ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ ପରି ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାର। ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପ ଏବଂ ଅନ୍ୟାନ୍ୟ ପ୍ରଦୂଷକ ବାୟୁମଣ୍ଡଳକୁ ନିର୍ଗତ ହୋଇ ଉତ୍ତାପ ବୃଦ୍ଧିରେ ସହାୟତା କରୁଛି। ମାନବ ସଭ୍ୟତାର ବିକାଶରେ ଶକ୍ତି ବ୍ୟବହାର ବିସ୍ତାରିତ ହୋଇଚାଲିଛି, ଜୀବାଶ୍ମ ଇନ୍ଧନର ଦହନ ବୃଦ୍ଧିପ୍ରାପ୍ତ ଏବଂ ଜଳବାୟୁ ସମସ୍ୟା ପରିବର୍ଦ୍ଧିତ ହେଉଛି। ସମସ୍ୟାର ସମାଧାନ ନିମନ୍ତେ ବିକଳ୍ପ ସ୍ବଚ୍ଛ, ସବୁଜ ଶକ୍ତି ଉତ୍ସର ବ୍ୟବହାରକୁ ପ୍ରାଧାନ୍ୟ ଦେଇ ତ୍ୱରିତ ବେଗରେ ଜୀବାଶ୍ମ ଇନ୍ଧନକୁ ବର୍ଜନ କରିବା ଲକ୍ଷ୍ୟରେ ୨୦୧୫ ପ୍ୟାରିସ୍‌ ଜଳବାୟୁ ସମ୍ମିଳନୀରେ ନିଷ୍ପତ୍ତି ଗୃହୀତ ହୋଇଥିଲା। ଜୀବାଶ୍ମ ଇନ୍ଧନ-ଆଧାରିତ ଶକ୍ତିରେ ପରିବର୍ତ୍ତନ (ଏନର୍ଜି ଟ୍ରାଞ୍ଜିସନ)ର ଉଦ୍ଦେଶ୍ୟ ହେଉଛି ଶକ୍ତି ଉତ୍ପାଦନ ପ୍ରକ୍ରିୟାରେ ସୌର, ପବନ, ଜଳବିଦ୍ୟୁତ୍‌, ଭୂତାପଜ, ସାମୁଦ୍ରିକ ଢେଉ, ଜୈବିକ, ଉଦ୍‌ଜାନ (ହାଇଡ୍ରୋଜେନ) ଏବଂ ଅନ୍ୟାନ୍ୟ ନବୀକରଣୀୟ ଶକ୍ତି ପରି ସ୍ବଚ୍ଛ, ଅଧିକ ସ୍ଥାୟୀ ଉତ୍ସକୁ ଅଗ୍ରାଧିକାର ପ୍ରଦାନ। ଏହି ପରିବର୍ତ୍ତନ କେବଳ ଏକ ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶୀୟ ଆବଶ୍ୟକତା ନୁହେଁ, ବରଂ ଏକ ପ୍ରମୁଖ ଅର୍ଥନୈତିକ ଏବଂ ସାମାଜିକ ପରିବର୍ତ୍ତନ ମଧ୍ୟ। ଏହାର ୁ ଗୁରୁତ୍ୱପୂର୍ଣ୍ଣ ପରିଣାମ ମଧ୍ୟରୁ ଗୋଟିଏ ହେଉଛି ପରିବେଶଧର୍ମୀ ସବୁଜ ନିଯୁକ୍ତି ସୃଷ୍ଟିର ସୁଯୋଗ, ଯାହା ପରିବେଶକୁ ସଂରକ୍ଷଣ ଏବଂ ପୁନରୁଦ୍ଧାର କରିବାରେ ଅବଦାନ ରଖେ।
ଶକ୍ତି ପରିବର୍ତ୍ତନର ଅତ୍ୟାବଶ୍ୟକତା ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପରିଣାମ ଦ୍ୱାରା ପରିଚାଳିତ। ଜୀବାଶ୍ମ ଇନ୍ଧନର ନିଷ୍କାସନ, ଉତ୍ପାଦନ, ପରିବହନ ଏବଂ ବ୍ୟବହାର ଦ୍ୱାରା ସବୁଜଗୃହ ଗ୍ୟାସ୍‌, ବିଶେଷକରି ଅଙ୍ଗାରକାମ୍ଳ, ମିଥେନ ଏବଂ ନାଇଟ୍ରସ ଅକ୍ସାଇଡ୍‌ ନିର୍ଗତ ହୁଏ, ଯାହା ବାୟୁମଣ୍ଡଳରୁ ମହାକାଶକୁ ଫେରି ଯାଉଥିବା ଅତିରିକ୍ତ ଉତ୍ତାପକୁ ବାନ୍ଧି ରଖେ; ପରିଣାମରେ ବୈଶ୍ୱିକ ଉଷ୍ମତା ବୃଦ୍ଧିପାଏ। ବର୍ଦ୍ଧିତ ତାପମାତ୍ରା, ପ୍ରାକୃତିକ ବିପର୍ଯ୍ୟୟ ଘଟଣା ଏବଂ ପରିବେଶୀୟ ଅବକ୍ଷୟ ସ୍ପଷ୍ଟ କରିଛି ଯେ ପ୍ରଚଳିତ ଶକ୍ତି ବ୍ୟବସ୍ଥା ସହନୀୟ ମାର୍ଗରେ ପରିଚାଳିତ ହେଉନାହିଁ। ପ୍ୟାରିସ୍‌ ସମ୍ମିଳନୀରେ ପାରିତ ଅନ୍ତର୍ଜାତୀୟ ଚୁକ୍ତିନାମା ଅନୁଯାୟୀ ରାଷ୍ଟ୍ରଗୁଡ଼ିକ ନିର୍ଗମନ ହ୍ରାସ କରିବାକୁ ପ୍ରତିବଦ୍ଧ ହୋଇଥିବାରୁ ସ୍ବଚ୍ଛ ଶକ୍ତିକୁ ପରିବର୍ତ୍ତନ ଏକାନ୍ତ ଅପରିହାର୍ଯ୍ୟ। ଅବଶ୍ୟ ଏହି ପରିବର୍ତ୍ତନ ଆରମ୍ଭ ହୋଇସାରିଛି ଏବଂ ବିଗତ ଦଶନ୍ଧିରେ ନବୀକରଣୀୟ ଶକ୍ତି ପ୍ରଯୁକ୍ତିବିଦ୍ୟା ଅଧିକ ସୁଲଭ ହୋଇଛି ଏବଂ ଦକ୍ଷତା ଅର୍ଜନ କରିଛି। ଉଦାହରଣ ସ୍ବରୂପ, ସୌର ପ୍ୟାନେଲ ଏବଂ ପବନ ଟର୍ବାଇନ୍‌ଗୁଡ଼ିକ ବର୍ତ୍ତମାନ ଅନେକ ଅଞ୍ଚଳରେ ପାରମ୍ପରିକ ଶକ୍ତି ଉତ୍ସ ସହିତ ମୂଲ୍ୟ-ପ୍ରତିଦ୍ୱନ୍ଦ୍ୱୀ ହୋଇପାରିଛି। ସରକାର ଏବଂ ଘରୋଇ କ୍ଷେତ୍ରଗୁଡ଼ିକ ସ୍ବଚ୍ଛ ଶକ୍ତି ଭିତ୍ତିଭୂମି, ବୈଦ୍ୟୁତିକ ଯାନବାହନ ଏବଂ ଶକ୍ତି-ଦକ୍ଷ ପଦ୍ଧତିରେ ପ୍ରଚୁର ନିବେଶ କରୁଛନ୍ତି। ଏହି ନିବେଶଗୁଡ଼ିକ କେବଳ ନିର୍ଗମନ ହ୍ରାସ କରୁନାହିଁ, ବରଂ ଶ୍ରମ ବଜାର ଓ ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ଅବଦାନ ରଖୁଛି।
ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ଏପରି ପରିବର୍ତ୍ତନ ସବୁଜ ନିଯୁକ୍ତିର ପଥ ଉନ୍ମୁକ୍ତ ଓ ପରିବ୍ୟାପ୍ତ କରେ। ସମ୍ପ୍ରତି ନବୀକରଣୀୟ ଶକ୍ତି ଉତ୍ପାଦନ, ଶକ୍ତି ଦକ୍ଷତା, ସହନୀୟ କୃଷି, ବର୍ଜ୍ୟ ପରିଚାଳନା ଏବଂ ପରିବେଶ ସଂରକ୍ଷଣ ସମେତ ବିଭିନ୍ନ କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି ହେଉଛି। ଉଦାହରଣ ସ୍ବରୂପ, ସୌର ପ୍ୟାନେଲ ସଂସ୍ଥାପନ, ପବନ ଟର୍ବାଇନ ରକ୍ଷଣାବେକ୍ଷଣ, ବୈଦ୍ୟୁତିକ ଯାନ ଉତ୍ପାଦନ ଏବଂ ପରିବେଶଧର୍ମୀ ଗୃହନିର୍ମାଣ କ୍ଷେତ୍ରରେ ନିଯୁକ୍ତିସବୁକୁ ସବୁଜ ଚାକିରି ରୂପେ ବିବେଚନା କରାଯାଏ। ଏପରି ନୂତନ ବିକାଶସବୁ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ନକାରାତ୍ମକ ପରିବେଶୀୟ ପ୍ରଭାବକୁ ହ୍ରାସ କରେ। ସବୁଜ ନିଯୁକ୍ତିର ଏକ ପ୍ରମୁଖ ଉପକାର ହେଉଛି ବୃହତ୍‌ ପରିମାଣର ନିଯୁକ୍ତି ନିମନ୍ତେ ଏହା ଯଥେଷ୍ଟ ସୁଯୋଗ ସୃଷ୍ଟି କରେ। ନବୀକରଣୀୟ ଶକ୍ତି ଶିଳ୍ପଗୁଡ଼ିକ ସାଧାରଣତଃ ଜୀବାଶ୍ମ ଇନ୍ଧନ ଶିଳ୍ପ ଅପେକ୍ଷା ଅଧିକ ଶ୍ରମ-କୈନ୍ଦ୍ରିକ। ଦୃଷ୍ଟାନ୍ତ ସ୍ବରୂପ, ସୌର ଫାର୍ମ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ କୋଇଲା ପ୍ଲାଣ୍ଟ ତୁଳନାରେ ପ୍ରତି ୟୁନିଟ୍‌ ଉତ୍ପାଦିତ ଶକ୍ତି ପାଇଁ ଅଧିକ ଶ୍ରମିକ ଆବଶ୍ୟକ ହୁଅନ୍ତି। ଏହାର ଅର୍ଥ ହେଉଛି ଯେ ରାଷ୍ଟ୍ରଗୁଡ଼ିକ ନବୀକରଣୀୟ ଶକ୍ତିରେ ନିବେଶ କଲେ, ସେମାନେ ସାମଗ୍ରିକ ଭାବରେ ଅଧିକ ନିଯୁକ୍ତି ସୃଷ୍ଟି କରିପାରିବେ। ବୈଶ୍ୱିକ ଆକଳନ ଅନୁଯାୟୀ, ଶକ୍ତି ପରିବର୍ତ୍ତନର ପରିଣାମରେ ଆଗାମୀ ଦଶନ୍ଧିଗୁଡ଼ିକରେ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ଉପଲବ୍ଧ ହେବାକୁ ଯାଉଛି।
ତେବେ ଏପରି ପରିବର୍ତ୍ତନ ଚ୍ୟାଲେଞ୍ଜ ସୃଷ୍ଟିର ସମ୍ଭାବନା ବହନ କରେ। କୋଇଲା ଏବଂ ତୈଳ ଚାହିଦା ହ୍ରାସ ପାଇବା ସହିତ ପାରମ୍ପରିକ ଜୀବାଶ୍ମ ଇନ୍ଧନ ଶିଳ୍ପରେ ଶ୍ରମିକମାନେ ଚାକିରି ହରାଇବାର ସମ୍ମୁଖୀନ ହୋଇପାରନ୍ତି। ଏହି ଶିଳ୍ପଗୁଡ଼ିକ ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଅଞ୍ଚଳଗୁଡ଼ିକ ଆର୍ଥିକ କ୍ଷେତ୍ରରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଅତଏବ ଏକ ‘ନ୍ୟାୟସଙ୍ଗତ ପରିବର୍ତ୍ତନ’ ଅତ୍ୟାବଶ୍ୟକ, ଯାହା ନିଶ୍ଚିତ କରିବ ଯେ ପ୍ରଭାବିତ ଶ୍ରମିକଙ୍କୁ ପୁନଃ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସାମାଜିକ ସୁରକ୍ଷା ଏବଂ ନୂତନ ନିଯୁକ୍ତି ସୁଯୋଗ ମାଧ୍ୟମରେ ଥଇଥାନ ନିମନ୍ତେ ସମର୍ଥନ କରାଯାଉଛି। ଅନ୍ୟପକ୍ଷରେ, ସରକାରମାନେ ସାମାଜିକ ସମାନତା ସହିତ ପରିବେଶଗତ ଲକ୍ଷ୍ୟକୁ ସନ୍ତୁଳିତ କରୁଥିବା ନୀତି ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ସବୁଜ ନିଯୁକ୍ତି ନିମନ୍ତେ କର୍ମଶକ୍ତିକୁ ପ୍ରସ୍ତୁତ କରିବାର ମୁଖ୍ୟ ଅସ୍ତ୍ର ହେଉଛି ଉପଯୁକ୍ତ ଶିକ୍ଷା ଏବଂ ଦକ୍ଷତାର ବିକାଶ। ଏହି ଭୂମିକାଗୁଡ଼ିକ ମଧ୍ୟରୁ ଅନେକଙ୍କ ନିମନ୍ତେ ଇଞ୍ଜିନିୟରିଂ ଶିକ୍ଷା, ତଥ୍ୟ ବିଶ୍ଳେଷଣ କିମ୍ବା ବିଶେଷ ସଂସ୍ଥାପନ ଦକ୍ଷତା ଭଳି ବୈଷୟିକ ନିପୁଣତା ଆବଶ୍ୟକ। ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ, ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ଏବଂ ସରକାରୀ-ବେସରକାରୀ ସହଭାଗିତା କର୍ମଚାରୀଙ୍କୁ ଆବଶ୍ୟକ ଜ୍ଞାନ ପ୍ରଦାନ ଦ୍ୱାରା ସୁଦକ୍ଷ ଓ ସଶକ୍ତ କରିବ। ଅବଶ୍ୟ ସମସ୍ତ ସବୁଜ ନିଯୁକ୍ତି ଅତ୍ୟନ୍ତ ବୈଷୟିକ ପ୍ରକୃତିର ନୁହେଁ; ପ୍ରଶାସନିକ, ଲଜିଷ୍ଟିକ୍ସ ଏବଂ ସମ୍ପ୍ରଦାୟ-ଭିତ୍ତିକ ପରିବେଶଜନିତ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ନିଯୁକ୍ତିର ସୁଯୋଗ ରହିଛି।
ଭାରତ ସମେତ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଶକ୍ତି ପରିବର୍ତ୍ତନରୁ ଯଥେଷ୍ଟ ଲାଭ ହାସଲ କରିବାକୁ ହକ୍‌ଦାର। ସୂର୍ଯ୍ୟକିରଣ ଏବଂ ପବନ ଭଳି ପ୍ରଚୁର ନବୀକରଣୀୟ ସମ୍ବଳ ଉପଲବ୍ଧ ହେଉଥିବା ପରିସ୍ଥିତିରେ ସେମାନେ ପାରମ୍ପରିକ ଶକ୍ତି ବ୍ୟବସ୍ଥାକୁ ପରିତ୍ୟାଗ କରି ସ୍ବଚ୍ଛ, ସବୁଜ ଅର୍ଥନୀତି ଗଠନ କରିପାରିବେ। ଭାରତରେ, ସୌର ପାର୍କର ସମ୍ପ୍ରସାରଣ ଏବଂ ବୈଦ୍ୟୁତିକ ଯାନ ଗତିଶୀଳତାକୁ ପ୍ରୋତ୍ସାହନ ଭଳି ପଦକ୍ଷେପଗୁଡ଼ିକ ପୂର୍ବରୁ ସ୍ବଚ୍ଛ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। କିନ୍ତୁ ପ୍ରସଙ୍ଗ ହେଉଛି, ଏହି ପ୍ରକ୍ରିୟାର ଅଭିବୃଦ୍ଧିରେ ସମସ୍ତେ ଅନ୍ତର୍ଭୁକ୍ତ ହେବା ଏବଂ ଉପଲବ୍ଧ ଲାଭ ଗ୍ରାମୀଣ ଓ ଦରିଦ୍ର ବର୍ଗ ପାଖରେ ପହଞ୍ଚତ୍ବାକୁ ନିଶ୍ଚିତ କରିବା ନିମନ୍ତେ ଯୋଜନା ଯତ୍ନବାନ ହେବା ଆବଶ୍ୟକ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ନବସୃଜନ। ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ନୂତନ ପ୍ରଯୁକ୍ତିବିଦ୍ୟା, ଯେପରିକି ବ୍ୟାଟେରି ସଂରକ୍ଷଣ, ଉଦ୍‌ଜାନ ଇନ୍ଧନ ଏବଂ ସ୍ମାର୍ଟ ଗ୍ରୀଡ୍‌ରେ ଗବେଷଣା ଏବଂ ବିକାଶକୁ ପ୍ରେରଣା ଦେଉଛି। ଏହି ନବସୃଜନ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ଉଦ୍ୟୋଗ କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଷ୍ଟାର୍ଟଅପ୍‌ ଏବଂ କ୍ଷୁଦ୍ର ବ୍ୟବସାୟଗୁଡ଼ିକ ମଧ୍ୟ ସ୍ଥାନୀୟ ସମସ୍ୟା ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଏବଂ ନିଯୁକ୍ତି ସମ୍ଭାବନାକୁ ଆହୁରି ବିସ୍ତାରିତ କରୁଛନ୍ତି।
ଏହା ହୃଦୟଙ୍ଗମ ହେବା ବାଞ୍ଛନୀୟ ଯେ ଶକ୍ତି ପରିବର୍ତ୍ତନ ପରିବେଶୀୟ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ- ଏହା ଅଧିକ ନିରନ୍ତର ଏବଂ ସମସ୍ତଙ୍କ ହିତ ସାଧନକାରୀ ଅର୍ଥନୀତି ହାସଲ ଦିଗରେ ଏକ ସୁଗମ ପଥ। ସବୁଜ ନିଯୁକ୍ତି ସୃଷ୍ଟି ଏହି ପରିବର୍ତ୍ତନର କେନ୍ଦ୍ରରେ ଅବସ୍ଥିତ, ଯାହା ଚାକିରି, ନବସୃଜନ ଏବଂ ସାମାଜିକ ପ୍ରଗତି ନିମନ୍ତେ ସୁଯୋଗ ପ୍ରଦାନ କରେ। ଯଦିଓ ଅନେକ ଆହ୍ବାନ ସମ୍ମୁଖରେ ବିଦ୍ୟମାନ, ବିଶେଷକରି ଜୀବାଶ୍ମ ଇନ୍ଧନରୁ ଦୂରେଇ ଯିବାରେ, ଶିକ୍ଷା ଏବଂ ଭିତ୍ତିଭୂମିରେ ସକ୍ରିୟ ନୀତି ଓ ନିବେଶ ସୁନିଶ୍ଚିତ କରିବ ଯେ ହିତଗୁଡ଼ିକ ସମ ଭାବରେ ବଣ୍ଟନ ହେଉଛି। ବିଶ୍ୱ ଏକ ନିମ୍ନ ଅଙ୍ଗାରକ (କାର୍ବନ) ଭବିଷ୍ୟତ ଆଡ଼କୁ ଗତି କରିବାର ଆବଶ୍ୟକତା ଥିବାରୁ, ଶକ୍ତି ପରିବର୍ତ୍ତନ ଏବଂ ସବୁଜ ନିଯୁକ୍ତି ମଧ୍ୟରେ ସମ୍ପର୍କ ଆର୍ଥିକ ବିକାଶ ଏବଂ ପରିବେଶଗତ ସ୍ଥିରତା ଉଭୟକୁ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଡ. ଜୟକୃଷ୍ଣ ପାଣିଗ୍ରାହୀ
– କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି
ମୋ: ୯୪୩୭୦୭୬୧୦୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?