିଜକୁ ମହାନ୍‌ ଭାରତୀୟ ପରମ୍ପରାର ଉତ୍ତରଦାୟାଦ ଭାବେ ଚିହ୍ନିପାରିଲେ ଓ ଗର୍ବ କରିପାରିଲେ ଅଚିରେ ଇଣ୍ଡିଆନ୍‌ ଦେଉଥିବା ଯନ୍ତ୍ରଣାରୁ ଉପଶମ ମିଳିପାରନ୍ତା।
ସରାଟ ଶାସନ, ଚଣାହାଟ, ବାଲିପାଟଣା, ଖୋର୍ଦ୍ଧା
ମୋ- ୮୯୧୭୬୨୪୩୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri